କରୋନା ପରୀକ୍ଷାର କରୁଣ ସ୍ଥିତି! ସରକାରୀ ପଜିଟିଭ୍, ଘରୋଇ ନେଗେଟିଭ୍

କରୋନା ପରୀକ୍ଷା

ଆକ୍ରାନ୍ତଙ୍କ ପରିବାରକୁ ମାନସିକ ନିର୍ଯାତନା: ଯନ୍ତ୍ରଣା ବଖାଣିଲେ ରାଜଧାନୀ ବାସିନ୍ଦା

ଭୁବନେଶ୍ବର/‌ମେଣ୍ଢାଶାଳ: ସରକାରଙ୍କ ପକ୍ଷରୁ ହେଉଥିବା କରୋନା ପରୀକ୍ଷାରେ ପଜିଟିଭ୍ ଆସିଲେ। ହେଲେ ଘରୋଇ ପରୀକ୍ଷାଗାରରେ ପରୀକ୍ଷା କରିବା ପରେ ରିପୋର୍ଟ ନେଗେଟିଭ୍‌ ଆସିଲା। ରାଜଧାନୀ ଓ ଉପକଣ୍ଠ ଜଟଣୀ ଅଞ୍ଚଳରେ ୨ଜଣ ବ୍ୟକ୍ତିଙ୍କ ସ୍ବାବ୍‌ ନମୁନାରୁ ଏମିତି ବିପରୀତ ରିପୋର୍ଟ ମିଳିବା ପରେ କରୋନା ପରୀକ୍ଷାକୁ ନେଇ ପ୍ରଶ୍ନ ଉଠିଛି। କେଉଁ ରିପୋର୍ଟଟି ଠିକ୍, କେଉଁଟା ଭୁଲ୍‌, ତାହା ଘରଲୋକ ଓ ପ୍ରଶାସନକୁ ଦ୍ଵନ୍ଦରେ ପକାଇଥିବା ବେଳେ ବ୍ୟକ୍ତି ଦୁଇଜଣ ମାନସିକ ଯନ୍ତ୍ରଣାରେ ଛଟପଟ ହୋଇଛନ୍ତି।
କରୋନା ପଜିଟିଭ୍/ନେଗେଟିଭ୍‌ର ଏହି ଖେଳ ଭିତରେ ରାଜଧାନୀର ଖଣ୍ଡଗିରି ରୁଦ୍ର ନଗରର ବାସିନ୍ଦା ସାମାଜିକ ବାସନ୍ଦର ଶିକାର ହୋଇଛନ୍ତି। ସ୍ତ୍ରୀ ଘରେ ପୂରାଇ ନ ଥିଲେ କି ଦୋକାନୀ ସଉଦା ଦେଲେ ନାହିଁ। ମାନସିକ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ବିତାଇଥିବା ୪୨ ବର୍ଷର ବ୍ୟକ୍ତିଙ୍କ କହିବା କଥା, ୨ ମାସ ହେବ ଘରେ ରହିଛି, ବାହାରକୁ ଯାଇନାହିଁ। ତେବେ ଗତ ୬ ତାରିଖରେ ପଡ଼ୋଶୀ ସ୍ତ୍ରୀ ଲୋକଜଣକ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ନିଆଯାଇଥିଲା। ପରବର୍ତୀ ସମୟରେ ପ୍ରତ୍ୟେକ ସପ୍ତାହରେ ସ୍ଥାନୀୟ ଅଞ୍ଚଳରେ ସ୍ୱାବ ସଂଗ୍ରହ କରାଯାଇଥିଲା। ଗତ ୯ ତାରିଖରେ ସ୍ବାବ୍ ସଂଗ୍ରହ ହୋଇଥିବା ବେଳେ ୧୪ ତାରିଖରେ ପଜିଟିଭ୍ ଥିବା କୁହାଯାଇଥିଲା। ଜଣେ ଡାକ୍ତର ଓ ଅନ୍ୟଜଣେ ବ୍ୟକ୍ତି ଫୋନ୍‌ କରି ମୁଁ ପଜିଟିଭ୍ ଥିବା କହିଥିଲେ। ଏହା ଶୁଣି ମୋ ସ୍ତ୍ରୀ ମୋତେ ଘରେ ପୂରାଇ ଦେଲେ ନାହିଁ। ଦୁଇଦିନ ଛାତ ଉପରେ ‌ଶୋଇଥିଲି। ଏପରିକି ଦୋକାନୀ ମଧ୍ୟ ସଉଦା ଦେଇ ନ ଥିଲା ବୋଲି ସଂପୃକ୍ତ ବ୍ୟକ୍ତିଜଣକ ଅଭିଯୋଗ କରିଛନ୍ତି। ତେବେ ରିପୋର୍ଟକୁ ନେଇ ସନ୍ଦେହ ହେବାରୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ୨୭୦୦ ଟଙ୍କା ଖର୍ଚ୍ଚ କରି ପରୀକ୍ଷା କରିଥିଲି। ଏହାର ପରଦିନ ରିପୋର୍ଟ ନେଗେଟିଭ୍ ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ପଡ଼ୋଶୀ ଘରର ଜଣେ ଝିଅ ମଧ୍ୟ ସଂପୃକ୍ତ ଘରୋଇ ହସ୍ପିଟାଲରେ ନିଜର ପରୀକ୍ଷା କରିଥିଲେ। ତାଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଥିଲା। ‌ସେହିପରି ଜଟଣୀ ବ୍ଲକ ଛତାବର ପଞ୍ଚାୟତର ଜାମୁଝରୀ ଗ୍ରାମ‌ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଘଟଣା ଘଟିଛି। ତାଙ୍କ ସ୍ବାବ୍ ପରୀକ୍ଷାରୁ ଦୁଇ ବିପରୀତ ରିପୋର୍ଟ ମିଳିଛି। ସରକାରୀ ରିପୋର୍ଟ ପଜିଟିଭ୍‌ ହୋଇଥିବା ବେଳେ ବେସରକାରୀ ରିପୋର୍ଟ ନେଗେଟିଭ୍‌ ବୋଲି ଜଣାପଡ଼ିଛି।
‌‌ଢେଙ୍କାନାଳ କାମାକ୍ଷାନଗରରେ ରହୁଥିବା ଏହି ବ୍ୟକ୍ତି ଗତ ୭ତାରିଖରେ ଘରକୁ ଫେରିଥିଲେ। ସେଠାରେ ସେ ରହୁଥିବା ମେସ୍‌ରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବାରୁ ଘରକୁ ପଳାଇ ଆସିଥିଲେ। ଗୃହ ସଙ୍ଗରୋଧରେ ରହିବା ସୁବିଧା ନ ଥିବାରୁ ସରପଞ୍ଚ ମନସ୍ବିନୀ ମିଶ୍ର ଡେଙ୍ଗ ତାଙ୍କୁ ପଞ୍ଚାୟତ ସଂଗରୋଧ କେନ୍ଦ୍ର ରଖିଥିଲେ। ଗତ ୯ ତାରିଖରେ କ୍ୟାପିଟାଲ ହସ୍ପିଟାଲ୍‌ରେ ତାଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଇଥିଲା। ମାତ୍ର ରିପୋର୍ଟ ମିଳିବା ବିଳମ୍ବ ହେବାରୁ ସେ ପୁଣି ଥରେ ୧୫ ତାରିଖରେ ଏକ ଘରୋଇ ହସ୍ପିଟାଲରେ ପରୀକ୍ଷା କରାଇବା ପାଇଁ ସ୍ବାବ୍ ନମୁନା ଦେଇଥିଲେ। ତେବେ ସରକାରୀ ରିପୋର୍ଟ ପଜିଟିଭ୍‌ ଆସିଥିବା ବେଳେ ବେସରକାରୀ ରିପୋର୍ଟ ନେଗେଟିଭ୍‌ ଆସିଛି। ତେଣୁ ଯୁବକଙ୍କ ବାପା ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଏ ନେଇ ଅଭିଯୋଗ କରିଛନ୍ତି। ସିଏଚ୍‌ସି ଡାକ୍ତର ମୋହନ ହେମ୍ବ୍ରମଙ୍କ କହିବା କଥା, ଉକ୍ତ ବ୍ୟକ୍ତିଙ୍କର ରୋଗ ପ୍ରତିଷେଧକ ଶକ୍ତି ଅଧିକ ଥିବାରୁ ସଂଗରୋଧ କେନ୍ଦ୍ରରେ ରହଣି କାଳରେ ନେଗେଟିଭ୍‌ ହୋଇଯିବା ସମ୍ଭାବନା ରହିଛି। ସରପଞ୍ଚ ଶ୍ରୀମତି ମିଶ୍ର ଡେଙ୍ଗ କହିଛନ୍ତି ଯେ ଆସନ୍ତା ୨୪ ତାରିଖରେ ଉକ୍ତ ବ୍ୟକ୍ତିଙ୍କର ଆଉ ଥରେ କୋଭିଡ ପରୀକ୍ଷା କରାଯିବ।
କରୋନା ଆକ୍ରାନ୍ତଙ୍କୁ ସମ୍ମାନ ଜଣାନ୍ତୁ। ରୋଗୀଙ୍କୁ ନୁହେଁ, ରୋଗକୁ ଘୃଣା କରନ୍ତୁ। ସରକାର ଏଭଳି ସ୍ଲୋଗାନ୍‌ ଦେଉଛନ୍ତି। କିନ୍ତୁ ରାଜଧାନୀରେ ଜଣେ କରୋନା ରୋଗୀ ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି। ଏନେଇ ବିଏମ୍‌ସିରେ ଅଭିଯୋଗ ପରେ ଅପପ୍ରଚାର କରୁଥିବା ପଡ଼ୋଶୀଙ୍କୁ ବିଏମ୍‌ସି ତାଗିଦ କରିଛି। ମିଳିଥିବା ସୂଚନା ଅନୁସାରେ, ବଡ଼ଗଡ଼ କେନାଲ ରୋଡ୍‌ ଲକ୍ଷ୍ମୀବିହାରରେ ରହୁଥିବା ଜଣେ ବ୍ୟକ୍ତି ଗୁରୁଗାଓଁରେ ଏକ ଘରୋଇ କମ୍ପାନିରେ ଚାକିରି କରନ୍ତି। ତାଙ୍କ ପତ୍ନୀ ଓ ପରିବାର ଲକ୍ଷ୍ମୀବିହାରରେ ରହନ୍ତି। ଗତ ମାସ ୨୯ ତାରିଖରେ ସମ୍ପୃକ୍ତ ବ୍ୟକ୍ତି ଗୁରଗାଓଁରୁ ଫେରିଥିଲେ। ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଏକ ହୋଟେଲରେ ୬ ଦିନ ରହିଥିଲେ। କ୍ୟାପିଟାଲ ହସ୍ପିଟାଲରେ କୋଭିଡ୍ ପରୀକ୍ଷା‌ କରାଇଥିଲେ। ରିପୋର୍ଟ ନେଗେଟିଭ୍ ଆସିବା ପରେ ଘରକୁ ଫେରି ହୋମ୍ କ୍ବାରାଣ୍ଟିନ୍‌ରେ ଥିଲେ। କିଛି ଦିନ ପରେ ଆଉ ଥରେ ପରୀକ୍ଷା କରାଇବା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ଘରେ ସ୍ବତନ୍ତ୍ର ଆଇସୋଲେସନ୍‌ରେ ରହି ନିୟମିତ ଡାକ୍ତରଙ୍କ ପରାମର୍ଶ କରୁଥିଲେ। ପରିବାରର ଅନ୍ୟ ସଦସ୍ୟ ଓ ଭଡାଟିଆ ହୋମ୍ କ୍ବାରାଣ୍ଟିନରେ ରହିଥିଲେ। କିନ୍ତୁ ପଡ଼ୋଶୀ ସେମାନଙ୍କ ସମ୍ପର୍କରେ ଅପପ୍ରଚାର କରିବା ସହ ବିଭିନ୍ନ ସମୟରେ ବିଏମସି ନିକଟରେ ଅଭିଯୋଗ କରିଥିଲେ। ବାରମ୍ବାର ଅପପ୍ରଚାର ପରେ ଆକ୍ରାନ୍ତଙ୍କ ପରିବାର ଏନେଇ ବିଏମ୍‌ସିରେ ଅଭିଯୋଗ ଜଣାଇଥିଲେ। ବିଏମ୍‌ସି ପକ୍ଷରୁ ସମ୍ପୃକ୍ତ ପଡ଼ୋଶୀଙ୍କୁ ତାଗିଦ କରାଯାଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ତିହିଡି ଯୁବମଞ୍ଚ ପକ୍ଷରୁ ସହିଦ ତାପସଙ୍କୁ ଶ୍ରଦ୍ଧାଞ୍ଜଳି

Wed Jul 22 , 2020
ଭଦ୍ରକ/ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚଳ ପଞ୍ଚାୟତ ଅଧୀନ ଉତ୍ତରବାହା ଗ୍ରାମର ଅକ୍ଷୟ ମଲ୍ଲିକଙ୍କ ପୁଅ ତାପସ ମଲ୍ଲିକ ଲାନ୍ସ ନାଏକ ପଦରେ ଥିବାବେଳେ ୨୦୦୫ ମସିହାରେ ଜମ୍ମୁକାଶ୍ମୀରରେ ସନ୍ତ୍ରାସବାଦୀଙ୍କ ବିରୁଦ୍ଧରେ ‘ଅପରେସନ ପରାକ୍ରମ’ରେ ଯୋଗଦେଇଥିଲେ। ସେହି ଅପରେସନରେ ସନ୍ତ୍ରାସବାଦୀଙ୍କ ଏକ ଗୁଳି ତାଙ୍କ ମୁଣ୍ଡରେ ବାଜିବାରୁ ସେ ସହିଦ ହୋଇଯାଇଥିଲେ। ଇତି ମଧ୍ୟରେ ୧୫ ବର୍ଷ ବିତିଯାଇଛି। ସହିଦଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଗ୍ରାମରେ ଥିବା […]
Sahid Tapas

ଆହୁରି ପଢ଼ନ୍ତୁ