ସାଙ୍ଘାତିକ ଷଡଯନ୍ତ୍ର : ଜେଲ୍‌ କର୍ମଚାରୀ ଓ ପୁଲିସ୍‌ଙ୍କ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିଲା ହାଇଦର୍‌

ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିଲା ହାଇଦର୍‌

ପକେଟ୍‌ରେ ରହୁଥିଲା ନୋଟ୍ ବିଡ଼ା, ହାତକଡ଼ିକୁ ଗାମୁଛାରେ ଘୋଡ଼ାଉ ଥିଲା

ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାରରେ ରହଣୀ ବେଳେ ଜେଲ୍ କର୍ମଚାରୀଙ୍କ ପାଇଁ ପାଣି ଭଳି ପଇସା ଖର୍ଚ୍ଚ କରୁଥିଲା ହାଇଦର। ଯେଉଁମାନେ ଯେତେବେଳେ ତା’ ଦାୟିତ୍ବରେ ରହୁଥିଲେ ସେମାନଙ୍କୁ ଖୁଆଇ, ପିଆଇ ଏକପ୍ରକାର ଋଣୀ କରି ଦେଇଥିଲା। ଜେଲ୍‌ କର୍ମଚାରୀମାନେ ହାଇଦର୍‌ର ଏକ ପ୍ରକାର ବୋଲ ମାନି ରହିବା ଭଳି ରହୁଥିଲେ। ସେ ଜେଲ୍ ଭିତରେ ଥାଉ କି କୌଣସି କାମରେ ତାକୁ ବାହାରକୁ ନିଆଯାଉ ଖର୍ଚ୍ଚ କରିବାରେ କେବେ କାର୍ପଣ୍ୟ କରୁ ନଥିଲା। ତା’ ଧଳା ପ୍ୟାଣ୍ଟ ପକେଟ୍‌ରେ ସବୁବେଳେ ରହୁଥିଲା ପାଞ୍ଚଶହ ଟଙ୍କିଆ ନୋଡ୍‌ ବିଡ଼ା। ଏତେ ଟଙ୍କା ତା’ପାଖରେ କେମିତି ରହୁଥିଲା ତାହା ତଦନ୍ତ ସାପେକ୍ଷ। ଜେଲ୍‌ ଭିତରେ ତା’ ଉପରେ କୌଣସି କଟକଣା ରହୁ ନଥିଲା ବେଳେ ମେଡିକାଲ୍ କାମରେ ବାହାରକୁ ଗଲେ ଗୋଟିଏ ହାତରେ ଏକ କଡ଼ା ଲଗା ଯାଉଥିଲା ଯାହାକୁ ସେ ଏକ ଗାମୁଛା ବାନ୍ଧି ଘୋଡ଼େଇ ରଖୁଥିଲା। ରଶି ଲାଗି ନଥିବା ହାତକଡ଼ିଟି ବାହାରକୁ ଦେଖାଯାଉ ନଥିଲା। ସେ ଓ ଜେଲ୍ କର୍ମଚାରୀ ମାନେ କାନ୍ଧକୁ କାନ୍ଧ ମିଳାଇ ଚାଲୁଥିଲେ। ବରଂ ସେ ଅନେକ ସମୟରେ ଆଗରେ ଚାଲୁଥିଲା ଓ ସେମାନେ ପଛରେ। ସେ ମଧ୍ୟ ଆରାମରେ ଜେଲ୍ କର୍ମୀଙ୍କ ମୋବାଇଲ୍ ମାଗି ଫୋନ୍ କରୁଥିଲା। ଗତ ବର୍ଷ ସେ ପ୍ରାୟ ପ୍ରତି ମାସ ଭିମ୍‌ସାର୍‌କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଇଛି। ଭିମ୍‌ସାର୍‌ ଗଲେ ସେ ଓ ଜେଲ୍‌ କର୍ମଚାରୀ ମାନେ କଲେଜ୍‌ ପାର୍ଶ୍ବରେ ଥିବା ଛାତ୍ର ଓ ଡାକ୍ତର ମାନଙ୍କ କ୍ୟାଣ୍ଟିନ୍‌ରେ ଆଡ୍ଡା ଜମାଉଥିଲେ। ଘଣ୍ଟାଘଣ୍ଟା ବସି ଆମିଷ, ନିରାମିଷ ଭଳିକି ଭଳି ଦ୍ରବ୍ୟ ଅର୍ଡର୍‌ କରି ଖାଉଥିଲେ। ସେ ଯେତିକି ଖାଉ ନଥିଲା, ତା’ର ସୁରକ୍ଷା କର୍ମୀ ତା’ଠୁ ଅଧିକ ବରାଦ କରି ଖାଉଥିଲେ। ଖାଦ୍ୟ ପ୍ୟାକିଂ କରି ନେଇ ବି ଯାଉଥିଲେ। ଶେଷରେ ସବୁ ପଇସା ଦେଉଥିଲା ହାଇଦର। କର୍ମଚାରୀଙ୍କୁ ବକ୍‌ସିସ୍‌ ବି ଦେଉଥିଲା। ଅନେକ ସମୟରେ ସେ ଜେଲ୍ କର୍ମଚାରୀଙ୍କ ଗହଣ‌ରେ ସମ୍ବଲପୁରର କେତେକ ନିର୍ଦ୍ଦିଷ୍ଟ ରେସ୍ତୋରାଁ, ଢାବା ଆଦିକୁ ଯାଇ ଖିଆପିଆ କରୁଥିବା ବିଶ୍ବସ୍ତ ସୂତ୍ରରୁ ଜଣା ପଡ଼ିଛି।
ହାଇଦର୍‌ ଜେଲ୍‌ କର୍ମଚାରୀଙ୍କ ପାଇଁ ଯେଉଁ ନୀତି ଆପଣାଇଥିଲା, ତା’ସହ ଏସ୍‌ସିବି ଯାଉଥିବା ପୁଲିସ୍‌ କର୍ମୀଙ୍କ ପାଇଁ ବି ସମାନ ପନ୍ଥା ଅବଲମ୍ବନ କରିଥିଲା। ପ୍ରାୟ ସବୁଥର ଯାଉଥିବା ଟିମ୍‌ରେ ଅଧିକାଂଶ କର୍ମଚାରୀ ସମାନ ଥିବାବେଳେ ସେ ସେମାନଙ୍କୁ ଖୁଆଇ, ପିଆଇ ମଉଜ କରାଉ ଥିଲା। ସେମାନେ ତା’ର ଅନୁଗତ ପାଲଟି ଯାଇଥିଲେ। ତା’ପାଇଁ ସେମାନେ ନିୟମ ବାହାରକୁ ଯାଇ କିଛି ବି କରିବାକୁ ଏକପ୍ରକାର ପ୍ରସ୍ତୁତ ଥିଲେ। ବର୍ତ୍ତମାନ ଅକଳରେ ପଡ଼ିଥିବା ସମ୍ବଲପୁର ପୁଲିସ୍‌ ଏବେ ଜେଲ୍‌ ବିଭାଗ ମୁଣ୍ଡରେ ଦୋଷ ଠେଲିବା ପ୍ରୟାସରେ ରହିଛି। ଯଦିଓ ଜେଲ୍‌ ବିଭାଗ ବ୍ୟାପାରରେ ସେମାନେ ମୁଣ୍ଡ ଖେଳାଉ ନାହାନ୍ତି ବୋଲି ସମ୍ବଲପୁର ଏସ୍‌ପି କହୁଛନ୍ତି, ହେଲେ ନିଜ କଥା ଭୁଲିଯାଇ ଏବେ କାରା ବିଭାଗର ଛିଦ୍ର ଅଣ୍ଡାଳିବାରେ ବ୍ୟଗ୍ର ରହିଛି। ସମ୍ବଲପୁର ପୁଲିସ୍‌ ଜେଲ୍‌ର ରେକର୍ଡପତ୍ର ଯାଞ୍ଚ କରିଥିବା ଜଣା ପଡ଼ିଛି।

Share Now:

Kalinga News Beuro

Next Post

ଅମାନିଆଙ୍କୁ ଜଗିବ କମିସନରେଟ୍‌ ପୁଲିସ: ସବୁ ଥାନା ଅଞ୍ଚଳରେ ହେବ ପାଟ୍ରୋଲିଂ

Sat Apr 17 , 2021
୨୫ ଚେକ୍ ପୋଷ୍ଟ, ୧୦ ପ୍ଲାଟୁନ୍ ଫୋର୍ସ ଭୁବନେଶ୍ବର : କୋଭିଡ୍ ଦ୍ବିତୀୟ ପର୍ଯ୍ୟାୟ ଦ୍ରୁତ ସଂକ୍ରମଣକୁ ରୋକିବା ଲାଗି ଆଜି ଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଛି ନାଇଟ୍ କର୍ଫ୍ୟୁ। ରାଜଧାନୀରେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଥିବା ନାଇଟ୍ କର୍ଫ୍ୟୁ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଆଜି ଏକ ସମୀକ୍ଷା ବୈଠକରେ ନାଇଟ୍ କର୍ଫ୍ୟୁକୁ […]
ଅମାନିଆଙ୍କୁ ଜଗିବ କମିସନରେଟ୍‌ ପୁଲିସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial