ଅକ୍ଷୟ ତୃତୀୟାରୁ ଅନୁକୂଳ

ଭୁବନେଶ୍ୱର: ଅନୁକୂଳର ଦିନ ଅକ୍ଷୟ ତୃତୀୟାକୁ ନେଇ ଓଡ଼ିଶା ଉତ୍ସବ ମୁଖର ହୋଇଛି। ଅକ୍ଷିମୁଠି ଅନୁକୂଳ ସହ ଚଷା ପୁଅ ଚଳିତ ବର୍ଷର ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବା ବେଳେ ବିଶେଷକରି ପଶ୍ଚିମ ଓଡ଼ିଶା ଏନେଇ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ଏହି ପର୍ବ ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟ ପାଇଁ ଅନେକ ଦୃଷ୍ଟିରୁ ପ୍ରାସଙ୍ଗିକ। ପୌରାଣିକ ପୃଷ୍ଠଭୂମି କୁହେ, ଏହି ନିର୍ଦିଷ୍ଟ ଦିନରେ ଜ୍ଞାନ ଓ ବୁଦ୍ଧିର ଦେବତା ପ୍ରଭୁ ଗଣେଶ ବେଦବ୍ୟାସଙ୍କ କଣ୍ଠରେ ବସି ତାଙ୍କ ମାଧ୍ୟମରେ ମହାଭାରତ ଲେଖାଇବା ଆରମ୍ଭ କରିଥିଲେ। ଏହି ଦିନକୁ ବିଷ୍ଣୁ ଶାସନ କରିଥିବାରୁ ହିନ୍ଦୁମାନଙ୍କ ପାଇଁ ଏହା ଏକ ସମୃଦ୍ଧ ଦିବସ ଭାବେ ପରିଗଣିତ ହୁଏ ବୋଲି ମତ ରହିଛି। ସେହିପରି ଅକ୍ଷୟ ତୃତୀୟାକୁ ବିଷ୍ଣୁଙ୍କ ଦଶାବତାର ମଧ୍ୟରୁ ଷଷ୍ଠ ଅବତାର ପର୍ଶୁରାମଙ୍କ ଜନ୍ମଦିନ ଭାବେ ପାରମ୍ପରିକ ଭାବେ ପାଳନ କରାଯାଏ। ପୁଣି ଏହି ନିର୍ଦିଷ୍ଟ ଦିନରେ ତ୍ରେତୟା ଯୁଗ ଆରମ୍ଭ ହୋଇଥିବା ବେଳେ ପବିତ୍ର ଗଙ୍ଗାନଦୀ ସ୍ୱର୍ଗରୁ ପୃଥିବୀପୃଷ୍ଠକୁ ଓହ୍ଲାଇ ଆସିଥିବା ଭଳି ପୌରାଣିକ ମତ ରହିଛି। ତେଣୁ ଅକ୍ଷୟ ତୃତୀୟାକୁ ପବିତ୍ର ଦିନ ଭାବେ ଧରାଯାଉଥିବା ବେଳେ ଚଷାମାନେ ବିଲରେ ପୂଜାକରି ବିହନ ବୁଣି ଚଳିତ ବର୍ଷର ଚାଷ କାର୍ଯ୍ୟର ଶୁଭାରମ୍ଭ କରିବେ। ଏନେଇ ରାଜଧାନୀର ଉପକଣ୍ଠରେ ବିଶେଷ ଭାବେ ଏହି ପାର୍ବଣର ଆଡ଼ମ୍ବର ଦେଖିବାକୁ ମିଳିବ।

ସକାଳ ପାହିଲେ, ଆରମ୍ଭ ହୋଇଯିବ ରଥଯାତ୍ରା ପାଇଁ ପ୍ରସ୍ତୁତି ଓ ପ୍ରସିଦ୍ଧ ଚନ୍ଦନ ଯାତ୍ରା ପର୍ବ। ପ୍ରଭୁଙ୍କୁ ରଥରେ ବୁଲାଇ ନେବା ପାଇଁ ମହାପ୍ରଭୁ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କ ରଥକାଠ ଅନୁକୂଳ ସହ ରଥ କାମର ଶୁଭାରମ୍ଭ କରାଯିବ। ମହାରଣା କାଠରେ ଚୋଟ ମାରି ରଥ ଗଢ଼ା କାମର ଶୁଭାରମ୍ଭ କରିବେ। ତେବେ ସବୁଠୁ ଆକର୍ଷଣ ସାଜିବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ପ୍ରଭୁଙ୍କୁ ପ୍ରଚଣ୍ଡ ରୌଦ୍ରତାପରୁ ଉପଶମ ଦେବା ପାଇଁ ପୋଖରୀରେ ଚାପ ଖେଳିବା ପାଇଁ ବନ୍ଦୋବସ୍ତ କରାଯାଇଛି। ଡଙ୍ଗାରେ ପ୍ରଭୁଙ୍କୁ ଜଳକ୍ରୀଡ଼ା କରାଇବା ବେଳର ଦୃଶ୍ୟକୁ ଉପଭୋଗ କରିବା ପାଇଁ ବିନ୍ଦୁସାଗରଠୁ ନେଇ ଇସ୍କନ୍‌ରେ ଭିଡ଼ ଜମିବ। ସେହିପରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଇଁ ବିନ୍ଦୁ ସାଗରରେ ଚାପ ଖେଳିବାର ବନ୍ଦୋବସ୍ତ କରାଯାଇଥିବା ବେଳେ ଇସ୍କନ୍‌ ମନ୍ଦିର ପ୍ରାଙ୍ଗଣରେ ଚାପ ଖେଳ ପାଇଁ ସ୍ୱତନ୍ତ୍ର ପୋଖରୀ ପ୍ରସ୍ତୁତ କରାଯାଇଛି। ସେହିପରି ଏହି ଦିନ ବିନା ପାଞ୍ଜି ଦେଖି ସମସ୍ତ ଶୁଭାଶୁଭ କାର୍ଯ୍ୟ କରାଯାଇଥାଏ। ମନ୍ଦିର ପ୍ରତିଷ୍ଠାଠୁ ନେଇ, ଘର ପ୍ରତିଷ୍ଠା ଏବଂ ବ୍ୟବସାୟିକ ଅନୁଷ୍ଠାନ ପ୍ରତିଷ୍ଠା କାର୍ଯ୍ୟ କରାଯିବା ପାଇଁ ରାଜଧାନୀବାସୀ ଅଣ୍ଟା ଭିଡ଼ିଛନ୍ତି। ସେହିପରି କୌଣସି ଅନୁକୂଳ କାମ ପାଇଁ ସମସ୍ତେ ଏହି ଦିନଟିକୁ ଧାର୍ଯ୍ୟ କରିଛନ୍ତି। ଅନେକ ଏହି ଦିନରେ ଜମି କିଣିବା ପାଇଁ ମଧ୍ୟ ଶୁଭ ବୋଲି ବିଚାରୁଥିବାରୁ ଜମିବାଡ଼ିର ବିକ୍ରିବଟା ମଧ୍ୟ ବ୍ୟାପକ ହେବ। ଖାଲି ସେତିକି ନୁହେଁ ଏଇ କିଛି ବର୍ଷ ହେବ ଅକ୍ଷୟ ତୃତୀୟାକୁ ସମୃଦ୍ଧିର ଦିନ ଭାବେ ବିଚାର କରାଯାଉଥିବା ବେଳେ ଅଳଙ୍କାର କିଣିବା ପାଇଁ ସମସ୍ତ ଅଳଙ୍କାର ସୋ’ରୁମ୍‌ରେ ଲମ୍ବା ଲାଇନ୍‌ ଲାଗିବ। ଦାନ କରିବାର ବିଧି ଥିବାରୁ ଅନେକ ଦାନଧର୍ମ କରି ଆଶୀର୍ବାଦ ଭିକ୍ଷା କରିବେ।

Share Now:

Kalinga News Beuro

Leave a Reply

Next Post

ସରକାରୀ ଅବହେଳାର ଶିକାର: ଜରାଜୀର୍ଣ୍ଣ ଅବସ୍ଥାରେ ପୁରାତନ କୀର୍ତ୍ତିରାଜି

Wed Apr 18 , 2018
ପୁରୁଣା ଭୁବନେଶ୍ୱର: ମନ୍ଦିରମାଳିନୀ ସହର ଭୁବନେଶ୍ୱର ମହାନ ଐତିହ୍ୟକୁ ନେଇ ସମୃଦ୍ଧ। ଏଠାରେ ଥିବା କୀର୍ତ୍ତିିରାଜିକୁ ଦେଖିବା ପାଇଁ ଦୈନିକ ଆସନ୍ତି ହଜାର ହଜାର ପର୍ଯ୍ୟଟକ। ହେଲେ ଏଠାରେ ଥିବା କେତେକ ପୁରାତନ ମନ୍ଦିର ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ଆଉ କିଛି ଐତିହ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇ ପଡ଼ିଛି। ଶ୍ରୀଲିଙ୍ଗରାଜ ମନ୍ଦିରରୁ ଗଳୁଛି ପାଣି ବିଶ୍ୱପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ଦିରର ଭୋଗ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial