କୋଭିଡ୍‌ ହସ୍ପିଟାଲରେ ଶଯ୍ୟା ସଂକଟ: ୨୪ ଘଣ୍ଟା ଷ୍ଟ୍ରେଚର୍‌ରେ ପଡ଼ି ରହିଲେ

୨୪ ଘଣ୍ଟା ଷ୍ଟ୍ରେଚର୍‌ରେ ପଡ଼ି ରହିଲେ

ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ବର: କୋଭିଡ୍‌ ହସ୍ପିଟାଲରେ ଏବେ ‌ଶଯ୍ୟା ସଂକଟ ଦେଖାଗଲାଣି। ରାଜଧାନୀର ୫ଟି ଯାକ କୋଭିଡ୍‌ ହସ୍ପିଟାଲରେ ୱାର୍ଡରୁ ଆରମ୍ଭ କରି ଆଇସିୟୁ, ଏଚ୍‌ଡିୟୁ ଓ ଭେଣ୍ଟିଲେଟର୍‌ ପର୍ଯ୍ୟନ୍ତ ସବୁଠି ରୋଗୀ ଭର୍ତ୍ତି ହୋଇଯାଇଛନ୍ତି। ଆଶ୍ଚର୍ଯ୍ୟର ବିଷୟ, କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ଭୁବନେଶ୍ବରର ଯେତିକି ଆକ୍ରାନ୍ତ ନାହାନ୍ତି, ତାହାଠାରୁ ଢେର୍ ଅଧିକ ଆକ୍ରାନ୍ତ ବାହାର ଜିଲ୍ଲାର। ୱାର୍ଡରୁ ଆରମ୍ଭ କରି ଆଇସିୟୁ, ଏଚ୍‌ଡିୟୁ ଓ ଭେଣ୍ଟିଲେଟର ପର୍ଯ୍ୟନ୍ତ ସବୁଠି ବାହାର ଜିଲ୍ଲାର ଆକ୍ରାନ୍ତ। ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ କୋଭିଡ୍‌ ହସ୍ପିଟାଲ ନିର୍ମାଣ ନକରିବା, ଯେତିକି ହସ୍ପିଟାଲ ଅଛି ସେଠାରେ ଆଇସିୟୁ, ଏଚ୍‌ଡିୟୁ ସୁବିଧା ନ ରଖିବା ରାଜଧାନୀବାସୀଙ୍କୁ ଭାରି ପଡ଼ିବାକୁ ଯାଉଛି। କାରଣ ରାଜଧାନୀର ଗୁରୁତର ଆକ୍ରାନ୍ତଙ୍କ ପାଇଁ ଶଯ୍ୟା ନାହିଁ। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ୫ଟି କୋଭିଡ୍‌ ହସ୍ପିଟାଲ ଯଥା ସମ୍‌, କିମ୍‌ସ, ହାଇଟେକ୍, ଆଦିତ୍ୟ-ଅଶ୍ବିନୀ, ନୀଳାଚଳ ସମେତ ୪ଟି କୋଭିଡ୍‌ କେୟାର ସେଣ୍ଟର୍‌ରେ ୨୭୬୭ଟି ଶଯ୍ୟା ଅଛି। ଏଥିରୁ ୧୮୮୩ଟିରେ ଏବେ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଆଶ୍ଚର୍ଯ୍ୟର ବିଷୟ, କୋଭିଡ୍‌ ହସ୍ପିଟାଲରେ ୯୮%ରୁ ଅଧିକ ୱାର୍ଡ ଶଯ୍ୟା ପୂରଣ କରାଯାଇଛି। କୋଭିଡ୍‌ କେୟାର ସେଣ୍ଟରରେ ଯାହା କିଛି ଶଯ୍ୟା ଅଛି। ସେହିପରି ୫ଟି ହସ୍ପିଟାଲରେ ୨୬୮ଟି ଆଇସିୟୁ ଶଯ୍ୟା ଥିବା ବେଳେ ସବୁଥିରେ ଆକ୍ରାନ୍ତ ଭର୍ତ୍ତି ହୋଇଯାଇଛନ୍ତି। ଏଥିରୁ ୮୧ଜଣ ବିଏମ୍‌ସି ଅଞ୍ଚଳର। ଏଚ୍‌ଡିୟୁରେ ୫୯ଟି ଶଯ୍ୟା ଥିବା ବେଳେ ସେଥିରୁ ଗୋଟିଏ ବି ଖାଲି ନାହିଁ। ୧୬୫ଟି ଭେଣ୍ଟିଲେଟର୍‌ ଥିବା ବେଳେ ୯୯ଟି‌ରେ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏଥିରୁ ମାତ୍ର ୨୫ଜଣ ବିଏମ୍‌ସି ଅଞ୍ଚଳର। ଆଇସିୟୁ ଓ ଏଚ୍‌ଡିୟୁ ପୂରା ଭର୍ତ୍ତି ହୋଇଯାଇଥିବାରୁ ଗୁରୁତର ଆକ୍ରାନ୍ତଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବା ସମସ୍ୟା ହୋଇପାରେ। ଏପରିକି କେତେକ କ୍ଷେତ୍ରରେ ଯଦି ଗୋଟିଏ ହସ୍ପିଟାଲରେ ଆଇସିୟୁ ନଥିବ ତେବେ ଆକ୍ରାନ୍ତଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବା ବେଳକୁ ତାଙ୍କ ଜୀବନ ଚାଲି ଯାଇପାରେ। ତେଣୁ ଏ ଦିଗରେ ବିଏମ୍‌ସିକୁ ଏବେଠାରୁ ଚିନ୍ତା କରିବାକୁ ପଡ଼ିବ। ନଚେତ‌ ଆଗକୁ ସ୍ଥିତି ସାଂଘାତିକ ରୂପ ନେଇପାରେ।

୨୪ ଘଣ୍ଟା ଷ୍ଟ୍ରେଚର୍‌ରେ ପଡ଼ି ରହିଲେ

କୋଭିଡ୍‌ ହସ୍ପିଟାଲରେ ଶଯ୍ୟା ମିଳୁ ନଥିବାରୁ ଏବେ ବହୁ କରୋନା ପଜିଟିଭ୍‌ ହନ୍ତସନ୍ତ ହେଉଛନ୍ତି। ଗତକାଲିଠାରୁ ଏମିତି ଜଣେ କରୋନା ଆକ୍ରାନ୍ତ ବୟସ୍କ ବ୍ୟକ୍ତି ଶଯ୍ୟାଭାବରୁ ପ୍ରାୟ ୨୪ ଘଣ୍ଟା ଷ୍ଟ୍ରେଚର୍‌ରେ ପଡ଼ି କଲବଲ ହେବା ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ଆଜି ସନ୍ଧ୍ୟାରେ ତାଙ୍କୁ ପଟିଆସ୍ଥିତ ଏକ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଛି। ସୂଚନାନୁସାରେ, ଢ଼େଙ୍କାନାଳ ବାସିନ୍ଦା ଏହି ୭୪ବର୍ଷୀୟ ବ୍ୟକ୍ତି ଚନ୍ଦ୍ରଶେଖରପୁର ବିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲ୍‌କୁ ହୃଦରୋଗ ସମସ୍ୟା ନେଇ ଆସିଥିଲେ। ହସ୍ପିଟାଲ ପକ୍ଷରୁ ତାଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତେଣୁ ତାଙ୍କୁ କୋଭିଡ୍‌ ହସ୍ପିଟାଲ ନେବାକୁ ଉକ୍ତ ଘରୋଇ ହସ୍ପିଟାଲ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଉକ୍ତ ବୟସ୍କ ବ୍ୟକ୍ତି ସେମିତି ଉକ୍ତ ହସ୍ପିଟାଲ ଷ୍ଟ୍ରେରର୍‌‌ରେ ଶୋଇ ରହିଥିଲେ ହେଁ ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ପହଞ୍ଚାଇବା ପାଇଁ କିଛି ବ୍ୟବସ୍ଥା କରାଯାଇନଥିଲା। ପରିବାର ଲୋକ ବାରମ୍ବାର ୧୦୪କୁ ଓ ବିଏମ୍‌ସି ଅଧିକାରୀମାନଙ୍କୁ ଫୋନ୍‌ କରିଥିଲେ। କିନ୍ତୁ କେହି ତାଙ୍କ କରୁଣ ପ୍ରାର୍ଥନା ଶୁଣିନଥିଲେ। ତେଣୁ ପ୍ରାୟ ୨୪ଘଣ୍ଟା ଧରି ପରିବାର ଲୋକେ ତାଙ୍କୁ ସେମିତି ଉକ୍ତ ଘରୋଇ ହସ୍ପିଟାଲର ଷ୍ଟ୍ରେଚର୍‌ରେ ପକାଇ ରଖିବାକୁ ବାଧ୍ୟ ହୋଇଥିଲେ। ତେବେ ଏହି ଘଟଣା ସୋସିଆଲ୍‌ ମିଡିଆରେ ଘୂରି ବୁଲିବା ପରେ ଆଜି ସନ୍ଧ୍ୟାରେ ତାଙ୍କୁ ଏକ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଲ୍ଲେଖଯୋଗ୍ୟ, ତିନି ଦିନ ପୂର୍ବେ ବଲାଙ୍ଗୀରରୁ ଆସିଥିବା ଜଣେ କରୋନା ରୋଗୀ ଭୁବନେଶ୍ବରରେ ବେଡ୍‌ ନ ପାଇ ୮ ଘଣ୍ଟାରୁ ଅଧିକ ସମୟ ଧରି ଆମ୍ବୁଲାନସ୍‌ରେ ବିତାଇଥିଲେ। ଶେଷରେ ପଟିଆସ୍ଥିତ କୋଭିଡ୍‌ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତି କରାଯାଇଥିଲେ ହେଁ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଚିକିତ୍ସାରେ ବିଳମ୍ବ ହେତୁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହେଲା ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Next Post

ଗଞ୍ଜାମ ଜିଲାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅକ୍ସିଜେନସ୍ତର ଯାଞ୍ଚ ଆରମ୍ଭ

Tue Sep 8 , 2020
ଛତ୍ରପୁର ବ୍ଲକରେ ବୁଲି ଯାଞ୍ଚ କରୁଛନ୍ତି ପ୍ରଶାସନିକ ଅଧିକାରୀ ଛତ୍ରପୁର: ଗଞ୍ଜାମ ଜିଲାରେ ପ୍ରତେକ ବ୍ୟକ୍ତିଙ୍କ ଅକ୍ସିଜେନସ୍ତର ଯାଞ୍ଚ ପାଇଁ ମଙ୍ଗଳବାର ଠାରୁ କ୍ୟାମ୍ପେନ ଆରମ୍ଭ ହୋଇଛି। ଜ଼ିଲାର ସମସ୍ତ ଘରକୁ ଟିମ୍‌ ଯାଇ ପରିବାରର ସମସ୍ତ ସଦସ୍ୟଙ୍କ ଅକ୍ସିଜେନ ସ୍ତର କ’ଣ ଅଛି ତାହା ଯାଞ୍ଚ କରୁଛନ୍ତି। ଏହା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାଦ୍ୱାରା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଶୀଘ୍ର ଚି଼ହ୍ନଟ ସହ ଠିକ୍‌ ସମୟରେ […]
ଗଞ୍ଜାମରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅକ୍ସିଜେନସ୍ତର ଯାଞ୍ଚ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial