ଫକୀରମୋହନଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ଅଙ୍କୁଶ

ଫକୀରମୋହନ

କଟକ : ଓଡ଼ିଆ କଥାସାହିତ୍ୟର ଜନକ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅପ୍ରକାଶିତ ହାତଲେଖା ପ୍ରକାଶ ପ୍ରସଙ୍ଗରେ କଟକ ବରିଷ୍ଠ ସିଭିଲ ଜଜ୍ (କମର୍ସିଆଲ୍ କୋର୍ଟ) ଅଦାଲତ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଫକୀରମୋହନଙ୍କ ଆତ୍ମଜୀବନୀ ‘ମୋ ଜୀବନୀ’ ପ୍ରକାଶନ ଉପରେ ଅଦାଲତ ଅଙ୍କୁଶ ଜାରି କରିଛନ୍ତି। ଫକୀରମୋହନଙ୍କ ଅଣନାତୁଣୀ ମୀନାକ୍ଷୀ ଦତ୍ତଙ୍କୁ ଏକ ମାସ ଭିତରେ ପାଣ୍ଡୁଲିପି ଫେରାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଫକୀରମୋହନଙ୍କ ଅଣନାତୁଣୀ ଡକ୍ଟର ମୀନାକ୍ଷୀ ଦତ୍ତଙ୍କ ଆବେଦନର ଶୁଣାଣି କରି ଅଦାଲତ ପ୍ରକାଶ କରିଥିବା ରାୟରେ ଉଲ୍ଲେଖ କରାଯାଇଛି ଯେ ୨୦୧୯, ଅଗଷ୍ଟ ୧୮ର ଚୁକ୍ତିନାମା (ଏମ୍‌ଓୟୁ) ଅନୁସାରେ ଆବେଦନକାରୀଙ୍କ ପକ୍ଷରୁ ପ୍ରତିପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିବା ‘ମୋ ଜୀବନୀ’ ସହିତ ଅନ୍ୟ ପାଣ୍ଡୁଲିପି ପ୍ରକାଶ କରାଯାଇ ପାରିବନାହିଁ। ‘ମୋ ଜୀବନୀ’ ସହିତ ଫକୀରମୋହନଙ୍କ ଅନ୍ୟ ହାତଲେଖା ପ୍ରତିପକ୍ଷ ପ୍ରକାଶ କରିବା ଉପରେ ଅଦାଲତ ସ୍ଥାୟୀ ରୋକ୍‌ ଲଗାଇଛନ୍ତି। ଅଣନାତୁଣୀ ଭାବେ ଫକୀରମୋହନଙ୍କ ହାତଲେଖାର ଆବେଦନକାରୀ ଜଣେ ସ୍ବତ୍ତ୍ବାଧିକାରୀ ଓ ଏହାର ମାର୍ଫତଦାର(କଷ୍ଟଡିଆନ୍)। ଏଭଳି ସ୍ଥିତିରେ ପ୍ରତିପକ୍ଷ ୨୦୧୯, ଅଗଷ୍ଟ ୧୮ର ଏମଓୟୁ ଅନୁସାରେ ନେଇଥିବା ଫକୀରମୋହନଙ୍କ ହାତଲେଖା ସହିତ ଏହାର ଡିଜିଟାଇଜଡ୍ ଭର୍ସନ (ଡିଜିଟାଇଜେସନ୍ କରାଯାଇଥିବା ଫାଇଲ)କୁ ମଧ୍ୟ ଏକ ମାସ ଭିତରେ ଆବେଦନକାରୀ ମୀନାକ୍ଷୀ ଦତ୍ତଙ୍କୁ ଫେରାଇବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଅଗଷ୍ଟ ୧୭ରେ ଅଦାଲତ ଏହି ମାମଲାର ଶୁଣାଣି କରି ଫକୀରମୋହନଙ୍କ ଅପ୍ରକାଶିତ ହାତଲେଖା ପ୍ରକାଶ ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ଡିସେମ୍ବର ୬ରେ ଅଦାଲତ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ମାମଲା ଅନୁସାରେ, ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅପ୍ରକାଶିତ ହାତଲେଖା ପ୍ରକାଶ ପାଇଁ କିଛି ବିଶିଷ୍ଟ ସାହିତ୍ୟିକ ଉଦ୍ୟମ କରୁଥିବା ବେଳେ ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫକୀରମୋହନଙ୍କ ହାତଲେଖାର ଡିଜିଟାଲ ଫାଇଲ ପ୍ରସ୍ତୁତ କରିବା ସହିତ ଆତ୍ମଜୀବନୀ ପ୍ରକାଶ ପାଇଁ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଓ ରାଷ୍ଟ୍ରୀୟ ଅଭିଲେଖାଗାରର ସହନିର୍ଦ୍ଦେଶକ ଡକ୍ଟର ଲଲାଟେନ୍ଦୁ ଦାଶମହାପାତ୍ର ଆଗେଇ ଆସିଥିଲେ। ବ୍ୟାସକବିଙ୍କ ଉତ୍ତରାଧିକାରୀ ଭାବେ ମୀନାକ୍ଷୀ ଦତ୍ତଙ୍କ ସହ ଏହି ପ୍ରସଂଗରେ ଏକ ଚୁକ୍ତିନାମା (ଏମ୍‌ଓୟୁ) ୨୦୧୯, ଅଗଷ୍ଟ ୧୮ରେ କରାଯାଇଥିଲା। ଏମଓୟୁ ଅନୁସାରେ ମୀନାକ୍ଷୀ ଦତ୍ତ ଫକୀରମୋହନଙ୍କ ଆତ୍ମଜୀବନୀ ୫୧୯ ପୃଷ୍ଠାର ‘ମୋ ଜୀବନୀ’, ୩ହଜାର ପୃଷ୍ଠାର ମହାଭାରତ, ୬ଶହରୁ ୭ଶହ ପୃଷ୍ଠାର ରାମାୟଣ (ସାତ ଖଣ୍ଡ) ଓ ଅନ୍ୟ କେତେକ ପାଣ୍ଡୁଲିପି ହସ୍ତାନ୍ତର କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଚୁକ୍ତିନାମାରେ ଥିବା ସର୍ତ୍ତ ଉଲ୍ଲଂଘନ କରି ମୀନାକ୍ଷୀ ଦେବୀଙ୍କ ବିନା ଅନୁମତିରେ ଫକୀରମୋହନଙ୍କ ଏହି ହାତଲେଖା ପ୍ରକାଶ ପାଇଁ ଉଦ୍ୟମ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ଅଦାଲତରେ ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ ମୀନାକ୍ଷୀ ଦେବୀ ଫକୀରମୋହନଙ୍କ ଘରେ ଜନ୍ମଠାରୁ ରହି ଆସୁଛନ୍ତି। ଏହି ଘର ପ୍ରାୟ ୧୪୦ ବର୍ଷ ପୁରୁଣା। ଚାରି ପିଢ଼ି ଧରି ଏହି ପାଣ୍ଡୁଲିପିକୁ ସେ ସାଇତି ରଖିଥିଲେ। ଫକୀରମୋହନଙ୍କ ହାତଲେଖା ପାଣ୍ଡୁଲିପି ସର୍ବସାଧାରଣଙ୍କ ସଂପତ୍ତି ନୁହେଁ। ଏହା ତାଙ୍କ ନିକଟରେ ଥିଲା ଓ ସେ ବିଶ୍ବାସକରି ପ୍ରତିପକ୍ଷଙ୍କୁ ‌ଡିଜିଟାଇଜେସନ୍ କରିବାକୁ ଦେଇଥିଲେ। କିନ୍ତୁ ତାଙ୍କ ଅଜାଣତରେ ଏଥିରୁ କିଛି ପୃଷ୍ଠା ୱେବସାଇଟରେ ପ୍ରକାଶ କରାଯାଇଥିଲା। ଏଥିପାଇଁ ତାଙ୍କ ଅନୁମତି ନିଆଯାଇ ନଥିଲା। ଏଭଳି ଘଟଣାର ପ୍ରତିବାଦ କରିବାରୁ ତାଙ୍କୁ ଧମକ ଦେଇ ଚିଠି ଲେଖାଯାଇଥିଲା। ଏଭଳି ସ୍ଥିତିରେ ସେ ଅଦାଲତଙ୍କ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ ବୋଲି ଦର୍ଶାଯାଇଥିଲା। ମାମଲାରେ ଦେବୀପ୍ରସନ୍ନ ପଟ୍ଟନାୟକ ଓ ଡକ୍ଟର ଲଲାଟେନ୍ଦୁ ଦାଶମହାପାତ୍ରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

Share Now:

Kalinga News Beuro

Next Post

ବ୍ୟବସାୟୀଙ୍କ ଘରୁ ୧୬୦ କୋଟି ନଗଦ ଟଙ୍କା ଜବତ କଲା ଆୟକର ବିଭାଗ

Sat Dec 25 , 2021
ନୂଆଦିଲ୍ଲୀ: ଉତ୍ତରପ୍ର‌ଦେଶରେ ଜଣେ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ହୋଇଛି। ପର୍ଫ୍ୟୁମ୍‌ ବ୍ୟବସାୟରେ ସମ୍ପୃକ୍ତ ଜଣେ କାନପୁର ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉରେ ୧୬୦ କୋଟି ନଗଦ ଟଙ୍କା ଜବତ ହୋଇଛି। ସିବିଆଇସି (ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନଡାଇରେକ୍ଟ ଟ୍ୟା‌କ୍ସେସ୍‌ ଆଣ୍ଡ କଷ୍ଟମ୍‌ସ) ଅଧ୍ୟକ୍ଷ ବିବେକ ଜୋହରି ଆଜି ଏହି ସୂଚନା ଦେଇଛନ୍ତି। ସିବିଆଇସି ଇତିହାସରେ ଏତେ ପରିମାଣରେ ନଗଦ ଟଙ୍କା କେବେ ଜବତ ହୋଇନାହିଁ ବୋଲି ବିବେକ ଜୋହରି […]
୧୬୦ କୋଟି ନଗଦ ଟଙ୍କା ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial