ପୂଜାରେ ବାଧା ସୃଷ୍ଟିକରିବ ରାଜଧାନୀର ବିପର୍ଯ୍ୟସ୍ତ ରାସ୍ତା

କନ୍ଦେଇବ ରାଜଧାନୀ ରାସ୍ତା-1

ଭୁବନେଶ୍ବର: ଆଉ ମାତ୍ର ଦିନ କେଇଟା ପରେ ମା’ ଜଗଦ୍ଧାତ୍ରୀ ଧରାବତରଣ କରିବେ। ୨ବର୍ଷ ପରେ ରାଜଧାନୀ​ରେ ପୂଜା ହେଉଥିବାରୁ ପୂଜା କମିଟିଗୁଡ଼ିକ ଏଥର ହାତ ଖୋଲା ଖର୍ଚ୍ଚ କରୁଛନ୍ତି। ମା’ଙ୍କ ମୃଣ୍ମୟ ମୂର୍ତ୍ତି, ମା’ଙ୍କୁ ସୁନାରୁପା ଅଳଙ୍କାରରେ ସଜାଇବାଠାରୁ ଆରମ୍ଭ କରି କୋଟି କୋଟି ଟଙ୍କାରେ ଆକର୍ଷଣୀୟ ତୋରଣ କରାଯାଉଛି। ଏଥର ପୂଜା ମଣ୍ଡପଗୁଡ଼ିକରେ ଅଧିକ ଭିଡ଼ ହେବାର ସମ୍ଭାବନା ଥିବାରୁ ପୁଲିସ୍‌ଠାରୁ ଆରମ୍ଭ କରି ପ୍ରଶାସନ ନିଜନିଜ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ଲୋକଙ୍କ ଏ ଉତ୍ସାହରେ ରାଜଧାନୀର ବିପର୍ଯ୍ୟସ୍ତ ରାସ୍ତା ବାଧା ସୃଷ୍ଟି କରିବ ବୋଲି ଏବେଠୁ ଜଳଜଳ ଦିଶିଲାଣି। ଗଳିକନ୍ଦିଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତାରେ ବଡ଼ ବଡ଼ ଖାଲଖମା। କେଉଁଠି ଗୋଡ଼ି, ଚିପ୍ସ୍‌ ଉଠି ଯାଇଛି ତ କେଉଁଠି ରାସ୍ତାରେ ଆଣ୍ଠୁଏ ଗଭୀରର ଖାଲ। କିନ୍ତୁ ଏହାକୁ ମରାମତି କରାଯାଉନାହିଁ। ଫଳରେ ପୂଜା ସମୟରେ ଏହା ଉଭୟ ଲୋକ ଓ ପୁଲିସ୍‌ ପ୍ରଶାସନକୁ ନାକରେ କନ୍ଦାଇବ ବୋଲି ବୁଦ୍ଧିଜୀବୀମହଲରେ ଅଭିଯୋଗ ହୋଇଛି। ଏଥିଯୋଗୁଁ ଟ୍ରାଫିକ୍‌ ସମସ୍ୟା ଦେଖାଦେବା ସହ ଲୋକେ ଦୁର୍ଘଟଣାର ଶିକାର ହେବେ।

ସୂଚନାଯୋଗ୍ୟ, ଲୋକଙ୍କୁ ହାତପାଆନ୍ତାରେ ବିଭିନ୍ନ ସେବା ଯୋଗାଇଦେବା ପାଇଁ ବିଏମ୍‌ସି, ବିଏସ୍‌ସିଏଲ୍‌, ଓଡ଼ିଶା ପାୱାର ଟ୍ରାନ୍ସମିସନ୍‌ କୋ-ଅପରେସନ(ଓପିଟିସିଏଲ୍‌), ୱାଟର୍‌ କୋ-ଅପରେସନ ଅଫ୍‌ ଓଡ଼ିଶା(ୱାଟ୍‌କୋ), ପୂର୍ତ୍ତ ବିଭାଗ ପକ୍ଷରୁ ରାଜଧାନୀରେ ବିଭିନ୍ନ ସ୍ଥାନରେ ରାସ୍ତା ଖୋଳା ଯାଇଛି। କିନ୍ତୁ ମନ୍ଥର ଗତିରେ କାମ ଯୋଗୁଁ ତାହା ସରି ପାରୁନାହିଁ। ପୂଜା ବେଳେ ଏହା ମଧ୍ୟ ବଡ଼ ବାଧକ ସାଜିବ ବୋଲି ଅଭିଯୋଗ ହେଉଛି। ରାସ୍ତାଘାଟର ଏ ଅବସ୍ଥାକୁ ନେଇ କିଛି ଦିନ ତଳେ ପ୍ରଶାସନ ଓ ଦୁର୍ଗାପୂଜା କମିଟିଗୁଡ଼ିକ ମଧ୍ୟରେ ହୋଇଥିବା ସମନ୍ବୟ ବୈଠକରେ ଘୋର୍‌ ଉଦ୍‌ବେଗ ପ୍ରକାଶ ପାଇଥିଲା। ପୂଜା କମିଟି ସଦସ୍ୟମାନେ ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ପୂଜା ମଣ୍ଡପ ନିକଟ ଓ ରାଜଧାନୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ମରାମତି କରିବାକୁ ଦାବି କରିଥିଲେ। ବୈଠକରେ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଶୀଘ୍ର ମରାମତି ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ପୂଜାକୁ ଆଉ ହାତଗଣତି କେଇଟା ଦିନ ବାକି ଥିବା ବେଳେ ଏପର୍ଯ୍ୟନ୍ତ ରାସ୍ତା କାମ ହୋଇପାରିନାହିଁ।

Share Now:

Kalinga News Beuro

Next Post

ପାର୍ବଣରେ ଦାଦାବଟି ଆଦାୟ ହେଉଥିବା ଜାଣିଲେ ତୁରନ୍ତ ପୁଲିସକୁ ଜଣାନ୍ତୁ: କମିସନରେଟ ପୁଲିସ

Wed Sep 21 , 2022
ଭୁବନେଶ୍ବର: ଚାନ୍ଦା ଓ ଦାଦାବଟିକୁ ନାଁ। ଭୁବନେଶ୍ଵରରେ କମିସନରେଟ ପୁଲିସ ପକ୍ଷରୁ ପୂର୍ବରୁ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ ହୋଇଥିଲା ବେଳେ ଆଜି ବରମୁଣ୍ଡା ବସଷ୍ଟାଣ୍ଡରେ ବିଭିନ୍ନ ବସ୍ ମାଲିକ ସଂଘ ସହ କମିସନରେଟ ପୁଲିସର ଏକ ବୈଠକ ହୋଇଛି। ଆଗକୁ ଆସୁଛି ପାର୍ବଣ ରୁତୁ। ଏହି ସମୟରେ ମା’ଙ୍କ ପୂଜା ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ରାଜଧାନୀକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ଯାତ୍ରୀ ବଢ଼ିବା ସହ ଜୋର […]
ଚାନ୍ଦା ଓ ଦାଦାବଟିକୁ ନାଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial