ବିଶ୍ବର ପ୍ରଥମ କୋଭିଡ୍‌ ଟିକା କାମ କରିବା ନେଇ ସ୍ପଷ୍ଟ କଲା ରୁଷ

ବିଶ୍ବର ପ୍ରଥମ କୋଭିଡ୍‌ ଟିକା

ମସ୍କୋ: ରୁଷିଆର ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ବିକଶିତ ଏକ ଟିକା ଆସନ୍ତା ୧୨ ତାରିଖରେ ବିଶ୍ବର ପ୍ରଥମ କୋଭିଡ୍‌ ଟିକା ଭାବେ ସାର୍ବଜନୀନ ବ୍ୟବହାର ପାଇଁ ଲୋକାର୍ପିତ ହେବ ବୋଲି ରୁଷିଆର ଉପସ୍ବାସ୍ଥ୍ୟମନ୍ତ୍ରୀ ଓଲେଗ ଗ୍ରିଦନେଭ ଶୁକ୍ରବାର ଘୋଷଣା କରିଛନ୍ତି। ଅପରପକ୍ଷେ, ଉକ୍ତ ଟିକାର ସମ୍ପୂର୍ଣ୍ଣ ତିନି ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିଛି ନା ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ରୁଷ୍‌ ସରକାର ଏଭଳି ପଦକ୍ଷେପ ନେବାକୁ ଚାହୁଛନ୍ତି, ତାହା ସ୍ପଷ୍ଟ ହୋଇନଥିବା ବେଳେ ଟିକା ପ୍ରସ୍ତୁତି ଓ ବ୍ୟବହାର ପାଇଁ ନିର୍ଦ୍ଧାରିତ ନୀତିନିୟମର ଅନୁପାଳନ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇ ଦେଇଛି। ତେବେ ଏହି ଅବସରରେ ଉକ୍ତ ଟିକା କିପରି ସଫଳ ଭାବେ ଆକ୍ରାନ୍ତଙ୍କ ଠାରେ କାର୍ଯ୍ୟ କରିବ ସେ ସମ୍ପର୍କରେ ଗମାଲେଇ ପ୍ରତିଷ୍ଠାନର ମୁଖ୍ୟ ଆଲେକଜାଣ୍ଡାର ଗିଣ୍ଟସବର୍ଗ କିଛି ସୂଚନା ପ୍ରଦାନପୂର୍ବକ ସ୍ପଷ୍ଟ କରିଛନ୍ତି।
ଗିଣ୍ଟସବର୍ଗଙ୍କ କହିବା ଅନୁସାରେ, ଶ୍ବାସନଳୀର ଉପରିଭାଗକୁ ସଂକ୍ରମଣ କରିପାରୁଥିବା ଆଡିନୋଭୂତାଣୁଙ୍କୁ ପାଥେୟ କରି ଉକ୍ତ ଟିକାରେ ଏକ ପ୍ରକାର ନିର୍ଜୀବ କଣିକା ବ୍ୟବହାର କରାଯାଇଛି। ତେଣୁ ଏହି ଟିକା ମନୁଷ୍ୟର ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ନାହିଁ। ଏହି ଆଡିନୋଭୂତାଣୁ ଦ୍ୱାରା ସୃଷ୍ଟ ନିର୍ଜୀବ କଣିକାଗୁଡ଼ିକ କେବଳ ସଂପୃକ୍ତ କୋଭିଡ୍‌ ଭୂତାଣୁର ଗୁଣକୁ ପ୍ରତିପାଦନ କରିବା ସହ କୌଣସି ପରିସ୍ଥିତିରେ ବହୁଗୁଣିତ ହୋଇପାରିବେ ନାହିଁ। ସୁତରାଂ ମନୁଷ୍ୟ ଶରୀରରେ ସେମାନଙ୍କ ଉପସ୍ଥିତି ଦ୍ୱାରା ଆବଶ୍ୟକ ରୋଗପ୍ରତିରୋଧକ ଆଣ୍ଟିଜେନ ବିକଶିତ ହୋଇପାରିବ ଯାହା କି କୌଣସି ଟିକାର ଅପରିହାର୍ଯ୍ୟ ଗୁଣ ଭାବେ ବିବେଚିତ। ଅପରପକ୍ଷେ, ଯେ କେହି ବ୍ୟକ୍ତି ବି କୌଣସି ବି ଟିକା ନେଲା ପରେ ପ୍ରାକୃତିକ ଭାବେ ଶରୀରରେ ସାମାନ୍ୟ ଜ୍ୱର ପରିଲକ୍ଷିତ ହୋଇଥାଏ। ତେବେ ସେପରି ଲକ୍ଷଣ କେବଳ ପାରାସିଟାମଲ୍‌ ଭଳି ସାଧାରଣ ଔଷଧ ସେବନରେ ହିଁ ଦୂର ହୋଇପାରିବ ବୋଲି ଗିଣ୍ଟସବର୍ଗ କହିଛନ୍ତି।

Share Now:

Kalinga News Beuro

Next Post

ପେନସନ ନେବାକୁ ଟ୍ରଲିରେ ଆସି ହଟହଟା ହେଲେ ଅବସରପ୍ରାପ୍ତ ଶିକ୍ଷକ

Mon Aug 10 , 2020
ରିଜର୍ଭ ବ୍ୟାଙ୍କ ନିୟମ ମାନୁନାହାନ୍ତି ୟୁକୋ ବ୍ୟାଙ୍କ ତିହିଡି ଶାଖା କର୍ତ୍ତୁପକ୍ଷ ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦଳ ଗ୍ରାମର ପଦନ ଚରଣ ନାୟକ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକ ୟୁକୋ ବ୍ୟାଙ୍କ ତିହିଡି ଶାଖାରୁ ନିଜର ପେନସନ ଟଙ୍କା ଉଠାଣ କରିଥାନ୍ତି। ଆଜି ଉକ୍ତ ୭୦ ବର୍ଷୀୟ ବୃଦ୍ଧ ଶିକ୍ଷକ ଜଣକ ନିଜର ପେନସନ ନେବାକୁ ଏକ ଟ୍ରଲିରେ ଆସି ବହୁ ସମୟଧରି ଟାଣ ଖରାରେ […]
School Headmaster,Bhadrak (1).jpg

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial