ଅମାନବୀୟ “କରୋନା ଯୋଦ୍ଧା ଡାକ୍ତରାଣୀଙ୍କୁ ଗାଁରେ ପୂରାଇ ଦେଲେନି ଲୋକେ”: ଢେଲା ମାରିଲେ

ଭୁବନେଶ୍ୱର : କରୋନା ଯୁଦ୍ଧରେ ଡାକ୍ତରମାନେ ଆଗଧାଡ଼ିର ଯୋଦ୍ଧା। ସେମାନଙ୍କ ହାତରେ ହିଁ ଏବେ ଦେଶର ଭାଗ୍ୟ, ଭବିଷ୍ୟତ। ମହାମାରୀରୁ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ସେମାନେ ଅହରହ ସଂଗ୍ରାମ କରି ଚାଲିଛନ୍ତି। କିନ୍ତୁ ସେହିଭଳି ଜଣେ କରୋନା ଯୋଦ୍ଧାଙ୍କୁ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ବାହାର ରାଜ୍ୟରୁ ଫେରିଥିବାରୁ ଗ୍ରାମବାସୀ ତାଙ୍କୁ ଘରେ ପୂରାଇ ଦେଲେନି। ସଂ‌ଗରୋଧ କେନ୍ଦ୍ରରେ ରହିବା ପାଇଁ ଯିବାରୁ ତାଙ୍କ ଉପରକୁ ଟେକା‌ପଥର ମାଡ଼ କଲେ। ତେଣୁ ଜୀବନ ବଞ୍ଚାଇବା ପାଇଁ ସୁଦୂର ହାଇଦ୍ରାବାଦ୍‌ରୁ ଫେରିଥିବା ଆୟୁର୍ବେଦିକ ମହିଳା ଡାକ୍ତର ରାକ୍ଷୀ ସିଂ ସପରିବାରେ ଦୁଇ ଦିନ ଓ ଗୋଟିଏ ରାତି କାର୍‌ରେ ବିତାଇବାକୁ ବାଧ୍ୟ ହେଲେ। ଦୁଇ ଦିନ ବାହାରେ ବୁଲିବା ପରେ ଡାକ୍ତରଙ୍କ ପରିବାରକୁ କମିସନରେଟ୍‌ ପୁଲିସ ଟ୍ରାଇଡେଣ୍ଟ କଲେଜ୍‌ କ୍ବାରାଣ୍ଟିନ୍‌ ସେଣ୍ଟରରେ ରଖିବାର ବ୍ୟବସ୍ଥା କରିଛି। ନନ୍ଦନକାନନ ଥାନା ଅଞ୍ଚଳରେ ଘଟିଥିବା ଏହି ଅମାନବୀୟ ଘଟଣା ବୁଦ୍ଧିଜୀବୀମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ସ୍ୱାମୀ ସୁଧୀର କୁମାରଙ୍କ ଅଭିଯୋଗ ମୁତାବକ, ଗତ ୩ତାରିଖ ରାତିରେ ସରକାରଙ୍କ ଅନୁମତି ନେଇ ପୁଅ, ଝିଅ ସହ ଡାକ୍ତର ରାକ୍ଷୀ ହାଇଦ୍ରାବାଦରୁ ନନ୍ଦନକାନନ ଥାନା ଅଞ୍ଚଳ ଗଣ୍ଡରପୁରସ୍ଥିତ ଭଡ଼ା ଘରକୁ ଆସିଥିଲେ। ସେଠାରେ ସ୍ୱାମୀ ସୁଧୀର ରହୁଥିଲେ। ସେ ଏଠାରେ ରାତିରେ ପହଞ୍ଚିଥିଲେ। ତାଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ ଆଦେଶ ରହିଥିଲା। ନିୟମ ଅନୁଯାୟୀ, ନୋଡାଲ ଅଧିକାରୀ ଓ ପୁଲିସକୁ ମଧ୍ୟ ସେ ଅବଗତ କରିଥିଲେ। ହେଲେ ଗ୍ରାମବାସୀ ପ୍ରବଳ ବିରୋଧ କରିବାରୁ ସେ ସରପଞ୍ଚଙ୍କ ସହଯୋଗ ଲୋଡ଼ିଥି‌ଲେ। କିନ୍ତୁ ସରକାରୀସ୍ତରରୁ ଖବର ଆସି ନଥିବାରୁ ଏଠାରେ ରହିବା ସମ୍ଭବ ନୁହେଁ ବୋଲି ସରପଞ୍ଚ ଶୁଣାଇ ଦେଇଥିଲେ। ଏଣୁ ସ୍ୱାମୀଙ୍କ ସହ ଡାକ୍ତରାଣୀ ନନ୍ଦନକାନନ ଥାନାରେ ପହଞ୍ଚିଲେ। ପୁଲିସ ମଧ୍ୟ ସରପଞ୍ଚଙ୍କ ସହ ଯୋଗାଯୋଗ କରିବା ପରେ ହାତ ଟେକି ଦେଇଥିଲା। ଫଳରେ ଡାକ୍ତର ରାକ୍ଷୀ ସପରିବାରେ କାର୍‌ରେ ରାତି ବିତାଇଥିଲେ। ଏହାର ପରଦିନ ସକାଳେ ପୁଲିସ ସେମାନଙ୍କୁ ଗଣ୍ଡରପୁର ସ୍କୁଲରେ ଥିବା ସଙ୍ଗରୋଧ କେନ୍ଦ୍ର‌ରେ ରହିବା ପାଇଁ ପରାମର୍ଶ ଦେଇଥିଲା। ସେମାନେ ସେଠାକୁ ଯିବା ବେଳକୁ ୩୦ରୁ ୫୦ ଲୋକ ତାଙ୍କୁ ଟେକା ପଥର ମାଡ଼ କରିବା ସହ ନିଆଁ ଲଗାଇ ଦେବାକୁ ଧମକ ଦେଇଥିଲେ। ତେଣୁ ସେମାନେ ସେଠାରୁ ଚାଲି ଆସି ଡିସିପି ଅଫିସରେ ଯୋଗାଯୋଗ କରିଥିଲେ। ସେଠାରେ କାଗଜପତ୍ର ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ଆଧାର କାର୍ଡରେ ସେ ପୂର୍ବରୁ ରହୁଥିବା ତାଙ୍କର ନୀଳାଦ୍ରିବିହାରର ଭଡ଼ାଘର ଠିକଣା ଉଲ୍ଲେଖ ଅଛି। ତେଣୁ ସେହି ଠିକଣା ଅନୁସାରେ ପଞ୍ଜୀକରଣ ହୋଇଛି। ଏଣୁ ଚନ୍ଦ୍ରଶେଖରପୁର ଥାନା ଯିବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଥିଲା। ଚନ୍ଦ୍ରଶେଖରପୁର ଥାନାରେ ମଧ୍ୟ ପୁଲିସ ତାଙ୍କୁ ସହଯୋଗ କରିନଥିଲା। ଏଣୁ ସେମାନେ ହାଇଦ୍ରାବାଦ୍‌ ଫେରିଯିବା ପାଇଁ ଆବେଦନ କରିଥିଲେ। ପ୍ରାୟ ୩ ଘଣ୍ଟା ପରେ ଆବେଦନ ବାତିଲ ହୋଇଥିଲା। ଏଥିରେ ବ୍ୟଥିତ ହୋଇ ସେମାନେ ପୁଣି ଥରେ ନନ୍ଦନକାନନ ଥାନା ପହଞ୍ଚିଥିଲେ। ସେଠାରେ ତାଙ୍କୁ ଦିନକୁ ୧୮୦୦ ଟଙ୍କା ଖର୍ଚ୍ଚ କରି ହୋଟେଲରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ତାହା ବ୍ୟୟବହୁଳ ହୋଇଥିବାରୁ ସେମାନେ ସେଠାକୁ ଯାଇନଥିଲେ। ଶେଷରେ ତାଙ୍କୁ ଟ୍ରାଇଡେଣ୍ଟ କଲେଜ୍‌ରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ଏ ସଂପର୍କରେ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏହାର ତଦନ୍ତ ହେଉଛି। ଆବଶ୍ୟକ ପଡ଼ିଲେ ଡାକ୍ତର ଓ ତାଙ୍କ ପରିବାରକୁ ଏଭଳି ହଇରାଣ କରିଥିବା ଲୋକ ବିରୋଧରେ ମାମଲା ରୁଜୁ କରାଯିବ। ଗଣ୍ଡରପୁର ସରପଞ୍ଚ ପ୍ରଭାସିନୀ ସାସମଲ କହିଛନ୍ତି, ଆମ ପାଖକୁ ସରକାରୀ ଭାବରେ ସୂଚନା ଆସିନଥିଲା। ତାଙ୍କର ପଞ୍ଜୀକରଣ ଜୟଦେବବିହାର ଅଞ୍ଚଳରେ ହୋଇଥିଲା। ଏଣୁ ଏଠାରେ ରଖିବା ସମ୍ଭବପର ନଥିଲା। ତେବେ ତାଙ୍କୁ ଗୃହ ସଙ୍ଗରୋଧ କେନ୍ଦ୍ରକୁ ନେବା ପାଇଁ ଆମେ ସମସ୍ତ ପ୍ରକାର ସହଯୋଗ କରିଥିଲୁ। ମୁଁ ତାଙ୍କୁ ଗଣ୍ଡରପୁର ସଙ୍ଗରୋଧ କେନ୍ଦ୍ର ନେଇଯାଇଥିଲି। ହେଲେ ସେଠାରେ ଲୋକମାନେ ବିରୋଧ କଲେ।

Share Now:

Kalinga News Beuro

Leave a Reply

Next Post

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦିଲ୍ଲୀ ଏମ୍ସରେ ଭର୍ତ୍ତି

Sun May 10 , 2020
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଆଜି ରାତିରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ଟୁଇଟ ଜରିଆରେ ଏହି ସୂଚନା ଦେଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଚିକିତ୍ସା ପାଇଁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ସିଂହଙ୍କର ପୂର୍ବରୁ ହାର୍ଟ ସର୍ଜରୀ ହୋଇସାରିଛି। Share Now:

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial