ଓଡ଼ିଶାର ୬ ଜଣଙ୍କୁ ପଦ୍ମ ସମ୍ମାନ : କଳା-ଭାସ୍କର୍ଯ୍ୟ, ଶିକ୍ଷା-ସାହିତ୍ୟ ଓ ସେବାର ୬ ପ୍ରଦୀପ

ଓଡ଼ିଶାର ପଦ୍ମ ସମ୍ମାନ ବିଜେତା

ଭୁବନେଶ୍ୱର : ଓଡିଶାରୁ ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କଳା-ଭାସ୍କର୍ଯ୍ୟ, ଶିକ୍ଷା-ସାହିତ୍ୟ ଓ ସେବାର ପ୍ରତୀକ ଭାବରେ ଭାରତ ସରକାର ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି। ପଦ୍ମ ସମ୍ମାନ ପାଇ ଓଡିଶାକୁ ଗର୍ବିତ କରିଥିବା ଏହି ବିଶିଷ୍ଟ ବିଭୁତି ମାନଙ୍କ ବିଷୟରେ ସମ୍ୟକ ଆଲେଖ୍ୟ।
ସୁୁଦର୍ଶନ ସାହୁ : ଏହି ପୁରସ୍କାର ଓଡ଼ିଶା ଓ ଭାରତବାସୀଙ୍କ ପାଇଁ
ପଦ୍ମବିଭୂଷଣ ସମ୍ମାନ ପାଇଁ ମନୋନୀତ ହେବା ପରେ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହି ପୁରସ୍କାରର ଶ୍ରେୟ ଓଡ଼ିଶା ତଥା ଭାରତବାସୀଙ୍କର। ମୋ ପରି ଅନ୍ୟ ଶିଳ୍ପୀମାନଙ୍କୁ ମଧ୍ୟ ମୁଁ ଏହାକୁ ଉତ୍ସର୍ଗ କରୁଛି। ମୁଁ ଭାସ୍କର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ମୋ ପିତାଙ୍କ ଠାରୁ ପ୍ରଥମେ ପ୍ରେରଣା ପାଇଥିଲି। ତାଙ୍କ ପାଖରୁ ମୁଁ କାରିଗରୀ ବିଦ୍ୟା ଅଧ୍ୟୟନ କରିଥିଲି। ମୋ ଭାଇ ମଧ୍ୟ ଏଥିରେ ବହୁ ସାହାଯ୍ୟ କରିଥିଲେ। ସମ୍ପ୍ରତି ରାଜ୍ୟ ତଥା ଦେଶରେ ବହୁ ଦକ୍ଷ ଶିଳ୍ପୀ ଏ କ୍ଷେତ୍ରରେ କାର୍ଯ୍ୟରତ। ସରକାର ସେମାନଙ୍କୁ ପ୍ରୋତ୍ସାହନ ଦିଅନ୍ତୁ। ଫଳରେ ଭାସ୍କର୍ଯ୍ୟ କ୍ଷେତ୍ରରେ ଦେଶ ବହୁ ଆଗକୁ ଯାଇପାରିବ।
ଶାନ୍ତି ଦେବୀ : ଏହି ସମ୍ମାନ ଆଦିବାସୀ ଓ ଅନାଥ ପିଲାଙ୍କ ପାଇଁ ଉପହାର
ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ଆଦିବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍, ଉଚ୍ଚ ଶିକ୍ଷିତ, ଅନାଥ ଶିଶୁକନ୍ୟା ଓ ଅସହାୟ ମହିଳାଙ୍କୁ ସାହାଯ୍ୟ କରିବାର ଲକ୍ଷ୍ୟ ନେଇ ୧୯୫୧ ମସିହାରୁ କାମ ଆରମ୍ଭ କରିଥିଲେ ଶାନ୍ତି ଦେବୀ। ସ୍ବାମୀ ସମାଜସେବୀ ଡ. ରତନ ଦାଶଙ୍କ ସହାୟତାରେ ଖମ୍ବେସି ଶଙ୍ଖଳପଦର ଗ୍ରାମରେ ଆଶ୍ରମ ସ୍ଥାପନା କରି ଆଦିବାସୀ ପିଲାଙ୍କ ଲାଳନ ପାଳନ ଆରମ୍ଭ କରିଥିଲେ। ୧୯୫୫-୫୬ ରେ ଆଚାର୍ଯ୍ୟ ବିନୋବା ଭାବେଙ୍କୁ ସାକ୍ଷାତ ପରେ ଭୂଦାନ ସର୍ବୋଦୟ ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ୧୯୬୧ରେ ଉତ୍କଳ ନବ ଜୀବନ ମଣ୍ଡଳର ସଂପାଦକ, ଉତ୍କଳ ସର୍ବୋଦୟ ମଣ୍ଡଳର କାର୍ଯ୍ୟକାରୀ ସଦସ୍ୟ ଭାବେ ଶାନ୍ତି ଦେବୀ ମନୋନୀତ ହୋଇଥିଲେ। ୧୯୬୪ ମସିହାରେ ଗୁଣପୁରରେ ସେବା ସମାଜ ନାମରେ ସଂଗଠନ ଗଢ଼ି ଶାନ୍ତି ଦେବୀ ଆଦିବାସୀ ବାଳିକାଙ୍କ ଲାଳନପାଳନ ସହ କନ୍ୟାମାନଙ୍କ ଶିକ୍ଷାର ଉନ୍ନତି ନିମନ୍ତେ କାର୍ଯ୍ୟ କରି ଆସୁଛନ୍ତି। ଆଦିବାସୀଙ୍କ ସେବାରେ ନିଜକୁ ବ୍ରତୀ କରିଥିବା ଶାନ୍ତି ଦେବୀଙ୍କ ନିଷ୍ଠାପର ଉଦ୍ୟମ, ସ୍ବାର୍ଥ ବିହୀନ ସେବା ପାଇଁ ପଦ୍ମଶ୍ରୀ ସମ୍ମାନ ପୂର୍ବରୁ ରାଜ୍ୟ ଓ ଜାତୀୟ ସ୍ତରରେ ବହୁ ସମ୍ମାନ ମିଳିଛି। ଦେଶର ଚତୁର୍ଥ ସର୍ବବୃହତ ବେସାମରିକ ପୁରସ୍କାରରେ ସମ୍ମାନିତ ହେବା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଫୋନ୍ ଯୋଗେ ସୂଚନା ମିଳିବା ପରେ ଗୁଣପୁରରେ ଖୁସିର ଲହରୀ ଖେଳି ଯାଇଛି। ଉପଜିଲ୍ଲାପାଳ ସୋନାଲ ଜେନା ଫୋନ୍ ମାଧ୍ୟମରେ ଶାନ୍ତି ଦେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସମ୍ମାନ ଆଦିବାସୀ ଓ ଅନାଥ ପିଲାଙ୍କ ପାଇଁ ଉପହାର ବୋଲି ପ୍ରତିକ୍ରିୟାରେ କହିଛନ୍ତି ଶାନ୍ତି ଦେବୀ। ପ୍ରକାଶଥାଉକି, ୧୯୩୪ ଏପ୍ରିଲ୍ ୧୮ ତାରିଖରେ ବାଲେଶ୍ବର ଜିଲ୍ଲାର ଗୋପାଳ ଗାଁରେ ଜନ୍ମିତ ଶାନ୍ତି ଦେବୀ ସମାଜସେବୀ ରତନ ଦାଶଙ୍କୁ ମାତ୍ର ୧୭ବର୍ଷ ବୟସରେ ବିବାହ କରିବା ପରେ ୧୯୫୧ ମସିହାରୁ ଅବିଭକ୍ତ କୋରାପୁଟର ଗୁଣପୁର ସହରରେ ରହି ଆସୁଛନ୍ତି।
ରଜତ କର : ଟିକେ ସେବା ବଦଳରେ ମହାପ୍ରଭୁ ମତେ ଅନେକ କିଛି ଦେଇଛନ୍ତି ୧୯୩୪ ମସିହାରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ରଜତ କୁମାର ଜର ଜଣେ ଶିକ୍ଷାବିତ୍‌ ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ପରିଚିତ। ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ଶ୍ରୀ କର ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଏସ୍‌ସିଇଆର୍‌ଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଭଞ୍ଜ ସାହିତ୍ୟକୁ ଲୋକପ୍ରିୟ କରିବା ପାଇଁ ସେ ନିରନ୍ତର ଭାବେ କାର୍ଯ୍ୟରତ। ସେ ବହୁ ନାଟକ, କବିତା ଓ ପ୍ରବନ୍ଧ ପୁସ୍ତକ ରଚନା କରିଛନ୍ତି। ପଦ୍ମଶ୍ରୀ ପାଇଁ ତାଙ୍କ ନାମ ଘୋଷଣା ହେଲା ନିଜ ପ୍ରତିକ୍ରିୟାରେ ଶ୍ରୀ କର କହିଛନ୍ତି ଯେ ମୋତେ ଏବେ ୮୭ ବର୍ଷ ବୟସ ହେଲାଣି। ଜଗନ୍ନାଥଙ୍କ କୃପାରୁ ଆଜି ବି ମୁଁ ବାଦି ପାଲା ଆୟୋଜନ କରିପାରୁଛି। ଏହା ମୋର କୃତିତ୍ବ ନୁହେଁ, ମହାପ୍ରଭୁଙ୍କ କରୁଣା। ମୁଁ ଜଣେ ଅର୍ଥନୀତି ଛାତ୍ର, କିନ୍ତୁ ଏ ଜାତିକୁ ଭଲ ପାଇ ମୁଁ ସାହିତ୍ୟାନୁରାଗୀ ହେଲି। ଜଗନ୍ନାଥଙ୍କୁ ନେଇ ଏ ଓଡ଼ିଆ ଜାତି ଉଠିଛି, ବିସ୍ତାରିତ ହୋଇଛି। ମୁଁ ମୋର ସମସ୍ତ ଲେଖା, ବୈଠକ ଓ ରନିଂ କମେଣ୍ଟ୍ରିରେ ଏହି କଥା ହିଁ କହିଥାଏ। ୧୯୫୯ରୁ ମୁଁ ରନିଂ କମେଣ୍ଟ୍ରି ଦେଇଆସୁଛି। ୬୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ମୁଁ ଏଥିରେ ନିୟୋଜିତ ହୋଇଆ‌ସିଛି। ଜଗନ୍ନାଥଙ୍କର ଅସ୍ତିତ୍ବ କିଭଳି, ଜଗନ୍ନାଥଙ୍କୁ ନେଇ ଯେଉଁ ନୀଳ ରଙ୍ଗ, ତାହା ‌ହେଉଛି ଅନନ୍ତ ନୀଳିମା ବ୍ରହ୍ମ, ସେହି ବ୍ରହ୍ମର ପ୍ରତିଫଳନରେ ଜୀବ ରୂପରେ ଯିଏ ଆସନ୍ତି ସେ ହେଉଛନ୍ତି ବଳଭଦ୍ର। ସୁଭଦ୍ରା ହେଉଛନ୍ତି ସେଇ ସୃଜନ ଶକ୍ତି, ଯାହା ସେହି ବ୍ରହ୍ମରୁ ଉତ୍ପତ୍ତି। ମୁଁ ଏହିଭଳି ଭାବେ ମହାପ୍ରଭୁଙ୍କୁ ଦେଖିଛି ଓ ସେହି ଭା‌ବରେ ଜଗନ୍ନାଥଙ୍କ ବିକାଶକୁ ମୁଁ ପ୍ରତିପାଦିତ କରିଛି। ଏହି ସାମାନ୍ୟ ଟିକେ ସେବା ବଦଳରେ ମହାପ୍ରଭୁ ମତେ ଆଜି ଏତେ ବଡ଼ ସମ୍ମାନର ଅଧିକାରୀ କରିଛନ୍ତି। ଏହା ହେଉଛି ମହାପ୍ରଭୁଙ୍କର ମୋ ପ୍ରତି ଅପାର କୃପା ଓ ଓଡ଼ିଶାବାସୀଙ୍କ ସ୍ନେହ ଶ୍ରଦ୍ଧା। ଜଗନ୍ନାଥଙ୍କୁ ଓ ଓଡ଼ିଶାକୁ ମୁଁ ଯେତିକି ବୁଝିଛି, ସେତିକି ବୁଝେଇବାକୁ ଚେଷ୍ଟା କରିଛି ମୋ ମା’ ମାଉସୀମାନଙ୍କୁ। ତା’ ବଦଳରେ ଆଜି ମୁଁ ବହୁତ କିଛି ପାଇ ଯାଇଛି।
ନନ୍ଦକିଶୋର ପୃଷ୍ଟି : ୯୮ ବର୍ଷରେ ଗଛ‌ମୂଳେ ପାଠ ପଢ଼ାଉଥିଲେ
ଯାଜପୁର ଜିଲ୍ଲା ସୁକିନ୍ଦା ମାଟିର ବର୍ଷୀୟାନ ଚାଟଶାଳି ଶିକ୍ଷକ ନନ୍ଦକିଶୋର ପୃଷ୍ଟି ପାଇବେ ପଦ୍ମଶ୍ରୀ ସମ୍ମାନ। ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ଭାରତ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦୀର୍ଘ ୭୪ ବର୍ଷ ଧରି ଗଛମୂଳେ ସେ ଗାଁ ଛୁଆଙ୍କୁ ପଢ଼ାଇ ଆସୁଛନ୍ତି। ୩ରୁ ୬ ବର୍ଷର ଶିଶୁମାନେ ତାଙ୍କ ଛାତ୍ରଛାତ୍ରୀ। ଆଖପାଖରେ ଚାଟଶାଳି ମାଷ୍ଟ୍ରେ ଭାବେ ସେ ପରିଚିତ। ତାଙ୍କର ଏହି ଦୀର୍ଘ ସାଧନାର ଫଳ ଆଜି ମିଳିଛି। ଶିକ୍ଷା ପ୍ରତି ଉତ୍ସର୍ଗୀକୃତ ସେବା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଲାଗି ମନୋନୀତ କରାଯାଇଛି। ନିକଟସ୍ଥ ହାତୀବାରି ସ୍କୁଲରୁ ୧୯୩୯ରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ନନ୍ଦସାର୍‌ ପରିବାରର ଆର୍ଥିକ ଦୁଃସ୍ଥିତି ପାଇଁ ଅଧିକ ପଢ଼ିପାରି ନଥିଲେ। ହେଲେ ଗାଁ ପିଲାଙ୍କୁ ମଣିଷ କରିବା ପାଇଁ ସେ ପରେ ଅଣ୍ଟା ଭିଡ଼ିଥିଲେ। ନନ୍ଦସାର୍‌ଙ୍କ ଚାଟଶାଳି ଆରମ୍ଭ ହୁଏ ୧୯୪୬ ମସିହାରୁ। ନିଜ ଗାଁ କନ୍ତିରା ଗ୍ରାମର ଘର ପିଣ୍ଡାରୁ ପାଠପଢ଼ା ଆରମ୍ଭ କରିବା ପରେ ଗାଁ ଦାଣ୍ଡ ଏବଂ କନ୍ତିରା ହନୁମାନ ମନ୍ଦିର ନିକଟରେ ଏବେ ସକାଳେ ଓ ସନ୍ଧ୍ୟାରେ ଚାଟଶାଳି ଚାଲୁଛି। ଯେଉଁଠାରେ ଦିନେ ଜେଜେ ଖଡ଼ିପାଠ ଶିଖିଥିଲେ, ଆଜି ସେଠାରେ ନାତି ମଧ୍ୟ ପାଠ ଆରମ୍ଭ କରିଛନ୍ତି। ବୟସ ବଢ଼ିଥିଲେ ବି ଶିକ୍ଷାଦାନରୁ ସେ ଓହରି ନାହାନ୍ତି। ଛୁଆଙ୍କ ହାତଧରି ମଧୁ ବର୍ଣ୍ଣବୋଧରେ ଲିଖିତ ପ୍ରତିଟି ଅକ୍ଷର, ଫଳା ଓ ଯୁକ୍ତାକ୍ଷରକୁ ଚିହ୍ନାଇ ଚାଲିଛନ୍ତି। ତାଙ୍କ ବିଷୟରେ ଜାଣିବା ପରେ ରାଜ୍ୟ ଶିକ୍ଷାମନ୍ତ୍ରୀ ମଧ୍ୟ ତାଙ୍କ ମୁକ୍ତ ଚାଟଶାଳି ବୁଲି ଉଚ୍ଚପ୍ରଶଂସା କରିଥିଲେ। ଏହି ବର୍ଷୀୟାନ ଗୁରୁ ନନ୍ଦ ସାର୍‌ଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ‌ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି।
ପୂର୍ଣ୍ଣମାସୀ ଯାନୀ : ଲୋକକବି ଓ ସନ୍ୟାସିନୀ; ଗାଇଛନ୍ତି ୧୦ ହଜାର ଭଜନ, ଜଣାଣ
କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାରିପଡ଼ା ଗ୍ରାମର ପ୍ରଖ୍ୟାତ ଲୋକକବି ତଥା ସନ୍ନ୍ୟାସିନୀ ପୂର୍ଣ୍ଣମାସୀ ଯାନୀ ଓରଫ ଟାଡ଼ିସରୁ ବାଇଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି। ପୂର୍ଣ୍ଣମାସୀ ସମ୍ପୂର୍ଣ୍ଣ ନିରକ୍ଷର ଥିଲେ ମଧ୍ୟ ସମସ୍ତ ପୁରାଣ, ଶାସ୍ତ୍ର, ପୋଥି ତାଙ୍କ ମୁହଁରେ ଥିଲା। ଏଯାବତ ତାଙ୍କ ମୁଖନିସୃତ ପ୍ରାୟ ୧୦ ହଜାର ଭଜନ, ଜଣାଣ ଲିଖିତ ଓ ରେକର୍ଡିଂ କରି ରଖାଯାଇଛି। ସନ୍ଥକବି ଭୀମ ଭୋଇଙ୍କ ଭଳି ଟାଡ଼ସରୁ ବାଇଙ୍କ ଭଜନ ଶୁଣିବାକୁ ଲୋକମାନଙ୍କର ଆଗ୍ରହ ଦେଖାଦେଇଥାଏ। ପୂର୍ଣ୍ଣମାସୀଙ୍କ ସ୍ବାମୀ ଆରାଧନା ଯାନୀ ମଧ୍ୟ ଜଣେ ବିଷ୍ଣୁଭକ୍ତ ଥିଲେ। ସ୍ବାମୀଙ୍କ ସହ ସେ ବିଷ୍ଣୁଙ୍କ ଭଜନ କୀର୍ତ୍ତନରେ ଅଧିକ ସମୟ ଦେଉଥିଲେ। ୧୯୪୪ ମସିହାରେ ଦଳପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ପୂର୍ଣ୍ଣମାସୀ। ତାଙ୍କ ପିତାଙ୍କ ନାମ ନୀଳକଣ୍ଠ ଯାନୀ ଏବଂ ମାତାଙ୍କ ନାମ ରାଣୀମତି ଯାନୀ। ପୂର୍ଣ୍ଣମାସୀଙ୍କ ପିତା ଜଣେ ଶିକ୍ଷକ ଥିଲେ ମଧ୍ୟ ସେ ସମୟରେ ଗ୍ରାମାଞ୍ଚଳରେ ନାରୀ ଶିକ୍ଷା ପାଇଁ ବହୁ ପ୍ରତିବନ୍ଧକ ଥିବାରୁ ସେ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ଥିଲେ। ପୂର୍ଣ୍ଣମାସୀ ପିଲାଦିନୁ ସେ ଜଙ୍ଗଲରୁ କାଠ ଆଣିବା ସହ ଫଳମୂଳ ସଂଗ୍ରହ କରୁଥିଲେ। ପୂର୍ଣ୍ଣମାସୀଙ୍କ ୬ଟି ସନ୍ତାନ ଜନ୍ମଲାଭ କରିଥିଲେ ମଧ୍ୟ ସମସ୍ତ ସନ୍ତାନଙ୍କର ପରଲୋକ ହୋଇଯାଇଥିଲା। ଏହି ଦୁଃଖ ପୂର୍ଣ୍ଣମାସୀଙ୍କୁ ସନ୍ନ୍ୟାସିନୀ କରି ଦେଇଥିଲା। ଏହାପରେ ପୂର୍ଣ୍ଣମାସୀ ଜଙ୍ଗଲରେ ଏକ ଗୁମ୍ଫାରେ ରହି ସନ୍ଥ ଜୀବନ ବିତାଇଥିଲେ। ପୂର୍ଣ୍ଣମାସୀଙ୍କ ମୁଖନିସୃତ ଭଜନ ଓ ଜଣାଣ ସମଗ୍ର କନ୍ଧମାଳ ଜିଲ୍ଲାରେ ଲୋକପ୍ରିୟ ହୋଇପାରିଥିଲା। ୧୯୬୯ ମସିହାରେ ପୂର୍ଣ୍ଣମାସୀ ଟିକାବାଲି ନିକଟସ୍ଥ ବପଲମେଣ୍ଡି ପାହାଡ଼ (ଟାଡିସରୁ)ରେ ପାଦଦେଶରେ ତପସ୍ୟା କରି ନିର୍ବାଣପ୍ରାପ୍ତ ହୋଇଥିଲେ। ଏହା ପରଠୁ ପୂର୍ଣ୍ଣମାସୀ ଓରଫ ଟାଡ଼ିସରୁ ବାଇ ଜଣେ ବିଷ୍ଣୁଭକ୍ତ ସନ୍ନ୍ୟାସିନୀ ଭାବେ କନ୍ଧମାଳ ଜିଲ୍ଲାରେ ପରିଚିତ ହୋଇଥିଲେ। ସେ ଟାଡ଼ିସରୁ ପାହାଡ଼ ପାଦଦେଶରେ ତପସ୍ୟା କରି ନିର୍ବାଣପ୍ରାପ୍ତ ହୋଇଥିବାରୁ ତାଙ୍କ ନାମ ଟାଡିସରୁ ବାଇ ଭାବେ ପରିଚିତ ହୋଇଥିଲା। ସେ ପଦ୍ମଶ୍ରୀ ପାଉଥିବାରୁ ସମଗ୍ର କନ୍ଧମାଳ ଜିଲ୍ଲାରେ ଆନନ୍ଦର ଉଲ୍ଲାସ ଖେଳିଯାଇଛି।
ଡାକ୍ତର କୃଷ୍ଣମୋହନ ପାଠୀ : ଆଗକୁ ବଢ଼ିବା ପାଇଁ ପୁରସ୍କାର ପ୍ରେରଣା ଦେବ
ବ୍ରହ୍ମପୁରର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଫ୍ରଫେସର ଡାକ୍ତର କୃଷ୍ଣମୋହନ ପାଠୀ ପଦ୍ମଶ୍ରୀ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛନ୍ତି। ଏହି ପୁରସ୍କାର ଘୋଷଣା ପରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି। ଦୀର୍ଘ ବର୍ଷ ପରେ ଡ.ପାଠୀଙ୍କ ଭଳି ଜଣେ ମହାନ୍‌ ବ୍ୟକ୍ତିତ୍ବଙ୍କୁ ଏଭଳି ସମ୍ମାନକୁ ସବୁ ମହଲରୁ ସ୍ବାଗତ କରାଯାଇଛି। ପୁରସ୍କାର ଘୋଷଣା ପରେ ଡା.ପାଠୀ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି, ‘ ଏହି ପୁରସ୍କାର ଲାଗି ମନୋନୀତ ହୋଇଥିବାରୁ ବହୁତ ଖୁସି ଏବଂ ଆନନ୍ଦିତ। ମୋତେ ଏହି ପୁରସ୍କାର ଆଗକୁ ବଢ଼ିବା ଲାଗି ଆହୁରି ପ୍ରେରଣା ଦେବ। ମୋର ଚାରିରୁ ପାଞ୍ଚ ଜଣ ଛାତ୍ର ଇତିମଧ୍ୟରେ ପଦ୍ମ ପୁରସ୍କାର ପାଇ ସାରିଲେଣି। ମୁଁ ବହୁତ ପୂର୍ବରୁ ଏହି ପୁରସ୍କାର ପାଇବାର ଥିଲା। ନିଶ୍ଚିତ ଭାବେ ଏହି ପୁରସ୍କାର ଲାଗି ମୋତେ ବିଳମ୍ବରେ ମନୋନୀତ କରାଯାଇଛି। ଏଥିରେ ମୋ‌ର ତିଳେ ହେଲେ ଅବସୋସ କି ଦୁଃଖ ନାହିଁ। ଆହୁରି ଭଲ କାମ କରି ପଦ୍ମର ଅନ୍ୟ ବର୍ଗର ପୁରସ୍କାର ଗୁଡ଼ିକ ‌ପାଇବା ଲାଗି ଉଦ୍ୟମ କରିବି। ଏହି ପୁରସ୍କାର ଲାଗି ମନୋନୀତ ହେବା ପଛ ମା ସରସ୍ବତୀଙ୍କ ଆଶୀର୍ବାଦ ଓ ପତ୍ନୀ, ପୁଅ, ପରିବାରବର୍ଗଙ୍କ ସହଯୋଗ ଓ ପ୍ରେରଣା ରହିଛି।’ ଜଣେ ସଫଳ ବ୍ୟକ୍ତି ହେବାକୁ ହେଲେ ୯୦ ପ୍ରତିଶତ ଅଭିଳାଷ ତଥା ଇଚ୍ଛାଶକ୍ତି ଏବଂ ୧୦ ପ୍ରତିଶତ ପ୍ରେରଣା ଆବଶ୍ୟକ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀରେ ଆରମ୍ଭ ହେଲା ଆଦିବାସୀ ମେଳା: ଏଥର ଭର୍ଚୁଆଲ୍ ମାଧ୍ୟମରେ ବି ବୁଲିପାରିବେ ଲୋକେ

Wed Jan 27 , 2021
ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ଭୁବନେଶ୍ୱରର ୟୁନିଟ୍ ୧ସ୍ଥିତ ଆଦିବାସୀ ପଡ଼ିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା। ଏହି ମେଳା ଜାନୁଆରି ୨୬ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୯ ତାରିଖ ଯାଏଁ ଚାଲିବ। ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଲୋକମାନେ ଆଦିବାସୀ ମେଳା ବୁଲି ପାରିବେ। ଜନଜାତିଙ୍କ ଉତ୍ପାଦିତ ସାମଗ୍ରୀ ତଥା ଲଘୁ ବନଜାତ ସାମଗ୍ରୀକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ବିକ୍ରୟର ବ୍ୟବସ୍ଥା କରାଯାଇଛି। ଏହି […]
ରାଜଧାନୀରେ ଆରମ୍ଭ ହେଲା ଆଦିବାସୀ ମେଳା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial