ବଡ ଡାକ୍ତରଖାନାରେ ଏସି, ଫ୍ୟାନ୍‌ ଅଚଳ: ଆଉଟ୍‌ଡୋରରୁ ଉଠିଗଲେ ଡାକ୍ତର

କଟକ: ଏସ୍‌ବିବି ମେଡିକାଲରେ ଏସି, ଫ୍ୟାନ୍‌ ଅଚଳ ଯୋଗୁଁ ଅଭାବନୀୟ ପରିସ୍ଥିତି ଉପୁଜୁଛି। ଗୁରୁତର ରୋଗୀ ହନ୍ତସନ୍ତ ହେବା, ବିଭିନ୍ନ ମେସିନ୍‌ ଠିକରେ କାମ ନକରିବା, ଅସ୍ତ୍ରୋପଚାର ସମ୍ଭବ ନହେବା ଭଳି ଅଭିଯୋଗ ଆସୁଥିବା ବେଳେ ଆଜି ଆଉଟଡୋର୍‌ ଅଧାରୁ ଉଠି ଯାଇଛନ୍ତି ଡାକ୍ତର। ସୂଚନା ଅନୁଯାୟୀ ଆଜି ନ୍ୟୁରୋଲୋଜି ଆଉଟ୍‌ଡୋର୍‌ରେ ରୋଗୀ ଦେଖା ଚାଲିଥିବା ବେଳେ ଅଧାରୁ ଏସି, ଫ୍ୟାନ୍‌ ବନ୍ଦ ହୋଇଯାଇଥିଲା। ତାପମାତ୍ରା ଅଧିକ ଥିବାରୁ ରୋଗୀ ଦେଖୁଥିବା ଡାକ୍ତରମାନେ ଅଧାରୁ ଉଠି ଚାଲିଯାଇଥିଲେ। ଏଭଳି ସ୍ଥିତିକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୂରଦୂରାନ୍ତରୁ ଆସିଥିବା ବହୁ ରୋଗୀ ହତାଶ ହୋଇ ଫେରିଥିଲେ।

ଆଜି ନ୍ୟୁରୋଲୋଜି ଓ ନେଫ୍ରୋଲୋଜି ଆଉଟ୍‌ଡୋର ଥିବାରୁ ରୋଗୀଙ୍କ ପ୍ରବଳ ଭିଡ ହୋଇଥିଲା। ଉଭୟ ବିଭାଗରେ ୪ଶହରୁ ଅଧିକ ରୋଗୀ ଅପେକ୍ଷା କରି ରହିଥିଲେ। ସକାଳ ୯ଟାରୁ ଆଉଟ୍‌ଡୋର ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟା ବେଳେ ହଠାତ ଫ୍ୟାନ୍‌ ଓ ଏସି ଅଚଳ ହୋଇଯାଇଥିଲା। ପ୍ରବଳ ଗରମ ହେବାରୁ ରୋଗୀ ଦେଖୁଥିବା ଡାକ୍ତରମାନେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ପାଖାପାଖି ସାଢ଼େ ୧୧ଟା ବେଳକୁ ସମସ୍ତ ଡାକ୍ତର ଆଉଟ୍‌ଡୋର ଛାଡି ବାହାରକୁ ଚାଲିଆସିଥିଲେ। ସେମାନେ ସୁପରିଟେଣ୍ଡେଣ୍ଟଙ୍କ ପାଖକୁ ଯାଇ ଏସଂକ୍ରାନ୍ତ ଅଭିଯୋଗ କରିିଥିଲେ। ଅନ୍ୟ ପକ୍ଷରେ ରୋଗୀଦେଖା ବନ୍ଦ ହୋଇଯିବାକୁ ଅପେକ୍ଷା କରିଥିବା ରୋଗୀ ଓ ସେମାନଙ୍କ ସହୟକମାନେ ପାଟିତୁଣ୍ଡ କରିଥିଲେ। ଅଭିଯୋଗ ପାଇ ପ୍ରଶାସକ, ଦୁଇ ଜଣ ହସ୍‌ପିଟାଲ ମ୍ୟାନେଜରଙ୍କ ସମେତ ଅନ୍ୟ କର୍ମଚାରୀମାନେ ଆଉଟ୍‌ଡୋର ଯାଇ ସେଠାରେ ଫ୍ୟାନ୍‌, ଏସି ମରାମତି ବ୍ୟବସ୍ଥା କରିଥିଲେ। ଦୀର୍ଘ ସମୟ ରୋଗୀ ଦେଖା ବନ୍ଦ ହେବାକୁ ଘଟଣାରେ ସ୍ଥଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ତଳେ ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ଅନୁରୂପ ଭାବେ ଏସି, ଫ୍ୟାନ୍‌ ଅଚଳ ହୋଇଥିଲା। ବଡ଼ ମେଡିକାଲ ଅଧୀକ୍ଷକଙ୍କ ଅଫିସରେ ଏସିରୁ ପାଣି ଗଳି ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌ ଓଦା ହୋଇଥିଲା। ଜିଇଡି କର୍ତ୍ତୃପକ୍ଷ ଏସି, ଫ୍ୟାନ୍‌ ରକ୍ଷଣାବେକ୍ଷଣା ଠିକ ଢଙ୍ଗରେ କରୁ ନଥିବାରୁ ଏଭଳି ପରିସ୍ଥିତି ଉପୁଜୁଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଏ ସଂପର୍କରେ ଅଧୀକ୍ଷକ ମୁଖ୍ୟ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ବି ଏଯାଏ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି।

Share Now:

Kalinga News Beuro

Leave a Reply

Next Post

ବିକିଦେଲେ କ୍ୟାପିଟାଲ ହସ୍ପିଟାଲ!

Wed Mar 28 , 2018
ହୃଦ୍‌ରୋଗ ବିଭାଗକୁ ପିପିପି ମୋଡ୍‌ରେ ଚଳାଇବାକୁ ମସୁଧା, ଆଶଙ୍କାରେ ବିଭାଗୀୟ ଡାକ୍ତର ଓ କର୍ମଚାରୀ ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନ କ୍ୟାପିଟାଲ ହସ୍ପିଟାଲ ଘରୋଇ ସଂସ୍ଥା ହାତକୁ ଚାଲିଯିବ। ଗୋଟି ଗୋଟି କରି ଘରୋଇ ସଂସ୍ଥାକୁ ହସ୍ପିଟାଲକୁ ଟେକି ଦେବା ଲାଗି ବଡ଼ ଧରଣର ଚକ୍ରାନ୍ତ ଆରମ୍ଭ ହୋଇଛି। ଏ ପର୍ଯ୍ୟନ୍ତ ପାଥୋଲୋଜି ଓ ଡାଏଲିସିସ୍‌ ଘରୋଇ ସଂସ୍ଥା ଚଳାଇବାକୁ ଆରମ୍ଭ କରିଥିବା ବେଳେ ଆଗାମୀ ଦିନରେ ହୃଦ୍‌ରୋଗ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial