ଆୟୁର୍ବେଦ,ହୋମିଓପାଥି ଡାକ୍ତରଙ୍କୁ କନିଷ୍ଠ ପ୍ରଥମ ଶ୍ରେଣୀ ମାନ୍ୟତା ମିଳୁ

ଆୟୁର୍ବେଦ ଡାକ୍ତରଙ୍କୁ କନିଷ୍ଠ ପ୍ରଥମ ଶ୍ରେଣୀ ମାନ୍ୟତା ମିଳୁ

ଆୟୁଷ ନିର୍ଦ୍ଦେଶକଙ୍କ ମତାମତ ସତ୍ତ୍ୱେ ନିଷ୍ପତ୍ତି ନିଆଯାଉନାହିଁ, ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ସଂଘ

ଭୁବନେଶ୍ୱର: ରାଜ୍ୟର ହୋମିଓପାଥି ଓ ଆୟୁର୍ବେଦ ଡାକ୍ତରଙ୍କୁ କନିଷ୍ଠ ପ୍ରଥମ ଶ୍ରେଣୀ ମାନ୍ୟତା ପାଇଁ ସରକାର ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଆୟୁଷ ନିର୍ଦ୍ଦେଶକ ସରକାରଙ୍କୁ ଏ ନେଇ ସୁପାରିଶ କରିସାରିଛନ୍ତି। ତଥାପି, ଏଥିପ୍ରତି ସମ୍ବେଦନଶୀଳ ହୋଇନାହାନ୍ତି ବୋଲି ରାଜ୍ୟ ହୋମିଓପାଥି ସରକାରୀ ସେବାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଓଡ଼ିଶା ସରକାରୀ ହୋମିଓପାଥିକ ଚିକିତ୍ସକ ସଂଘର ବିଭିନ୍ନ ଦାବିର ସମାଧାନ ପାଇଁ ଦୁଇଟି ମନ୍ତ୍ରୀସ୍ତରୀୟ ବୈଠକ ହୋଇସାରିଛି। ୨୦୧୮ ମସିହା ଅଗଷ୍ଟ ୨୮ ତାରିଖରେ ତତ୍‌କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଗୋଟିଏ ବୈଠକ ହୋଇଥିଲା। ଗତବର୍ଷ ଅଗଷ୍ଟ ୩ ତାରିଖରେ ବର୍ତ୍ତମାନର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉଭୟ ବୈଠକରେ ଏ ନେଇ ଆୟୁଷ ନିର୍ଦ୍ଦେଶକଙ୍କ ମତାମତ ଲୋଡ଼ା ଯାଇଥିଲା। ଆୟୁଷ ନିର୍ଦ୍ଦେଶକ ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତରମାନଙ୍କୁ କନିଷ୍ଠ ପ୍ରଥମ ଶ୍ରେଣୀର ମାନ୍ୟତା ପାଇଁ ଏବଂ ଅବସର ବୟସ ସୀମାକୁ ୬୨ ବର୍ଷକୁ ବୃଦ୍ଧି ପାଇଁ ସରକାରଙ୍କୁ ତାଙ୍କର ମତାମତ ଦେଇସାରିଛନ୍ତି।
କିନ୍ତୁ ପରିତାପର ବିଷୟ ଯେ ସରକାରଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ ଏହା ଉପରେ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ରାଜ୍ୟ ସରକାର ନିକଟରେ ଏମବିବିଏସ୍‌ ଡାକ୍ତରଙ୍କ ଅବସର ବୟସ ସୀମାକୁ ୬୨ ରୁ ୬୫ ବର୍ଷ କୁ ବୃଦ୍ଧି କରିଛନ୍ତି।ଏହାବ୍ୟତୀତ ତାଙ୍କ ପାଇଁ ଡାଇରେକ୍ଟ ଏସିଓର୍ଡ କାରିଅର ପ୍ରୋଗ୍ରେସନ (ଡି. ଏ.ସି. ପି) କୁ ମଧ୍ୟ ଲାଗୁ କରିଛନ୍ତି। ବର୍ତ୍ତମାନ କୋଭିଡ୍ -୧୯ ପାନଡେମିକ୍ ସମୟରେ ରାଜ୍ୟ ସରକାର ହୋମିଓପାଥିକ ଏବଂ ଆୟୁର୍ବେଦିକ ଡାକ୍ତରମାନଙ୍କୁ କୋଭିଡ୍ କେୟାର କେନ୍ଦ୍ର ଓ କୋଭିଡ୍ ଚିକିତ୍ସାଳୟଗୁଡିକରେ ନିଯୁକ୍ତ କରିଛନ୍ତି। ଇତିମଧ୍ୟରେ ଗଞ୍ଜାମ ଜିଲ୍ଲାକୁ ୧୦୦ ହୋମିଓପାଥିକ ଓ ଆୟୁର୍ବେଦିକ ଡାକ୍ତରଙ୍କୁ କୋଭିଡ୍-୧୯ର ସଫଳ ମୁକାବିଲା ପାଇଁ ପଠାଯାଇଛି ଏବଂ ସେମାନେ ନିଷ୍ଠାର ସହ କାମ ମଧ୍ୟ କରୁଛନ୍ତି। ମାତ୍ର, ରାଜ୍ୟ ସରକାର ଏହି ଡାକ୍ତରମାନଙ୍କ ନ୍ୟାଯ୍ୟଦାବି ପ୍ରତି ସମ୍ବେଦନଶୀଳ ନ ହୋଇ ତେଲିଆ ମୁଣ୍ଡରେ ତେଲ ଉକ୍ତିରେ କାର୍ଯ୍ୟ କରିଚାଲିଛନ୍ତି।
ଏହି ପରିସ୍ଥିତିରେ ରାଜ୍ୟ ହୋମିଓପାଥି ସରକାରୀ ସେବାସଂଘର ସଭାପତି ଡା. ଗୋପାଳ ଚନ୍ଦ୍ର ବେହେରା ସଂଘର ଦୁଇ ମୁଖ୍ୟ ଦାବି ଉପରେ ପତ୍ର ସଂଖ୍ୟା-୪୭ ତା:୨୭/୦୭/୨୦୨୦ ରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହୋମିଓପାଥି ଡାକ୍ତରମାନଙ୍କ ମୂଳ ପଦବିକୁ ବର୍ଦ୍ଧିତ କରାଯାଇ କନିଷ୍ଠ ପ୍ରଥମ ଶ୍ରେଣୀ କରାଯିବା ଓ ଅବସର ବୟସ ସୀମା ୬୦ ରୁ ୬୫ ବର୍ଷ କୁ ବୃଦ୍ଧି କରିବା; ସଂଘର ଏହି ଦୁଇ ମୁଖ୍ୟ ଦାବି ପ୍ରତି ସମ୍ବେଦନଶୀଳ ହୋଇ ହୋମିଓପାଥି ଡାକ୍ତରମାନଙ୍କ ମନୋବଳ ଦୃଢ଼ କରିବାକୁ ସେ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Share Now:

Kalinga News Beuro

Next Post

ହଟିଲା ଜବରଦଖଲ: କିମ୍ଭୀରା ନାଳ ବ୍ରିଜ୍ ନିର୍ମାଣ ବାଟ ଫିଟିଲା,୧୨ ଦୋକାନ ଉଚ୍ଛେଦ

Wed Aug 5 , 2020
ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ପାଣ୍ଡରାରେ ହେବାକୁ ଥିବା କିମ୍ଭୀରା ନାଳ ବ୍ରିଜ୍‌ ନିର୍ମାଣ ପାଇଁ ବାଟ ଫିଟିଛି। ଏହି ବ୍ରିଜ୍‌ ନିର୍ମାଣ ପାଇଁ ବର୍ଷେ ହେଲା ବାଧକ ସାଜିଥିବା ଜବରଦଖଲକୁ ଆଜି ଉଚ୍ଛେଦ କରାଯାଇଛି। ପ୍ରାୟ ୪ ହଜାର ବର୍ଗଫୁଟ ଜମିରେ ଥିବା ୧୨ଟି ଦୋକାନକୁ ଭାଙ୍ଗି ଦିଆଯାଇଛି। କମିସନରେଟ୍‌ ପୁଲିସର ସହଯୋଗରେ ବିଡିଏ ଏହି ଜବରଦଖଲ ଉଚ୍ଛେଦ କରିଛି।ପାଣ୍ଡରା ମୌଜା ରାସ୍ତା ପାଖ ୩୮୬୧ ନମ୍ବର ପ୍ଲଟରେ ଜବରଦଖଲ […]
ପାଣ୍ଡରାରୁ ହଟିଲା ଜବରଦଖଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial