ବିଏମ୍‌ସିରେ ବିଲୁଆ ବିଚାର : ପୁଣି ଉବୁଟୁବୁ ରାଜଧାନୀ

ବିଏମ୍‌ସିରେ ବିଲୁଆ ବିଚାର

ବୈଠକ ପରେ ବୈଠକ, ଫଳ ଶୂନ, କେବେ ସଫା ହେବ ଡ୍ରେନ୍‌?

ଭୁବନେଶ୍ୱର: ରାଜଧାନୀକୁ ଜଳବନ୍ଦୀରୁ ମୁକୁଳାଇବାକୁ ଘନଘନ ବୈଠକ ବସୁଛି, ମାଳମାଳ ଯୋଜନା ହେଉଛି। କିନ୍ତୁ ସବୁ କେବଳ ବିଲୁଆ ବିଚାର, ଫଳ ଶୂନ। ଡ୍ରେନ୍‌ ସଫାକୁ ନେଇ ହୋଇଥିବା ହୋ ହଲ୍ଲା, ସମୀକ୍ଷା, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶକୁ ବିଚାର କଲେ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି। ସବୁ ଡ୍ରେନ୍‌ ସଫା କରିବାକୁ ପ୍ରଥମେ ଜୁନ୍‌ ୩ ତାରିଖ ଡେଡ୍‌ଲାଇନ୍‌ ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ଏହା ଜୁନ୍‌ ଶେ‌ଷ ସପ୍ତାହକୁ ଘୁଞ୍ଚିଛି। ଜୁନ୍‌ ଶେଷ ସପ୍ତାହ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁବାକୁ ଯାଉଛି। ଏହା ପୂର୍ବରୁ ଡ୍ରେନ୍‌ ସବୁ ସଫା ହୋଇ ପାରିବ କି ନାହିଁ ସେ ନେଇ ନିଶ୍ଚିତତା ନାହିଁ। ଗତକାଲି ଏକ ସମୀକ୍ଷା ବୈଠକରେ ଇଣ୍ଟରନାଲ୍‌ ଡ୍ରେନ୍‌ ସଫେଇ ନେଇ ଠିକାସଂସ୍ଥାମାନେ ବିବରଣୀ ଦେଇ ପାରି ନାହାନ୍ତି। ଏଣୁ ଆସନ୍ତା ବର୍ଷାରେ ଭୁବନେଶ୍ୱର ପୁଣି ଉବୁଟୁବୁ ହେବା ଥୟ ହୋଇଛି।
ବର୍ଷା ଜଳ ନିଷ୍କାସନ ଉପରେ ଗୁରୁତ୍ୱ ଦେଇ ବିଏମ୍‌ସି ଲଗାତାର ଡ୍ରେନେଜ୍‌ ବ୍ୟବସ୍ଥା ଉପରେ ନିୟମିତ ସମୀକ୍ଷା କରୁଛି। ଇଣ୍ଟରନାଲ୍‌ ଡ୍ରେନ୍‌ଗୁଡ଼ିକ ସଫା କରିବା ସମ୍ପୃକ୍ତ ଅଞ୍ଚଳର ସଫେଇ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି। ନୂଆ ସଫେଇ ପ୍ୟାକେଜ୍‌ ଟେଣ୍ଡରେ ଗୁରୁଚଣ୍ଡାଳ ଦୋଷ ରହିଥିବାରୁ ଠିକା ସଂସ୍ଥାଗୁଡ଼ିକ ରାସ୍ତା ସଫେଇ ଠିକ୍‌ କରିପାରୁ ନାହାନ୍ତି। ଏଭଳି ସ୍ଥିତିରେ ସେମାନେ ଡ୍ରେନ୍‌ କିଭଳି ସଫା କରିବେ ସେ ନେଇ ପ୍ରଶ୍ନ ଉଠିଛି। କେତେକ କର୍ପୋରେଟରଙ୍କ ଅଭିଯୋଗ ମୁତାବକ, କେବଳ ଅଭିଯୋଗ କଲେ ଠିକା ସଂସ୍ଥାର କର୍ମଚାରୀ ଆସି ସଫା କରିଦେଇ ଯାଉଛନ୍ତି। ଗତକାଲି ବସିଥିବା ସମୀକ୍ଷା ବୈଠକରେ ଠିକାସଂସ୍ଥାମାନେ ଦେଇଥିବା ନଳା ସଫା ହିସାବର ୫୦ ପ୍ରତିଶତ ମଧ୍ୟ ସଫା ହୋଇନଥିବା ଅଭିଯୋଗ ହୋଇଛି। ଠିକା ସଂସ୍ଥା ଦେଉଥିବା ହିସାବ ମୁତାବକ ସଫା ହେଉଛି କି ନାହିଁ ଯାଞ୍ଚ କରିବା ପାଇଁ ଡ୍ରୋନ୍‌ ବ୍ୟବହାର କରିବାକୁ ଯୋଜନା ହୋଇଥିଲା। ଡ୍ରେନେଜ୍‌ ଉପବିଭାଗ ନୁହେଁ, ବରଂ ସ୍ମାର୍ଟ ସିଟି ମାଧ୍ୟମରେ ଏହି ଡ୍ରୋନ୍‌ ଉଡ଼ିବ ବୋଲି ଜଣାପଡ଼ିଛି। ଇଣ୍ଟରନାଲ୍‌ ଡ୍ରେନ୍‌ ଛାଡ଼ି ଦେଲେ ମୁଖ୍ୟ ଡ୍ରେନ୍‌ ସ୍ଥିତି ମଧ୍ୟ ଅନୁରୂପ ରହିଛି। ଡ୍ରେନ ନଂ-୧ରୁ ଆରମ୍ଭ କରି ଡ୍ରେନ ନଂ-୧୦ ଓ ୱାର୍ଡ ନଂ-୪, ୱାର୍ଡ ନଂ-୫, ୱାର୍ଡ ନଂ-୫୦ରେ ଥିବା ୨ଟି ଡ୍ରେନ, ନୟନଜୋଡ଼ି-ପୁରୀ ମୁଖ୍ୟ କେନାଲର କିଛି ଅଂଶ ସଫେଇ ଚାଲିଥିବା ବିଏମ୍‌ସି କହିଛି। ବଡ଼କଥା ହେଉଛି ସହର ଭିତର ଦେଇ ଯାଇଥିବା ପ୍ରାକୃତିକ ନଳା ହିଁ ଜଳ ନିଷ୍କାସନର ମୁଖ୍ୟ ଭୁମିକା ନିଭାଇଥାଏ। ଏଣୁ ଏହି ପ୍ରାକୃତିକ ନାଳକୁ ସଫା କରିବା ପାଇଁ ବିଏମ୍‌ସି ଗୁରୁତ୍ୱ ଦେବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ପ୍ରାକୃତିକ ନଳାରେ ବହୁ ସମସ୍ୟା ରହିଛି, ଯାହା ବର୍ଷାଦିନେ ଜଳ ନିଷ୍କାସନରେ ବାଧକ ହେବ। ସେହିଭଳି ଇସ୍କନ ସମ୍ମୁଖରେ ଜଳ ନିଷ୍କମାସନ ପାଇଁ ସ୍ଥାୟୀ ସମାଧାନ ହୋଇ ପାରିନଥିବାରୁ ଏଠାରେ ମଧ୍ୟ ପାଣି ଜମିବ। ୧୦ଟି ମୁଖ୍ୟ ଡ୍ରେନର ସଫେଇ ସାଙ୍ଗକୁ ବିଏମ୍‌ସିର ସିଧାସଳଖ ତଦାରଖରେ ଥିବା ୱାର୍ଡ ନଂ-୪, ୫ ଓ ୫୦ର ଡ୍ରେନ କାମ ପାଇଁ ୨୨ଟି ପ୍ରକଳ୍ପରେ ୪ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ଚଳିତ ବର୍ଷ କେବଳ ନଳା ସଫା ଓ ଡ୍ରେନ୍‌ ପୁନରୁଦ୍ଧାର ପାଇଁ ବିଏମ୍‌ସି ୫୭ କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ବ୍ୟୟ ଅଟକଳ କରିଛି। କିନ୍ତୁ ଏ ସବୁ କେବଳ ପାଣିରେ ପଡ଼ିବାକୁ ଯାଉଛି।

Share Now:

Kalinga News Beuro

Next Post

ଆମାଜନ୍‌ ବିମାନ ଦୁର୍ଘଟଣା : ହିଂସ୍ରଜନ୍ତୁ ଭରା ବଣରେ ୪ଟି ପିଲାଙ୍କ ୪୦ ଦିନ

Sun Jun 11 , 2023
ନୂଆଦିଲ୍ଲୀ: ମେ ପହିଲାରେ କଲମ୍ବିଆର ଆମାଜନ୍‌ ଚିରଶ୍ୟାମଳ ଜଙ୍ଗଲରେ ଘଟିଥିବା କ୍ଷୁଦ୍ର ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇ ୪୦ ଦିନ ପରେ ଜୀବନ୍ତ ଉଦ୍ଧାର କରାଯାଇଥିବା ପିଲା ୪ଜଣଙ୍କ ବଞ୍ଚିବା କଥା ସମସ୍ତଙ୍କୁ ବିସ୍ମିତ କରିଛି। ପରିବାର ଲୋକଙ୍କ ସହିତ ପୁନର୍ମିଳିତ ହୋଇଥିବା ଏହି ହ୍ୟୁଟୋଟୋ ଜନଜାତି ସମ୍ପ୍ରଦାୟ ପିଲାମାନଙ୍କ ବୟସ ହେଉଛି ଯଥାକ୍ରମେ ୧୩, ୯, ୪, ଓ ୧୧ ମାସ। ସେମାନଙ୍କୁ ସେନା ବାହିନୀର ମେଡିକାଲ୍ ବିମାନରେ […]
ଆମାଜନ୍‌ ବିମାନ ଦୁର୍ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial