୩୧ରେ ଅବସର ନେବେ ଅସିତ ତ୍ରିପାଠୀ : ପ୍ରଶାସନିକ ମହଲ ଚଳଚଞ୍ଚଳ

ଅବସର ନେବେ ଅସିତ ତ୍ରିପାଠୀ

ଭୁବନେଶ୍ବର: ଆସନ୍ତା ୩୧ ତାରିଖ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଅବସର ଗ୍ରହଣ କରିବେ। ଗତକାଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶ୍ରୀ ତ୍ରିପାଠୀଙ୍କୁ ଅବସର ନେବା ଲାଗି ଅନୁମତି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିସହିତ ପରବର୍ତୀ ମୁଖ୍ୟଶାସନ ସଚିବ କିଏ ହେବେ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସମସ୍ତଙ୍କ ନଜର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି। ନୂଆବର୍ଷରେ ନୂଆ ମୁଖ୍ୟଶାସନ ସଚିବ କାର୍ଯ୍ୟାରମ୍ଭ କରିବେ। ଏହି ପଦ ଲାଗି ଅନେକ ଅଧିକାରୀଙ୍କ ନାମ ଚର୍ଚ୍ଚା ହେଉଥିଲେ ହେଁ, ସବୁଠାରୁ ଆଗରେ ଅଛନ୍ତି ୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର। ଶ୍ରୀ ମହାପାତ୍ର ଯଦି ମୁଖ୍ୟଶାସନ ସଚିବ ଭାବେ ନିଯୁକ୍ତି ପାଆନ୍ତି, ତେବେ ଉନ୍ନୟନ କମିସନର ଭାବେ ମଧ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦେଖିବାକୁ ମିଳିବ। ୧୯୮୭ ବ୍ୟାଚ୍ ଆଇଏଏସ୍ ତଥା କୃଷି ଉତ୍ପାଦନ କମିସନର ରାଜ କୁମାର ଶର୍ମା ଓ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ୧୯୮୮ ବ୍ୟାଚ୍ ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ନାମ ଏହି ପଦ ଲାଗି ଚର୍ଚ୍ଚାରେ ରହିଛି। କିଛି ବରିଷ୍ଠ ପ୍ରଶାସକଙ୍କ କହିବା କଥା ହେଲା, ଓଡ଼ିଶା କ୍ୟାଡର ଶୀର୍ଷରେ ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବା ଉପେନ୍ଦ୍ର ପ୍ରସାଦ ସିଂହଙ୍କ ନାମ ରହିଛି। ୧୯୮୫ ବ୍ୟାଚ୍‌ର ଏହି ଅଧିକାରୀ ୨୦୨୨ ଅକ୍ଟୋବରରେ ଅବସର ନେବେ। ହେଲେ ତାଙ୍କ ପରବର୍ତ୍ତୀ ବ୍ୟାଚ୍‌ର ଅସିତ୍ ତ୍ରିପାଠୀ ମୁଖ୍ୟସଚିବ ରହିସାରିଥିବାରୁ ସେ ଆଉ ଓଡ଼ିଶା ଆସି ଏହି ପଦବି ଗ୍ରହଣ କରିବା ସମ୍ଭାବନା କ୍ଷୀଣ। ଏପରି ପରିସ୍ଥିତିରେ ଶ୍ରୀ ମହାପାତ୍ର ହିଁ ରାଜ୍ୟ ପ୍ରଶାସନରେ ସବୁଠାରୁ ବରିଷ୍ଠ ଓ ଦକ୍ଷ ଏବଂ ପ୍ରଭାବଶାଳୀ। ସେ ଯେଉଁଠି ଯେତେବେଳେ ରହିଛନ୍ତି, ସେଠାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଏଣୁ ସରକାର ତାଙ୍କୁ ଛାଡି ଆଉ କାହାକୁ ବାଛିବା ସମ୍ଭାବନା ନାହିଁ। ୧୯୮୬ ବ୍ୟାଚ୍‌ର ଆଉ ଦୁଇ ଅଧିକାରୀ ଜି ଭି ଭି ଶର୍ମା ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ଓ ସୁଦର୍ଶନପାଲ ଠାକୁର କେବିକେ ପ୍ରଶାସକ ତଥା ଗୋପବନ୍ଧୁ ଏକାଡେମି ଦାୟିତ୍ବରେ ଅଛନ୍ତି। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ଦୁଇ ଅଧିକାରୀ ମୁଖ୍ୟସଚିବ ଦୌଡରେ ନାହାନ୍ତି। ସେହିଭଳି ୧୯୮୭ ବ୍ୟାଚ୍‌ରେ ଚାରିଜଣ ବରିଷ୍ଠ ଅଧିକାରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ତୁହିନକାନ୍ତ ପାଣ୍ଡେ ଓ ନିକୁଞ୍ଜ ସୁନ୍ଦରାୟ, ରାଜେଶ ବର୍ମା କେନ୍ଦ୍ରୀୟ ଡେପୁସେନରେ ଅଛନ୍ତି। ଅନ୍ୟ ଜଣେ ଅଫିସର ହେଲେ ରାଜକୁମାର ଶର୍ମା ଯିଏ କୃଷି ଉତ୍ପାଦନ କମିସନର ଅଛନ୍ତି। ୧୯୮୮ ବ୍ୟାଚ୍ ଅଫିସର ସି ଜେ ବେଣୁଗୋପାଳ ରାଜସ୍ବ ପର୍ଷଦ ସଦସ୍ୟ ଅଛନ୍ତି ଓ ପ୍ରଦୀପ୍ତ ମହାପାତ୍ର ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଅଛନ୍ତି। ରାଜ୍ୟ ସରକାର ପରାଗ ଗୁପ୍ତାଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବତନ ପ୍ରଶାସକମାନଙ୍କର କହିବା କଥା ହେଉଛି, ସୁରେଶ ମହାପାତ୍ର ମୁଖ୍ୟ ସଚିବ ହେଲେ ବରିଷ୍ଠତା ତାଲିକାରେ କୌଣସି ଦ୍ବନ୍ଦ୍ବ ରହିବ ନାହିଁ। ସରକାର ଯଦି ୧୯୮୭ ବ୍ୟାଚ୍‌କୁ ବିଚାରକୁ ନିଅନ୍ତି,ତେବେ ଶ୍ରୀ ମହାପାତ୍ରଙ୍କୁ ପ୍ରଥମେ ସଚିବାଳୟ ବାହାରେ ନିଯୁକ୍ତି ଦେବାକୁ ପଡ଼ିବ। ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିବା ଆଇଏଏସ୍ ରାଜେଶ ବର୍ମାଙ୍କୁ ସୁଯୋଗ ମିଳିପାରେ। ହେଲେ ଏତେ ବରିଷ୍ଠଙ୍କୁ ବାଦ୍‌ ଦେଇ ପ୍ରଦୀପ୍ତ ମହାପାତ୍ରଙ୍କୁ ମୁଖ୍ୟସଚିବ କଲେ ପ୍ରଶାସନିକ ଭାରସାମ୍ୟରେ ଅଡୁଆ ପରିସ୍ଥିତି ହୋଇପାରେ, ବିବାଦ ବି। ଏମିତିରେ ବି ଶ୍ରୀ ମହାପାତ୍ରଙ୍କ ଅବସର ୨୦୨୪ ଯାଏ ଥିବାରୁ ତାଙ୍କ ପାଇଁ ଯଥେଷ୍ଟ ସୁଯୋଗ ରହିଛି। ତେବେ ଖୁବ୍ ଶୀଘ୍ର ସରକାର ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିପାରନ୍ତି ବୋଲି ସୂଚନା ମିଳିଛି। ୨୦୧୯ ଅଗଷ୍ଟ ୧୯ ତାରିଖରେ ଶ୍ରୀ ତ୍ରିପାଠୀ ମୁଖ୍ୟଶାସନ ସଚିବ ଭାବେ କାର୍ଯ୍ୟାରମ୍ଭ କରିଥିଲେ। କରୋନା ମୁକାବିଲା କ୍ଷେତ୍ରରେ ତାଙ୍କର ଭୂମିକା ଉଲ୍ଲେଖନୀୟ ବୋଲି ବିଚାର କରାଯାଉଛି। କେବଳ ସେତିକି ନୁହେଁ, ପ୍ରଶାସନିକସ୍ତରରେ ଭାରସାମ୍ୟ ରଖିବା, ସର୍ବୋପରି ସବୁ ବରିଷ୍ଠ ଓ କନିଷ୍ଠଙ୍କୁ ସାଙ୍ଗରେ ରଖି ଶ୍ରୀ ତ୍ରିପାଠୀ ପ୍ରଶାସନରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି।

Share Now:

Kalinga News Beuro

Next Post

ବ୍ରିଟେନ, ଦକ୍ଷିଣ-ଆଫ୍ରିକା ପରେ ନାଇଜେରିଆରେ କରୋନାର ନୂଆ ଭୁତାଣୁ ଚିହ୍ନଟ

Thu Dec 24 , 2020
ନୂଆଦିଲ୍ଲୀ : ବ୍ରିଟେନରେ ଚିହ୍ନଟ ନୂଆ କରୋନା ଭାଇରସ ସାରା ବିଶ୍ବରେ ଆତଙ୍କ ଖେଳାଇଥିବାବେଳେ ଆଫ୍ରିକୀୟ ଦେଶ ନାଇଜେରିଆରେ କରୋନାର ଆଉ ଏକ ରୂପାନ୍ତରଣ ଦେଖିବାକୁ ମିଳିଛି। ଆବଶ୍ୟ ନାଇଜେରିଆରେ ଏହି ନୂତନ ଭୁତାଣୁ ଉପରେ ଅଧିକ ଗବେଷଣା ଚାଲିଛି। ଯଦି ନାଇଜେରିଆ ସରକାରଙ୍କ ଆଶଙ୍କା ସତ ହୁଏ, ତେବେ ବ୍ରିଟେନ ଓ ଦକ୍ଷିଣ ଆଫ୍ରିକା ପରେ ଏହା ହେବ କରୋନା ଭୁତାଣର ଆଉ ଏକ ନୂଆ ରୂପ। ଚିହ୍ନଟ […]
୨୪ ଘଣ୍ଟା ମଧ୍ୟରେ ପୁଣି ୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial