କରୋନା ବିପର୍ଯୟରେ ତିନି ଯୋଦ୍ଧାଙ୍କ କାହାଣୀ

ଓଡ଼ିଶାରେ କରୋନା

ଗରିବଙ୍କ ସାହା ପାଲଟିଛନ୍ତି ପ୍ରତାପ,ଅଞ୍ଜନ ଓ କିନ୍ନର ମେନକା

ଭୁବନେଶ୍ବର : କରୋନା କଟକଣା ପାଇଁ ସବୁ ବର୍ଗର ଲୋକଙ୍କ ଅର୍ଥନୈତିକ ମେରୁଦଣ୍ଡ ଦୋହଲି ଗଲାଣି। ବହୁ ଲୋକେ ଭୋକ ଉପାସରେ ରହିବା ଅବସ୍ଥାକୁ ଆସିଗଲେଣି। ଏଭଳି ସ୍ଥିତିରେ ରାସ୍ତାକଡ଼‌ରେ ଓ ବସ୍ତିମାନଙ୍କରେ ଭାଗ୍ୟକୁ ଆଦରି ରହିଥିବା ବହୁ ଯାଯାବର ଓ ଆର୍ଥିକ ଅନଗ୍ରସର ଲୋକଙ୍କ ସାହା ପାଲଟିଛନ୍ତି ସମାଜସେବୀ ଅଞ୍ଜନ ନାଥ, ପ୍ରତାପ ସାହୁ ଓ କିନ୍ନର ମେନକା ପରିଡ଼ା। ପାଖରେ ଧନ ନଥିଲେ ବି ମନବଳ ପାଇଁ ସେମାନେ ଗରିବ ଲୋକଙ୍କ ପାଖରେ ପହଞ୍ଚି ସେବା ଯୋଗାଇ ଚାଲିଛନ୍ତି। ବସ୍ତି ଓ ଗଳି ଅଞ୍ଚଳରେ ସାନିଟାଇଜ୍‌ କରିବାଠାରୁ ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟିବା ଓ ସଚେତନ କରାଇବା ଭଳି ବହୁ କାମ କରୁଛନ୍ତି।

ପ୍ରତାପ ସାହୁ

ମାର୍ଚ୍ଚ ମାସରେ କରୋନା କଟକଣା ଲାଗୁ ହେବା ପରଠାରୁ ପ୍ରତାପ ରାସ୍ତାକଡ଼ରେ ପଡ଼ି ରହିଥିବା ଯାଯାବରମାନଙ୍କୁ ସାବୁନ, ସର୍ଫ, ସାନିଟାଇଜର, ସାମ୍ପୋ ଯୋଗାଇଥିଲେ। ସେମାନଙ୍କ ପାଇଁ ନିଜେ ଘରେ ଖାଦ୍ୟ ପ୍ରସ୍ତୁତ କରି ବାଣ୍ଟି‌ଲେ। ବେଳେବେଳେ ସେ ଆମିଷ ଖାଦ୍ୟ ମଧ୍ୟ ବାଣ୍ଟିଥିଲେ। ଖରା ଯୋଗୁଁ ଗ୍ଲୁକୋଜ୍‌ ଓ ଓଆର୍‌ଏସ୍‌ ପାଣି ନେଇ ମଧ୍ୟ ବାଣ୍ଟିଥିଲେ। ସେହିଭଳି ଗଳିକନ୍ଦି ବୁଲି ସାନିଟାଇଜେସନ୍‌ କାମ କଲେ। ଏବେ ବି ବିଭିନ୍ନ ସ୍ଥାନରେ ବୁଲା କୁକୁର, ଗାଈ, ପାରାମାନଙ୍କୁ ନେଇ ଖାଦ୍ୟ ଯୋଗାଉଛନ୍ତି। ଏଥିପାଇଁ ସେ କାହାଠାରୁ ବି ଟଙ୍କାଟିଏ ନେଇନାହାନ୍ତି ଓ ନିଜ ସଞ୍ଚିତ ଅର୍ଥରେ କରୁଛନ୍ତି ବୋଲି ପ୍ରତାପ କହିଛନ୍ତି।

ମେନକା ପରିଡ଼ା

ସେହିପରି କିନ୍ନର ମେନକା ପରିଡ଼ା ସାନିଟାଇଜର୍‌ ମେସିନ୍‌ଟିଏ କାନ୍ଧରେ ପକାଇ ଏ ଅଞ୍ଚଳରୁ ସେ ଅଞ୍ଚଳ ଘୂରି ବୁଲୁଛନ୍ତି। ପ୍ରଥମେ ସେ ନିଜ କିନ୍ନର ଭଉଣୀମାନଙ୍କୁ ସଚେତନ କରାଇଥି‌ଲେ। ତା’ ପରେ ନିଜେ ମାସ୍କ ତିଆରି କରି ବିଭିନ୍ନ ସ୍ଥାନରେ ବାଣ୍ଟିଲେ। ଏନ୍‌ଜିଓ ସହାୟତାରେ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇଲେ। ଏବେ ବି ସେ ନୂଆପଲ୍ଲୀ ଅଞ୍ଚଳରେ ସାନିଟାଇଜ୍ କରିବା କାମ ଜାରି ରଖିଛନ୍ତି।

ଅଞ୍ଜନ ନାଥ

ସେହିଭଳି ସାଲିଆସାହି ଅଞ୍ଚଳରେ ଲୋକଙ୍କ ସେବାରେ ଲାଗି ପଡ଼ିଛନ୍ତି ସମାଜସେବୀ ଅଞ୍ଜନ ନାଥ। ନିଜର ଦୁଇଟି ସାନିଟାଇଜ୍‌ ମେସିନ୍‌ ଧରି ସେ ସାଲିଆସାହିରୁ ଆରମ୍ଭ କରି ଅନ୍ୟାନ୍ୟ ବସ୍ତିରେ ମଧ୍ୟ ସାନିଟାଇଜ୍ କରୁଛନ୍ତି। ଏଥିସହିତ ସେ ଗରିବ ଓ ଅସହାୟ ଲୋକଙ୍କୁ ଉଭୟ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଚାଲିଛନ୍ତି। କେବଳ ଭୋକିଲା ମଣିଷ ନୁହେଁ, ଅଞ୍ଜନ ମାଙ୍କଡ଼, ବୁଲା ଗାଈଗୋରୁ ଓ କୁକୁରଙ୍କୁ ମଧ୍ୟ ଖାଦ୍ୟ ବାଣ୍ଟିବାରେ ଲାଗିଛନ୍ତି। ବଡ଼ କଥା ହେଉଛି, ସେ କରୋନା ମହାମାରୀ ବାବଦରେ ଲୋକଙ୍କୁ ସଚେତନ କରାଉଛନ୍ତି ଓ ବସ୍ତି ଅଞ୍ଚଳର ସଙ୍ଗରୋଧ ବ୍ୟବସ୍ଥାରେ ରହୁଥିବା ତ୍ରୁଟି ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି।

Share Now:

Kalinga News Beuro

Next Post

ଚାଷୀଙ୍କୁ ଆଉ ଫେରାଇବାକୁ ପଡ଼ିବ ନାହିଁ କାଳିଆ ଟଙ୍କା

Sun Aug 9 , 2020
ଭୁବନେଶ୍ୱର: କରୋନା ସ୍ଥିତି ଓ ଖରିଫ୍‌ ଫସଲକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଇଁ ଚାଷୀଙ୍କୁ ଆଉ କାଳିଆ ଟଙ୍କା ଫେରାଇବାକୁ ପଡ଼ିବ ନାହିଁ। ରାଜ୍ୟ ସରକାରଙ୍କର ଏ ନିଷ୍ପତ୍ତି ସଂପର୍କରେ ରବିବାର କୃଷି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର କୃଷି ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ପୂର୍ବରୁ କାଳିଆ ଟଙ୍କା ଫେରସ୍ତ କରିବା ପାଇଁ ଚାଷୀମାନଙ୍କୁ ସୂଚନା ଦିଆଯାଇଥିଲା । ଏଥିପାଇଁ କୃଷି ବିଭାଗ ପକ୍ଷରୁ ବ୍ୟାଙ୍କ୍‌ […]
ଚାଷୀଙ୍କୁ ଫେରାଇବାକୁ ପଡ଼ିବ ନାହିଁ କାଳିଆ ଟଙ୍କା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial