ନୂଆ ବର୍ଷ ପାଇଁ କଟକଣା ବଢ଼ିଲା: ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଉପରେ ରୋକ୍‌, ବଡ଼ ସହରରେ ସତର୍କତା

ନୂଆ ବର୍ଷ ପାଇଁ କଟକଣା

ନୂଆଦିଲ୍ଲୀ : ବ୍ରିଟେନ୍‌ରେ ଚିହ୍ନଟ ହୋଇଥିବା ନୂଆ ପ୍ରଜାତିର କରୋନା ଭୂତାଣୁ ବିଶ୍ବର ‌ଅନେକ ଦେଶରେ ଭୟ ଖେଳାଇ ଦେଲାଣି। ଏଥିଯୋଗୁ କେତେକ ଦେଶ ଓ ରାଜ୍ୟରେ ଏବେ ପୁଣି ନୂଆ କଟକଣା ଆରମ୍ଭ ହୋଇଯାଇଛି। ଭାରତର କେତେକ ରାଜ୍ୟରେ ଏଥିପାଇଁ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଉପରେ ରୋକ୍‌ ଲାଗିଛି। ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଇଛି। ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ, ଉତ୍ତରାଖଣ୍ଡ ଭଳି ୫ଟି ରାଜ୍ୟରେ କଟକଣା କଡ଼ାକଡ଼ି କରାଯାଇଛି। ମହାରାଷ୍ଟ୍ର‌ରେ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାତି ୧୧ରୁ ସକାଳ ୬ ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଛି। ମୁମ୍ବାଇ ସମେତ ମହାରାଷ୍ଟ୍ରର ଅନ୍ୟ କୌଣସି ବଡ଼ ସହରରେ ବି ନୂଆ ବର୍ଷ ଉତ୍ସବ ପାଳନ ହେବନି। ନୂଆବର୍ଷ ଉତ୍ସବ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟରେ ମାତ୍ର ୫୦ ‌ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳିବ। ମୁମ୍ବାଇ ପୁଲିସ ଡିସିପି ଏସ୍‌ ‌ଚୈତନ୍ୟ କହିଛନ୍ତି, ପ୍ରତି ବର୍ଷ ନୂଆ ବର୍ଷ ପାଳନ ପାଇଁ ମୁମ୍ବାଇରେ ବିଶାଳ ଜନସମାଗମ ହୁଏ, କିନ୍ତୁ ଚଳିତ ବର୍ଷ ଏହା ସମ୍ଭବ ନୁହେଁ। କୌଣସି ନିୟମାବଳି ଯେଭଳି ଉଲ୍ଲଂଘନ ନହୁଏ ସେନେଇ ସଚେତନ ରହିବାକୁ ସେ ପୁଲିସ ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। ମୁମାଇରେ ମଧ୍ୟ ୧୪୪ ଧାରା ଜାରି ହୋଇଛି। ୪ରୁ ଅଧିକ ଲୋକଙ୍କୁ ଗୋଟିଏ ସ୍ଥାନରେ ଏକାଠି ନହେବା ପାଇଁ କୁହାଯାଇଛି। ସେହିଭଳି ତାମିଲନାଡ଼ୁରେ ଡିସେମ୍ବର ୩୧ ଏବଂ ଜାନୁଆରି ୧ରେ ରେସ୍ତୋରାଁ, କ୍ଲବ୍‌, ପବ୍‌, ରିସର୍ଟ, ବିଚ୍‌ ‌ରିସର୍ଟରେ ‌କୌଣସି କାର୍ଯ୍ୟକ୍ରମ ହେବନି। କିନ୍ତୁ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ନାହିଁ। ନୂଆ ବର୍ଷ ପାର୍ଟି ପାଇଁ ଚେନ୍ନାଇର ଲୋକପ୍ରିୟ ମାରିନା ବେଳାଭୂମି ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। କର୍ଣ୍ଣାଟକ ସରକାର ମଧ୍ୟ ଡିସେମ୍ବର ୨୩ରୁ ଜାନୁଆରି ୨ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଘୋଷଣା କରିଛନ୍ତି। କ୍ଲବ୍‌, ପବ୍‌ ଏବଂ ରେସ୍ତୋରାଁ ଗୁଡ଼ିକରେ ପାର୍ଟି ହୋଇପାରିବନି ବୋଲି କୁହାଯାଇଛି। ରାଜସ୍ଥାନ ସରକାର ୧ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରମାନଙ୍କରେ ଡିସେମ୍ବର ୩୧ ତାରିଖ ରାତି ୮ଟାରୁ ଜାନୁଆରି ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସନ୍ଧ୍ୟା ୭ଟା ସୁଦ୍ଧା ବଜାର ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। କୌଣସି ସର୍ବସାଧାରଣ ସ୍ଥା‌ନରେ ନୂଆ ଉତ୍ସବ ପାଇଁ କାର୍ଯ୍ୟକ୍ରମ ପାଳନ ହୋଇପାରିବନି। ଉତ୍ତରାଖଣ୍ଡରେ ମଧ୍ୟ ହୋଟେଲ୍‌, ବାର୍‌, ରେସ୍ତୋରାଁ ଏବଂ ଅନ୍ୟ ସର୍ବସାଧାରଣ ସ୍ଥାନମାନଙ୍କରେ ସେଲିବ୍ରେସନ୍‌ ଉପରେ ରୋକ୍‌ ଲଗାଯାଇଛି। ନିୟମ ଉଲ୍ଲଂଘନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଅଧୀନରେ ଦଣ୍ଡିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।।

ଏଥର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରଙ୍ଗାରଙ୍ଗ ଜିରୋନାଇଟ୍‌ ସେଲିବ୍ରେସନ୍ ହେବନି। ବ୍ରାଜିଲ୍‌ର ବେଲି ଡ୍ୟାନ୍ସ ହେବନି କି ସାଲ୍‌ସାର ତାଳତାଳେ କେହି ନାଚି‌ବେନି। ଇଣ୍ଡିଆନ୍‌ ଆଇଡଲ୍‌ ଫେମ୍‌, ସାରେଗାମା ଫେମ୍‌ଙ୍କ ଗୀତରେ ପୁରୁଣା ବର୍ଷକୁ ବିଦାୟ ଦେଇ ହେବନି। ସାଙ୍ଗସାଥୀଙ୍କ ସହ କ୍ଲବ୍‌ରେ ଏକାଠି ହୋଇ ପାର୍ଟି ବି କରିହେବନି। କେବଳ ଯାହା ହେବ ନିଜ ଘରେ। ରାଜଧାନୀବାସୀ ଏଥର ଘରେ ଜିରୋନାଇଟ୍‌ ସେଲିବ୍ରେସନ୍ କରିବାକୁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କରୋନା କଟକଣା ପାଇଁ ରାଜଧାନୀର ବିଭିନ୍ନ ଧର୍ମାନୁଷ୍ଠାନରେ ହେଉଥିବା ପର୍ବପର୍ବାଣୀ ଉପରେ ରୋକ୍‌ ଲାଗିଥିବା ବେଳେ ଏବେ ହୋଟେଲ, କ୍ଲବ୍‌, କନଭେନସନ୍ ସେଣ୍ଟର, କଲ୍ୟାଣମଣ୍ଡପ ଆଦିରେ ଜିରୋ ନାଇଟ୍ ପାଳନ ଉପରେ ରୋକ୍‌ ଲାଗିଛି। ବିଏମ୍‌ସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେ ଜିରୋ ନାଇଟ୍‌ ପାଳନ ପାଇଁ କେଉଁଠି ବି ଜନଗହଳି ହୋଇପାରିବନି। ଲୋକମାନେ ନିଜ ଘରେ, ପ୍ରତିଷ୍ଠାନ ପରିସରରେ ପରିବାରଲୋକ, ସାଙ୍ଗସାଥୀ, ସମ୍ପର୍କୀୟଙ୍କୁ ନେଇ ନୂଆବର୍ଷ ପାଳନ କରିପାରିବେ। କିନ୍ତୁ ସମସ୍ତଙ୍କୁ କରୋନା କଟକଣା ମାନିବାକୁ ହେବ। ଯଦି କେହି ନିୟମ ଉଲ୍ଲଂଘନ କରନ୍ତି,‌ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୌଣସି ହୋଟେଲ, କ୍ଲବ୍‌, ମଣ୍ଡପ ଆଦିରେ ଜିରୋନାଇଟ୍‌ ସେଲିବ୍ରେସନ୍ ହେଉଥିଲେ, ସେଗୁଡ଼ିକୁ ସିଲ୍‌ କରାଯିବା ସହ ଆୟୋଜକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଡିସେମ୍ବର ୩୧ରେ ଯେପରି କେହି କୋଭିଡ୍‌ ନିୟମ ଉଲ୍ଲଂଘନ ନ କରନ୍ତି,‌ ତାହା ଉପରେ ନଜର ରଖିବା ସହ କଡ଼ାକଡ଼ି ଚେକିଂ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଏମ୍‌ସି ଓ ବିଡିଏର ଉଚ୍ଛେଦ ଦାୟିତ୍ବରେ ଥିବା ଦୁଇ ଅତିରିକ୍ତ କମିସନର, ସମସ୍ତ ଜୋନାଲ ଡେପୁଟି କମିସନର, ଭୁବନେଶ୍ବର ଡିସିପି, ଏସ୍‌ଆର୍‌ସି, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟସଚିବଙ୍କୁ ଏହି ଚିଠିର ନକଲ ଦିଆଯାଇଛି।

Share Now:

Kalinga News Beuro

Next Post

ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍‌ ମାମଲା : ଧରାପଡ଼ିଲେ ୪ କୁଖ୍ୟାତ ଲୁଟେରା ୨ ଭୁଜାଲି, ୧୦ ହଜାର ଟଙ୍କା ଜବତ

Tue Dec 29 , 2020
ବାଲିଅନ୍ତା : ବାଲିପାଟଣା ଓ ବାଲିଅନ୍ତା ଥାନା ଅଞ୍ଚଳରେ ମାତିଥିବା ଏକ କୁଖ୍ୟାତ୍ ଲୁଟେରା ଗ୍ୟାଙ୍ଗ୍‌କୁ ଧରିବାରେ ବାଲିଅନ୍ତା ଥାନା ପୁଲିସ ସଫଳ ହୋଇଛି। ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଟାର୍ଗେଟ୍‌ କରି ଲୁଟୁଥିବା ଗୋଟିଏ ବଡ଼ ଗ୍ୟାଙ୍ଗ୍‌ ପୁଲିସ ଜାଲରେ ପଡ଼ିଛି। ଗିରଫ ୪ ଅଭିଯୁକ୍ତ ହେଲେ ବାଲିଅନ୍ତା ଥାନା ବେଣ୍ଟପୁର ଭୋଇସାହିର ସମୀର ଭୋଇ ଓରଫ ବଙ୍କା (୨୫), ରାକେଶ ଭୋଇ ଓରଫ ରାକା(୨୪), ରାଜେନ୍ଦ୍ର ଭୋଇ […]
ଧରାପଡ଼ିଲେ ୪ କୁଖ୍ୟାତ ଲୁଟେରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial