କୁଆଡ଼େ ଗଲା ୪୦୦ ‘ମୋ ବସ‌’ ? ୨୦୨୦ ସୁଦ୍ଧା ଚାଲିବାର ଥିଲା ୬୦୦ ବସ୍‌, ଗଡ଼ୁଛି ୨୦୦

‘ମୋ ବସ୍‌’

୨୦୨୫ ସୁଦ୍ଧା ୧୨୦୦ ବସ‌ ଚାଲିବାନେଇ ଅନିଶ୍ଚିତତା

ଭୁବନେଶ୍ୱର : ନଭେମ୍ବର ୬, ୨୦୧୮ରେ ଭୁବନେଶ୍ବରରେ ଆରମ୍ଭ ହୋଇଥିଲା ‘ମୋ ବସ‌’ ସେବା। ପୂର୍ବରୁ ରାଜଧାନୀରେ ସିଟି ବସ‌ ଚାଲୁଥିଲେ ହେଁ ଏହାକୁ ନୂଆ ରୂପରେ ଅଣାଯାଇଥିଲା। ନୂଆ ବସ୍‌ କିଣି ନୂଆ ରୁଟ୍‌ରେ ଚଲାଯାଇଥିଲା। ‘ମୋ ବସ‌’ ଯେପରି ଭୁବନେଶ୍ବର ସମେତ ପୁରୀ, କଟକ, ଖୋର୍ଦ୍ଧାର ଗମନାଗମନ ବ୍ୟବସ୍ଥାକୁ ବଦଳାଇ ଦେବ ସେନେଇ ଏକ ଲମ୍ବା ଚଉଡ଼ା ମାଷ୍ଟରପ୍ଲାନ୍‌ ବି ପ୍ରସ୍ତୁତ ହୋଇଥିଲା। ବିଡିଏ, ସିଡିଏ ଓ ପିକେଡିଏ ଅଞ୍ଚଳକୁ ନେଇ ଏହି ଯୋଜନା ହୋଇଥିଲା। ଏହି ସବୁ ଅଞ୍ଚଳରେ ପ୍ରତି ଗଳି କନ୍ଦିରେ ଯେପରି ମୋ ବସ‌ ଚାଲିବ, ପ୍ରତି ଛକରେ ପ୍ରତି ୫ରୁ ୧୦ମିନିଟରେ ବସ‌ ପହଞ୍ଚିବ ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ୨୦୨୦ ସୁଦ୍ଧା ଏହି ଅଞ୍ଚଳରେ ୬୦୦ ମୋ ବସ୍‌ ଚାଲିବାକୁ ଥିବାବେଳେ ୨୦୨୫ ସୁଦ୍ଧା ୧୨୦୦ଟି ବସ୍‌ ଚଲାଇବାକୁ ଯୋଜନା ହୋଇଥିଲା। କିନ୍ତୁ ଏହା କେବଳ ଯୋଜନାରେ ଅଟକି ଯାଇଛି। ୨୦୨୦ ସୁଦ୍ଧା ଯେଉଁ ଅଞ୍ଚଳରେ ୬୦୦ ବସ‌ ଚାଲିବାକୁ ଥିଲା ସେଠାରେ ଏବେ ୨୦୦ ବସ୍‌ ଚାଲୁଛି। ଏଥିରେ ପୁରୀକୁ ୨ଟି, କୋଣାର୍କକୁ ଦୁଇଟି ବସ‌ ଚାଲୁଛି। ଖୋର୍ଦ୍ଧା ଓ କଟକକୁ ମୋ ବସ‌ ଚାଲୁଥିଲେ ହେଁ ଏହା ଏପର୍ଯ୍ୟନ୍ତ ଯୋଜନା ଅନୁଯାୟୀ କାର୍ଯ୍ୟକାରୀ ହୋଇପାରିନି। ଟାର୍ଗେଟ୍‌ ସମୟ ଭିତରେ ନୂଆ ୪୦୦ ବସ‌ ଆସିପାରିଲାନି। ଏପରିକି ବସ‌ ଆସିଲେ କିପରି କେଉଁ ରୁଟ୍‌ରେ ଚାଲିବ ସେନେଇ ବି କିଛି ଯୋଜନା ହୋଇନି। ସେଥିରେ ଆଉ ୪ବର୍ଷରେ କିପରି ହଜାରେ ନୂଆ ବସ‌ ଚଲାଇବେ, କେଉଁ ରୁଟ‌ରେ ଚାଲିବ ସେନେଇ କିଛି ବି ଯୋଜନା ନାହିଁ।
ରାଜଧାନୀରେ ବି ପ୍ରତି ୫ମିନିଟରେ ବସ୍‌ ଆସୁନି
ରାଜଧାନୀରେ ‘ମୋ ବସ‌’ ସେବାକୁ ୨ବର୍ଷ ପୂରିବାକୁ ଯାଉଛି। ହେଲେ କରୋନା ପୂର୍ବରୁ ଦୈନିକ ବସ‌ ଯାତ୍ରୀଙ୍କ ସଂଖ୍ୟା ୧ଲକ୍ଷ ଟପିଥିଲେ ବି ଏହା ରାଜଧାନୀବାସୀଙ୍କ ଚାହିଦା ଅନୁଯାୟୀ ପର୍ଯ୍ୟାପ୍ତ ନଥିଲା। କାରଣ ରାଜଧାନୀର ପ୍ରମୁଖ ରାସ୍ତାକୁ ଛାଡ଼ିଦେଲେ ଭିତର ରାସ୍ତାକୁ ବସ‌ ପଶିପାରିଲାନି। ଏପରିକି ଲକ୍ଷ୍ମୀସାଗର, ଝାରପଡ଼ା, କେସୁରା, ଜଗନ୍ନାଥନଗର, ଜିଜିପ କଲୋନି ଆଦି ଅଞ୍ଚଳରେ ଲାଇନ୍‌ ଅଟୋ ସେବା ନଥିବାବେଳେ ଲୋକମାନେ ‘ମୋ ବସ‌’ ସେବା ପାଉନାହାନ୍ତି। ଏହି ଅଞ୍ଚଳରେ ମିନି ବସ‌ ଚଳାଚଳ ପାଇଁ ପ୍ରଶସ୍ତ ରାସ୍ତା ଥିଲେ ବି କ୍ରୁଟ୍‌ କର୍ତ୍ତୃପକ୍ଷ ଏଥିରେ ସଫଳ ହୋଇନାହାନ୍ତି। କେବଳ ଏହି ଅଞ୍ଚଳ ନୁହେଁ, ନୀଳାଦ୍ରିବିହାର, ଶୈଳଶ୍ରୀ ବିହାରର ବିଭିନ୍ନ ଅଞ୍ଚଳ, କଳିଙ୍ଗନଗରର ବିଭିନ୍ନ ଅଞ୍ଚଳ, ଭରତପୁର ଆଦିକୁ ‘ମୋ ବସ‌’ ଗଲାନି। ଫଳରେ ଏଠାକାର ଲୋକମାନେ ମୋ ବସ‌ ସେବା ପାଉନାହାନ୍ତି। କେବଳ ଏତିକି ନୁହେଁ, ପ୍ରତି ୫ରୁ ୧୦ମିନିଟରେ ସବୁ ରୁଟ୍‌ରେ ମୋ ବସ‌ ଚଳାଇବାକୁ ଯୋଜନା ହୋଇଥିଲେ ଏ ପର୍ଯ୍ୟନ୍ତ କୌଣସି ଗୋଟିଏ ବି ରୁଟ‌ରେ ଏତିକି ସମୟ ବ୍ୟବଧାନରେ ବସ୍‌ ଚଳାଚଳ କରୁନି। ଅଧିକ ବସ‌ ଅଧିକ ରୁଟ‌ରେ ଚାଲିଲେ ହିଁ ଏହା ସମ୍ଭବ ହେବ।
୮୩ ସିଟି ବସ‌ ଖତ ଖାଉଛି
ପୋଖରୀପୁଟସ୍ଥିତ ଡିପୋ ସମେତ ରାଜଧାନୀର କିଛି ସ୍ଥାନରେ ଶତାଧିକ ସିଟି ବସ‌ ଖତ ଖାଉଛି। ଏଥିରୁ ୧୦୦ଟି ବସ‌କୁ ହକି ବିଶ୍ବକପ୍‌-୨୦୧୮ ସମୟରେ ଚଲାଇବାର ଯୋଜନା ଥିଲା। ୨୦୦ଟି ନୂଆ ବସ‌ ଓ ୧୦୦ଟି ପୁରୁଣା ବସ‌ ଚାଲିଥାନ୍ତା। କିନ୍ତୁ ସେତେବେଳେ ପୁରୁଣା ବସ‌କୁ ଚଲାଇବା ଯୋଜନା ସଫଳ ହେଲାନି। ବସ‌ଗୁଡ଼ିକର ବିଭିନ୍ନ ଯନ୍ତ୍ରାଂଶ ଖତ ଖାଇଲା। ଏହାପରେ ଏବେ କ୍ରୁଟ୍‌ ୮୩ଟି ବସ‌କୁ ମରାମତି କରି ଚଲାଇବା ପାଇଁ ପ୍ରସ୍ତୁତ କରିଛି। କିନ୍ତୁ କରୋନା ଯୋଗୁଁ ଅଧିକ ବସ‌ ଚାଲୁନଥିବାରୁ ଏହି ୮୩ଟି ବସ‌ ଚଲାଯାଇପାରୁନି। ଏନେଇ କ୍ରୁଟ୍‌ ଏମ୍‌ଡି ଅରୁଣା ବୋଥ୍ରା କହିଛନ୍ତି ଯେ, ପୁରୁଣା ବସ‌ର ମରାମତି ସରିଛି। ଏହାର ଷ୍ଟିକରିଂ ଏବଂ ଅନ୍ୟାନ୍ୟ କାମ ଚାଲିଛି। ଖୁବ୍‌ ଶୀଘ୍ର ୮୩ଟି ପୁରୁଣା ବସ‌ ଚାଲିବ।
ଜୁନ୍‌, ୨୦୨୧ ସୁଦ୍ଧା ଆଉ୧୮୩ ବସ‌ ଚାଲିବ
ଏବେ ୨୦୦ଟି ‘ମୋ ବସ‌’ ଚାଲୁଥିଲେ ହେଁ ଆସନ୍ତାବର୍ଷ ଜୁନ୍‌ ମାସ ସୁଦ୍ଧା ଭୁବନେଶ୍ବର-ପୁରୀ-କଟକ-ଖୋ‌ର୍ଦ୍ଧାରେ ଆଉ ୧୮୩ଟି ବସ୍‌ ଚାଲିବ। ବର୍ତ୍ତମାନ ଯେଉଁଭଳି ବସ‌ ଚାଲୁଛି ସେହିଭଳି ୫୦ଟି ବସ‌, ୫୦ଟି ଇଲେକ୍ଟ୍ରିକ୍‌ ବସ‌ ଓ ୮୩ଟି ପୁରୁଣା ସିଟି ବସ‌ ଚାଲିବ। ୫୦ଟି ଇଲେକ୍ଟ୍ରିକ୍‌ ବସ‌ ‌ନେଇ କେନ୍ଦ୍ର ଅନୁମୋଦନ ଦେଇଛି। ଜାନୁଆରି ସୁଦ୍ଧା ଭୁବନେଶ୍ବରକୁ ୫୦ଟି ଇଲେକ୍ଟ୍ରିକ୍‌ ବସ‌ ଆସିଯିବ ବୋଲି ଶ୍ରୀ ବୋଥ୍ରା କହିଛନ୍ତି।
ବସ‌ ଆସିଲେ ବି ରଖିବାକୁ ଜାଗା ନାହିଁ
୨୦୩୦ର ବର୍ଦ୍ଧିତ ଜନସଂଖ୍ୟାକୁ ନଜରରେ ରଖି ମୋ ବସ‌ ନେଇ ଯୋଜନା ହୋଇଥିଲା। ତତ୍କାଳୀନ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କିପରି କେଉଁ ରୁଟ୍‌ରେ ବସ‌ ଚାଲିବ, କେଉଁଠି ବସ‌ ଡିପୋ ହେବ, ଏଥିପାଇଁ କିଏ ଜମି ଦେବେ ସେନେଇ ନିଷ୍ପତ୍ତି ହୋଇଥିଲା। ସମ୍ପ୍ରସାରିତ ଗମନାଗମନ ବ୍ୟବସ୍ଥା ପାଇଁ ଇଡ୍‌କୋ, ରାଜସ୍ବ ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ ବିଭିନ୍ନ ସ୍ଥାନରେ ତୁରନ୍ତ ଜମି ଯୋଗାଇ ଦେବାକୁ କୁହାଯାଇଥିଲା। ଏଥିରେ ତିନିଟି ଜିଲ୍ଲାରେ ୧୯ଟି ସ୍ଥାନରେ ୫ଏକର ଲେଖାଏଁ ଜମି ଯୋଗାଇ ଦେବାକୁ କୁହାଯାଇଥିଲା। ବସ‌ ଡିପୋ ପାଇଁ ସାଧାରଣ ପ୍ରଶାସନ ବିଭାଗ ଗାଡ଼କଣ, ଘାଟିକିଆ/କଳିଙ୍ଗନଗର, ପଟିଆ, ପାତ୍ରପଡ଼ା ଏବଂ ଭଗବାନପୁର, ପାଣ୍ତରା, ଫୁଲନଖରାରେ ୫ଏକର ଲେଖାଏଁ ଜମି ଯୋଗାଇଥାନ୍ତେ। ପଟିଆରେ ୫ ଏକର, ପାତ୍ରପଡ଼ା ଏବଂ ଭଗବାନପୁରରେ ଅତିରିକ୍ତ ୨ଏକର ଲେଖାଏଁ ଜମି ଯୋଗାଇବାକୁ ସାଧାରଣ ପ୍ରଶାସନ ବିଭାଗକୁ କୁହାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଜମି ମିଳିଲାନି।
ସେହିପରି ଇଡ୍‌କୋ ଇନ୍‌ଫୋସିଟି, ଇନ୍‌ଫୋ ଭ୍ୟାଲି, ରାମଦାସପୁର/ଭଗବାନପୁର ଅଞ୍ଚଳରେ ୫ଏକର ଲେଖାଏଁ ଜମି ଯୋଗାଇଥାନ୍ତା। ଏହା ବି ମିଳିନି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦାସପୁର, ସିଜୁଆ ଏବଂ ଅନ୍ୟ ତିନିଟି ଉପଯୁକ୍ତ ସ୍ଥାନରେ ୫ଏକର ଲେଖାଏଁ ଜମି ଦେଇଥାନ୍ତା। ଏବେ ସୁଦ୍ଧା ମିଳିନି। କଟକ ଜିଲ୍ଲା ପ୍ରଶାସନ ନାରାୟଣପୁର, ଗୋପାଳପୁର ଏବଂ ଜଗତପୁରରେ ୫ଏକର ଲେଖାଏଁ ଜମି, ପୁରୀ ଜିଲ୍ଲା ପ୍ରଶାସନ ମାଳତିପାଟପୁର ଏବଂ କୋଣାର୍କ ନିକଟରେ ୫ଏକର ଜମି ଯୋଗାଇବ ବୋଲି ନିଷ୍ପତ୍ତି ହୋଇଥିଲା। ଜିଏ, ଇଡ୍‌କୋ, ରାଜସ୍ବ ବିଭାଗ ସମସ୍ତ ଜମି ନଗର ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିଥାନ୍ତେ। ଏଠାରେ ବସ‌ ଡିପୋ ନିର୍ମାଣ ହୋଇଥାନ୍ତା। ଫଳରେ ୧୨୦୦ ବସ୍‌ ଆସିଲେ ଏହାକୁ ରଖିବା ଓ ଚଳାଇବାରେ କିଛି ସମସ୍ୟା ହେବନି ବୋଲି ‌ଯୋଜନା ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ବସ‌ ଆସିଲାନି କି ଜମି ବି ମିଳିଲାନି।

Share Now:

Kalinga News Beuro

Next Post

ବିଚ‌ ରାସ୍ତାରେ ବ୍ଲେଡ଼୍‌ରେ ହାତ କାଟିଲେ ବିଧବା ଯୁବତୀ

Fri Oct 30 , 2020
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବସ୍‌ଷ୍ଟାଣ୍ଡ୍ ମୁଖ୍ୟରାସ୍ତା ଉପରେ ଜଣେ ବିଧବା ଯୁବତୀ ଆଜି ଧାରୁଆ ବ୍ଲେଡ଼୍‌ରେ ନିଜ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁରୁତର ଆହତ ମହିଳା ଜଣକ ହେଉଛନ୍ତି, କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ନନ୍ଦିନୀ ଗ୍ରାମର ଲକ୍ଷ୍ମୀଧର ପରିଚ୍ଛାଙ୍କ ଝିଅ ଦୁଃଖୀ ବେହେରା (୨୨)। ଦୁଃଖୀଙ୍କୁ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ […]
ବିଚ୍‌ ରାସ୍ତାରେ ବ୍ଲେଡ଼୍‌ରେ ହାତ କାଟିଲେ ବିଧବା ଯୁବତୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial