ନୀଳାଦ୍ରିବିହାର ପୋଲ କଥା ଭୁଲିଗଲାଣି ପ୍ରଶାସନ: ଆଉ କେତେ ଦିନ ଲୁହା ପ୍ଲେଟ୍‌ ଭରସା ?

ନୀଳାଦ୍ରିବିହାର ପୋଲ କଥା ଭୁଲିଗଲାଣି ପ୍ରଶାସନ

ଚନ୍ଦ୍ରଶେଖରପୁର: ‘କୋର୍ଟରେ ମାମଲା ରହିଛି। ପୋଲ ନିର୍ମାଣ ହେବାକୁ ଥିବା ସ୍ଥାନ ଯେଉଁ ବ୍ୟକ୍ତିଙ୍କର ସେ ଧରାଛୁଆଁ ଦେଉନାହାନ୍ତି। ତେଣୁ ଆମେ କିଛି କରିପାରୁନୁ। କାମ ଲାଗି ଟେଣ୍ଡର ସରିଛି। ଟଙ୍କା ଧରି ବସିଛୁ। ହେଲେ କାମ କରିପାରୁନୁ। କୋର୍ଟରେ ମାମଲା କରିଥିବା ବ୍ୟକ୍ତି ଜଣକ ଯେତେଶୀଘ୍ର ସହମତି ପ୍ରକାଶ କରିବେ ଆମେ କାମ ଆରମ୍ଭ କରିବୁ।’ ଦିନେ କି ଦୁଇ ଦିନ ନୁହେଁ, ପାଖାପାଖି ୫ମାସ ହେଲା ଚନ୍ଦ୍ରଶେଖପୁର ଓ ନୀଳାଦ୍ରିବିହାର ଅଞ୍ଚଳର ଲୋକଙ୍କୁ ପ୍ରଶାସନ ପକ୍ଷରୁ ଏଭଳି ଆଶ୍ବାସନା ଦିଆଯାଉଛି। ମାତ୍ର କାମ ଆଗେଇପାରୁନାହିଁ। ଏବେ ବି ଲୁହା ପ୍ଲେଟ୍‌ ଉପରେ ପ୍ରତିଦିନ ହଜାର ହଜାର ଲୋକ ଯିବା ଆସିବା କରୁଛନ୍ତି। କାହାର ଜୀବନ ଯାଇନି ସତ। ମାତ୍ର କେତେବେଳେ ଯେ ଚାଲିଯିବ ତାହା କେହି କହିପାରିବେ ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ସ୍ଥାନୀୟ ଜନପ୍ରତିନିଧିଙ୍କର ଏଥିପ୍ରତି ଟିକିଏ ବି ନିଘା ନାହିଁ। ‌ନା କର୍ପୋରେଟର ହସ୍ତକ୍ଷେପ କରୁଛନ୍ତି। ନା ଏବେ ‌ଏବେ ନିର୍ବାଚିତ ହୋଇଥିବା ବିଏମ୍‌ସି ମେୟରଙ୍କର ଏଥିପ୍ରତି ଦୃଷ୍ଟି ଅଛି। ସମସ୍ୟା ସମ୍ପର୍କରେ କେହି ଯେମିତି ଅବଗତ ଥିବା ପରି ମନେ ହେଉ ନାହିଁ। ନ ହେଲେ ୫ ମାସ ହେଲା ୮ ଓ ୧୪ ନମ୍ବର ୱାର୍ଡର ପ୍ରାୟ ୧୦ ହଜାର ପରିବାର ହସ୍ତସନ୍ତ ହେଉଥିଲେ ମଧ୍ୟ ସେଥିପ୍ରତି କାହାର କିଭଳି ନଜର ପଡ଼ି ନ ଥାନ୍ତା। ଅବଶ୍ୟ ସ୍ଥାନୀୟ ବିଧାୟକ ମଝିର ମଝିରେ ପୂର୍ତ୍ତ ବିଭାଗ ଓ ଜିଲ୍ଲାପାଳଙ୍କ ସହ ଯୋଗସୂତ୍ର ସ୍ଥାପନ କରି କିଛିଟା ତାଗିଦ୍‌ କରୁଛନ୍ତି। ମାତ୍ର ଫଳ ଶୂନ। ଲୋକେ ସେମିତି ଦହଗଞ୍ଜ ହେଉଛନ୍ତି। ପ୍ରଥମେ ଡ୍ରେନ୍‌ର ଏପାଖରୁ ସେପାଖକୁ ଯିବା ଲାଗି ଲୁହା ପାଇପ୍‌ ପକାଯିବା ସହ ସେଥିରେ ଦୁଇ ଖଣ୍ଡ ବାଉଁଶ ବାନ୍ଧିଥିଲେ। ଏନେଇ ଗଣମାଧ୍ୟମରେ ଲଗାତାର ଭାବେ ଖବର ପ୍ରକାଶ ପରେ ପ୍ରଶାସନ ନିଦ ଭାଙ୍ଗିଥିଲା। ଆଉ ରାତାରାତି ଲୁହା ପ୍ଲେଟ୍‌ ପକାଇ ଏକ ଅସ୍ଥାୟୀ ପୋଲ୍‌ କରାଯାଇଛି। ଯେଉଁଥିରେ ଜଣେ ଗଲେ ଆଉ ଜଣେ ଯିବା କଷ୍ଟକର ହୋଇପଡ଼ୁଛି। ବାଇକ୍‌ ଚାଳକଙ୍କୁ ଏଠାରେ ଅପେକ୍ଷା କରିବାକୁ ପଡ଼ୁଛି। ଗୋଟିଏ ପାର୍ଶ୍ବରୁ ବାଇକ୍‌ ଚାଳକ ଆସିଲେ ଅନ୍ୟପାର୍ଶ୍ବ ଲୋକେ ଅପେକ୍ଷା କରୁଛନ୍ତି। ଏମିତିକି ସନ୍ଧ୍ୟା ସମୟରେ ଏହି ପୋଲ୍‌ ପାର୍‌ ହେବାକୁ ଏକାଥରେ ୪୦ରୁ ୫୦ ବାଇକ୍‌ ଚାଳକ ଲାଇନ୍‌ରେ ଛିଡ଼ା ହୋଇ ରହୁଛନ୍ତି। ଏବେ ପୁଣି ବର୍ଷା ଆରମ୍ଭ ହେଉଥିବାରୁ ଅବସ୍ଥା ନ କହିବା ଭଲ। ବାଇକ୍‌ ଚକ ସ୍ଲିପ୍‌ କରିବାରୁ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି। ରାଜଧାନୀ ଛାତି ଉପରେ ଜନଗହଳିପୂର୍ଣ୍ଣ ଚନ୍ଦ୍ରଶେଖରପୁରରୁ ନୀଳାଦ୍ରିବିହାରକୁ ସଂଯୋଗ କରୁଥିବା ରାସ୍ତାରେ ଏଭଳି ସମସ୍ୟା ହୋଇଥିଲେ ମଧ୍ୟ କେହି ଧ୍ୟାନ ନ ଦେବା ପରିତାପର ବିଷୟ।
କାର୍‌ ଚାଳକଙ୍କୁ ଏବେ ବି ନାକେଦମ ହେବାକୁ ପଡ଼ୁଛି। ୨୦୦ ମିଟର ରାସ୍ତା ବଦଳରେ ସେମାନଙ୍କୁ ୩ କିମି ରାସ୍ତା ବୁଲିବୁଲି ଯିବାକୁ ପଡ଼ୁଛି। ନିର୍ମାଣାଧୀନ ପୋଲ ନିକଟରେ ନୀଳାଦ୍ରିବିହାର ହାଟ ରହିଥିବାରୁ ବ୍ୟବସାୟୀମାନେ ୫ମାସ ହେଲା କ୍ଷତି ସହୁଛନ୍ତି। ଲୋକଙ୍କ ଅଭିଯୋଗ ହେଉଛି ଯେ ପ୍ରଶାସନର ଦୂରଦୃଷ୍ଟି ଅଭାବ ଯୋଗୁଁ ହଜାର ହଜାର ଲୋକେ ହୀନସ୍ତା ହେଉଛନ୍ତି। ପୋଲ ଭାଙ୍ଗିବା ପୂର୍ବରୁ ଯିବା ଆସିବା ଲାଗି ଉପଯୁକ୍ତ ବିକଳ୍ପ ବ୍ୟବସ୍ଥା କରାଯିବାର ଆବଶ୍ୟକତା ଥିଲା। ଏଭଳି ଅଧାପନ୍ତରିଆ କାମ ଆଦୌ ଠିକ୍‌ ନୁହେଁ। ଯେଉଁ ଜାଗାକୁ ନେଇ କୋର୍ଟରେ ମାମଲା ରହିଛି ‌ତାହାକୁ ଛାଡ଼ି ପ୍ରଶାସନ ବିକଳ୍ପ ରାସ୍ତା ତିଆରି କରୁ। ଆଗକୁ ବର୍ଷା ଦିନ ଥିବାରୁ ଯିବା ଆସିବାରେ ଆହୁରି ଅସୁବିଧା ହେବ। ବଡ଼ ବର୍ଷାରେ ଯଦି ମାଟି ଧୋଇଯିବ ତେବେ ‌ଏ ପୋଲ ବି ଭୁଶୁଡ଼ି ପଡ଼ିବ। ତେଣୁ ସ୍ଥାନୀୟ ଲୋକେ ଏହାର ପ୍ରତିବାଦ ସ୍ୱରୂପ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିବା ସହ ଏହାର ବ୍ୟବସ୍ଥା ନହେଲେ ଆନ୍ଦୋଳନ ପାଇଁ ରାସ୍ତାକୁ ଆସିବେ ବୋଲି ଚେତାବନୀ ଦେଇଛନ୍ତି।

Share Now:

Kalinga News Beuro

Next Post

ପାଳଗଦାରୁ ନରକଙ୍କାଲ ଉଦ୍ଧାର ମାମଲା: ସ୍କେଚ୍‌ ଜାରିକଲା ପୁଲିସ, ସୂଚନା ଦେଲେ ପୁରସ୍କାର ଘୋଷଣା

Thu Jun 16 , 2022
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନାର ଜାତୀୟ ରାଜପଥ-୨୬ ନବୀନ ଛକ ନିକଟ ଏକ ଚାଷଜମିର ପୋଡ଼ା ପାଳଗଦା ଭିତରୁ ନରକଙ୍କାଳ ଓ ୧୪ଟି ଚୁଡ଼ି, ପାଉଁଜି ପୁଲିସ ଜବତ କରିଥିଲା। ୨୦୨୧ ଫେବ୍ରୁଆରି ମାସର ଏହି ଘଟଣାକୁ ନେଇ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଇତିମଧ୍ୟରେ ତଦନ୍ତରୁ କଙ୍କାଳର ଖପୁରିକୁ ଆଧାର କରି ଅବିକଳ ଚେହେରାର ଦୁଇଟି ଫଟୋ ଜାରି କରିଛି ପୁଲିସ। […]
ପାଳଗଦାରୁ ନରକଙ୍କାଲ ଉଦ୍ଧାର ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial