କାଳବୈଶାଖୀ ବର୍ଷାରେ ଲିଭିଗଲା ମଶାଣିରୁ ନିଆଁ : ଗନ୍ଧେଇଲା ଅଧା ଭୁବନେଶ୍ବର

ବର୍ଷାରେ ମଶାଣିରୁ ନିଆଁ ଲିଭିଗଲା

ବାତ୍ୟା ହେଲେ ହସ୍ପିଟାଲରୁ ଶବ ଆସିବନି

ଭୁବନେଶ୍ବର : ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ବେଳେ ହୋଇଥିବା କା‌ଳବୈଶାଖୀ ଜନିତ ବର୍ଷା ଯୋଗୁଁ ସତ୍ୟନଗର ଶ୍ମଶାନରେ ଶବଦାହ ହୋଇପାରିନି। ପ୍ରାୟ ଦୁଇ ଘଣ୍ଟା ଧରି କୋଭିଡ୍‌ ଆକ୍ରାନ୍ତଙ୍କର ଶବଦାହ ହୋଇପାରିନଥିଲା। ଶବଦାହ ହୋଇ ନପାରିବା‌ ଯେତିକି ସମସ୍ୟା ନଥିଲା, ଜୁଇ ଅଧାରୁ ଲିଭି ଯିବା ତା’ଠାରୁ ବଡ଼ ସମସ୍ୟା ପାଲଟିଥିଲା। ଅଧା ପୋଡ଼ା ଶବ ବହୁ ସମୟ ଧରି ପଡ଼ି ରହିବାରୁ ଚତୁର୍ଦ୍ଦିଗ ଦୁର୍ଗନ୍ଧରେ ଫାଟି ପଡ଼ିଥିଲା। ସ୍ଥିତି ଏପରି ହୋଇଥିଲା ଯେ ଲୋକ ଘରର କବାଟ, ଝରକା ଖୋଲି ପାରିନଥିଲେ। ଶୁକ୍ରବାର ଅପରାହ୍ନ ପ୍ରାୟ ତିନିଟା ବେଳକୁ ଶ୍ମଶାନରେ ଥିବା ୨୧ଟିରୁ ୧୦ଟି କାଠଚୁଲା ଓ ଗୋଟିଏ ବିଦ୍ୟୁତ୍‌ ଚୁଲାରେ କୋଭିଡ ଆକ୍ରାନ୍ତଙ୍କ ଶବଦାହ ହେଉଥିଲା। ଶ୍ମଶାନ ବାହାରେ ମୃତକଙ୍କ ସମ୍ପର୍କୀୟମାନେ ଛିଡ଼ା ହୋଇଥିଲେ। କିନ୍ତୁ ହଠାତ୍ କଳା ବାଦଲ ଘୋଟି ଆସିଲା। ଆଉ ବରକୋଳିଆ ଟୋପା ଟପ୍‌ ଟପ୍‌ କରି ଆକାଶରୁ ଅଜାଡ଼ି ହୋଇପଡ଼ିଲା। ଶ୍ମଶାନ ବାହାରେ ଥିବା ଲୋକ କିଏ କାର୍ ଭିତରକୁ ପଳାଇଲେ ତ କିଏ ଦୋକାନ ଭିତରକୁ ପଶିଗଲେ। ଶ୍ମଶାନ ଭିତରେ ଶବଦାହ କରୁଥିବା ଲୋକ ଛାତ ଘର ଭିତରକୁ ପଳାଇଲେ। ତେବେ ପ୍ରବଳ ବର୍ଷା ସବୁ ଜୁଇକୁ ଲିଭାଇ ଦେଲା। ପୂର୍ବରୁ ପଡ଼ିଥିବା ପାଉଁଶ, ଆଜିର ଅଧାପୋଡ଼ା ଶବ ଉପରେ ବର୍ଷା ପାଣି ପଡ଼ିବା ପରେ ଦୁର୍ଗନ୍ଧ ଚାରିଆଡ଼େ ଖେଳି ଯାଇଥିଲା। ପୂରା ସତ୍ୟନଗରରୁ ଆରମ୍ଭ କରି ପଞ୍ଜାବି କଲୋନି, ସହିଦନଗର, ବମିଖାଲ, କଟକରୋଡ୍‌, ଝାରପଡ଼ା ଅଞ୍ଚଳ ସବୁ ଗନ୍ଧେଇଥିଲା। ସମସ୍ତେ କହୁଥିଲେ କାହା ଘରେ କ’ଣ ପୋଡ଼ିଗଲା କି? ହେଲେ କେହି ଠଉରାଇ ପାରୁ ନଥିଲେ ସତ୍ୟନଗର ଶ୍ମଶାନର ଅଧାପୋଡ଼ା ଶବର ଗନ୍ଧ ତାଙ୍କ ଘରେ ପଶିଛି। ଅପରାହ୍ନ ସାଢ଼େ ୩ଟାରୁ ସାଢ଼େ ୫ଟା, ୬ଟା ପର୍ଯ୍ୟନ୍ତ ଜନପଥରୁ ଆରମ୍ଭ କରି ଚତୁର୍ଦ୍ଦିଗ ଏମିତି ଗନ୍ଧେଇଥିଲା ଯେ ଲୋକ ପୂରା ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଶ୍ମଶାନକୁ ପ୍ରାୟ ୫୦ଟି ଶବ ଆସିଥିଲା। ଏଥିରୁ ପ୍ରାୟ ୧୫ଟି ଶବ ପୋଡ଼ା ସରିଥିଲା। ବାହାରେ ଥିବା ୧୦ଟି ଚୁଲାରେ ଶବ ଲଦା ହୋଇ ନିଆଁ ଲାଗିଥିଲା। ହଠାତ୍ ଜୋରରେ ବର୍ଷା ହେବାରୁ କର୍ମଚାରୀମାନେ ଶବଦାହ କରି ପାରିନଥିଲେ। ବର୍ଷା ଛାଡ଼ିବା ପରେ ଓଦା କାଠ ଓ ଦରପୋଡ଼ା ଶବରେ ଡିଜେଲ୍‌ ପକାଇ ଜାଳିଥିଲେ। ଗୋଟିଏ ଶବ ଦାହ ପାଇଁ ପ୍ରାୟ ଦୁଇ ଘଣ୍ଟା ଲାଗୁଥିବା ବେଳେ ଆଜି ବର୍ଷା ଯୋଗୁଁ ଦୁଇ ଘଣ୍ଟା ଶବ ଦାହ ହୋଇପାରିନଥିଲା। ତେଣୁ ବିଳମ୍ବିତ ରାତି ଯାଏ ଶବଦାହ ହୋଇଛି। ଚୁଲି ଓ କାଠ ଓଦା ହୋଇଯାଇଥିବାରୁ ଅଧିକାଂଶ‌ ଶବରେ କାଠ ଉପରେ ଡିଜେଲ୍‌ ପକାଇ ନିଆଁ ଲଗାଯାଇଥିଲା।
ଅପରପକ୍ଷେ ଶୁକ୍ରବାର ସତ୍ୟନଗରରେ ପୋଡ଼ା ଶବର ଗନ୍ଧ ଅସହ୍ୟ ହୋଇ ପଡ଼ିବା ପରେ ପୁଣି ଶ୍ମଶାନ ସ୍ଥାନାନ୍ତର ଦାବି ଜୋର୍ ଧରିଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ବିଏମ୍‌ସି ରାଜଧାନୀ ମଝିରେ ସବୁ କୋଭିଡ୍‌ ମୃତକଙ୍କ ଶବଦାହ କରିବା ଦ୍ବାରା ଏହାର ଭୂତାଣୁ ବାୟୁମଣ୍ଡଳରେ ମିଶୁଛନ୍ତି। ଦିନକୁ ଏତେ ଜୁଇ ଜଳୁଛି ଯେ ଆଗ ଘ‌ରେ କଳା ଧୂଆଁ ପଶି ଅଳନ୍ଦୁ ହୋଇଗଲାଣି। ସଂଧ୍ୟା ସମୟରେ ପବନ ବହିଲେ ଘରର କବାଟ ଝରକା ଖୋଲି ହେଉନି। ବିଏମ୍‌ସି ତୁରନ୍ତ ଏହି ଶ୍ମଶାନ ସ୍ଥାନାନ୍ତର କରୁ, ନଚେତ୍ ଆମେ କଡ଼ା ପଦକ୍ଷେପ ନେବୁ। ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆଜି ବର୍ଷା ଯୋଗୁଁ ଘଣ୍ଟେ/ଦୁଇ ଘଣ୍ଟା ପାଇଁ ଶବଦାହ ହୋଇପାରିନଥିଲା। ହଠାତ୍ ପାଉଁଶରେ ପାଣି ପଡ଼ିବାରୁ ଏବଂ ପବନ ହେଉଥିବାରୁ ଗନ୍ଧ ହୋଇଥିବ। ଖୁବ୍‌ ଶୀଘ୍ର ସତ୍ୟନଗର ଶ୍ମଶାନ ବୋଝ କମିବ। ଦୁଇ ଦିନ ପରେ ଆମେ ଭରତପୁର ଶ୍ମଶାନରେ କୋଭିଡ୍ ଆକ୍ରାନ୍ତଙ୍କ ଶବଦାହ କରିବୁ। ଏହାଦ୍ବାରା ଏହି ଶ୍ମଶାନର ଚାପ କମିବ।
ବାତ୍ୟା ହେଲେ ହସ୍ପିଟାଲରୁ ଶବ ଆସିବନି
ଆସନ୍ତା ୨୬ ତାରିଖରେ ଓଡ଼ିଶାକୁ ବାତ୍ୟା ଭୟ ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ପ୍ରଭାବରେ ୨୪ ତାରିଖରୁ ବର୍ଷା ହୋଇପାରେ। ଯଦି ପାଣିପାଗ ବିଭାଗ ପୂର୍ବାନୁମାନ ସତ ହେଲା ଏବଂ ବାତ୍ୟା ହେଲା କିମ୍ବା ଜୋର୍‌ରେ ବର୍ଷା ହେଲା, ତେବେ ସତ୍ୟନଗର ଶ୍ମଶାନରେ ଶବଦାହ ହେବା କଷ୍ଟକର ହୋଇପଡ଼ିବ। ଏଠାରେ ଛାତ ତଳେ ମାତ୍ର ୪ଟି ଚୁଲା ଥିବା ବେଳେ ଗୋଟିଏ ବିଦ୍ୟୁତ୍‌ ଚୁଲା ଅଛି। ତେଣୁ ଦୁଇ/ତିନି ଘଣ୍ଟାରେ ସର୍ବାଧିକ ୫ଟି ଶବଦାହ ହୋଇପାରିବ। ଏବେ ଦିନକୁ ପ୍ରାୟ ୫୦ରୁ ୬୦ଜଣ ଆକ୍ରାନ୍ତ ମରୁଥିବାରୁ ହସ୍ପିଟାଲରୁ ଶବ ଆସିବା କଷ୍ଟକର ହୋଇଯିବ। ମିଳିଥିବା ସୂଚନା ଅନୁଯାୟୀ, ଯଦି ବାତ୍ୟା ହେଲା କି ପବନ ଜୋର୍‌ରେ ହେଲା ତେବେ ବିଏମ୍‌ସି ହସ୍ପିଟାଲରୁ ଶବ ଆଣିବନି। ବର୍ଷା, ପବନ କମିଲେ ମଶାଣିକୁ ଶବ ଆସିବ। ଏବେ କାଠ ଚୁଲାରେ ଗୋଟିଏ ଶବ ଦାହ ପାଇଁ ପ୍ରାୟ ଦୁଇ ଘଣ୍ଟା ଲାଗୁଥିବା ବେଳେ ବିଦ୍ୟୁତ୍‌ ଚୁଲାରେ ଶବଦାହ ପାଇଁ ଦେଢ଼ ଘଣ୍ଟା ଲାଗୁଛି। ‌ଶବ ଆଣିବା, ଗାଡ଼ିରୁ କାଢ଼ିବା, ଜୁଇରେ ଲଦିବା, କ୍ରିୟାକର୍ମ କରିବା ପାଇଁ ଶବ ପିଛା ଅଧ ଘଣ୍ଟାରୁ ଘଣ୍ଟାଏ ସମୟ ଯାଉଛି। ତେଣୁ ବର୍ଷା ହେଲେ କାଠ ବୋହିବା, ପୋଡ଼ିବା କଷ୍ଟକର ‌ହୋଇଯିବ। ବର୍ଷା, ପବନ କମିଲେ ହସ୍ପିଟାଲରୁ ଶବ ଆସିବ।

Share Now:

Kalinga News Beuro

Next Post

ଶିଶୁ ଥଇଥାନ କେନ୍ଦ୍ରରେ କରୋନା: ୧୦ ଶିଶୁ ସଂକ୍ରମିତ, ବିପଦରେ ୭୨୪ ଶିଶୁ

Sat May 22 , 2021
କଟକ : କରୋନାର ଦ୍ବିତୀୟ ଲହର କଟକ ଜିଲ୍ଲାରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ପ୍ରଥମଥର ପାଇଁ କଟକ ଜିଲ୍ଲା ଶିଶୁ ଥଇଥାନ କେନ୍ଦ୍ର (ସିସିଆଇ)ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏକକାଳୀନ ୧୦ ଜଣ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ପରେ କେନ୍ଦ୍ରରେ ଥିବା ମୋଟ ୭୨୪ ଶିଶୁଙ୍କ ପ୍ରତି ଏବେ ବିପଦ ବଢ଼ିଯାଇଛି। କରୋନାର ପ୍ରଥମ ଲହରରେ କେହି ଜଣେ ବି ଶିଶୁ ଥଇଥାନ କେନ୍ଦ୍ରରେ ସଂକ୍ରମିତ […]
ଶିଶୁ ଥଇଥାନ କେନ୍ଦ୍ରରେ କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial