କରୋନା ବଢ଼ାଇବେ ଅମାନିଆ ଛାତ୍ରଛାତ୍ରୀ :ସାମାଜିକ ଦୂରତା ଶୂନ୍

ରମାଦେବୀରେ ୧୫୦ ଛାତ୍ରୀଙ୍କ କୋଭିଡ୍‌ ପରୀକ୍ଷା

ରମାଦେବୀରେ ୧୫୦ ଛାତ୍ରୀଙ୍କ କୋଭିଡ୍‌ ପରୀକ୍ଷା

ଭୁବନେଶ୍ୱର: ରାଜଧାନୀର ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନକୁ ମାଡ଼ି ଚାଲିଛି କରୋନା। ପ୍ରଥମେ ଏକ୍ସଆଇଏମ୍‌ବିରୁ ୨୫ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ଏହାକୁ ସିଲ୍‌ କରିଥିଲା। ଏବେ ଡଜନେରୁ ଅଧିକ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇସାରିଲେଣି। ଅମାନିଆ ଛାତ୍ରଛାତ୍ରୀଙ୍କ ଲାଗି ଏହି ଧାରା ଜାରି ରହିଛି। ପ୍ରତିଦିନ ଏକାଧିକ ଶିକ୍ଷାନୁଷ୍ଠାନରୁ କରୋନା ଆକ୍ରାନ୍ତ ବାହାରୁଛନ୍ତି। ‌ଯେଉଁଥିପାଇଁ ଇତିମଧ୍ୟରେ ଦୁଇଟି କୋଚିଂ ସେଣ୍ଟର ସମେତ ମୋଟ ୪ଟି ଶିକ୍ଷାନୁଷ୍ଠାନକୁ ସିଲ୍‌ କରାଯାଇ ସାରିଲାଣି। ଆଗକୁ ଆଉ କେତେ ଯେ ଶିକ୍ଷାନୁଷ୍ଠାନ ସିଲ୍‌ ହେବ ତାହା କହିବା ମୁସ୍କିଲ୍‌। କାରଣ ଅଧିକାଂଶ ଶିକ୍ଷାନୁଷ୍ଠାନରୁ ଆକ୍ରାନ୍ତ ବାହାରୁଥିଲେ ମଧ୍ୟ ତାହାକୁ ଲୋକଲୋଚନକୁ ଅଣାଯାଉ ନାହିଁ। ବରଂ ଚାପି ରଖାଯାଉଛି। ଯାହାକି ଭବିଷ୍ୟତରେ ଭୟଙ୍କର ରୂପ ନେବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ରାଜଧାନୀର ଏକାଧିକ ଘରୋଇ ବିଦ୍ୟାଳୟ ଓ କଲେଜର ବହୁ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା‌ବେଳେ ଏବେ ସରକାରୀ ବିଦ୍ୟାଳୟ ଓ କଲେଜରେ ବି କରୋନା ମାଡ଼ିବା ଆରମ୍ଭ କରିଛି। ଇତିମଧ୍ୟରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଜଣେ ଅଧ୍ୟାପିକା ଆକ୍ରାନ୍ତ ହୋଇଥିବା ବେଳେ ବିଜେବି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବି ସଂକ୍ରମଣର ଖବର ଆସିଛି। ଆଜି ସୁଦ୍ଧା ଦୁଇ ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟର ଜଣେ ପିଲା ବି ଆକ୍ରାନ୍ତ ହୋଇଥିଲେ। ଏବେ ରାଜଧାନୀରେ କରୋନା ଉପରମୁହାଁ ରହି ଥିଲେ ହେଁ ଅମାନିଆ ଛାତ୍ରଛାତ୍ରୀ ବୋଲ ମାନୁ ନାହାନ୍ତି। ସବୁ ସତର୍କତା ଓ ନିୟମକୁ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି। କରୋନା ତା’ ବାଟରେ ମାଡ଼ି ଚାଲିଥିବା ବେଳେ ପିଲାମାନେ ସତେ ଯେମିତି କରୋନାକୁ ଖୋଲା ଆମନ୍ତ୍ରଣ କରୁଛନ୍ତି। ଶିକ୍ଷାନୁଷ୍ଠାନ କ୍ୟାମ୍ପସ କିମ୍ବା ବାହାରେ କେଉଁଠି ବି ପାଳନ ହେଉନି କରୋନା କଟକଣା। ଛାତ୍ରଛାତ୍ରୀ ଏପରିକି ଅଧ୍ୟାପକ, ଅଧ୍ୟାପିକାମାନେ ବି ଖୁଲମ୍‌ଖୁଲା ବିନା ମାସ୍କରେ କଲେଜ ଆସୁଛନ୍ତି। କ୍ୟାମ୍ପସ ବାହାରେ ଖଟି ଜମାଉଛନ୍ତି। କେତେକ କ୍ୟାମ୍ପସରେ ଥର୍ମାଲ୍‌ ସ୍କ୍ରିନିଂ ହେଉ ନ ଥିବା ବେଳେ ଆଉ କେତେକ ସ୍ଥାନରେ ହାତ ବିଶୋଧନ ଲାଗି ସାନିଟାଇଜର ନାହିଁ। କ୍ୟାମ୍ପସ ବାହାରେ ଉଠାଦୋକାନୀଙ୍କ ନିକଟରେ ଛାତ୍ରଛାତ୍ରୀଙ୍କ ଏମିତି ଭିଡ଼ ହେଉଛି ଯେ ଦେଖିଲେ ଲାଗୁଛି ସତେ ଯେମିତି ମେଳା ଜମିଛି। ଆଜି ଦିନତମାମ ଗଣମାଧ୍ୟମର ଏକାଧିକ ଟିମ୍‌ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ କରୋନା କଟକଣା ଯାଞ୍ଚ କରିବା‌ ସମୟରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଥିଲା।
ରମାଦେବୀରେ ୧୫୦ ଛାତ୍ରୀଙ୍କ କୋଭିଡ୍‌ ପରୀକ୍ଷା
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଜଣେ ମହିଳା ପ୍ରଫେସର କରୋନା ଆକ୍ରାନ୍ତ ହେବା ପରେ ଅଧ୍ୟାପକ ଓ କର୍ମଚାରୀଙ୍କୁ ମିଶାଇ ୧୯୮ ଜଣଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ତେବେ କେହି ଆକ୍ରାନ୍ତ ବାହାରି ନ ଥିଲେ। ଆଜି କ୍ୟାମ୍ପସରେ ଥିବା ହଷ୍ଟେଲ ଅନ୍ତେବାସୀଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି। ମୋଟ ୧୫୦ ଛାତ୍ରୀଙ୍କ ପରୀକ୍ଷା ହୋଇଥିବା ଜଣାପଡ଼ିଛି। ବୁଧବାର ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପୁନର୍ବାର କରୋନା ପରୀକ୍ଷା କରାଯାଇଛି। ଆଜି ଯେଉଁମାନଙ୍କର ପରୀକ୍ଷା ହୋଇଛି ସେମାନଙ୍କ ରିପୋର୍ଟ ଆସନ୍ତାକାଲି ଆସିବ।

Share Now:

Kalinga News Beuro

Next Post

କରୋନା ଟିକା ଦେବାରେ ଆମେରିକାକୁ ପଛରେ ପକାଇଲା ଭାରତ

Wed Apr 7 , 2021
ନୂଆଦିଲ୍ଲୀ: ଆମେରିକାକୁ ଆଜି ପଛରେ ପକାଇଛ ଭାରତ। କରୋନା ଟିକା ଦେବାରେ ସବୁ ଦେଶଠାରୁ ଭାରତ ଆଗରେ ରହିଛି। ଆଜି ଏନେଇ କେନ୍ଦ୍ର ସରକାର ଜଣାଇଛନ୍ତି। ଭାରତରେ ଗୋଟେ ଦିନରେ ୩୦,୯୩,୮୬୧ଜଣଙ୍କୁ ଟିକା ଦିଆଯାଉଥିବା ବେଳେ ଆମେରିକାରେ ୨୯,୯୮,୫୩୩ଜଣଙ୍କୁ ଟିକା ଦିଆଯାଉଛି। ଏହି ଦୁଇଟି ଦେଶ ପଛକୁ ରହିଛି ବ୍ରାଜିଲ, ଯେଉଁଠି ଗୋଟେ ଦିନରେ ୬, ୪୬,୮୬୫ଜଣଙ୍କୁ ଟିକା ଦିଆଯାଉଛି। ଦେଶରେ ସମୁଦାୟ ୮.୭୦ କୋଟି ଡୋଜ ଲୋକଙ୍କୁ ଦିଆଯାଇ […]
ପ୍ରଥମ ସ୍ଥାନରେ ଭାରତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial