ନବୀନ, ଧର୍ମେନ୍ଦ୍ରଙ୍କ ଜିଦ୍‌ ରହିଲା : ୧୦କୁ ବଢ଼ିବ ‘ଆକାଂକ୍ଷୀ ଜିଲ୍ଲା’ ସଂଖ୍ୟା

ଢେଙ୍କାନାଳ ରହିଲା, ସାମିଲ ହେବ ନବରଙ୍ଗପୁର ଓ ନୂଆପଡ଼ା

ଭୁବନେଶ୍ୱର : ନୀତି ଆୟୋଗଙ୍କ ବହୁଳ ପ୍ରଚାରିତ ‘ଆକାଂକ୍ଷୀ ଜିଲ୍ଲା’ ତାଲିକାରୁ ଓଡ଼ିଶା ବାଦ୍‌ ପଡ଼ିଯିବ କି? କେନ୍ଦ୍ର-ରାଜ୍ୟ ଭିତରେ ଚାଲିଥିବା ଶୀତଳଯୁଦ୍ଧ ରାଜ୍ୟବାସୀଙ୍କ ମନରେ ଏମିତି ଆଶଙ୍କା ସୃଷ୍ଟି କରିଥିଲା। ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ଜନପ୍ରତିନିଧି ସମ୍ମିଳନୀରେ ଓଡ଼ିଶା ପ୍ରସଙ୍ଗରେ ଆଲୋଚନା ବି ହେଲାନି।

କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ହୋଇଥିବା ଲଢ଼େଇରେ ଓଡ଼ିଶାକୁ ଲାଭ ମିଳିବାକୁ ଯାଉଛି। ଓଡ଼ିଶାର ୮ଟି ଜିଲ୍ଲା ନୁହେଁ, ବରଂ ୧୦ଟି ଜିଲ୍ଲାକୁ ଏହି ତାଲିକାରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦାବି ରହିଛି, କେନ୍ଦ୍ରମନ୍ତ୍ରୀଙ୍କର ବି। ଢେଙ୍କାନାଳ ଜିଲ୍ଲାକୁ କେନ୍ଦ୍ର ସରକାର କାଟୁନାହାନ୍ତି ଏବଂ ରାଜ୍ୟ ସରକାରଙ୍କର ଦାବି ମୁତାବକ ନବରଙ୍ଗପୁର ଓ ନୂଆପଡ଼ାକୁ ବି ସାମିଲ କରାଯିବ।

ଉଲ୍ଲେଖଯୋଗ୍ୟ, ବିକାଶର ୪୮ ମାନଦଣ୍ଡକୁ ବିଚାରକୁ ନେଇ ନୀତି ଆୟୋଗ ଦେଶର ୧୧୫ଟି ପଛୁଆ ଜିଲ୍ଲାର ତାଲିକା ପ୍ରସ୍ତୁତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ନ୍ୟୁ ଇଣ୍ଡିଆ-୨୦୨୨’କୁ ଦୃଷ୍ଟିରେ ରଖି ଏହି ଜିଲ୍ଲା ତାଲିକା କରାଯାଇଥିଲା। ଉଦ୍ଦେଶ୍ୟ ହେଲା, ଏସବୁ ପଛୁଆ ଜିଲ୍ଲାର ବିକାଶ ହେଲେ, ଭାରତର ସାମଗ୍ରିକ ବିକାଶ ହେବ। ଏହି ତାଲିକାରେ ଓଡ଼ିଶାର ୮ଟି ଜିଲ୍ଲା କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ଗଜପତି, ମାଲକାନଗିରି, ବଲାଙ୍ଗୀର ଓ ଢେଙ୍କାନାଳ ସ୍ଥାନ ପାଇଥିଲା। ନୀତି ଆୟୋଗଙ୍କ ଯୋଜନା ଥିଲା, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ଵୟ ରକ୍ଷା କରି ଏହି ଜିଲ୍ଲାଗୁଡ଼ିକରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରାଯିବ। ଏଥିପାଇଁ ପ୍ରତି ଜିଲ୍ଲା ଲାଗି କେନ୍ଦ୍ର ସରକାର ଜଣେ ଲେଖାଏଁ ଯୁଗ୍ମ ଓ ଅତିରିକ୍ତ ଶାସନ ସଚିବ ପାହ୍ୟାର ଆଇଏଏସ୍‌ ଅଫିସର୍‌ଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଦେଇଥିଲେ। କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ୬ ଜଣ ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଅଫିସର୍‌ ଓ ଅନ୍ୟ ଦୁଇ ଜଣ ଅଣଓଡ଼ିଆ ଅଫିସର୍‌ଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା।

ଏହିଠାରୁ ହିଁ ସୃଷ୍ଟି ହେଲା ବିବାଦ। ଏ ବିବାଦ ଏତେ ଉଗ୍ର ରୂପ ନେଲା ଯେ ଗତ ଜାନୁଆରି ୪ ଓ ୫ ତାରିଖରେ ନୂଆଦିଲ୍ଲୀରେ ନୀତି ଆୟୋଗ ଏହି ୧୧୫ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କ ବୈଠକ ଡାକିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକକୁ ସମ୍ବୋଧନ କଲେ। ହେଲେ ଓଡ଼ିଶା ସରକାର ଏଥିରୁ ଦୂରେଇ ଗଲେ। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ପଠାଗଲା ନାହିଁ। କେବଳ ଓଡ଼ିଶା ନୁହେଁ, ପଶ୍ଚିମବଙ୍ଗ ଓ କେରଳ ସରକାର ମଧ୍ୟ ଏହି ବୈଠକକୁ ବର୍ଜନ କରିଥିଲେ।

ଓଡ଼ିଶାର ଯୁକ୍ତି ଥିଲା, ନୀତି ଆୟୋଗ ରାଜ୍ୟ ବ୍ୟାପାରରେ ଅଯଥା ହସ୍ତକ୍ଷେପ କରୁଛନ୍ତି। ପଛୁଆ ଜିଲ୍ଲା ତାଲିକା ପ୍ରସ୍ତୁତ କଲା ବେଳେ ଏକପାଖିଆ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ନାହାନ୍ତି। ମନଇଛା ତାଲିକା କରାଯାଇଛି। ତେଣୁ ବୈଠକରେ ଯୋଗ ଦେବାର ପ୍ରଶ୍ନ ଉଠୁନି। ଆହୁରି ମଧ୍ୟ ରାଜ୍ୟ ସରକାର ପଛୁଆ ଜିଲ୍ଲାକୁ ଫୋକସ୍‌ କରି ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। କେନ୍ଦ୍ର ଚିହ୍ନଟ କରିଥିବା ୮ଟି ଜିଲ୍ଲା ବି ଏଥିରେ ରହିଛି। ତେଣୁ ସମାନ୍ତରାଳ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଦ୍ୱନ୍ଦ୍ୱ ବଢ଼ିବ ବୋଲି ରାଜ୍ୟ ସରକାର ଆଶଙ୍କା ପ୍ରକଟ କରିଥିଲେ।

ଓଡ଼ିଶା ସରକାର ବୈଠକକୁ ବର୍ଜନ କଲା ପରେ ଏହାକୁ ନେଇ ରାଜ୍ୟ ରାଜନୀତି ବି ସରଗରମ ହୋଇଥିଲା। ବିଜେଡି-ବିଜେପି ପରସ୍ପରକୁ କାଦୁଅ ଫିଙ୍ଗିଥିଲେ। ନିଜର ଅପାରଗତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ଏଥିରେ ସାମିଲ୍‌ ହେଉ ନାହାନ୍ତି ବୋଲି ବିଜେପି ଅଭିଯୋଗ ଆଣିଥିଲା। କେବିକେ ଅଞ୍ଚଳରେ ଥିବା ପଛୁଆ ଜିଲ୍ଲାଗୁଡ଼ିକୁ ଅନୁଦାନ ଯୋଗାଇବା ପାଇଁ ବାରମ୍ବାର ଅନୁରୋଧ ସତ୍ତ୍ୱେ କେନ୍ଦ୍ର ସରକାର ଶୁଣୁ ନାହାନ୍ତି ବୋଲି ବିଜେଡି ପାଲଟା ଅଭିଯୋଗ କରିଥିଲା। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟ ସରକାରଙ୍କୁ ଚିଠି ଲେଖି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ।

କେନ୍ଦ୍ର-ରାଜ୍ୟ ଟଣାଓଟରା, ବିଜେପି-ବିଜେଡି ବାକ୍‌ଯୁଦ୍ଧ ମଧ୍ୟରେ କୌଣସି ସମାଧାନର ବାଟ ବାହାରି ପାରିଲାନି। ଫଳରେ ନୀତି ଆୟୋଗ ଓଡ଼ିଶା, ପଶ୍ଚିମବଙ୍ଗ ଓ କେରଳ ଜିଲ୍ଲାଗୁଡ଼ିକୁ ବାଦ୍‌ ଦେଇ ୧୦୧ଟି ଜିଲ୍ଲା ପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲେ।

ହେଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଗତମାସ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ସ୍ଥିତି ବଦଳିଥିଲା। ରାଜ୍ୟର ବିକାଶ ଦୃଷ୍ଟିରୁ ନିଜ ଇଚ୍ଛା ଅନୁସାରେ ୮ଟି ଜିଲ୍ଲାର ତାଲିକା ଦେଇପାରିବେ ବୋଲି ଶ୍ରୀ କୁମାର କହିଥିଲେ। ଆୟୋଗ ଏକଥାରେ ବି ରାଜି ହୋଇଥିଲେ, କେବଳ ଓଡ଼ିଶା କ୍ୟାଡ଼ର ଅଫିସରଙ୍କୁ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯିବ, ତାହା ପୁଣି ନିର୍ଦିଷ୍ଟ ଜଣେ ଅଫିସରଙ୍କୁ ଛାଡି। ଦ୍ୱିତୀୟତଃ ରାଜ୍ୟ ସରକାର ତାଲିକାରୁ ଢେଙ୍କାନାଳ ଜିଲ୍ଲାକୁ ବାଦ୍‌ ଦେବା ଲାଗି ଚାହିଁଥିଲେ ଓ ତା ବଦଳରେ ନୂଆପଡା ଓ ନବରଙ୍ଗପୁରକୁ ସାମିଲ କରାଯାଇଥିଲା। ନିକଟରେ ପ୍ରଧାନମନ୍ତ୍ରୀ-ନବୀନ ପଟ୍ଟନାୟକଙ୍କ ଭେଟ୍‌ଘାଟ୍‌ ସମୟରେ ମଧ୍ୟ ଏ ନେଇ ଆଲୋଚନା ହୋଇଥିଲା।

ହେଲେ ଢେଙ୍କାନାଳ ଜିଲ୍ଲାକୁ ବାଦ୍‌ ଦିଆଯିବା ଘଟଣାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗ୍ରହଣ କରିପାରିନଥିଲେ। ଏହି ଜିଲ୍ଲା ତାଙ୍କ ପାଇଁ ସ୍ୱାଭିମାନର ପ୍ରଶ୍ନ ହୋଇଥିବା କାରଣରୁ ଚାପରେ ଥିଲେ କେନ୍ଦ୍ରମନ୍ତ୍ରୀ। ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରରେ ଏ ନେଇ ବ୍ୟାପକ ତନାଘନା ହେବା ପରେ କଥା ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଯାଇଥିଲା। ଶେଷରେ ପ୍ରଧାନମନ୍ତ୍ରୀ ଢେଙ୍କାନାଳ ଜିଲ୍ଲାକୁ ବି ତାଲିକାରେ ରଖିବାକୁ ସମ୍ମତି ଜଣାଇଛନ୍ତି। ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏ ନେଇ ଟେଲିଫୋନ୍‌ ବାର୍ତ୍ତାଳାପ ହୋଇଛି, କିନ୍ତୁ ଏଯାଏ ଚିଠି ଆସିନାହିଁ।

Share Now:

Kalinga News Beuro

Leave a Reply

Next Post

‘ଦି ଟଲ୍‌ମ୍ୟାନ’ ବିଜୁବାବୁଙ୍କ ଜୀବନୀକୁ ନେଇ ୧୭ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

Mon Apr 2 , 2018
ଭୁବନେଶ୍ୱର: ପବିତ୍ର ଉତ୍କଳ ଦିବସ ଅବସରରେ ପ୍ରବାଦ ପୁରୁଷ ବିଶିଷ୍ଟ ଜନନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ ସାହସିକତା ନେଇ ସୁଭଦ୍ରା ଆର୍ଟ ଗ୍ୟାଲେରି ପକ୍ଷରୁ ୧୭ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । ‘ଦି ଟଲ୍‌ମ୍ୟାନ୍‌ ଏ ଭିଜିନାରି ଲିଡର ଅଫ୍‌ ଦି ସେଞ୍ଚୁରିି’ କଥାବସ୍ତୁକୁ ନେଇ ଆୟୋଜିତ ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରସନ୍ନ ପାଟ୍ଟସାଣୀ ଉଦ୍‌ଘାଟନ କରିଛନ୍ତି। ପ୍ରଦର୍ଶନୀରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial