ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ

ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ

ଉପକୃତ ହେବେ ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଏଣିକି ସରକାରୀ ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲକୁ ବ୍ୟବହାର କରିବା ଦରକାର ପଡିବ ନାହିଁ। ମାତ୍ର ଗୋଟିଏ ପୋର୍ଟାଲ www.scholarship.odisha.gov.inରେ କ୍ଲିକ୍‌ କଲେ ପିଲାମାନେ ସେମାନଙ୍କ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ଏହାଦ୍ଵାରା ରାଜ୍ୟର ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ୬ଟି ବିଭାଗ ପକ୍ଷରୁ ୨୧ଟି ଛାତ୍ରବୃତ୍ତି ଦିଆଯାଇଥାଏ। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ପାଇଁ ବୈଷୟିକ ବିଦ୍ୟାର ବ୍ୟାପକ ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୈଷୟିକ ବିଦ୍ୟାର ପ୍ରୟୋଗ ଦ୍ଵାରା ହିଁ ଆମେ ସାଧାରଣ ଲୋକଙ୍କୁ ଦକ୍ଷତା ଓ ସ୍ୱଚ୍ଛତାର ସହ ଠିକ୍‌ ସମୟରେ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦେଇପାରିବା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ୨୦ରୁ ଅଧିକ ବୃତ୍ତି ପ୍ରଦାନ କରାଯାଉଛି। ଏହି ଏକକ ପୋର୍ଟାଲ ଦ୍ଵାରା ବୃତ୍ତି ପ୍ରଦାନ କରୁଥିବା ସରକାରୀ ବିଭାଗ ଓ ଆଶାୟୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦୂରତ୍ୱ କମିପାରିବ। ସେମାନେ ସୁବିଧାରେ ଘରେ ବସି ଆବେଦନ କରିବା ସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ବୃତ୍ତି ପାଇପାରିବେ। ଅନୁସୂଚିତ ଜନଜାତି, ଜାତି, ଅନ୍ୟ ପଛୁଆବର୍ଗ, ସାମାଜିକ ଓ ଶିକ୍ଷାଗତଭାବେ ପଛୁଆବର୍ଗ ଆଦି ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ବୃତ୍ତିର ସୁବିଧା ପାଇବାରେ ସର୍ବାଗ୍ରେ ରହୁଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। ଦୁର୍ବଳଶ୍ରଣୀର ପିଲାମାନଙ୍କ ଶିକ୍ଷା ସୁବିଧା ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଆସିଛି। ଏହି ଏକକ ପୋର୍ଟାଲ ଦ୍ଵାରା ସେମାନେ ବିଶେଷ ଭାବରେ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ ଯେ ରାଜ୍ୟର ଅନୁସୂଚିତ ଜନଜାତି ଓ ଜାତି ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶ୍ରମ ଓ ଇ.ଏସ୍‌.ଆଇ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କୃଷି ବିଭାଗର ସମସ୍ତ ବୃତ୍ତି କାର୍ଯ୍ୟକ୍ରମ ଏହି ଗୋଟିଏ ପୋର୍ଟାଲରେ ପରିଚାଳିତ ହେବ। ରାଜ୍ୟ ଟ୍ରେଜେରୀ ସହିତ ଏହି ପୋର୍ଟାଲ ଲିଙ୍କ୍‌ ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବୃତ୍ତି ରାଶି ସିଧାସଳଖ ଜମା ହୋଇପାରିବ। ସେହିପରି ସୁମଙ୍ଗଲ ପୋର୍ଟାଲ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆନ୍ତଃ-ଜାତି ବିବାହ ଦ୍ଵାରା ସାମାଜିକ ଏକତା ବଢିବା ସହିତ ଏହା ଜାତିଗତ ବାଛବିଚାର ହ୍ରାସ କରେ ଏବଂ ସମାଜରେ ସମାନତା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବୃଦ୍ଧି କରେ। ସୁମଙ୍ଗଳ ପୋର୍ଟାଲ ଏହି ଦିଗରେ ବହୁ ପରିମାଣରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସୁମଙ୍ଗଳ ପୋର୍ଟାଲ www.scholarship.odisha.gov.inରେ ଆବେଦନ କଲେ ଆନ୍ତଃ-ଜାତି ବିବାହ କରିଥିବା ଯୋଗ୍ୟ ହିତାଧିକାରୀମାନେ ୬୦ ଦିନ ମଧ୍ୟରେ ପ୍ରୋତ୍ସାହନ ରାଶି ଆକାରରେ ଅଢେଇ ଲକ୍ଷ ଟଙ୍କା ପାଇପାରିବେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅନୁସୂଚିତ ଜନଜାତି ଓ ଜାତି ବିକାଶ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଲେ ଯେ କେବଳ ଅନୁସୁଚିତ ଜନଜାତି ଓ ଜାତି ବିକାଶ ବିଭାଗ ଅଧିନରେ ୬ ଲକ୍ଷ ଛାତ୍ରଛାତ୍ରୀ ଏହି ବୃତ୍ତିର ସୁବିଧା ପାଉଛନ୍ତି। ୫-ଟି କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ପରିବର୍ତ୍ତନର ସୁଯୋଗ ଆଣିବାରେ ଓଡିଶା ଆଜି ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ପ୍ରକାଶ କରି ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଜାତି ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀମତି ରଞ୍ଜନା ଚୋପ୍ରା ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍‌. ବାଲକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ସଂପୃକ୍ତ ବିଭାଗର କ୍ଷେତ୍ର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।

Share Now:

Kalinga News Beuro

Next Post

ଅନଲକ୍ ୫.୦ ନିୟମାବଳୀ ନଭେମ୍ବର ମାସରେ ବି ଲାଗୁ ରହିବ : ଗୃହ ମନ୍ତ୍ରାଳୟ

Tue Oct 27 , 2020
ନୂଆଦିଲ୍ଲୀ : ଚଳିତ ଅକ୍ଟୋବର ମାସ ପାଇଁ ଲାଗୁ ହୋଇଥିବା ଅନଲକ ୫.୦ ନିୟମାବଳୀ ନଭେମ୍ବର ମାସ ପାଇଁ ମଧ୍ୟ ଲାଗୁ ହେବ। ଏ ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରି କୁହାଯାଇଛି ଯେ ଅନଲକ ୫.୦ର ନିୟମାବଳୀ ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ରହିବ। ଏହା ସହିତ ଚଳିତ ପାର୍ବଣ ଋତୁରେ […]
କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସଙ୍କଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial