ଚଳିତବର୍ଷ ପୁରୀ ରଥଯାତ୍ରା ସମୟରେ କିଛି ଘଟଣାବଳୀ

ଛେରାପହଁରା କଲେ ଗଜପତି
ପୁରୀ: ସ୍ନାନପୂର୍ଣ୍ଣିମା ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିନଥି‌ଲେ। ତେବେ ଆଜି ତିନି ରଥରେ ଗଜପତି ମହାରାଜା ଛେରା ପହଁରା କରିଛନ୍ତି। ଏଥର ମାନ୍ୟବର ସୁପ୍ରିମକୋର୍ଟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମତି ଥିବାରୁ ‌ସେ ଛେରାପହଁରା କରିଛନ୍ତି। ମହାରାଜା କରୋନା କଟକଣା ମାନି ସମସ୍ତ କାର୍ଯ୍ୟ କରିଛନ୍ତି। ସାମାଜିକ ଦୂରତା ରକ୍ଷା କରିବା ସହିତ ବଡ ପଟୁଆରେ ନ ଆସି ସର୍ବନିମ୍ନ ସେବକଙ୍କୁ ନେଇ ରଥ ଉପରକୁ ଆସିଥିଲେ। ନିଜେ କୋଭିଡ୍‌ କଟକଣାକୁ ପାଳନ କରି ମାସ୍କ ପିନ୍ଧିଥିଲେ। ଗଜପତି ମହାରାଜ ଛେରା ପହଁରା କରି ସାରିବା‌ ପରେ ମହାପ୍ରଭୁଙ୍କ ନିକଟରେ ସମଗ୍ର ବିଶ୍ବର ମଙ୍ଗଳ କାମନା କରିଥିଲେ। କରୋନା ଭଳି କଠିନ ପରିସ୍ଥିତିରେ ବିଶ୍ବ ସଂଗ୍ରାମ କରୁଛି, ମହାପ୍ରଭୁଙ୍କ ବାହାରକୁ ଆସି ତାଙ୍କ ଯାତ୍ରା କରି ସମସ୍ତଙ୍କୁ କ‌ରୋନା ସଙ୍କଟରୁ ମୁକ୍ତି ଦିଅନ୍ତୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଛନ୍ତି।

ନଅରରେ ରହି ତିନି ରଥର ଫଟୋ ନେଲେ ଗଜପତି
ଆଜି ରଥଯାତ୍ରା ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ପରମ୍ପରା ଅନୁଯାୟୀ ଛେରାପହଁରା ସାରି ରାଜ ନଅରକୁ ଫେରିଯାଇଥିଲେ। ପରେ ମହାପ୍ରଭୁ ରଥରେ ବସି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଉଥିବା ବେଳେ ମହାରାଜା ଶ୍ରୀନିଅର ଉପରେ ଠିଆ ହୋଇ ନିଜ ପରିବାର ସହିତ ରଥଯାତ୍ରା ଦେଖିଥିଲେ। ଗଜପତି ତାଙ୍କ ମୋବାଇଲ‌ରେ ରଥଯାତ୍ରାର ଫଟୋ ନେଉଥିବା ଦେଖିବାକୁ ମିଳିଥିଲା। ତାଙ୍କ ସହିତ ତାଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।
ଅନ୍ଧାରରେ ମହାବାହୁ, ନୀତିକାନ୍ତି ବିଳମ୍ବ
ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ପହଞ୍ଚିବା ପରେ ଅନେକ ବିଶୃଙ୍ଖଳା ଦେଖାଦେଇଛି। ଦିନଯାକର ପରିଶ୍ରମକୁ ପାଣିଫୋଟକା ଭଳି କରି ଦିଆଯାଇଛି। ନୀତିକାନ୍ତି ବିଳମ୍ବ ସହ ମହାପ୍ରଭୁଙ୍କୁ ଘଣ୍ଟା ଘଣ୍ଟା ଅନ୍ଧାରରେ ରଖାଯାଇଛି। କର୍ଫ୍ୟୁ କହି ସମସ୍ତଙ୍କୁ ଘଉଡ଼ାଇଦେବା ପରେ ଏଭଳି ବିଭ୍ରାଟ ଆରମ୍ଭ ହୋଇଛି। ଏହାକୁ କେନ୍ଦ୍ର କରି ଉତ୍ତେଜନା ବି ଦେଖାଦେଇଛି। ମିଳିଥିବା ସୂଚନା ମୁତାବକ, ଶରଧାବାଲିରେ ତିନି ରଥ ପହଞ୍ଚିବା ପରେ ରଥ ଉପରେ ନୀତିକାନ୍ତି ସଂପାଦନ ହୋଇଥାଏ। ଅନ୍ଧକାର ଦୂର ପାଇଁ ରାତିତମାମ ମହାପ୍ରଭୁଙ୍କ ଠାରେ ଉଜ୍ଜ୍ବଳ ଆଲୋକର ବ୍ୟବସ୍ଥା କରାଯାଇଥାଏ। ଏଥର କିନ୍ତୁ କର୍ଫ୍ୟୁ ଆଳ ଦେଖାଇ ଘରୋଇ ‌ଲାଇଟ୍‌ ଅପରେଟରଙ୍କୁ ଘଉଡ଼ାଇ ଦିଆଯାଇଥିଲା। ପରିଚୟ ଦେଇଥିଲେ ବି ଧମକ ଦିଆଯାଇ ଜୋର ଜବରଦସ୍ତ ଚାଲିଯିବାକୁ କୁହାଯାଇଥିଲା। ପରେ ଏହି ଲାଇଟ୍‌ ଅପରେଟରମାନେ ଜେନେରେଟର୍‌ ଗାଡ଼ି ନେଇ ଚାଲି ଯାଇଥିଲେ। ଯେଉଁଥି ପାଇଁ ଆଜି ମହାପ୍ରଭୁଙ୍କୁ ୩ ଘଣ୍ଟାରୁ ଅଧିକ ସମୟ ଅନ୍ଧକାର ଭିତରେ ରଖାଯାଇଥିଲା। ପରିଣାମ ସ୍ବରୂପ ନୀତିକାନ୍ତି ବି ବିଳମ୍ବ ହୋଇଥିଲା। ୩ ଘଣ୍ଟା ଧରି ନୀତିକାନ୍ତି ବନ୍ଦ ଓ ମହାପ୍ରଭୁ ଅନ୍ଧକାର ଭିତରେ ରହିବା ପରେ ଉତ୍ତେଜନା ପ୍ରକାଶ ପାଇବାରୁ ମୁଖ୍ୟ ପ୍ରଶାସକ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସ୍ବାଭାବିକ କରିଥିଲେ। ପୁନର୍ବାର ଲାଇଟ୍‌ ଅପରେଟରଙ୍କୁ ଡକାଯାଇ ଅନ୍ଧକାର ଦୂର କରାଯାଇଛି। କିନ୍ତୁ ସ‌ାଢ଼େ ୮ଟା ସୁଦ୍ଧା ନୀତିକାନ୍ତି ଆରମ୍ଭ ହୋଇନଥିବା ଜଣାପଡ଼ିଛି।
ଜଣାଣ ଗାଇଲେ ମୁଖ୍ୟ ପ୍ରଶାସକ, ନାଚିଲେ ସେବାୟତ
ଏଥର ମହାପ୍ରଭୁଙ୍କ ଅନନ୍ତ ଲୀଳାରେ ସମସ୍ତ ବିଭୋର। ଲୀଳମୟଙ୍କ ଇଚ୍ଛା ପୂର୍ଣ୍ଣ ହେଲା, ନନ୍ଦିଘୋଷ ବଡ଼ଦାଣ୍ଡରେ ଗଡ଼ିଲା। ତିନି ରଥକୁ ନେଇ ସେବକମାନେ ନିର୍ଧାରିତ ସମୟ ପୂର୍ବରୁ ଗୁଣ୍ଡିଚା ମନ୍ଦିର ( ଶରଧାବାଲି)ରେ ପହଞ୍ଚାଇ ଦେଲେ। ସମସ୍ତଙ୍କ ଆଖିରୁ ଆନନ୍ଦାଶ୍ରୁ ଝରିପଡ଼ିଥିଲା। ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ଲାଗିବା ପରେ ସେବକ ପ୍ରଶାସକ ଖୁସିରେ ବିଭୋର ହୋଇପଡ଼ିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରୀଷନ କୁମାର ଆନନ୍ଦରେ ମହାପ୍ରଭୁଙ୍କ ଜଣାଣ ଗାଇଥିଲେ। ପରେ ଗୀତଗୋବିନ୍ଦ ଗାନ କରିଥିଲେ। ତେବେ ମୁଖ୍ୟ ପ୍ରଶାସକ ଗୀତ ଶୁଣି ଶହ ଶହ ସେବାୟତ ଖୁସିରେ ଗାମୁଛା ଉଡ଼ାଇ ନାଚି ଉଠିଥିଲେ। ଏ ଦୃଶ୍ୟ ସମସ୍ତଙ୍କୁ ବିଭୋର କରିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଥର ରଥଯାତ୍ରା ନ ହେବା ନିଷ୍ପତ୍ତିକୁ ନେଇ ବେଶ ଦୁଃଖିତ ଥିଲେ। ଏପରିକି ଏକ ବୈଠକରେ ସେ କାନ୍ଦି ପକାଇଥିଲେ। ଆଜି ମୁଖ୍ୟ ପ୍ରଶାସକ ଜଣାଣ ଗାଇ ପୁଣି ଥରେ ମହାପ୍ରଭୁଙ୍କ ନିକଟରେ ନିଜକୁ ଉତ୍ସର୍ଗ କରିଥିବା ଚର୍ଚ୍ଚା ହେଉଛି।
ଜଳ ସିଞ୍ଚନ କଲେ ୧୦ ଦମକଳ ଗାଡ଼ି
ଆଜି ରଥଯାତ୍ରା ବେଳେ ବଡ଼ଦାଣ୍ଡରେ ଥିଲା ପ୍ରବଳ ଖରା। ଏଭଳି ସ୍ଥିତିରେ ସେବାୟତମାନେ ରଥ ଟାଣିବା କଷ୍ଟକର ବ୍ୟାପାର ଥିଲା। ବଡ଼ଦାଣ୍ଡର ପିଚୁରାସ୍ତା ତାତି ଯାଇଥିବାରୁ ଏହାକୁ ଥଣ୍ଡା କରିବା ପାଇଁ ଦମକଳ ବାହିନୀକୁ ପାଣି ସିଞ୍ଚନ କରିବାକୁ ନିର୍ଦେଶ ଦିଆଯାଇ ଥିଲା। ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀଙ୍କ ନେତୃତ୍ବରେ ଉପ ଅଗ୍ନିଶମ ଅଧିକାରୀ ବିଚିତ୍ରାନନ୍ଦ ପଣ୍ଡା ଓ କେନ୍ଦ୍ରାଞ୍ଚଳ ଅଗ୍ନିଶମ ଅଧିକାରୀ ଭାବଗ୍ରାହୀ ଘଡ଼େଇ ପ୍ରମୁଖ ଏଥି ପାଇଁ ୧୦ଟି ଦମକଳ ଗାଡ଼ିକୁ ନିୟୋଜିତ କରିଥିଲେ। ପ୍ରାୟ ୧୫୦ ଟ୍ରିପ୍‌ ଗାଡ଼ି ପାଣି ଅଣାଯାଇ ବଡ଼ଦାଣ୍ଡରେ ସିଞ୍ଚନ କରାଯାଇଥିଲା। ପୁରୀର ସହଅଗ୍ନିଶମ ଅଧିକାରୀ ପ୍ରଦୀପ ରାଉତ ଏବଂ ମୁଖ୍ୟ ଆଗ୍ନିକ ମଳୟ ମହାନ୍ତିଙ୍କ ନେତୃତ୍ବରେ ଆଗ୍ନିକମାନେ ନରେନ୍ଦ୍ର ପୁଷ୍ପରିଣୀ ଓ ଅନ୍ୟାନ୍ୟ ଉତ୍ସରୁ ପାଣି ଆଣିଥିଲେ।

Share Now:

Kalinga News Beuro

Next Post

ଡରାଇଲାଣି ଜୁନ୍ ମାସ: ଆକ୍ରାନ୍ତ ସହ ମୃତ୍ୟୁ ସଂଖ୍ୟା ବି ବଢ଼ିଲାଣି, ଦିନକରେ ୧୬୭ ପଜିଟିଭ୍, ୧୨୫ ସୁସ୍ଥ

Wed Jun 24 , 2020
ରାଜ୍ୟରେ ଆଉ ତିନି ମୃତ୍ୟୁ, ୨୩ ଦିନରେ ୧୫ ମୃତ୍ୟୁ, ୫ ଉପକୂଳ ଜିଲ୍ଲାରେ ଆତଙ୍କ ଭୁବନେଶ୍ବର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସହିତ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି। ଗତ ତିନି ଦିନ ହେବ ଲଗାତାର ରାଜ୍ୟରେ କରୋନା ଜନିତ ମୃତ୍ୟୁ ଜାରି ରହିଛି। ଏ ପର୍ଯ୍ୟନ୍ତ ୨୪ଜଣ ଲୋକ ପ୍ରାଣ ହରାଇଲେଣି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୬୭ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୨୫ଜଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial