ସଫେଇ କର୍ମଚାରୀଙ୍କ ଝାଡ଼ୁଛାଡ଼ ଆନ୍ଦୋଳନ : ୫୫ ୱାର୍ଡ ପ୍ରଭାବିତ

ସଫେଇକର୍ମୀ-ମେୟର ଆଲୋଚନା ବିଫଳ

ଭୁବନେଶ୍ୱର: ଭୁବନେଶ୍ୱର ୮୦ ପ୍ରତିଶତ ରାସ୍ତାରେ ଆଜି ଝାଡ଼ୁ ବାଜିଲାନି। ଅଳିଆ ସେମିତି ପଡ଼ି ରହିଲା। ୧୫ ହଜାର ଟଙ୍କା ମାସିକ ପାରିଶ୍ରମିକ ଦାବି କରି ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବାରୁ ଆଜି ଭୁବନେଶ୍ୱରରେ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ସକାଳୁ ସକାଳୁ ହଜାର ହଜାର କର୍ମଚାରୀ କାମ ଛାଡ଼ି ବିଭିନ୍ନ ୱାର୍ଡରୁ ଶୋଭାଯାତ୍ରାରେ ଆସି ରାଜମହଲ ଫ୍ଲାଏ ଓଭରବ୍ରିଜ୍‌ ତଳେ ଏକାଠି ହୋଇଥିଲେ। ଅପ୍ରୀତିକର ପରିସ୍ଥିତି ଆଶଙ୍କା କରି ସେଠାରେ ପୁଲିସ ପହଞ୍ଚିଥିଲା। ସେମାନେ ସେଠାରେ ପ୍ରାୟ ୧ ଘଣ୍ଟା ଧରି ବସି ରହିବା ପରେ ମେୟର ସୁଲୋଚନା ଦାସ ଆଲୋଚନା ପାଇଁ ଡାକିଥିଲେ। ଏକଘଣ୍ଟା କାଳ ବୈଠକ ବସିଥିଲେ ମଧ୍ୟ ସୁଫଳ ମିଳିନଥିଲା। ରାସ୍ତାଘାଟ ଓଳାଇବା ପରେ କର୍ମଚାରୀମାନେ ଯେଉଁ ଆବର୍ଜନା ପୃଥକ୍‌ କରୁଛନ୍ତି ତାହା ଏଜେନ୍‌ସିମାନଙ୍କ ସହ ଆଲୋଚନା କରି ବନ୍ଦ କରି ଦିଆଯାଇ ପାରେ। କିନ୍ତୁ ଦରମା ୧୫ ହଜାର ଟଙ୍କା ବଢ଼ାଇବା କ୍ଷମତା ବିଏମ୍‌ସିର ନାହିଁ। ଏ ନେଇ ସରକାରଙ୍କୁ କେବଳ ଚିଠି ଲେଖା ଯାଇ ପାରିବ ବୋଲି ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଏଥିରେ ସଂଘ ରାଜି ହୋଇନଥିଲା। ଏଣୁ ଆସନ୍ତାକାଲି ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ୧୧ଟା ବେଳେ ରାଜମହଲ ଛକରେ ଏକାଠି ହେବାପରେ ସେଠାରୁ ‌ସଫେଇ କର୍ମଚାରୀମାନେ ଶୋଭାଯାତ୍ରାରେ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯିବେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ ହେବ ବୋଲି ଭୁବନେଶ୍ୱର ମୁନିସିପାଲିଟି ମଜଦୁର ସଂଘର ସଭାପତି ସହଦେବ ନାୟକ ସୂଚନା ଦେଇଛନ୍ତି। ଯେପର୍ଯ୍ୟନ୍ତ ପାରିଶ୍ରମିକ ନ ବଢ଼ିଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସେ କହିଛନ୍ତି।
ପୂର୍ବରୁ ଏଭଳି ଅନେକ ଥର ଘଟିଛି। ପ୍ରତିଥର ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ଦାବି ପୂରଣ ହେଉନାହିଁ। ପ୍ରତିଥର ଆବର୍ଜନା ନ ଉଠିବାରୁ ସାଧାରଣ ଲୋକ ହିଁ କଷ୍ଟ ଭୋଗିଛନ୍ତି। ଗତ ମାସ ୨୯ ତାରିଖରେ ମେୟରଙ୍କ ସହ ସଂଘର ଆଲୋଚନା ବିଫଳ ହୋଇଥିବା ଜାଣି ମଧ୍ୟ କୌଣସି ପଦକ୍ଷେପ ନିଆ ନଯିବାରୁ ଆଜି ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି। ଆସନ୍ତାକାଲି ଠାରୁ ପରିସ୍ଥିତି ଆହୁରି ସଙ୍ଗିନ ହେବାକୁ ଯାଉଛି। ଆଜି ସକାଳୁ ଉତ୍ତର ଭୁବନେଶ୍ୱରର ୯ଟି ଓ ମଧ୍ୟ ଭୁବନେଶ୍ୱରର ୪ଟି ୱାର୍ଡକୁ ଛାଡ଼ିଦେଲେ ବାକି ୫୫ ୱାର୍ଡ ରାସ୍ତାରେ ଝାଡ଼ୁମରା ବନ୍ଦ ରଖି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏଥିରେ ଆୱାରଲ୍ୟାଣ୍ଡ, ଗ୍ରିନ୍‌ ସର୍କଲ୍‌, ପିଏମ୍‌ଆର୍‌, ହର୍ଷବର୍ଦ୍ଧନ ଓ ଜାଗୃତି ପ୍ରଭୃତି ସଂସ୍ଥାର କର୍ମଚାରୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହା ଏକ ସାମୂହିକ ଦାବି ହୋଇଥିବାରୁ ଅନ୍ୟ ସଫେଇକର୍ମୀମାନେ ମଧ୍ୟ ସାମିଲ୍‌ ହେବାକୁ ସଭାପତି ଶ୍ରୀ ନାୟକ ଆହ୍ବାନ ଦେଇଛନ୍ତି। ସହଦେବ ନାୟକଙ୍କ ନେତୃତ୍ବରେ ସନ୍ତୋଷ ନାୟକ, ସୁମା ନାୟକ, ସୁଲୋଚନା ନାୟକ, ସିଲି ନାୟକ, ରମା ନାୟକ, ରଞ୍ଜନା ନାୟକ, ପଦ୍ମିନୀ ନାୟକ, ତରୁଣ ଦଳେଇ, ସୁଭଦ୍ରା ନାୟକଙ୍କୁ ନେଇ ଏକ ଟିମ୍‌ ମେୟର ସୁଲୋଚନା ଦାସଙ୍କୁ ଭେଟିଥିଲା। ସେଠାରେ ମେୟରଙ୍କ ସମେତ ବିଏମ୍‌ସି ଅତିରିକ୍ତ କମିସନର ଶୁଭେନ୍ଦୁ ସାହୁଙ୍କ ସହ ସଂଘର ଦାବି ନେଇ ଆଲୋଚନା ହୋଇଥିଲା। ଏ ନେଇ ବିଏମ୍‌ସି କହିଛି, ଓଳାଇବା ପରେ କର୍ମଚାରୀମାନେ ଆବର୍ଜନା ପୃଥକ୍‌ ନକଲେ ଏଜେନ୍‌ସିମାନେ ଅତିରିକ୍ତ କର୍ମଚାରୀଙ୍କ ଜରିଆରେ ଏହା କରିପାରନ୍ତି। କିନ୍ତୁ ଦରମା ୨୫ହଜାର କରିବା ପାଇଁ ହେଲେ ସରକାରଙ୍କ ଅନୁମତି ଆବଶ୍ୟକ। ସରକାରଙ୍କ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ କାମ କରିବାକୁ କର୍ମଚାରୀମାନଙ୍କୁ ଅନୁରୋଧ କରାଯାଇଛି।

Share Now:

Kalinga News Beuro

Next Post

ଆଉ ହସୁନି ସୁନ୍ଦରୀ ମତ୍ସ୍ୟକନ୍ୟା

Tue Mar 12 , 2024
ଭୁବନେଶ୍ୱର: ହକି ବିଶ୍ୱକପ୍ ହେଉ ଅଥବା ଏକାମ୍ର ଉତ୍ସବ, ରାଜଧାନୀର ସୌନ୍ଦର୍ଯ୍ୟ ଆଖି ଝଲସାଇ ଦେଉଥିଲା। ରାସ୍ତାଘାଟରେ ରଙ୍ଗ, ରାସ୍ତାକଡ଼ର ଗଛପତ୍ରରେ ରଙ୍ଗିନ ଆଲୋକମାଳା, ସୁନ୍ଦର ଡଷ୍ଟବିନ୍‌ ଓ ପ୍ରମୁଖ ଛକରେ ସୁନ୍ଦର ମୂର୍ତ୍ତି ଭୁବନେଶ୍ୱରକୁ ନୂଆରୂପ ଦେଇଥିଲା। ବିଶେଷ କରି ଆଚାର୍ଯ୍ୟବିହାରରୁ ସୈନିକ ସ୍କୁଲ୍‌ ପର୍ଯ୍ୟନ୍ତ ରାସ୍ତାର ବାମପାର୍ଶ୍ଵ ପାଲଟିଥିଲା ଦର୍ଶନୀୟ ସ୍ଥାନ। ତା’ଭିତରେ ମତ୍ସ୍ୟକନ୍ୟାର ସ୍ଥାପତ୍ୟ ଥିଲା ସବୁଠୁ ଆକର୍ଷଣୀୟ। ହସ ହସ ମୁହଁରେ ସୁନ୍ଦରୀ ମତ୍ସ୍ୟକନ୍ୟା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial