ଏମାର ମଠରୁ ଉଦ୍ଧାର ହୋଇଥିବା ଶହେ କୋଟିର ରୁପା ଇଟା କାହାର…?

ଏମାର ମଠ ରୁପା ଇଟା

୯ ବର୍ଷ ପରେ ବି ହୋଇନି ଚୂଡ଼ାନ୍ତ ଚାର୍ଜସିଟ; ପ୍ରମାଣ ନଷ୍ଟ କରି, ହାତେଇ ନେବାକୁ ଷଡ଼୍‌ଯନ୍ତ୍ର

ପୁରୀ : ଏମାର ମଠରୁ ମିଳିଥିବା ରୁପା ଇଟା, ଯାହାକୁ ନେଇ ଦିନେ ସାରାରାଜ୍ୟ ଓ ଦେଶରେ ହଇଚଇ(ଚର୍ଚ୍ଚା)ହୋଇଥିଲା, ତାକୁ ନେଇ ଏବେ ସମସ୍ତେ ନିରବ। କେଜିଏ କିମ୍ବା କୁଇଣ୍ଟାଲ ନୁହେଁ, ଦୁଇ ନିବୁଜ‌ କୋଠରିରୁ ଟନ ଟନ୍‌ ଥାକମରା ରୁପା ଇଟା ମିଳିଥିଲା। ସେତେବେଳେ ଏମାର ମଠର ଏ ରହସ୍ୟମୟ ଗୁପ୍ତଧନ ସମସ୍ତଙ୍କୁ ହତବାକ୍‌ କରିଦେଇଥିଲା। ଏବେ ଏହି ପ୍ରସଙ୍ଗ ଧୀରେଧୀରେ ଲୋକ ମନରୁ ବିସ୍ମରଣ ହୋଇଛି। ଏମାର ମଠ ବି ଆଉ ନାହିଁ। ମଠର ଶତକଡ଼ା ୯୦ ଭ‌ାଗ ଧରାଶାୟୀ ହୋଇ ତା’ ଉପରେ ଟାଇଲ ପଡ଼ିସାରିଛି। ତେବେ, ମଠରୁ ମିଳିଥିବା ସେହି ୫୨୨ଖଣ୍ଡ ରୁପା ଇଟା କ’ଣ ହେଲା, ବର୍ତ୍ତମାନ ଏହାର ବଜାର ମୂଲ୍ୟ ଶହେ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ସାଧାରଣ‌ରେ ଏହି ପ୍ରଶ୍ନ ଏବେ ଉଙ୍କି ମାରୁଥିବା ଦେଖିବାକୁ ମିଳିଛି।

୨୦୧୧ରେ ଏହି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା। ଏମାର ମଠରେ କାମ କରୁଥିବା ଢେଙ୍କାନାଳର ଦୁଇ ଜଣ ଶ୍ରମିକ ରୁପା ଇଟା ବିକ୍ରି କରୁଥିବାବେଳେ ପୁଲିସ ହାତରେ ଧରାପଡ଼ିଥିଲେ। ସେମାନେ ବିକ୍ରି କରିଥିବା ରୁପା ଇଟା ପୁରୀ ଏମାର ମଠର ବୋଲି ଜଣାପଡ଼ିବା ପ‌ରେ ପୁଲିସ ତଦନ୍ତ ଆଗକୁ ବଢିଥିଲା। ୨୦୧୧ ଫେବୃଆରୀ ୨୬ ତାରିଖରେ ପୁଲିସ ଏମାର ମଠରେ ଚଢଉ କରି ଦୁଇଟି ନିବୁଜ କୋଠରି ମଧ୍ୟରୁ ୫୨୨ ଖଣ୍ଡ ରୁପା ଇଟା ଜବତ କରିଥି‌ଲା,ଯାହାର ଓଜନ ଥିଲା ୧୮ଟନ୍‌ ୮୭ କେଜି ୬୫୦ ଗ୍ରାମ । ଅର୍ଥାତ ବର୍ତ୍ତମାନ ଏହି ରୁପା ଇଟାର ବଜାର ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ। ପୁଲିସ ଏହି ଜବତ ରୁପା ଇଟାକୁ ନେଇ ପୁରୀ ପୁଲିସ ଅସ୍ତ୍ରାଗାରରେ ରଖିଛି। ଏହି ଘଟଣାକୁ ନେଇ ପୁଲିସ ସିଂହଦ୍ବାର ଥାନାରେ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ରୁପା ଇଟା ବିକ୍ରି କରିଥିବା ଦୁଇ ଅଭିଯୁକ୍ତ ଶ୍ରମିକ ତରୁଣ ବରାଳ ଓ ଅକ୍ଷୟ କୁମାର ନାୟକଙ୍କୁ ପୁଲିସ ଗିରଫ କରିଥିଲା। ପୁଲିସ ଘଟଣାର ଚେର ପର୍ଯ୍ୟନ୍ତ ଯାଇଥିଲା। ଘଟଣାର ୨୫ ଦିନ ପରେ ଅର୍ଥାତ ମାର୍ଚ୍ଚ ମାସ ୨୩ରେ ପୁଲିସ ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ. ଚେଲା ସୁଦର୍ଶନ ରାମାନୁଜ ଦାସ, କର୍ମଚାରୀ ନବକିଶୋର ବିଶ୍ବାଳ ଓ ପୁରୀର ଏକ ଜୁଏଲାରି ମାଲିକଙ୍କୁ ତଦନ୍ତ ପରିସରକୁ ନେଇଥି‌ଲା। ସେମାନଙ୍କ ପାଖରୁ ୩ କୁଇଣ୍ଟାଲ ୪୦ କିଲୋ ରୁପା, ୬ଲକ୍ଷ ଟଙ୍କା ଜବତ କରାଯାଇଥିଲା। ପରଦିନ ଅର୍ଥାତ ମାର୍ଚ୍ଚ ୨୪ତାରିଖରେ ପୁଲିସ ଗଣେଶ ଜୁଏଲାରି ଉପରେ ଚଢଉ କରି ସେଠାରୁ ୧୭ କିଲୋ ସୁନା, ୧୦ଲକ୍ଷ ୪୫ ହଜାର ଟଙ୍କା ଜବତ କରିଥିଲା। ଏହି ଘଟଣାରେ ପୁଲିସ ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ମାତ୍ର ସେତିକିରେ ମାମଲା ଅଟକିଯାଇଥିଲା। ଏପରିକି ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ସରକାର ସେଥିରେ ଆନ୍ତରିକତା ଦେଖାଇନାହାନ୍ତି।

ଏ ନେଇ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଫାଇନାଲ ଚାର୍ଜସିଟ କାହିଁକି କରାଯାଉନାହିଁ? ତାକୁ ନେଇ ପ୍ରଶ୍ନ ଉଠିଛି। ମାମଲାର କିଛି ତଦନ୍ତକାରୀ ଅଧିକାରୀ ଏହା ଭିତରେ ଅବସର ନେଇ ସାରିଲେଣି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଦୀର୍ଘ ୯ ବର୍ଷ ଏହି ବହୁ ଚର୍ଚ୍ଚିତ ରୁପା ଇଟା ପ୍ରସଙ୍ଗ ଯେଉଁଠି, ସେଇଠି ଅଟକିଯାଇଛି। ମାମଲା ସେମିତି ବିଚ‌ାରାଧୀନ ରହିଛି, ମାମଲାରୁ ଶୁଣାଣି ହେଉନାହିଁ। ଏହି ଘଟଣାକୁ ନେଇ ଅଧିକ କିଛି ତଦନ୍ତ ମଧ୍ୟ କରାଯାଇନାହିଁ। ଦୀର୍ଘ ୯ବର୍ଷ ପରେ ମଧ୍ୟ ପୁରୀ ପୁଲିସ ରୁପା ଇଟା ମା‌ମଲାର ଫାଇନାଲ( ଚୂଡାନ୍ତ) ଚାର୍ଜସିଟି ଦେଇନାହିଁ। ଏହା ଭିତରେ ୧୦ ତଦନ୍ତକାରୀ ଅଧିକାରୀଙ୍କ ବଦଳି ହୋଇସାରିଛି, କିଛି ତଦନ୍ତକାରୀ ଅଧିକାରୀ ଅବସର ନେଇ ଘରକୁ ଗଲେଣି। ଏହା ଭିତରେ ପୁରୀକୁ ୬ଜଣ ଏସ୍‌ପି ଆସି‌ଲେଣି। ମାତ୍ର ଆରକ୍ଷୀ ଅଧୀକ୍ଷକ(ଏସପି) ଏ ଫାଇଲ୍‌ର ଡୋର ଖୋଲୁନାହାନ୍ତି। ତଦନ୍ତ ପ୍ରକ୍ରିୟା ବିଳମ୍ବ ହେବା, ତଦନ୍ତକାରୀ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁଁ ପ୍ରମାଣ ନଷ୍ଟ କରାଯାଇ ରୁପା ଇଟାକୁ ଆଖି ଆଢୁଆଳରୁ ଦୂରେଇ ନେଇ ହଡ଼ପ କରିନେବା ପାଇଁ ରୀତିମତ ଷଡ଼୍‌ଯନ୍ତ୍ର କରାଯାଉଥିବା ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅଭିଯୋଗ ହୋଇଛି। ‘ସମାଜସେବୀଙ୍କ ମୃତ୍ୟୁ ପାଇଁ ସରକାର ଯଦି କ୍ରାଇମବ୍ରାଞ୍ଚ ତଦନ୍ତ କରାଇବାକୁ ନିର୍ଦ୍ଦେଶ ଦେଇପାରୁଛନ୍ତି, ତେବେ ମହାପ୍ରଭୁଙ୍କ ହକ୍‌, ଶହେ କୋଟିର ରୁପା ଇଟା ପାଇଁ ପଛଘୁଞ୍ଚା କାହିଁକି ବୋଲି ସେନା ପ୍ରଶ୍ନ କରିଛି? ରୁପା ଇଟାର ବର୍ତ୍ତମାନ ସ୍ଥିତି ସଂପର୍କରେ ସରକାର ସାଧାରଣ ଜନତାଙ୍କୁ ଜଣାଇବା ସହିତ ତୁରନ୍ତ ଏହି ରୁପା ଇଟାକୁ ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଉ’, ବୋଲି ସେନାର ‌ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି। ଏ ସମ୍ପର୍କରେ ପୁରୀ ଏସ୍‌ପି ଅଖିଳେଶ୍ବର ସିଂହଙ୍କୁ ପଚାରିବାରେ, ସେ ଏହି ଘଟଣା ସମ୍ପର୍କରେ ଅବଗତ ଅଛନ୍ତି। ରୁପା ଇଟା ଏବେ ବି ପୁଲିସ ଅସ୍ତ୍ରାଗାରରେ ମହଜୁଦ ରହିଛି। ତେବେ କେସ୍‌ର ସ୍ଥିତି ସମ୍ପର୍କରେ ସେ ଭଲ କରି ବୁଝି ନାହାନ୍ତି, ମାମଲାର ଫାଇନାଲ ଚାର୍ଜସିଟି କାହିଁକି ହୋଇନାହିଁ, ‌ସେଥିପ୍ରତି ସେ ଗୁରୁତ୍ବ ଦେବେ ବୋଲି କହିଛନ୍ତି।

Share Now:

Kalinga News Beuro

Next Post

ଟିକା ଉପରେ ଆଖି: ଅକ୍ଟୋବର କିମ୍ବା ନଭେମ୍ବରରେ ଆସିବ ଅକ୍ସଫୋର୍ଡ଼ ଟିକା

Mon Aug 31 , 2020
ରାଜ୍ୟରେ ଉପଲବ୍ଧ କରାଇବାକୁ ସେରମ୍‌ କମ୍ପାନିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧ଲକ୍ଷ ପାର୍‌ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ୨୯ ହଜାର ୬୮୫ଜଣ ଚିକିତ୍ସାଧୀନ ଥିବା ବେଳେ ୪୮୨ ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି। ତେବେ ବିଶେଷଜ୍ଞଙ୍କ ଆକଳନ, ନିକଟ ଭବିଷ୍ୟତରେ ରାଜ୍ୟରେ କରୋନାର ପ୍ରକୋପ କମିବାର କୌଣସି ଆଶା ଦେଖାଯାଉନାହିଁ। ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବ। ଏପରି ସ୍ଥିତି‌ରେ ସମସ୍ତଙ୍କର ନଜର କରୋନା […]
ଅକ୍ସଫୋର୍ଡ଼ ଟିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial