ଲୋକାର୍ପିତ ହେଲା ‘ଶଙ୍ଖ ଭବନ’: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଲୋକାର୍ପିତ ହେଲା ‘ଶଙ୍ଖ ଭବନ’-2

ଭୁବନେଶ୍ୱର: ବିଜେଡିର ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ର ଉଦଘାଟନ କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପବିତ୍ର ଅକ୍ଷୟ ତୃତୀୟ ଅବସରରେ ବିଜେଡିର ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ର ଉଦଘାଟିତ ହୋଇଛି। ୟୁନିଟ ୬ସ୍ଥିତ ସେହି ପୁରୁଣା ଜାଗାରେ ହିଁ ନିର୍ମାଣ ହୋଇଛି ବିଜେଡିର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନ। ଆଜି ଉଦଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ସଂଗଠନର ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି। ଶଙ୍ଖ ଭବନର ଉଦଘାଟନ କରିବା ଅବସରରେ ନବୀନ ପଟ୍ଟନାୟକ କହିଛନ୍ତି, ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଶଙ୍ଖ ଭବନକୁ ସମର୍ପିତ କରି ବହୁତ ଖୁସି। ଏହି ସୁନ୍ଦର ଭବନ ନିର୍ମାଣରେ ସମସ୍ତଙ୍କର ଯୋଗଦାନ ରହିଛି। ଏହି ଭବନ ନିର୍ମାଣରେ ଯୁବ, ଛାତ୍ର, ମହିଳା କର୍ମୀମାନଙ୍କ ଅବଦାନ ରହିଛି। ୧୯୯୭ ମସିହାରେ ଓଡ଼ିଶା ରାଜନୀତିରେ ନୂଆ ଆରମ୍ଭ ହୋଇଥିଲା। ବିଜୁ ଆଦର୍ଶ ଓ ସ୍ୱାଭିମାନର ମନ୍ତ୍ର ନେଇ ବିଜେଡି ଜନ୍ମ ନେଇଥିଲା। ଆଞ୍ଚଳିକ ଦଳ ଭାବେ ଓଡ଼ିଶାବାସୀଙ୍କ ସେବାରେ ରହିଛି ବିଜେଡି। ଏବେ ବିଜେଡି ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ବିଜୟର ଶଙ୍ଖ ବାଜି ଚାଲିଛି। ଏହି ଶଙ୍ଖ ଭବନ ହେବ ଓଡ଼ିଶାବାସୀଙ୍କ ପ୍ରିୟ ଭବନ। ଓଡ଼ିଶାର ଅତୀତ ଓ ଭବିଷ୍ୟତକୁ ଯୋଡ଼ିବ ଏହି ଶଙ୍ଖ ଭବନ। ଓଡ଼ିଶା ପାଇଁ କାମ କରିବାକୁ ଚାହୁଁଥିବା ସମସ୍ତ ବ୍ୟକ୍ତିଙ୍କୁ ଏକାଠି କରିବ ଶଙ୍ଖ ଭବନ। ଓଡ଼ିଶାର ସ୍ୱାଭିମାନର ସୁରକ୍ଷା ସହ କଳା, ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ ସମର୍ପିତ ହେବ ଶଙ୍ଖ ଭବନ। ବିଶ୍ୱଦରବାରରେ ଓଡ଼ିଶାର ଇଷ୍ଟ ଦେବତା ଶ୍ରଜଗନ୍ନାଥଙ୍କ ମହାନ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାମ କରିବ।

ସୂଚନାଯୋଗ୍ୟ ଯେ ଶଙ୍ଖ ଭବନର ସମ୍ମିଳନୀ କକ୍ଷଗୁଡ଼ିକରେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ଆଦିକବି ସାରଳା ଦାସ, ବୀର ସୁରେନ୍ଦ୍ର ସାଏ , ବକ୍ସି ଜଗବନ୍ଧୁ, ଭୀମ ଭୋଇ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ,ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ସହିଦ୍ ଲକ୍ଷ୍ମଣ ନାୟକ ପଣ୍ଡିତ ରଘୁନାଥ ମୁର୍ମୁ, ବିର୍ସା ମୁଣ୍ଡା, ରେଣ୍ଡୋ ମାଝି , ଧରଣୀଧର ଭୂୟାଁ, ମା ରମାଦେବୀ , ପାର୍ବତୀ ଗିରି , ଫକୀମୋହନ ସେନାପତି , ଗଙ୍ଗାଧର ମେହେର , କୁନ୍ତଳାକୁମାରୀ ସାବତ ଓ ବାଜି ରାଉତଙ୍କ ପରି ବରପୁତ୍ରମାନଙ୍କ ଉକ୍ତି ଖୋଦିତ ହେବ। ଏହା ସହିତ ଏଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରସିଦ୍ଧ ତାବିଜ ଶୋଭା ପାଇବ ଏବଂ ଓଡ଼ିଶାର ୩୦ଟି ଜିଲ୍ଲାର ପ୍ରସିଦ୍ଧ ସାମଗ୍ରୀ ଓ ଶ୍ରେଷ୍ଠ କଳାକୃତି ମଧ୍ୟ ସ୍ଥାନ ପାଇବ। ଶଙ୍ଖ ଭବନରେ ପ୍ରତି ସପ୍ତାହରେ ରକ୍ତଦାନ କାର୍ଯ୍ୟକ୍ରମ କରାଯିବ। ଏହା ସହିତ ଗରିବ ଲୋକଙ୍କ ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ନିୟମିତ ଜାରି ରହିବ। ଓଡ଼ିଶାର କଳା, ଭାସ୍କର୍ଯ୍ୟର ଛାପ ପଦର୍ଶନ କରୁଥିବା ପଥରର କାରୁକାର୍ଯ୍ୟ ଏଥିରେ ସ୍ଥାନ ପାଇଛି। ବେସମେଣ୍ଟରେ ରହିଛି ବିଶାଳ ପାର୍କିଙ୍ଗ ସ୍ଥଳ, ଯେଉଁଥିରେ ପ୍ରାୟ ୪୦ଟି କାର ପାର୍କିଙ୍ଗ କରିବା ଭଳି ସ୍ଥାନ ରହିଛି। ବେସମେଣ୍ଟ ଉପରେ ରହିଛି ତିନି ମହଲା କୋଠା। ପ୍ରଥମ ମହଲାରେ ବିରାଟ ହଲ ଓ ପ୍ରେସ କନଫରେନ୍ସ ହଲ ମଧ୍ୟ ରହିଛି। ଏଥିସହ ୨୫୦ ଆସନ ବିଶିଷ୍ଟ ଗୋଟିଏ ଅଡିଟୋରିୟମ ରହିଛି। ବିଲଡିଂରେ କ୍ୟାଣ୍ଟିନ ବ୍ୟବସ୍ଥା ମଧ୍ୟ ରଖାଯାଇଛି। ଦ୍ଵିତୀୟ ମହଲାରେ ଛାମୁଆ ସଂଗଠନ, ସଭାପତି ଓ ଦଳର ରାଜ୍ୟ ପଦାଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ଏଥିସହ ଆଇଟି ସେଲ ମଧ୍ୟ ବିଲଡିଂରେ କାର୍ଯ୍ୟ କରିବ। ଏହାଛଡ଼ା ଏଥିରେ ପ୍ରାୟ ୩୦ଟି ପ୍ରକୋଷ୍ଠ ମଧ୍ୟ ରହିଛି। ବିଲଡିଂର ଦ୍ଵିତୀୟ ମହଲାରେ ଦଳର ସଭାପତିଙ୍କ କାର୍ଯ୍ୟାଳୟ ରହିଛି।

Share Now:

Kalinga News Beuro

Next Post

ରକ୍ତ ପାଇଁ ଦେଶଭ୍ରମଣ : ‘ହର୍‌ ଘର୍‌ ରକ୍ତଦାତା’ ମନ୍ତ୍ର ବାଣ୍ଟୁଛନ୍ତି ଜୟଦେବ

Sun Apr 23 , 2023
ଭୁବନେଶ୍ୱର: ପ୍ରତ୍ୟେକ ଜୀବନ ମୂଲ୍ୟବାନ୍‌। ରକ୍ତ ଅଭାବରୁ ଏହି ମୂଲ୍ୟବାନ୍‌ ଜୀବନ ଚାଲି ନ ଯାଉ। ପ୍ରତ୍ୟେକ ଘରୁ ଜଣେ ଜଣେ ରକ୍ତଦାତା ବାହାରନ୍ତୁ। ରକ୍ତର ମୂଲ୍ୟ ବୁଝନ୍ତୁ। ଏଭଳି ସଚେତନତାର ବାର୍ତ୍ତା ନେଇ ସେ ଦେଶ ଭ୍ରମଣ କରୁଛନ୍ତି। ତା’ ପୁଣି ସାଇକେଲ୍‌ରେ। ଏଭଳି ମହତ୍‌ ଉଦ୍ଦେଶ୍ୟ ନେଇ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ବିଲ୍ୱ କବିରାଜ ସାହିର ଜୟଦେବ ରାଉତ। ଗତବର୍ଷ ଅକ୍ଟୋବର […]
ରକ୍ତ ପାଇଁ ଦେଶଭ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial