ରାଜଧାନୀ ଉପକଣ୍ଠରେ ବନ୍ୟା ପରିସ୍ଥିତି ଗମ୍ଭୀର : ପାଣିରେ ବୁଡ଼ିଛି ୫ ପଞ୍ଚାୟତ

ପାଣିରେ ବୁଡ଼ିଛି ୫ ପଞ୍ଚାୟତ

ପର୍ଯ୍ୟ‌ାପ୍ତ ହେଉନି ରିଲିଫ୍, ଭୋକ ଉପାସରେ ଗୃହପାଳିତ ପଶୁପକ୍ଷୀ

ବାଲିପାଟଣା : ଲୋକ କଥାଟିଏ ଅଛି। ‘ଧନୁଆ ନଈକୁ ବିଶ୍ବାସ ନାହିଁ’। ଚଳିତ ବନ୍ୟା ଏହି ଲୋକକଥାର ସତ୍ୟତା ପ୍ରମାଣିତ କରିଛି। ବଡ଼ ନଦୀ ଭାର୍ଗବୀ, କୁଆଖାଇ ଓ କୁଶଭଦ୍ରା ଯେତିକି ଦୁଃଖ ଦେଇ ନାହାନ୍ତି, ଛୋଟ ନଈ ଧନୁଆ ସେମାନଙ୍କଠାରୁ ଅଧିକ କ୍ଷତି କରିଛି। ଧୁନଆ ନଈର ବନ୍ୟା ଜଳ ବାଲିପାଟଣାର ୫ ପଞ୍ଚାୟତକୁ ବୁଡ଼ାଇ ଦେଇଛି। ଫଳରେ ଧନୁଆ ବନ୍ୟା ଜଳ ଘେରରେ ପାଖାପାଖି ୫ ହଜାର ଲୋକ ୫ ଦିନ ହେଲା ବନ୍ଦୀ ହୋଇ ଫସିଛନ୍ତି। ଜଳବନ୍ଦୀ ସାଙ୍ଗକୁ ଆଜି ସନ୍ଧ୍ୟାରେ ପୁଣି ବର୍ଷା ଲୋକଙ୍କୁ ବ୍ୟତିବ୍ୟସ୍ତ କରି ପକାଇଛି। କୁରୁଞ୍ଜିପୁର, ପମ୍ପାଲୋ, ଆଳିଶି, ରାଜସ ଓ ତୁରିନ୍ତିରା ପଞ୍ଚାୟତର ଲୋକମାନେ ଏବେ ଦୟନୀୟ ଅବସ୍ଥାରେ ଅଛନ୍ତି। ଲୋକମାନେ କିଛି ଖାଇବାକୁ ପାଉଥିବାବେଳେ ଗୋସମ୍ପଦ ଭୋକ ଉପାସରେ ଥିବା ଲୋକଙ୍କୁ ଅଧିକ ବ୍ୟଥିତ କରିଛି।

ମିଳିଥିବା ଖବର ଅନୁସାରେ ଉପରୋକ୍ତ ପାଞ୍ଚ ପଞ୍ଚାୟତ‌ର ଅନେକ ଲୋକଙ୍କ ଝାଟିମାଟି ଘର ପାଣିରେ ବୁଡ଼ି ରହିବା ଫଳରେ କାନ୍ଥ ବତୁରି ଭାଙ୍ଗି ଗଲାଣି। କିଛି ଘରର କାନ୍ଥ ସମ୍ପୂର୍ଣ ଭାଙ୍ଗି ପଡ଼ିଥିବା ବେଳେ ଆଉ କେତକ ଫାଟି ଆଁ କରିଛି। ବହୁ ‌ଲୋକଙ୍କ ଘର ଭିତରେ ଅଣ୍ଟାଏ ପାଣି ଜମିଛି। ଘରର ଆସବାବ ପତ୍ର, ଧାନ, ଚାଉଳ, ଗୋଖାଦ୍ୟ ଆଦି ପାଣିରେ ବୁଡ଼ି ରହିଛି। କେ‌ତେକ ସ୍ଥାନରେ ଲୋକେ ଘରଦ୍ବାର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଇ ଥିବା ବେଳେ ଆଉ କିଛି ଲୋକ ଘରେ ପାଣି ଲହଡ଼ି ମାରୁଥିବା ସତ୍ତ୍ବେ ଘର ଛାଡ଼ିନାହାନ୍ତି। ବହୁ ଲୋକ ଛାତ ଉପରେ ପିଲାଛୁଆଙ୍କୁ ଧରି ଅଛନ୍ତି। ରୋଷେଇ ଘରେ ମଧ୍ୟ ପାଣି ପଶି ଯାଇଥିବାରୁ ଲୋକେ ଓଳିଏ ଖାଇଲେ ଆର ଓଳିକୁ ଉପାସ ରହୁଛନ୍ତି। ପିଇବା ପାଣି ମିଳିବା ମଧ୍ୟ ବଡ଼ ସମସ୍ୟା ହୋଇଛି। ଏଭଳି ସ୍ଥିତିରେ ଆଜି ବ୍ଲକ ପ୍ରଶାସନ ତରଫରୁ ୩ହଜାର ୫ ଶହ ଲୋକଙ୍କୁ ରିଲିଫ୍‌ ଯୋଗାଇ ଦିଆଯାଇଛି ବୋଲି ସୂଚନା ମିଳିଛି। ତେବେ ବେଶି ସମସ୍ୟାରେ ଅଛନ୍ତି ଗୃହପାଳିତ ପଶୁ। ସେମାନଙ୍କ ପାଇଁ ଖାଦ୍ୟ ନାହିଁ। ସବୁଆଡ଼େ ପାଣି। ତେଣୁ ଚରିବାକୁ ମିଳୁନାହିଁ। ଲୋକେ ଧାନ ଚାଉଳ ବଞ୍ଚାଇ ପାରିନାହାନ୍ତି, ତେଣୁ କୁଣ୍ଡା ଚୋକଡ଼ କଥା କିଏ ବୁଝୁଛି! ପାଳଗଦା ବି ପାଣିରେ ବୁଡ଼ି ପଚିଗଲାଣି।

ରୋଷେଇ ସମସ୍ୟା କାରଣରୁ ତୋରାଣି ମଧ୍ୟ ନାହିଁ। ସେହିଭଳି ଏ ଯାଏଁ ପ୍ରଶାସନ ତରଫରୁ ଗୋଖାଦ୍ୟ ପହଞ୍ଚି ପାରିଲା ନାହିଁ। ତେଣୁ ୫ ଦିନ ହେଲା ଗାଈବଳଦ, ଛେଳି, ମେଣ୍ଢା ଆଦି ଗୋସମ୍ପଦ ଭୋକରେ ଅଛନ୍ତି। ତେବେ ଖୁବ୍‌ ଶୀଘ୍ର ବାଲିପାଟଣା ବ୍ଲକର ୭ଟି ପଞ୍ଚାୟତରେ ଗୋଖାଦ୍ୟ ବଣ୍ଟନ କରାଯିବ ବୋଲି ପଶୁ ସମ୍ପଦ ଅଧିକାରୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନାନୁସାରେ ବନ୍ୟା ପ୍ରଭାବିତ ୭ଟି ପଞ୍ଚାୟତର ୨୬ ଶହ ୮୦ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ରାଜସ୍ବ ନିରୀକ୍ଷକ ଏବଂ ବ୍ଲକ କୃଷି ବିଭାଗର ମିଳିତ ଚିଠା ଅନୁସାରେ ପମ୍ପାଲୋ ପଞ୍ଚାୟତରେ ୧୦୩୦ ହେକ୍ଟର, କୁରୁଞ୍ଜିପୁରର ୫୩୧ ହେକ୍ଟର, ରାଜସର ୩୩୫ ହେକ୍ଟର, ତୁରିନ୍ତିରାର ୩୮୪ ହେକ୍ଟର, ଆଳିଶିର ୨୦୫ ହେକ୍ଟର, ସୋମଣା ଶାସନର ୧୧୫ ହେକ୍ଟର ଏବଂ ଗାରେଡ଼ିପାଞ୍ଚଣର ୮୦ ହେକ୍ଟର ଚାଷ ଜମି ବନ୍ୟାରେ ପ୍ରଭାବିତ ହୋଇଛି।

ଯୋଗାଣ ଅଧିକାରୀ ଦେବସ୍ମିତା ମଲ୍ଲିକଙ୍କ ସୂଚନାନୁସାରେ କୁରୁଞ୍ଜିପୁର, ଦଳକଷଟି, ଘାସିଅନ୍ଧଟି, ଅରପଦା, ସାନମାଛପୁର, ପମ୍ପାଲୋ ପଞ୍ଚାୟତର ଟିଙ୍କିପଡା, ଦରଡା, ଆଳିଶି ପଞ୍ଚାୟତର ବେଲମରାକୁ ରିଲିଫ୍‌ ପଠାଇଯାଇଛି। ପମ୍ପାଲୋ ସରପଞ୍ଚ ବିଜୟଲକ୍ଷ୍ମୀ ପାଇକରାୟଙ୍କ କହିବା ଅନୁସାରେ ଟିଙ୍କିପଡା ଓ ଦରଡ଼ା ଗ୍ରାମରେ ୨୨୫ ପରିବାରର ୯୯୭ ଲୋକଙ୍କୁ ଚୁଡା, ଚିନି ଏବଂ ବିସ୍କୁଟ ଯୋଗାଇ ଦିଆଯାଇଛି। ଅପରପକ୍ଷରେ ବନ୍ୟାରେ ଫସି ରହିଥିବା ବହୁ ଅଞ୍ଚଳକୁ ଦୃଷ୍ଟି ଦିଆଯାଉନାହିଁ ବୋଲି ଅଭିଯୋଗ ହେଉଛି। ତୁରିନ୍ତିରା ପଞ୍ଚାୟତ ଅଙ୍ଗାରପଡ଼ାରେ ୪ ଶହରୁ ଅଧିକ ଲୋକ ସମ୍ପୂର୍ଣ୍ଣ ଜଳବନ୍ଦୀରେ ଥିବା ସତ୍ତ୍ବେ ସେମାନଙ୍କ ପାଖରେ ରିଲିଫ୍ ପହଞ୍ଚିନାହିଁ। ସେହିପରି କୁରୁଞ୍ଜିପୁର ପଞ୍ଚାୟତର ବିଲସାହିରୁ ମଧ୍ୟ ଅନୁରୂପ ଅଭିଯୋଗ ଆସିଛି। ତେଣୁ ଏଭଳି ଲୋକଙ୍କୁ ତୁରନ୍ତ ରିଲିଫ୍ ଯୋଗାଇବାକୁ ବ୍ଲକ କଂଗ୍ରେସ ସଭାପତି ବଟକୃଷ୍ଣ ନାୟକ, ପ୍ରଦେଶ କଂଗ୍ରେସ କୃଷକ ସେଲ ସଭାପତି ଅମିୟ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ବେଣୁଧର ଭୋଇ, ବିପିନ ପାତ୍ର, ମନୋଜ ସେନାପତି, ସଞ୍ଜୟ ମଲିକ ପ୍ରମୁଖ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ରାଜ୍ୟରେ ଖସିଲା କରୋନା ସଂକ୍ରମଣ: ବଢ଼ିଲା ସୁସ୍ଥ ସଂଖ୍ୟା

Tue Sep 1 , 2020
ଦିନକରେ ସୁସ୍ଥ ହେଲେ ୪ହଜାରରୁ ଅଧିକ, ଆଉ ୧୦ ମୃତ, ମୃତ୍ୟୁ ସଂଖ୍ୟା ୫ଶହ ଛୁଇଁବ ଭୁବନେଶ୍ୱର : ଗତ ୨୫ତାରିଖଠାରୁ ରାଜ୍ୟରେ ଲଗାତାର ଭାବେ ସଂକ୍ରମଣ ୩ହଜାର ଟପିଥିଲା। ଏପରିକି ଦିନକୁ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ଛୁଇଁବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ୬ଦିନ ପରେ ସଂକ୍ରମଣରେ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୬୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ […]
କରୋନା ପ୍ରଭାବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial