ମୁମ୍ବାଇ : ବଲିଉଡ୍ରେ ଡ୍ରଗ୍ସ କାରବାରର ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍ସିବି)କୁ ଦିନକୁ ଦିନ ନୂଆ ତଥ୍ୟ ମିଳିବାକୁ ଲାଗିଛି। ଏହି କାରବାରେ ଅନେକ ତାରକା ସଂପୃକ୍ତ ଥିବାର ବିସ୍ଫୋରକ ସୂଚନା ମିଳୁଥିବାରୁ ବଲିଉଡରେ କମ୍ପନ ସୃଷ୍ଟି ହୋଇଛି। ମିଳିଥିବା ନୂଆ ତଥ୍ୟକୁ ଆଧାର କରି ଏନ୍ସିବି ୪ ଜଣ ଅଭିନେତ୍ରୀଙ୍କୁ ପଚରାଉଚରା ଲାଗି ଗତକାଲି ସମନ ଜାରି କରିଛି। ଏଥିରେ ରହିଛନ୍ତି ବଲିଉଡ୍ ରାଣୀ କୁହାଯାଉଥିବା ଅଭିନେତ୍ରୀ ଦୀପିକା ପାଦୁକୋଣ, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର ଏବଂ ରକୁଲ୍ ପ୍ରୀତ୍ ସିଂହ। ସେହିଭଳି ଫ୍ୟାସନ ଡିଜାଇନର ସିମୋନ କମ୍ଭାଟ୍ଟାଙ୍କୁ ମଧ୍ୟ ଏନ୍ସିବି ସମନ କରିଛି। ସେପ୍ଟେମ୍ବର ୨୫ରେ ଦୀପିକା ପାଦୁକୋଣ ଏନ୍ସିବିରେ ହାଜର ହେବାକୁ ଏନ୍ସିବି ପକ୍ଷରୁ କୁହାଯାଇଛି। ସେହିଭଳି ରକୁଲ ପ୍ରୀତ୍ ଏବଂ କମ୍ଭାଟ୍ଟା ସେପ୍ଟେମ୍ବର ୨୪ରେ ଏବଂ ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍ ସେପ୍ଟେମ୍ବର ୨୬ରେ ଏନ୍ସିବିରେ ହାଜର ହେବାକୁ କୁହାଯାଇଛି। ଏହା ପୂର୍ବରୁ ଏନ୍ସିବି ଦୀପିକା ପାଦୁକୋଣଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ଏବଂ କାନ୍ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିର ସିଇଓ ଧ୍ରୁବ ଚିତ୍ଗୋପେକରଙ୍କୁ ସମନ କରିଥିଲା। ଦୀପିକା ପାଦୁକୋଣ ଏବଂ ତାଙ୍କ ମ୍ୟାନେଜର କରିସ୍ମାଙ୍କ ମଧ୍ୟରେ ଡ୍ରଗ୍ସ କାରବାର ନେଇ ହ୍ବାଟ୍ସ ଆପ୍ ଚାଟିଂକୁ କେନ୍ଦ୍ର କରି ଏନ୍ସିବି ତଦନ୍ତ ଆରମ୍ଭ କରିଥିଲା। କରିସ୍ମାଙ୍କ ଚାଟ୍ରେ ଜଣେ ‘ଡି’ ଏବଂ ଜଣେ ‘କେ’ ସମ୍ପର୍କରେ ଉଲ୍ଲେଖ ରହିଥିଲା। ତେବେ ଏହି ‘ଡି’ ଏବଂ ‘କେ’ କିଏ ଏନ୍ସିବି ତାହାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ମାମଲାର ତଦନ୍ତ କରିବା ଅବସରରେ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ, ସୁଶାନ୍ତଙ୍କ ଗୃହ ପରିଚାଳକ ସାମୁଏଲ୍ ମିରିଣ୍ଡା, ବ୍ୟକ୍ତିଗତ ସହାୟକ ଦୀପେଶ ସାୱନ୍ତଙ୍କୁ ଏନ୍ସିବି ଗିରଫ କରିଥିଲା। ଏନ୍ସିବି ରିୟା ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ସ ଲିଙ୍କ୍ ନେଇ ଜେରା କରିବା ପରେ ବଲିଉଡ୍ରେ ଡ୍ରଗ୍ସ କାରବାର ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିଲା।
ବଲିଉଡ୍ରେ ଡ୍ରଗ୍ସ : ଦୀପିକା, ସାରା,ଶ୍ରଦ୍ଧାଙ୍କୁ ସମନ

Share Now: