ଲିଙ୍ଗରାଜ ମନ୍ଦିରରୁ ଦିଶିବ ବିନ୍ଦୁସାଗର, ବିନ୍ଦୁସାଗର କୂଳରୁ ସବୁ ଘର ଭଙ୍ଗା ହେବ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଲିଙ୍ଗରାଜ ମନ୍ଦିର ଚାରି ପାର୍ଶ୍ଵରୁ ଉଚ୍ଛେଦ ଆରମ୍ଭ କରିଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜବରଦଖଲରେ ଥିବା ସରକାରୀ ଜମି, ସରକାରୀ କାର୍ଯ୍ୟାଳୟ ଆଦି ଭଙ୍ଗା ହୋଇଥିବା ବେଳେ ଏବେ ସ୍ଥାୟୀ ଘର ଭାଙ୍ଗିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ସରକାର ସୋମବାର ଏକାମ୍ର କ୍ଷେତ୍ରରେ ବାସହରା ହେବାକୁ ଥିବା ଲୋକଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିବା ପରେ ପ୍ରଶାସନ ଉଚ୍ଛେଦ ପାଇଁ ପ୍ରସ୍ତୁତି କରିଛି। ସପ୍ତାହକ ଭିତରେ ଜୋରଦାର୍ ଉଚ୍ଛେଦ ଆରମ୍ଭ ହେବ। ଯେଉଁଠି ସରକାରଙ୍କ ପ୍ୟାକେଜ୍ ଅନୁଯାୟୀ ହିତାଧିକାରୀ କ୍ଷତିପୂରଣ ପାଇବେ, ସେଠାରେ ତୁରନ୍ତ ଉଚ୍ଛେଦ ହେବ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାସନ ପକ୍ଷରୁ ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ କେଉଁ କେଉଁ ଘର, ଦୋକାନ ଓ ନିର୍ମାଣ ଭଙ୍ଗା ହେବ, ତା’ର ତାଲିକା ହୋଇଛି। ଏହା ବାଦ୍ ସମସ୍ତ ଐତିହ୍ୟ ଓ କୀର୍ତ୍ତିରାଜି ଚାରିକଡ଼ୁ ବି ଜବରଦଖଲ ଓ ସ୍ଥାୟୀ ଘର ଭଙ୍ଗା ହେବ। ‌ଯାହାର ଘର କି ଦୋକାନ ଭଙ୍ଗାଯିବ, ସେମାନଙ୍କୁ ସରକାରଙ୍କ ଘୋଷଣା ଅନୁଯାୟୀ ଅର୍ଥ ଦିଆଯିବ। ହେଲେ କାହାର କେତେ ଅଞ୍ଚଳ ଅଧିଗ୍ରହଣ ହେବ, କାହାକୁ କେତେ କ୍ଷତିପୂରଣ ମିଳିବ, ସେନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା‌ରେ ଏକ ଜମି ମୂଲ୍ୟାୟନ କମିଟି ଗଠନ ହେବ। ଏହି କମିଟି ସର୍ଭେ କରି ରିପୋର୍ଟ ଦେବ। ସ୍ଥାନୀୟ ଅଞ୍ଚଳର ଜମିର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ, ଏହି କ୍ଷତିପୂରଣ ଦିଆଯିବ। ପୂର୍ତ୍ତ ବିଭାଗର ଘର ନିର୍ମାଣ ଓ କିଣା ଖର୍ଚ୍ଚକୁ ହିସାବ କରି ଏହି କ୍ଷତିପୂରଣ ଦିଆଯିବ। ଏହି ଉଚ୍ଛେଦ ଅଭିଯାନରେ ବିନ୍ଦୁସାଗର କୂଳ ଏବଂ ଅନନ୍ତ ବାସୁଦେବ ମନ୍ଦିର ଚାରିକଡ଼ରୁ ସବୁ ଘର ଭଙ୍ଗାଯିବ। ବିନ୍ଦୁସାଗର କୂଳରେ କିଛି ସ୍ଥାୟୀ ନିର୍ମାଣ ରହିବନି କି ଅନନ୍ତ ବାସୁଦେବ ମନ୍ଦିରକୁ ଲାଗି ଏବେ ଯେପରି ଘର ଅଛି, ସେଗୁଡ଼ିକ ବି ରହିବନି। ଏନେଇ ପ୍ରାଥମିକ ସର୍ଭେ ସରିଛି। ବିନ୍ଦୁସାଗର କୂଳରୁ ଶ୍ରୀ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳ ପୂରା ଖୋଲା ସ୍ଥାନ ରହିବ। ଲିଙ୍ଗରାଜ ମନ୍ଦିର ପାଖରେ ଛିଡ଼ା ହେଲେ ବିନ୍ଦୁସାଗର ଦେଖାଯିବ। ଏପରିକି ଉତ୍ତର ଦ୍ୱାରରୁ ବିନ୍ଦୁସାଗର ସ୍ପଷ୍ଟ ଦେଖାଯିବ। ଏଥିପାଇଁ ଖୁବ୍‌ ଶୀଘ୍ର ଉଚ୍ଛେଦ ହେବାକୁ ଥିବା ଘରଗୁଡ଼ିକୁ ଚିହ୍ନ ଦିଆଯିବ। ଏହାପରେ କ୍ଷତିପୂରଣ ଦେଇ ଉଚ୍ଛେଦ କରାଯିବ। ବିନ୍ଦୁସାଗରକୂଳ, ଶ୍ରୀଅନନ୍ତ ବାସୁଦେବ ମନ୍ଦିର ଏବଂ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ବଫର୍ ଜୋନ୍ କରାଯିବ। ଏହାର ୭୫ ମିଟର ଭିତରେ କିଛି ନିର୍ମାଣ ରହିବନି। ଏହାପରେ ପୁରୁଣା ଭୁବନେଶ୍ୱରରେ ଥିବା ବାକି ମନ୍ଦିର ନିକଟରେ ବି ସମାନ ଢଙ୍ଗରେ ଉଚ୍ଛେଦ ହେବ। ଏହି ଉଚ୍ଛେଦରେ ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ବଡ଼ୁ ନିଯୋଗ କାର୍ଯ୍ୟାଳୟ ପୂରା ଭାଙ୍ଗିବାକୁ ପ୍ରଶାସନ ଏବେ ନିଯୋଗ ସହ ଆଲୋଚନା କରୁଛି। ଶ୍ରୀ ଲିଙ୍ଗରାଜ ମନ୍ଦିର ପଛ ପାର୍ଶ୍ଵରେ ପ୍ରଶସ୍ତ ରାସ୍ତା ନିର୍ମାଣ ହେବାକୁ ଥିବାରୁ ଏହି ରାସ୍ତାରେ ଥିବା କିଛି ସରକାରୀ ଓ ବେସରକାରୀ କୋଠାକୁ ବି ଭଙ୍ଗାଯିବ। ସେହିପରି ପୁରୁଣା ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ନିକଟରେ ଥିବା ୫ଟି ଘର ବି ଭଙ୍ଗାଯିବ। ଦୁଇ ମାସ ମଧ୍ୟରେ ସବୁ ଉଚ୍ଛେଦ ଶେଷ ହେବ। ଏବେ ବିଏମ୍‌ସି, ବିଡିଏ, ଶ୍ରୀ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠନ ହୋଇଥିବା ଟିମ୍ ସ୍ଥାନୀୟ ବାସିନ୍ଦାଙ୍କୁ ବୁଝାସୁଝା କରି ସରକାରୀ ପ୍ୟାକେଜ୍ ଦେବା କାମ ଆରମ୍ଭ କରି ଦେଇଛନ୍ତି। ଯେଉଁଦିନ ଯେଉଁ ଘର/ଦୋକାନ ମାଲିକ ସରକାରୀ ସହାୟତା ଗ୍ରହଣ କରିବେ, ତା’ପରଦିନ ତାଙ୍କ ଘର/ଦୋକାନ ଭଙ୍ଗାଯିବ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Leave a Reply

Next Post

୪୪ ବର୍ଷ ହେଲା ପ୍ରସ୍ତାବରେ ବଇଁଚୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର:ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଚେତାବନୀ

Thu Jan 30 , 2020
ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ବଇଁଚୁଆ ପଞ୍ଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚସି ନିଉ) କରିବା ନେଇ ଦୀର୍ଘ ୪୪ ବର୍ଷ ହେଲା ସରକାରୀ ଦପ୍ତରରେ ପ୍ରସ୍ତାବ ଗୃହୀତ ହୋଇଛି। ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ, ବିଭାଗୀୟ ନିର୍ଦ୍ଦେଶକ, ସଚିବ, ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଦାଇତ୍ୱରେ ଥିବା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଖାଲି ସେତିକି ନୁହେଁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial