ରାଜ୍ୟ ସରକାରଙ୍କ ଚଞ୍ଚକତା: ଅଟକିଲା ଏକାମ୍ରକାନନ ଫାର୍ମ ଜମି ହସ୍ତାନ୍ତର ପ୍ରକ୍ରିୟା

ଅଟକିଲା ଏକାମ୍ରକାନନ ଫାର୍ମ ଜମି ହସ୍ତାନ୍ତର ପ୍ରକ୍ରିୟା

ପୂର୍ବ ଭଳି ହେବ ଫାର୍ମର ରକ୍ଷଣାବେକ୍ଷଣ କାମ

ଭୁବନେଶ୍ବର: ଏକାମ୍ରକାନନ ଫାର୍ମର ମୋଟ୍‌ ୨୫.୯୬୭ ଏକର ଜମିରୁ ୨୦.୧୯୨ ଏକର ଜମି ହସ୍ତାନ୍ତର କରିବା ପ୍ରକ୍ରିୟା ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏବେ ଏହି ଜମି ହସ୍ତାନ୍ତର ପ୍ରକ୍ରିୟା ହେବନି। ପୂର୍ବଭଳି ଫାର୍ମର ରକ୍ଷଣାବେକ୍ଷଣ କାମ ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ଗତକାଲି ଏନେଇ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଏକାମ୍ର କାନନର ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଏକାମ୍ର କାନନ ଫାର୍ମର ୨୦.୧୯୨ ଏକର ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରିବା ପାଇଁ ସେପ୍ଟେମ୍ବର ମାସରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକାମ୍ର କାନନ ଫାର୍ମର ସହକାରୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଥିଲା। ଏହାପରେ ‘ସମ୍ବାଦ’ ସମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଜେପି ଓ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏନେଇ ଜୟନ୍ତୀ ଦାସଙ୍କ ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଥିବା ବେଳେ ସେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏହାର ପ୍ରତିବାଦ କରିଥିଲେ। ଏପରିକି ରାଜ୍ୟ ସରକାର ଏକାମ୍ର କାନନ ଫାର୍ମ ଜମି ବିକିବା ନିଷ୍ପତ୍ତିରୁ ନ ଓହରିଲେ ଆଗକୁ ଜୋରଦାର ଆନ୍ଦୋଳନ ହେବ ବୋଲି ଦୁଇ ବିରୋଧୀ ଦଳ ଚେତାବନୀ ଦେଇଥିଲେ। ଏହାପରେ ଗତକାଲି ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଜମି ହସ୍ତାନ୍ତର ପ୍ରକ୍ରିୟା ସ୍ଥଗିତ ରଖାଯାଇଛି ବୋଲି କୁହାଯାଇଛି। ଏକାମ୍ର କାନନର ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଜୟନ୍ତ କୁମାର ନାୟକ କହିଛନ୍ତି ଯେ ସାଧାରଣ ପ୍ରଶାସନ ଏକାମ୍ର କାନନ ଫାର୍ମର ଯେଉଁ ୨୦.୧୯୨ ଏକର ଜମି ନେବା ପାଇଁ ଚିଠି ଲେଖିଥିଲା, ତାହା ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ପୂର୍ବରୁ ଯେପରି ଫାର୍ମର ରକ୍ଷଣାବେକ୍ଷଣ କାମ ହେଉଥିଲା ଏବଂ ବିଭିନ୍ନ ଉନ୍ନତୀକରଣ କାମ ହେଉଥିଲା ତାହା ଜାରି ରହିବ। ଅପରପକ୍ଷେ ଏକାମ୍ର କାନନ ଫାର୍ମର ଜମି ହସ୍ତାନ୍ତର ପ୍ରକ୍ରିୟା ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଥିବା ବେଳେ ଏହା ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର ହେଲା ବୋଲି ସରକାରୀ ଭାବେ କିଛି କୁହାଯାଇନି। ଏବେ ବିରୋଧ ହେଉଥିବାରୁ ଏବଂ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିବାରୁ ରାଜ୍ୟ ସରକାର ଚଞ୍ଚକତା ଦେଖାଇ ଏହାକୁ ଝୁଲାଇ ରଖିଛନ୍ତି।
ସୂଚନାଯୋଗ୍ୟ ଯେ ରାଜଧାନୀର ଛାତି ଉପରେ ସବୁଜିମାରେ ଭରି ରହିଥିବା ଏକାମ୍ର କାନନ ଫାର୍ମ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କ ବହୁ ସ୍ମୃତି ରହିଛି। ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବହୁବାର ଏହି ଫାର୍ମକୁ ଆସୁଥିଲେ। ସେମାନେ ଏହାର ଉନ୍ନତୀକରଣ ପାଇଁ ବହୁ ଯୋଜନା କରିଥିଲେ। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଏହି ଫାର୍ମର ଜମିକୁ ରାସ୍ତା ସମ୍ପ୍ରସାରଣ ଓ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଅଧିଗ୍ରହଣ କରାଯାଇଥିଲା। ପ୍ରାୟ ୫ ଏକର ଜମି ଏହିଭଳି ପୂର୍ବରୁ ଯାଇଥିବା ବେଳେ ଏବେ ୨୦ଏକର ଜମି ନେବାକୁ ଯୋଜନା ହୋଇଥିଲା। କିନ୍ତୁ ବିଭିନ୍ନ ମହଲରୁ ବିରୋଧ ହେବା ପରେ ରାଜ୍ୟ ସରକାର ନିଷ୍ପତ୍ତି ବଦଳାଇଛନ୍ତି।

Share Now:

Kalinga News Beuro

Next Post

ଜିଲ୍ଲାପାଳଙ୍କୁ ନାବାଳିକା ଛାତ୍ରୀର ଗୁହାରି: ବାପା ନେଇ ଯାଉଛନ୍ତି ମଧ୍ୟାହ୍ନଭୋଜନ ଟଙ୍କା

Wed Nov 18 , 2020
ଚାଉଳ ଟଙ୍କା ଦିଆଯାଇ ନାହିଁ: ଜିଲ୍ଲା ଶିକ୍ଷା ଅଧିକାରୀ କେନ୍ଦ୍ରାପଡ଼ା/ମାର୍ଶାଘାଇ: ମା’ ନଥିବା ଝିଅର ମଧ୍ୟାହ୍ନଭୋଜନ ବାବଦକୁ ମିଳୁଥିବା ଟଙ୍କା ଓ ଚାଉଳ ନେଇ ଯାଉଛନ୍ତି ବାପା ଓ ସାବତ ମା’। ଏପରି ଅଭିଯୋଗ ଆଣି ୧୧ ବର୍ଷର ଝିଅ ଜିଲ୍ଲାପାଳଙ୍କୁ ନ୍ୟାୟ ମାଗିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଝିଅଟି ଗତ ସପ୍ତାହରେ ଆସି ପ୍ରଥମେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ପରେ ଜିଲ୍ଲାପାଳଙ୍କୁ ଏ ସଂପର୍କରେ […]
ଜିଲ୍ଲାପାଳଙ୍କୁ ନାବାଳିକା ଛାତ୍ରୀର ଗୁହାରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial