ଫାଇଲେରିଆ ନିରାକରଣରେ ସରକାର ବିଫଳ : ଏମ୍‌ଡିଏରେ ସାମିଲ ହେଲା ଆଉ ୭ ଜିଲ୍ଲା

ରାଜ୍ୟରେ ବିଗିଡ଼ିଲାଣି ଫାଇଲେରିଆ ସ୍ଥିତି

ଫେବୃଆରୀରେ ଲୋକଙ୍କୁ ଦିଆଯିବ ବଟିକା

ଭୁବନେଶ୍ୱର : ରାଜ୍ୟରେ ଫାଇଲେରିଆ ସ୍ଥିତି ବିଗିଡ଼ି ଗଲାଣି। ଫାଇଲେରିଆ ନିରାକରଣ ଲକ୍ଷ୍ୟ ହାସଲ କରିବାରେ ସରକାର ବିଫଳ ହୋଇଛନ୍ତି। କେବଳ ସେତିକି ନୁହେଁ, ଏକାଧିକ ଜିଲ୍ଲା ଫାଇଲେରିଆ ତାଲିକାରେ ଯୋଡ଼ି ହୋଇ ଗଲାଣି। ଏପରିକି ଫାଇଲେରିଆ ଜିଲ୍ଲାୱାରୀ ଯେଉଁ ତାଲିକା ପ୍ରକାଶ ପାଉଛି ତାହା ମଧ୍ୟ ସନ୍ଦେହ ଘେରରେ। ଏଭଳି ପରିସ୍ଥିତିରେ ଏହି ରୋଗର ନିରାକରଣ ପାଇଁ ନିଆଯାଉଥିବା ପଦକ୍ଷେପକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ୨୦୦୪ ମସିହାରେ ରାଜ୍ୟରେ ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (ଏମ୍‌ଡିଏ) କାର୍ଯ୍ୟକାରୀ କରାଯାଇଥିଲା। ଆରମ୍ଭରେ ରାଜ୍ୟର ୨୦ଟି ଜିଲ୍ଲାକୁ ସର୍ବାଧିକ ଫାଇଲେରିଆ ପ୍ରବଣ ଜିଲ୍ଲା ଭାବେ ଗ୍ରହଣ କରାଯିବା ସହିତ ସେଠାରେ ଏମ୍‌ଡିଏ ଲାଗୁ କରାଯାଇଥିଲା। ଧୀରେ ଧୀରେ କିଛି ଜିଲ୍ଲାରେ ଫାଇଲେରିଆ ସଂକ୍ରମଣ ହ୍ରାସ ପାଇଥିଲା। ରାଜ୍ୟର ଏବେ ୧୦ଟି ଜିଲ୍ଲା ଅନୁଗୁଳ, ବାଲେଶ୍ବର, ଭଦ୍ରକ, କଟକ, ଗଞ୍ଜାମ, ଖୋର୍ଦ୍ଧା, ନୂଆପଡ଼ା, ଢେଙ୍କାନାଳ ଓ ଝାରସୁଗୁଡ଼ାରେ ନିୟମିତ ଏମ୍‌ଡିଏ ଚାଲିଛି। ସଂକ୍ରମଣ ମୂଲ୍ୟାୟନ ସର୍ବେକ୍ଷଣ (ଟିଏଏସ୍‌)ରେ ଯେଉଁ ଜିଲ୍ଲାରେ ଅତିରିକ୍ତ ମାଇକ୍ରୋଫାଇଲେରିଆ (ଏମ୍‌ଏଫ୍‌) ହାର ୧ରୁ କମ୍ ରହିଲେ ସଂପୃକ୍ତ ଜିଲ୍ଲାକୁ ଏମ୍‌ଡିଏରୁ ବାଦ୍ ଦିଆଯାଇଥାଏ। ମାତ୍ର ରାଜ୍ୟରେ ପୁଣିଥରେ ୭ଟି ଜିଲ୍ଲା କନ୍ଧମାଳ, କେନ୍ଦୁଝର, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ବରଗଡ଼କୁ ଏମ୍‌ଡିଏ ତାଲିକାରେ ସାମିଲ କରାଯାଇଛି। ତେଣୁ ଆସନ୍ତାବର୍ଷ ଫେବୃଆରୀ ୧୦ ତାରିଖରେ ଏହି ୧୭ଟି ଜିଲ୍ଲାରେ ଏମ୍‌ଡିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଖୋର୍ଦ୍ଧା ଜିଲ୍ଲା ଟିଏଏସ୍‌ରେ ବିଫଳ ହୋଇଛି। ୨୦୧୭ ମସିହାରେ ହୋଇଥିବା ସର୍ବେକ୍ଷଣରେ ମଧ୍ୟ ଜିଲ୍ଲା ବିଫଳ ହୋଇଥିଲା। ଏମ୍‌ଡିଏ କାର୍ଯ୍ୟକ୍ରମରେ ଡିଇସି ଓ ଆଲବେଣ୍ଡାଜୋଲ ବଟିକା ପ୍ରଦାନ କରାଯିବ। ଚଳିତବର୍ଷ କୋଭିଡ୍‌ ପାଇଁ ସ୍କୁଲ ବନ୍ଦ ରହିଥିବାରୁ ଘରକୁ ଘର ବୁଲି ସମସ୍ତଙ୍କୁ ଏହି ବଟିକା ପ୍ରଦାନ କରିବା ଲାଗି ଲକ୍ଷ୍ୟ ରଖାଯାଇଥିବା ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ଏଏନ୍‌ଏମ୍/ଏମ୍‌ପିଏଚ୍‌ଡବ୍ଲୁ ଏଥିପାଇଁ ତୃଣମୂଳସ୍ତରରେ ଏକ ମାଇକ୍ରୋପ୍ଲାନିଂ ପ୍ରସ୍ତୁତ କରିବା ଲାଗି କୁହାଯାଇଛି। ଦେବଗଡ଼, ବୌଦ୍ଧ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟରେ ଏମ୍‌ଡିଏର ଆବଶ୍ୟକତା ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଗତବର୍ଷ ଟିଏଏସ୍‌ ପାସ୍ କରିଥିବା ଦୁଇ ଜିଲ୍ଲା ହେଉଛି ଜଗତସିଂହପୁର ଓ ଦେବଗଡ଼। ଅନୁଗୁଳରେ ୨୦୧୮ ମସିହାରେ ଲିମ୍ଫାଟିକ୍‌ ଫାଇଲିଆରିସିସ୍ (ଏଫ୍‌ଏଲ୍) ୧୦୬୩ ଜଣ ଚିହ୍ନଟ ହୋଇଥିବା ବେଳେ ୨୦୧୯ ଏହା ବୃଦ୍ଧି ପାଇ ୨୦୫୪ରେ ପହଞ୍ଚିଛି। ସେହିପରି ବାଲେଶ୍ବରରେ ୮୬୧୦ରୁ ୮୩୦୮, କଟକରେ ୨୫୦୦ରୁ ବୃଦ୍ଧି ପାଇଁ ୫୪୫୯ରେ ପହଞ୍ଚିଛି। ୨୦୧୮ ମସିହାରେ ରାଜ୍ୟରେ ୭୫,୫୫୭ ଫାଇଲେରିଆ ରୋଗୀ ଥିଲେ। ୨୦୧୯ରେ ଏହା ୭୧,୨୪୬କୁ ଖସି ଆସିଛି। ସେହିପରି ୨୦୧୮ ମସିହାରେ ରାଜ୍ୟରେ ୪୦,୪୫୨ ହାଇଡ୍ରୋସିଲ୍‌ ରୋଗୀ ଥିଲେ, ଯାହା ୨୦୧୯ରେ ୩୫,୮୬୯କୁ ଖସି ଆସିଛି।
ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଫାଇଲେରିଆ ରୋଗୀଙ୍କୁ ଚିହ୍ନଟ କରାଗଲେ ସଂପୃକ୍ତ ଅଞ୍ଚଳରେ ଏମ୍‌ଡିଏ କାର୍ଯ୍ୟକ୍ରମ କରାଯାଇଥାଏ। ଏଥିପାଇଁ ନାଇଟ୍‌ ବ୍ଲଡ୍‌ ଟେଷ୍ଟ କରିବାକୁ ପଡ଼ିଥାଏ। ଆସନ୍ତାବର୍ଷ ଫେବୃଆରୀରେ ଏମ୍‌ଡିଏ କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ଅତିକମ୍‌ରେ ୫ବର୍ଷ ପର୍ଯ୍ୟନ୍ତ ସଂପୃକ୍ତ ଜିଲ୍ଲାରେ ଏମ୍‌ଡିଏ କାର୍ଯ୍ୟକ୍ରମ ଜରୁରୀ। ଯେଉଁ ଜିଲ୍ଲା ଲଗାତାର ୩ଟି ଟିଏଏସ୍‌ ଉତ୍ତୀର୍ଣ୍ଣ ହେବ ସେ ଜିଲ୍ଲାକୁ ଫାଇଲେରିଆ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତୀକରଣ କାମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଖର୍ଚ୍ଚ ହେବ ୧୮୦ କୋଟି

Fri Dec 11 , 2020
ଭୁବନେଶ୍ବର : ବରମୁଣ୍ଡା ଅନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡକୁ ରାଜ୍ୟ ସରକାର ପୂର୍ବ ଭାରତର ପ୍ରମୁଖ ବସ୍‌ ଟର୍ମିନାଲ ଭାବେ ନିର୍ମାଣ କରୁଛନ୍ତି। ପ୍ରାୟ ୧୮୦ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ବସ୍‌ ଟର୍ମିନାଲର କାମ ଚଳିତବର୍ଷ ଅଗଷ୍ଟ ୨୩ରେ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଗତକାଲି ଏହାର କାର୍ଯ୍ୟ ସମୀକ୍ଷା କରିଛନ୍ତି। ୧୮ ମାସ ମଧ୍ୟରେ କାମ ଶେଷ କରିବାକୁ ବିଡିଏକୁ ଟାର୍ଗେଟ୍ ଦେଇଛନ୍ତି। ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ […]
ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial