ତଥ୍ୟ ଲୁଚାଉଛି କିଏ ? ରାଜଧାନୀର ୭୯ ରୋଗୀଙ୍କ ମିଳୁନି ସୂଚନା

ତଥ୍ୟ ଲୁଚାଉଛି କିଏ ?

ସୂଚନା ଓ ଲୋକସଂପର୍କ ବିଭାଗ, ଜିଲ୍ଲାପାଳ, ବିଏମ୍‌ସି ତଥ୍ୟ‌‌ରେ ତାଳମେଳ ନାହିଁ

ଭୁବନେଶ୍ୱର : କରୋନା ସଂକ୍ରମିତଙ୍କ ସୂଚନା ନେଇ ସୂଚନା ଓ ଲୋକସଂପର୍କ ବିଭାଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ବିଏମ୍‌ସିର ତଥ୍ୟରେ ତାଳମେଳ ରହୁନି। ପ୍ରତିଦିନ ଜିଲ୍ଲାରୁ ଯେତିକି ରୋଗୀ ଚିହ୍ନଟ ହେଉଛନ୍ତି, ସେ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଉଛି। ପରବର୍ତୀ ସମୟରେ ଜିଲ୍ଲା ପ୍ରଶାସନ ଓ ବିଏମ୍‌ସି ନିଜ ନିଜ ଅଞ୍ଚଳର ରୋଗୀଙ୍କ ତଥ୍ୟ ଦେଉଛନ୍ତି। ହେଲେ ଏହି ସଂଖ୍ୟାରେ ତାଳମେଳ ରହୁନି। ଲଗାତାର ୩ ଦିନର ତଥ୍ୟକୁ ଅନୁଶୀଳନ କଲେ ଏଭଳି ଦେଖିବାକୁ ମିଳିଛି। ଗତ ୨୪ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ୩୪୨ ରୋଗୀ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗତକାଲି ସକାଳେ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ତହିଁରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଟ୍ବିଟ୍‌ର ହ୍ୟାଣ୍ଡେଲରେ ୮ ତାରିଖ ଅର୍ଥାତ୍ ଗତ ୨୪ଘଣ୍ଟାରେ ବିଏମ୍‌ସି ଅଞ୍ଚଳ ବାଦ୍ ଜିଲ୍ଲାର ଅନ୍ୟ ଅଞ୍ଚଳ ଚିହ୍ନଟ ରୋଗୀଙ୍କ ତଥ୍ୟ ଦିଆଯାଇଛି। ଏଥିରେ ବାଣପୁର ୩୧, ବାଲୁଗାଁ ଓ ଟାଙ୍ଗୀ ୮ଜଣ ଲେଖାଏଁ, ଖୋର୍ଦ୍ଧା ୬, ବୋଲଗଡ଼ ୨୪, ଜଟଣୀ ୫, ମେଣ୍ଢାଶାଳ ୮, ବାଳକାଟି ୧, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୩ ଓ ବାଲିପାଟଣାର ୩ଜଣଙ୍କୁ ମିଶାଇ ମୋଟ ୯୭ଜଣ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ବିଏମ୍‌ସି ପକ୍ଷରୁ ଆଜି ରାଜଧାନୀରେ ୧୬୬ଜଣ ଚିହ୍ନଟ ହୋଇଥିବା କୁହାଯାଇଛି। ବିଏମ୍‌ସି ଓ ଜିଲ୍ଲାର ଅନ୍ୟ ଅଞ୍ଚଳର ସଂକ୍ରମିତଙ୍କୁ ମିଶାଇଲେ ୨୬୩ ରୋଗୀ ହେଉଛନ୍ତି। ମାତ୍ର ସମୁଦାୟ ଜିଲ୍ଲାରୁ ୩୪୨ଜଣ ଚିହ୍ନଟ ହୋଇଥିବା ବେଳେ ବଳକା ୭୯ରୋଗୀଙ୍କ ତଥ୍ୟ କୁଆଡ଼େ ଗଲା ତାହାକୁ ନେଇ ସନ୍ଦେହ ଦେଖା ଦେଇଛି। ସେହିପରି ୭ ତାରିଖ ତଥ୍ୟକୁ ଅନୁଶୀଳନ କଲେ, ଖୋର୍ଦ୍ଧା ଜିଲ୍ଲାର ୨୭୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ବିଏମ୍‌ସି ଅଞ୍ଚଳକୁ ବାଦ୍ ଦେଲେ ଜିଲ୍ଲାରୁ ସମୁଦାୟ ୬୭ଜଣ ରହିଛନ୍ତି। ଅର୍ଥାତ୍ ବଳକା ୨୦୭ଜଣ ବିଏମ୍‌ସି ଅଞ୍ଚଳରୁ ବୋଲି ଧରିବାକୁ ହେବ। ମାତ୍ର ବିଏମ୍‌ସି ପକ୍ଷରୁ ଗତକାଲି (୭ତାରିଖର ତଥ୍ୟ) ୧୯୦ଜଣ ଚିହ୍ନଟ ବୋଲି ଦର୍ଶାଇଛି। ତେଣୁ ୧୭ଜଣ ରୋଗୀଙ୍କ ତଥ୍ୟ କୁଆଡ଼େ ଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୬ ତାରିଖ ଦିନ ତଥ୍ୟରେ ମଧ୍ୟ ଏଭଳି ତାଳମେଳ ନଥିବା ଦେଖିବାକୁ ମିଳିଛି। ସେହିପରି ଖୋର୍ଦ୍ଧାରୁ ୨୯୮ ପଜିଟିଭ୍ ଚିହ୍ନଟ ହୋଇଥିଲେ। ବିଏମ୍‌ସି ଅଞ୍ଚଳ ବାଦ୍ ଜିଲ୍ଲାରୁ ୧୩୩ଜଣଙ୍କ ସଂପର୍କରେ ଜିଲ୍ଲା ପ୍ରଶାସନ ସୂଚନା ଦେଇଥିଲା। ତେଣୁ ବଳକା ୧୬୫ଜଣ କେବଳ ରାଜଧାନୀରୁ ଥିବା ଏଥିରୁ ସ୍ପଷ୍ଟ ହୋଇଥିଲା। ମାତ୍ର ବିଏମ୍‌ସି ପକ୍ଷରୁ ଭୁବନେଶ୍ବରରେ ୧୦୧ଜଣଙ୍କ ସଂପର୍କରେ ତଥ୍ୟ ଦିଆଯାଇଥିଲା। ୬୪ଜଣ ରୋଗୀଙ୍କ ତାଲିକାରୁ ଗାଏବ ହୋଇଯାଇଥିଲେ। ଏପରିକି ନୂଆସାହି ଅଞ୍ଚଳରୁ ଯେଉଁ ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦିଆଯାଇଥିଲା, ସେମାନଙ୍କୁ ୪୮ଘଣ୍ଟା ପୂର୍ବରୁ ହିଁ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରି ଦିଆଯାଇଥିଲା। ତେଣୁ ପ୍ରତିଦିନ ସୂଚନା ଲୋକସଂପର୍କ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ବିଏମ୍‌ସି ସଂକ୍ରମିତଙ୍କ ତଥ୍ୟରେ ଏଭଳି ଫରକ ରହିବା ପଛରେ କ’ଣ କାରଣ ରହିଛି, ତାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି। ରୋଗୀଙ୍କ ସଂଖ୍ୟା ଲୁଚାଇବାକୁ ଯାଇ ଏଭଳି କରାଯାଉଛି କି ବୋଲି ଲୋକମାନେ ପ୍ରଶ୍ନ କରିବାକୁ ଆରମ୍ଭ କଲେଣି। ଏପରିକି ଜିଲ୍ଲା ପ୍ରଶାସନ ଓ ବିଏମ୍‌ସର ଟ୍ବିଟର୍‌ ହ୍ୟାଣ୍ଡେଲ୍‌ରେ ମଧ୍ୟ ରୋଗୀଙ୍କ ସଂଖ୍ୟା ଗାଏବ୍‌ ହୋଇଯିବାକୁ ନେଇ ଲୋକମାନେ ପ୍ରଶ୍ନ କରୁଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Share Now:

Kalinga News Beuro

Next Post

ବିଶ୍ବର ପ୍ରଥମ କୋଭିଡ୍‌ ଟିକା କାମ କରିବା ନେଇ ସ୍ପଷ୍ଟ କଲା ରୁଷ

Mon Aug 10 , 2020
ମସ୍କୋ: ରୁଷିଆର ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ବିକଶିତ ଏକ ଟିକା ଆସନ୍ତା ୧୨ ତାରିଖରେ ବିଶ୍ବର ପ୍ରଥମ କୋଭିଡ୍‌ ଟିକା ଭାବେ ସାର୍ବଜନୀନ ବ୍ୟବହାର ପାଇଁ ଲୋକାର୍ପିତ ହେବ ବୋଲି ରୁଷିଆର ଉପସ୍ବାସ୍ଥ୍ୟମନ୍ତ୍ରୀ ଓଲେଗ ଗ୍ରିଦନେଭ ଶୁକ୍ରବାର ଘୋଷଣା କରିଛନ୍ତି। ଅପରପକ୍ଷେ, ଉକ୍ତ ଟିକାର ସମ୍ପୂର୍ଣ୍ଣ ତିନି ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିଛି ନା ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ […]
ବିଶ୍ବର ପ୍ରଥମ କୋଭିଡ୍‌ ଟିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial