ପଞ୍ଚୁପାଣ୍ଡବ ଗୁମ୍ଫା ଅବହେଳିତ: ରାଜଧାନୀରେ ୧୫ଶହ ବର୍ଷର ଐତିହ୍ୟ

ରାଜଧାନୀରେ ୧୫ଶହ ବର୍ଷର ଐତିହ୍ୟ

ଖଣ୍ଡଗିରି ପର୍ଯ୍ୟନ୍ତ ରହିଛି ସୁଡ଼ଙ୍ଗ, ରକ୍ଷଣାବେକ୍ଷଣ ପ୍ରତି ପ୍ରଶାସନ ବିମୁଖ କାହିଁକି ?

ଭୁବନେଶ୍ବର: ଚାରିପଟେ କୁଢ଼ କୁଢ଼ ଅଳିଆ। ପ୍ରଶାସନ ପକ୍ଷରୁ ରକ୍ଷଣାବେକ୍ଷଣ କରାଯାଉନାହିଁ। ଛାତରୁ ସିମେଣ୍ଟ ଖସି ଲୁହା ରଡ଼ ଦେଖାଯାଉଛି। ଏହା ହେଉଛି ବଡ଼ଗଡ଼ ବ୍ରିଟ୍ ଅଞ୍ଚଳରେ ଥିବା ପୁରାଣ ପ୍ରସିଦ୍ଧ ‘ପଞ୍ଚୁପାଣ୍ଡବ ଗୁମ୍ଫା’ର ଦୟନୀୟ ଅବସ୍ଥା। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ଥିବା ଏହି ୧୫୦୦ ବର୍ଷ ପୁରୁଣା ଐତିହ୍ୟସ୍ଥଳୀର ଦେଖାରେଖା ଓ ସୁରକ୍ଷା ପାଇଁ ଜଣେ ‌କେହି ସୁରକ୍ଷାକର୍ମୀ ବି ନାହାନ୍ତି। ଏହା କେବେ ପାଲଟି ଯାଏ ଅଳିଆ କୁଣ୍ଡ ତ’ ପୁଣି କାହାର ଅବାଧ ପ୍ରବେଶର ପେଣ୍ଠସ୍ଥଳୀ। ଏଥିସହ ଏହି ଐତିହ୍ୟସ୍ଥଳୀ ପାଲଟି ଯାଇଛି ଛୁଆଙ୍କଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ଖେଳପଡ଼ିଆ। ଐତିହ୍ୟ ସୁରକ୍ଷା ତ’ ଦୂରର କଥା‌ ଏଠାର ସର୍ବନିମ୍ନ ରକ୍ଷଣାବେକ୍ଷଣ ପାଇଁ ଯେମିତି ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ମନ ବଳୁନାହିଁ। ପଞ୍ଚମ-ଷଷ୍ଠ ଶତାବ୍ଦୀରେ ନିର୍ମିତ ଏହି ଗୁମ୍ଫାରେ ଏକଦା ଜଉ ଘର ପୋଡ଼ି ସମୟରେ ପଞ୍ଚୁପାଣ୍ଡବଙ୍କ ସହ ଦ୍ରୌପଦୀ ଧଉଳିରୁ ଆସି ଦୀର୍ଘ ଦିନ ପର୍ଯ୍ୟନ୍ତ ଏଠାରେ ଅଜ୍ଞାତବାସରେ ରହିଥିଲେ। ପରେ ବଳରାମ ଦାସ ନାମକ ଜଣେ ଋଷି ଦୀର୍ଘ ଦିନ ଧରି ବାସ କରି ଏଠାରେ ପଞ୍ଚୁପାଣ୍ଡବଙ୍କ ସହ ଶିବ ଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରୁଥିଲେ। ସେ ଗଲା ପରେ ବଡଗଡ଼ ଗ୍ରାମବାସୀ ଓ ବ୍ରିଟ କଲୋନିବାସୀ ମିଶି ସେ ସ୍ଥାପନ କରିଥିବା ଠାକୁରଙ୍କୁ ପୂଜାର୍ଚ୍ଚନା କରନ୍ତି। ଏହାସହ ଏଠାରେ ଜାଗର, କାର୍ତ୍ତିକ ପୂର୍ଣ୍ଣମୀ ଓ ପଣା ସଂକ୍ରାନ୍ତିରେ ଅଷ୍ଟପ୍ରହରୀ ସହ ନାମ ସଂକୀର୍ତ୍ତନ ଆଦି ପର୍ବପର୍ବାଣି ବହୁ ଜାକଜମକରେ ପାଳନ କରାଯାଇଥାଏ। ଏହାସହ ସ୍ଥାନୀୟ ଜନସାଧାରଣ ସରକାରଙ୍କ ସହ ମିଶି ଏହି ଐତିହ୍ୟସ୍ଥଳୀର ଉନ୍ନତି ସାଧନ ପାଇଁ ବିଭିନ୍ନ କାର୍ଯ୍ୟ ହାତକୁ ନେଉଛନ୍ତି। ଏଠାରେ ଏକ ପ୍ରାଚୀନ ମୁଗୁନି ପଥରରେ ଖୋଦିତ ପଞ୍ଚୁପାଣ୍ଡବଙ୍କ ସହ ଭଗବାନ ଶିବଙ୍କ ପ୍ରତିମା ଦେଖିବାକୁ ମିଳେ। ଗୁମ୍ଫା ପରିସରରେ ଏକ ସୁଡ଼ଙ୍ଗ ଥିବା ଜନସାଧାରଣର ବିଶ୍ୱାସ କରନ୍ତି। ସୁଡ଼ଙ୍ଗଟି ଖଣ୍ଡଗିରି ଗୁମ୍ଫା ସହ ସଂଯୁକ୍ତ। ଗୁମ୍ଫା ମଧ୍ୟରେ ଥିବା ହୁଙ୍କାରେ ନାଗ ସାପ ରହି ଦର୍ଶନ ଦେଉଥିବା କହିଛନ୍ତି ମନ୍ଦିର ପୂଜକ ପ୍ରମୋଦ କୁମାର ପଣ୍ଡା। ଏହାସହ ସ୍ଥାନୀୟ ଅଧିବାସୀ ବନମାଳୀ ପଣ୍ଡା କୁହନ୍ତି, ଏହି ଗୁମ୍ଫା ବିଭିନ୍ନ ଐତିହାସିକ ଓ ପୌରାଣିକ କଥାର ମୂକସାକ୍ଷୀ। କିନ୍ତୁ ସରକାର ଏହାର ରକ୍ଷଣାବେକ୍ଷଣ ଉପରେ ବିଶେଷ ଧ୍ୟାନ ନେଉନାହାନ୍ତି। କିଛି ଲୋକ ପଞ୍ଚୁପାଣ୍ଡବ ଗୁମ୍ଫାର ବହୁ ସ୍ଥାନ ଜବରଦଖଲ କରି ରଖିଛନ୍ତି। ବର୍ଷା ଦିନେ ଏହି ଗୁମ୍ଫା ଭିତରେ ପାଣି ପଶି ଦିନ ଦିନ ଧରି ଜମି ରୁହେ। ସରକାର ଏହା ମଧ୍ୟରେ ଏକ ପାର୍କ କରିବା ସହ ଆଲୋକୀକରଣ ଓ ରକ୍ଷଣାବେକ୍ଷଣ କରିବା ସହ ବର୍ଷା ଦିନେ ବର୍ଷା ଜଳ ନିଷ୍କାସନର ବ୍ୟବସ୍ଥା କରିପାରିଲେ, ଏହି ପୀଠକୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହୋଇପାରିବ ବୋଲି ସେ କହିଛନ୍ତି। ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀକ୍ଷକ ଅଶ୍ୱିନୀ ଶତପଥୀ କହିଛନ୍ତି, ୨୦୧୨ ମସିହାରୁ ସରକାର ଏହାକୁ ନିଜ ଅଧୀନକୁ ନେଇଛନ୍ତି। ଏହାର ସୁରକ୍ଷା ପାଇଁ ଜଣେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଏଠାରେ ନିୟୋଜିତ କରାଯାଇଛି। ସରକାର ମଧ୍ୟ ଏହାର ସୌନ୍ଦର୍ଯ୍ୟୀକରଣ ଓ ଉନ୍ନତି ପାଇଁ ବହୁ ନିଷ୍ପତ୍ତି ନେଇଛନ୍ତି। ଏହାର ଉନ୍ନତି ପାଇଁ ଓ ଅଧିକ ପର୍ଯ୍ୟଟକ ଆସିବା ପାଇଁ ସରକାର ଆଗକୁ ବିଭିନ୍ନ ପଦକ୍ଷେପ ନେବେ ବୋଲି ସେ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ସୁରଟରେ କରୋନା ସ୍ଥିତି ଅସମ୍ଭାଳ: ୩ଟି ଶ୍ମଶାନରେ ଜଳୁଛି ଅନବରତ ଜୁୁଇ

Sun Apr 18 , 2021
ସୁରତ: ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣି ଗୁରଜାଟର ସୁରଟରୁ ଆସିବାକୁ ଲାଗିଛି ଭୟାନକ ଦୃଶ୍ୟ। କରୋନାର ଦ୍ୱିତୀୟ ଲହର କିଭଳି ଆତଙ୍କ ଖେଳାଇଛି, ତାର ଦୃଶ୍ୟ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି। ଏହି ଦୃଶ୍ୟ ଏତେ ଭୟଙ୍କର ରହିଛି ଯାହା ଦେଖିଲେ ଆପଣଙ୍କ ହୃଦୟ ତରଳିଯିବ। ଆଖିରୁ ଲୁହ ଝରିପଡ଼ିବ… କରୋନା ନାଁ ଶୁଣିଲେ ମନରେ ଭୟ ସୃଷ୍ଟି ହେବ। ଏଠାରେ ଅନବରତ ଜଳୁଛି କରୋନା ଆକ୍ରାନ୍ତଙ୍କ ଚିତା। […]
ସୁରଟରେ କରୋନା ସ୍ଥିତି ଅସମ୍ଭାଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial