୨୨ଶହ ଟଙ୍କାରେ କୋଭିଡ୍‌ ପରୀକ୍ଷା:ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର

ଶନିବାରୁ ପୁରୀରୁ ଆରମ୍ଭ ହେବ ସିରୋଲୋଜିକାଲ ସର୍ଭେ, ଜୁଲାଇ ୧ରୁ ୪ ସ୍ଥାନରେ ପରୀକ୍ଷା

ଭୁବନେଶ୍ବର : ଏଣିକି ଘରୋଇ ହସ୍ପିଟାଲରେ କୋଭିଡ୍‌ ପରୀକ୍ଷା କଲେ ରୋଗୀଙ୍କୁ ସର୍ବାଧିକ ୨୨ଶହ ଟଙ୍କା ଖର୍ଚ କରିବାକୁ ହେବ। ପୂର୍ବରୁ ଘରୋଇ ହସ୍ପିଟାଲରେ କୋଭିଡ୍‌ ପରୀକ୍ଷା ପାଇଁ ରୋଗୀଙ୍କୁ ଅଧିକ ଟଙ୍କା ଖର୍ଚ କରିବାକୁ ପଡ଼ୁଥିଲା। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଜି ଏଭଳି ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ରାଜ୍ୟରେ ଏବେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀଙ୍କୁ ଅନେକ ସମୟରେ ଚିକିତ୍ସା ପାଇଁ ମନା କରାଯାଉଥିବା ଅଭିଯୋଗ ହୋଇଥିଲା। ପରବର୍ତୀ ସମୟରେ ରାଜ୍ୟ ସରକାର ଘରୋଇ ହସ୍ପିଟାଲଗୁଡ଼ିକୁ ଜରୁରୀ ଅବସ୍ଥାରେ ଆସିଥିବା ରୋଗୀମାନଙ୍କୁ ସ୍ବତନ୍ତ୍ର ଆଇସୋଲେସନ୍‌ ୱାର୍ଡରେ ରଖି ଚିକିତ୍ସା କରିବା ପାଇଁ ତାଗିଦ୍ କରିଥିଲେ। ସନ୍ଦିଗ୍ଧଙ୍କ କୋଭିଡ୍‌ ପରୀକ୍ଷା ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅନ୍ୟତ୍ର ରେଫର କରିବା ନେଇ ବାରଣ କରିଥିଲେ। ତେଣୁ ଘରୋଇ ହସ୍ପିଟାଲରେ କୋଭିଡ୍‌ ପରୀକ୍ଷା କରୁଥିବା ରୋଗୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସାଢ଼େ ୪ହଜାର ଟଙ୍କା ଦେବାକୁ ପଡ଼ୁଥିଲା। ମାତ୍ର ଏବେ ରୋଗୀ ଅଧା ଟଙ୍କାରେ ନିଜର ପରୀକ୍ଷା କରିପାରିବେ। ଆଇସିଏମ୍‌ଆର ପକ୍ଷରୁ ରାଜ୍ୟରେ ସମୁଦାୟ ୨୧ଟି ଲ୍ୟାବ୍‌କୁ କୋଭିଡ୍‌ ପରୀକ୍ଷା ପାଇଁ ଅନୁମତି ମିଳିଥିବା ବେଳେ ତହିଁରେ ୫ଟି ଘରୋଇ ଲ୍ୟାବ୍ ରହିଛନ୍ତି। ଆପୋଲୋ ହସ୍ପିଟାଲ, ସମ୍ ହସ୍ପିଟାଲ ଓ ଡିଏନଏ ଲାଇଫ ସାଇନ୍ସ କିଟ୍‌ ଟିବିଆଇକୁ ଆର-ଟିପିସିଆର ପାଇଁ ଅନୁମତି ଥିବା ବେଳେ ଆମ୍ରି ହସ୍ପିଟାଲ ଓ କିମ୍‌ସରେ ସିବିନାଟ ମେସିନ୍‌ରେ ପରୀକ୍ଷା ପାଇଁ ଆଇସିଏମ୍‌ଆର ଅନୁମତି ଦେଇଛି। ପୂର୍ବରୁ କେନ୍ଦ୍ର ସରକାର ଘରୋଇ ଲ୍ୟାବ୍‌ରେ କୋଭିଡ୍‌ ପରୀକ୍ଷା ନେଇ ସର୍ବାଧିକ ସାଢ଼େ ୪ହଜାର ଟଙ୍କା ଧାର୍ଯ୍ୟ କରିଥିଲେ। ମାତ୍ର ବିଭିନ୍ନ ରାଜ୍ୟ ସରକାର ନିଜ ରାଜ୍ୟରେ ଏହି ଦରକୁ କମାଇ ଦେଇଥିଲେ। ଓଡ଼ିଶା ସରକାର ମଧ୍ୟ ଏଭଳି ନିଷ୍ପତ୍ତି ନେଇଛନ୍ତି।ଅପରପକ୍ଷରେ ଆସନ୍ତା ଶନିବାରଠାରୁ ପୁରୀରେ ସିରୋଲୋଜିକାଲ ସର୍ଭେ ଆରମ୍ଭ ହେବ। ପରବର୍ତୀ ସମୟରେ ଜୁଲାଇ ୧ତାରିଖରୁ ଗଞ୍ଜାମ, ଭୁବନେଶ୍ବର, ଗଜପତି ଓ ବଡ଼ମ୍ବା ନରସିଂହପୁରରେ ମଧ୍ୟ ଏହି ପରୀକ୍ଷା କରାଯିବ ବୋଲି ବିଭାଗ ନିଷ୍ପତ୍ତି ନେଇଛି। ତେବେ ଆଣ୍ଟିବଡି ପରୀକ୍ଷା ନେଇ ରାଜ୍ୟକୁ ଯଥେଷ୍ଟ କିଟ୍‌ ଆସିନାହିଁ। ଏଥିପାଇଁ ୫୦ ହଜାର କିଟ୍‌ ଯୋଗାଇ ଦେବାକୁ ଆଇସିଏମ୍‌ଆରକୁ ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି।

Share Now:

Kalinga News Beuro

Next Post

ରେକର୍ଡ କରୁଛି ରାଜଧାନୀ : ଦିନକରେ ୩୮, ସ୍ଥାନୀୟ ସଂକ୍ରମିତଙ୍କୁ ନେଇ ଚିନ୍ତା ବଢ଼ିଲା

Fri Jun 26 , 2020
ଭୁବନେଶ୍ବର : ରାଜଧାନୀରେ ଆଜି ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ଜଣ କେବଳ ରାଜଧାନୀର। ଚିନ୍ତାର ବିଷୟ ହେଲା, ସେମାନଙ୍କ ମଧ୍ୟରୁ ୧୩ ଜଣ ସ୍ଥାନୀୟ ସଂକ୍ରମିତ ଅର୍ଥାତ୍‌ ଏମାନେ କେଉଁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତଙ୍କ ହୋଇଛନ୍ତି। ଆଜିର ଏହି ୧୩ ଜଣଙ୍କୁ ମିଶାଇ ଗତ ୨୦ ଦିନ ଭିତରେ ରାଜଧାନୀରୁ ୭୨ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial