ଭୁବନେଶ୍ୱର : କରୋନା ଭୂତାଣୁ ପାଇଁ ବହୁ ଚର୍ଚିତ ‘କୋଭାକ୍ସିନ୍’ର ମାନବ ପରୀକ୍ଷଣ ଆଜିଠାରୁ ସମ୍ରେ ଆରମ୍ଭ ହୋଇଛି। ହସ୍ପିଟାଲର ପ୍ରିଭେଣ୍ଟିଭ୍ ଓ ଥେରାପ୍ୟୁଟିକ୍ କ୍ଲିନିକାଲ ୟୁନିଟ୍ରେ ପଞ୍ଜୀକୃତ ସ୍ବେଚ୍ଛାସେବୀଙ୍କ ଶରୀରରେ ଏହି ଟିକାର ପରୀକ୍ଷଣ କରାଯାଇଛି। ଟିକା ଦିଆଯିବା ପରେ ସେମାନଙ୍କୁ ୨ଘଣ୍ଟା ପାଇଁ ଅବଜରଭେସନ୍ରେ ରଖାଯାଇଥିଲା, ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ମାତ୍ର ଆସନ୍ତା କିଛି ସପ୍ତାହ ପାଇଁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯିବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ଆଇସିଏମ୍ଆର ଓ ଭାରତ ବାୟୋଟେକ୍ର ମିଳିତ ସହଯୋଗରେ କୋଭାକ୍ସିନ୍ ଟିକାର ମାନବ ପରୀକ୍ଷଣ ପାଇଁ ଓଡ଼ିଶାର ସମ୍ ହସ୍ପିଟାଲ ମନୋନୀତ ହୋଇଛି। ଟିକା ନେବା ପାଇଁ ସ୍ବେଚ୍ଛାସେବୀମାନଙ୍କୁ ଆହ୍ବାନ କରାଯାଇଥିଲା। ଏକ ୭ଜଣିଆ ଟିମ୍ ସେମାନଙ୍କୁ ଏଥିପାଇଁ ପ୍ରଥମେ କାଉନସେଲିଂ କରିଥିଲେ। ସେମାନଙ୍କ ରକ୍ତ ପରୀକ୍ଷା କରାଯିବା ପରେ ମଧୁମେହ, ଉଚ୍ଚ ରକ୍ତଚାପ, କିଡ୍ନି ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ଏଥିରୁ ବାଦ୍ ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୮-୫୫ବର୍ଷର ସ୍ବେଚ୍ଛାସେବୀଙ୍କଠାରେ ଏହାକୁ ପରୀକ୍ଷା କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା।
ସମ୍ର କମ୍ୟୁନିଟି ବିଭାଗର ପ୍ରଫେସର ଡା. ଇ. ଭେଙ୍କଟ ରାଓଙ୍କ ସୂଚନା ଅନୁସାୟୀ, ଉଭୟ ପୁରୁଷ ଓ ମହିଳା ସ୍ବେଚ୍ଛାସେବୀଙ୍କ ଶରୀରରେ ଟିକା ପରୀକ୍ଷଣ ହୋଇଛି। ଟିକାର ପ୍ରତିକ୍ରିୟା ବେଶ୍ ଭଲ ରହିଛି। ପ୍ରଥମ ପର୍ଯ୍ୟାୟରେ ୩୫ଶହ ଲୋକଙ୍କ ଉପରେ ଏହାର ପରୀକ୍ଷଣ ପରେ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ତେବେ ଆଜି କେତେ ଜଣ ସ୍ବେଚ୍ଛାସେବୀଙ୍କ ଉପରେ ଟିକାର ପ୍ରୟୋଗ କରାଯାଇଛି ସେ ସଂପର୍କରେ କୌଣସି ସୂଚନା ଦେବାକୁ ଡା.ରାଓ ମନା କରିଥିଲେ। ଗତ ୨୫ ତାରିଖ ଦିନ ନୂଆଦିଲ୍ଲୀର ଏମ୍ସରେ ଏହି ଟିକାର ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ ହୋଇଥିଲା। ଦେଶରେ ପ୍ରାୟ ୩୫୦୦ ଲୋକଙ୍କ ଶରୀରରେ ଏହାର ପରୀକ୍ଷା କରାଯିବ। ପ୍ରଥମ ପର୍ଯ୍ୟାୟରେ ମାନବ ପରୀକ୍ଷଣରେ ଏମ୍ସରେ ୧୦୦ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଗତ ସପ୍ତାହରେ ଏହି ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନେ ସୁସ୍ଥ ଅଛନ୍ତି ନା ନାହିଁ ତାହା ଯାଞ୍ଚ କରାଯାଇଥିଲା।
‘କୋଭାକ୍ସିନ୍’ ଟିକାର ମାନବ ପରୀକ୍ଷଣ; ସ୍ବେଚ୍ଛାସେବୀ ସୁସ୍ଥ, ୨ ଘଣ୍ଟା ପରେ ଛାଡ଼ି ଦିଆଗଲା

Share Now: