ବିଲଡରଙ୍କ ଜାଲିଆତି :୩ ଘଣ୍ଟାର ଅପରେସନ୍‌ ପରେ ମୁକୁଳିଲା ଘର

ଫସର ଫାଟିଲା ଡୁପ୍ଲେକ୍ସ ମାଡ଼ି ବସିବା ଉଦ୍ୟମ

ଖଣ୍ଡଗିରି: ବିଲ୍‌ଡର୍‌ଠାରୁ ଋଣ ଟଙ୍କା ଫେରି ପାଇବାକୁ ଯୋଜନା କରି ଜଣେ ବ୍ୟକ୍ତି ଜୋର୍‌ ଜବରଦସ୍ତ ଏକ ଡୁପ୍ଲେକ୍ସ ମାଡ଼ି ବସିିବାକୁ କରିଥିବା ଉଦ୍ୟମକୁ ଖଣ୍ଡଗିରି ଥାନା ପୁଲିସ ଭଣ୍ଡୁର କରି ଦେଇଛି। ପ୍ରାୟ ୩ ଘଣ୍ଟାର ଅପରେସନ୍‌ ପରେ ପୁଲିସ ଜବରଦଖଲକାରୀଙ୍କ କବଳରୁ ଘରକୁ ମୁକୁଳାଇ ପ୍ରକୃତ ଘର ମାଲିକଙ୍କୁ ହସ୍ତାନ୍ତର କରିବାରେ ସକ୍ଷମ ହୋଇଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ଏମିତି। ପାତ୍ରପଡ଼ାରେ ଶ୍ରେୟା ଇନ୍‌ଫ୍ରା ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ସଂସ୍ଥା ଡୁପ୍ଲେକ୍ସ ଘର ନିର୍ମାଣ କରି ବିକ୍ରି କରିଛି। ସହିଦନଗର ଅଞ୍ଚଳର ବିଲ୍‌ଡର ହିମାଂଶୁ ଶେଖର ନାୟକ ଏଠାରେ ୧୦ଟି ଡୁପ୍ଲେକ୍ସ ବିକ୍ରି କରିିଛନ୍ତି। ଦିଲ୍ଲୀରେ ରହୁଥିବା ନୟାଗଡ଼ର ରଶ୍ମିରଂଜନ ଦାସ ଏହି କଲୋନିର ୮ ନମ୍ବର ଡୁପ୍ଲେକ୍‌ସଟି କିଣିଛନ୍ତି। ପ୍ରାୟ ୯ ବର୍ଷ ହେଲା ସେ ଏହି ଘର ଦଖଲରେ ଅଛନ୍ତି। ଉପରମହଲାକୁ ଭଡ଼ାରେ ଦେଇଥିବାବେଳେ ତଳମହଲାକୁ ନିଜ ବ୍ୟବହାର ପାଇଁ ରଖିଛନ୍ତି। ରଶ୍ମିରଂଜନ ଦିଲ୍ଲୀରେ ରହୁଥିବାରୁ ତାଙ୍କ ସ୍ତ୍ରୀ ଶାରଳା ପଟ୍ଟନାୟକ ଏହି ଘରର ଦେଖାଶୁଣା କରି ଆସୁଛନ୍ତିି। କିନ୍ତୁ ଶାରଳାଙ୍କ ଅନୁପସ୍ଥିତିିରେ ଗତ ୧୮ ତାରିଖରେ ଭେଙ୍କଟରାମ୍‌ଜୀ ପାତ୍ର ନାମକ ଜଣେ ବ୍ୟକ୍ତି ଏହି ଘରକୁ ଜବରଦଖଲ କରି ନେଇଥିଲେ। ବିଲ୍‌ଡର ହିମାଂଶୁ ତାଙ୍କୁ ଏହି ଘରଟି ବିକ୍ରିି କରିଛନ୍ତି ବୋଲି ରେକର୍ଡପତ୍ର ଦେଖାଇ ସେ ଘରଟିକୁ ଦଖଲ କରିି ନେଇଥିଲେ। ଖବର ପାଇ ଶାରଳା ଘଟଣାସ୍ଥଳରେ ପହଞ୍ଚିବା ପରେ ଘରଟିକୁ ଅନ୍ୟ ଜଣେ ମାଡ଼ି ବସିଥିବା ଦେଖି ସଙ୍ଗେ ସଙ୍ଗେ ଖଣ୍ଡଗିରି ଥାନା ପୁଲିସର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ଅଭିଯୋଗ ପାଇବା ପରେ ଘରକୁ ଦଖଲ କରିଥିବା ଭେଙ୍କଟରାମ୍‌ଜୀଙ୍କୁ ଡକାଇଥିଲା। ଦୁଇ ଜଣଙ୍କର ରେକର୍ଡପତ୍ର ଯାଞ୍ଚ କଲାପରେ ଭେଙ୍କଟଙ୍କ ରେକର୍ଡ ଭୁଲ୍‌ ବୋଲି ପୁଲିସ ଜାଣିବାକୁ ପାଇଥିଲା। ବିଲ୍‌ଡର ହିମାଂଶୁ ଭେଙ୍କଟଙ୍କଠାରୁ ଋଣ ବାବଦରେ ଟଙ୍କା ନେଇ ଫେରାଇ ନଥିବାବେଳେ ଜାଲ୍‌ କରି ଶାରଳାଙ୍କ ୮ ନମ୍ବର ପ୍ଲଟକୁ ରେକର୍ଡ କରାଇଥିବା ଜଣାପଡ଼ିଥିଲା। ତେଣୁ ଆଇଆଇସି ହିମାଂଶୁ ଶେଖର ସ୍ୱାଇଁ ତୁରନ୍ତ ଉକ୍ତ ୮ ନମ୍ବର ଘରକୁ ଖାଲି କରିବାକୁ ଭେଙ୍କଟଙ୍କୁ କହିଥିଲେ। ମାତ୍ର ଭେଙ୍କଟ ପୁଲିସ ନର୍ଦେଶକୁ ବେଖାତିର କରିବା ସହ ଉକ୍ତ ଘରେ ଦୁଇ ଜଣ ମହିଳାଙ୍କୁ ଭଡ଼ାରେ ରଖି ଦେଇଥିଲେ। ଏ ନେଇ ଆଜି ଘର ମାଲିକ ଶାରଳା ଖଣ୍ଡଗିରି ଥାନାରେ ଜଣାଇବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍‌ କରିଥିଲା। ପୁଲିସ ଭେଙ୍କଟଙ୍କୁ ଡକାଇଥିଲେ ବି ସେ ଧରାଛୁଅାଁ ଦେଇ ନଥିଲେ। ବରଂ ଭେଙ୍କଟଙ୍କ କଥାରେ ଉକ୍ତ ଘରେ ଭଡ଼ା ଥିବା ଦୁଇ ମହିଳା ବଡ଼ ଚତୁରତାର ସହ ଭିତରୁ କବାଟ କିଳି ରହିଥିଲେ। ଫଳରେ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ପୁଲିସ ସେଠାରେ ଅପେକ୍ଷା କରିଥିଲା। ବହୁ ବୁଝାଶୁଝା କରେ ମହିଳାଦ୍ୱୟ କବାଟ ଖୋଲିନଥିଲେ। ତେଣୁ ବାଧ୍ୟ ହୋଇ ପୁଲିସ ସେମାନଙ୍କ ନାମରେ ମାମଲା ରୁଜୁ କରିଥିଲା। ମାମଲା ରୁଜୁ ହେବା ଜାଣିବା ପରେ ମହିଳା ଦ୍ୱୟ ଘର ଖୋଲିବା ସହ ଘର ଖାଲି କରିବାକୁ ରାଜି ହୋଇଥିଲେ। ସେମାନେ ଘର ଖାଲି କରିବା ପରେ ପୁଲିସ ଉପସ୍ଥିତିରେ ଶାରଳା ଘରକୁ ନିଜ ଦଖଲକୁ ନେଇଥିଲେ।

ଆଜି ଏତେ ପାଲା ଲାଗିଥିଲେ ବି ଭେଙ୍କଟ ପାତ୍ର ଶେଷ ପର୍ଯ୍ୟନ୍ତ ଘଟଣାସ୍ଥଳକୁ ଆସି ନଥିଲେ। ପୁଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଉଲ୍ଲେଖଯୋଗ୍ୟ ଯେ ବିଲ୍‌ଡର ହିମାଂଶୁ ନାୟକ ପୂର୍ବରୁ ଏମିତି ଜମି ଜାଲିଆତି ଅଭିଯୋଗରେ ଗିରଫ ହୋଇଛନ୍ତି। ଏହି ଶ୍ରେୟା ଇନ୍‌ଫ୍ରାରେ ବି କିଛି ଘରକୁ ସେ ଦୁଇତିନିଥର ଲେଖାଏଁ ବିକ୍ରି କରିଥିବା ଜଣାପଡ଼ିଛି। ଫଳରେ ଏଠାରେ ଘର କିଣିଥିବା ଲୋକେ ଏବେ ଚିନ୍ତାରେ ପଡ଼ିଥିବା ଜଣାପଡ଼ିଛି।

Share Now:

Kalinga News Beuro

Leave a Reply

Next Post

ଆତଙ୍କବାଦୀଙ୍କ ଉପରେ କଠୋର ହେବ ଭାରତ: ପରିବାରକୁ ଦିଆଯିବ ନାହିଁ ଶବ

Sat Jun 23 , 2018
ଶ୍ରୀନଗର: ଆତଙ୍କବାଦୀଙ୍କ ଉପରେ ଆହୁରି କଠୋର ହେବ ଭାରତ। ଏଣିକି ଯବାନଙ୍କ ଅପରେସନରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ଶବକୁ ସେମାନଙ୍କ ପରିବାରକୁ ଦିଆଯିବ ନାହିଁ। ସେମାନଙ୍କ ଶବକୁ ଏକ ଅଜଣା ଜାଗାରେ ପୋତି ଦିଆଯିବ। ଖୁବ୍‌ଶୀଘ୍ର ଶବ ଫେରସ୍ତର ଏହି ପରମ୍ପରାକୁ ବନ୍ଦ କରିବା ପାଇଁ ବିଚାର କରାଯାଉଛି। ସ୍ଥାନୀୟ ଯୁବବର୍ଗ ଆତଙ୍କବାଦୀ ସଙ୍ଗଠନରେ ସାମିଲ୍‌ ହେଉଥିବା ଧାରାକୁ ରୋକିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶୁଣିବାକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial