ବିକୃତ ହେଉଛି ଐତିହ୍ୟ ସହର ପୁରୀର ସୌନ୍ଦର୍ଯ୍ୟ: ରାସ୍ତା ଖୋଳିଦେଇ ମରାମତି ‌ଭୁଲିଗଲେ

ବିକୃତ ହେଉଛି ଐତିହ୍ୟ ସହର

ପୁରୀ : ପୁରୀକୁ ଐତିହ୍ୟ ସହର କରି ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାନା ଯୋଜନା କରୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ବପ୍ନକୁ ଚୁରମାର କରିବାରେ ଲାଗିଛନ୍ତି ଠିକାଦାର। ଐତିହ୍ୟ ସହରର ବିକାଶ ମାନଚିତ୍ରକୁ ବିକୃତ କରିବାରେ ଦିନରାତି ଲାଗିଛନ୍ତି। ମନଇଚ୍ଛା ରାସ୍ତାଘାଟ ଖୋଳି ଜନସାଧାରଣଙ୍କ ଗମନାଗମନକୁ ଅବରୋଧ କରିବା ସହ ଦୁର୍ଘଟଣାର ମାର୍ଗ ପ୍ରଶସ୍ତ କରିଛନ୍ତି। ଯେଉଁ ରାସ୍ତା ୬ ମାସ ତଳେ ନୂଆ ରୂପ ପାଇଥିଲା, ତାହା ଆଜି ଖାଲଖମାରେ ଭର୍ତ୍ତି ହୋଇଛି। କେଉଁଠି ବିରାଟ ବିରାଟ ଗର୍ତ୍ତ ତ କେଉଁଠି ରାସ୍ତା ଭୁଶୁଡ଼ିଗଲାଣି। ଆଉ କେଉଁଠି ରାସ୍ତା ଦବିଗଲାଣି। ନିୟମ କହୁଛି, ଏଚ୍‌ଡିଡି ଉପାୟରେ ଏମାନେ ଖନନ କରିବେ। ଯଦି କୌଣସି ସ୍ଥାନ ଖନନ ହୋଇଛି, ତାର ତତ୍କାଳ ମରାମତି ହେବ। ନଚେତ୍‌ ଯେଉଁ ବିଭାଗର ଏହି ରାସ୍ତା, ସେହି ବିଭାଗ ଏ ବାବଦରେ ଜରିମାନା କରିପାରିବ। କିନ୍ତୁ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନଥିବାରୁ ଠିକା ସଂସ୍ଥାମାନେ ଖୋଲାଖୋଲି ଏହି ନିମୟକୁ ଉଲ୍ଲଂଘନ କରୁଛନ୍ତି। ବର୍ତ୍ତମାନ ପୁରୀ ସହରରେ ଗେଲ୍‌ ପକ୍ଷରୁ ଗ୍ୟାସ ବିତରଣ ପାଇଁ ପାଇପ୍‌ ବିଛା କାମ ଚାଲିଛି। ୪ ମାସ ତଳୁ ଏହି କାମ ଆରମ୍ଭ ହେଲାଣି। ପ୍ରାଥମିକ ପର୍ଯ୍ୟାୟରେ ଭୂଦାନ ଛକ, ତାଳବଣିଆ ଥାନାଠାରୁ ଏଥିପାଇଁ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ପାଇପ୍‌ ବିଛା ପାଇଁ ପୁରୀ ପୌରାଞ୍ଚଳର ପ୍ରାୟ ୩୦ ପ୍ରତିଶତ ଅଞ୍ଚଳରେ ଖନନ କାର୍ଯ୍ୟ ସରିଲାଣି। ମୁଖ୍ୟ ଲାଇନ୍‌ ସାଙ୍ଗକୁ ଘରୋଇ ସଂଯୋଗ ପାଇଁ ପାଇପ୍‌ ବିଛା ଚାଲିଛି। କିନ୍ତୁ ଗ୍ୟାସ୍‌ ବିଛା ଦାୟିତ୍ବରେ ଥିବା ଠିକା ସଂସ୍ଥାମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ଆଜି ପୁରୀ ପୌରାଞ୍ଚଳର ରାସ୍ତା କଦର୍ଯ୍ୟ ହୋଇପିଛି। ଯେଉଁମାନେ ପାଇପ୍‌ ବିଛା ଦାୟିତ୍ବରେ ରହିଛନ୍ତି, ସେମାନେ ମନଇଛା ରାସ୍ତାଘାଟ ଖୋଳି ଖାଲ କରି ସାରିଲେଣି। ରାସ୍ତା ଖୋଳିବା ପରେ ତତ୍କାଳ ଏହାକୁ ପୋତିଦେଲେ କୌଣସି ଅସୁବିଧା ହୁଅନ୍ତା ନାହିଁ। କିନ୍ତୁ ଠିକାଦାରମାନେ ଏହାକୁ ମାସ ମାସ ଧରି ସେହିଭଳି ପକାଇ ରଖୁଛନ୍ତି। ଯଦି କେହି ଅନ୍ୟମନସ୍କରେ ଏଥିରେ ଗାଡ଼ି ସହ ପଡ଼ିଲା, ତେବେ ମୃତାହତ ହେବା ଆଶଙ୍କା ଅଧିକ। ଅନେକ ସମୟରେ ବି ଏଥିପାଇଁ ଛୋଟମୋଟ ଦୁର୍ଘଟଣା ଘଟୁଛି। ପିକେଆର୍‌ଆଇଟି ଛକରୁ ଭୂଦାନ ଛକ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ଏହାର ଜ୍ବଳନ୍ତ ଉଦାହରଣ।
ପାଇପ୍‌ ବିଛା ପାଇଁ ଏହି ରାସ୍ତାକୁ ଗ୍ୟାସ୍‌ ବିତରଣ ଦାୟିତ୍ବରେ ଥିବା ଠିକା ସଂସ୍ଥା ଖିନ୍‌ଭିନ୍‌ କରି ସାରିଲାଣି। ତାଳବଣିଆ ହେଲିପ୍ୟାଡ୍‌ରୁ ପେଣ୍ଠକଟାକୁ ଲମ୍ବିଥିବା ରାସ୍ତାର ଦୃଶ୍ୟ ବି ସମାନ। ପୂର୍ତ୍ତ ବିଭାଗର ଏହି ରାସ୍ତା ପାଇଁ ନିକଟରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିଲା। ୬ ମାସ ଯାଇନାହିଁ, ରାସ୍ତା ବିକୃତ ‌ହୋଇଗଲାଣି। ତଥାପି ଚେତୁନି ପୂର୍ତ୍ତ ବିଭାଗ। ନା ଠିକା ସଂସ୍ଥାକୁ ତାଗିଦ୍‌ କରୁଛି ନା ନିଜେ କୌଣସି ମରାମତି କଥା ଚିନ୍ତା କରୁଛି। ପୌରସଂସ୍ଥାର ରାସ୍ତାର ଦୃଶ୍ୟ ବି ସମାନ। ସିଦ୍ଧମହାବୀର ନିକଟ ମୈତ୍ରୀ ବିହାର( ୩୧ ନମ୍ବର ୱାର୍ଡ) ରୁ ଅଚ୍ୟୁତାନନ୍ଦ ଆଶ୍ରମ ଦେଇ ତାଳବଣିଆ ଇଲେକ୍ଟ୍ରି କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ଏବେ ଖାଲଖମାରେ ଭର୍ତ୍ତି ହୋଇଛି। ଗ୍ୟାସ୍‌ ପାଇପ୍‌ ଲାଇନ୍‌ ବିଛାଇବା ନାଁରେ ଏହି ରାସ୍ତାକୁ ଦେଢ଼ ମାସ ତଳେ ଖୋଳି ଦିଆଯାଇଥିଲା। ଏ ପର୍ଯ୍ୟନ୍ତ ରାସ୍ତା ମରାମତି କାମ ଆରମ୍ଭ ହୋଇନି। କଂକ୍ରିଟ୍‌ର ଏହି ରାସ୍ତାକୁ ଖୋଳିଦେବା ପରେ ବାହାରିଥିବା ବାଲିକୁ ଘୋଡ଼ାଇ ଦିଆଯାଇଛି। ବର୍ଷା ହେବାରୁ ଏହା ଦବିଯାଇଛି। ସହର ସାରା ଏହିଭଳି ଅବସ୍ଥା। ଯାହା ଐତିହ୍ୟ ସହରର ମାନଚିତ୍ରକୁ ବିକୃତ କରିବାରେ ଲାଗିଛି। ଯେଉଁଥିପାଇଁ ପୁରୀ ପୌରାଞ୍ଚଳକୁ ମହାନଗର ନିଗମର ମାନ୍ୟତା ବି ହାତଛଡ଼ା ହେବା ଆଶଙ୍କା ଦେଖାଦେଇଛି।
ଏ ସମ୍ପର୍କରେ ପୁରୀ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି ଯେ ଯେଉଁମାନେ ପୌରସଂସ୍ଥାର ରାସ୍ତା ଖୋଳୁଛନ୍ତି, ସେମାନେ କିଛି ଅମାନତ ରାଶି ପୌରସଂସ୍ଥା ନିକଟରେ ଜମା ଦେଉଛନ୍ତି। ବର୍ତ୍ତମାନ ଗ୍ୟାସ ପାଇପ୍‌ ବିଛା ଦାୟିତ୍ବରେ ଥିବା ଠିକା ସଂସ୍ଥାକୁ ଏଚ୍‌ଡିଡି ଉପାୟରେ ଅର୍ଥାତ୍‌ ରାସ୍ତା ନ ଖୋଳି ରାସ୍ତାକୁ ମେସିନ୍‌ରେ ହୋଲ୍‌ କରି ପାଇପ୍‌ ବିଛାଇବାକୁ କୁହାଯାଇଛି। ତଥାପି ଯଦି କୌଣସିଠାରେ ଏମାନେ ରାସ୍ତା ଖୋଳୁଛନ୍ତି, ତତ୍କାଳ ମରାମତି କରିବେ। ଯଦି ମରାମତି ନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜମା ରାଶିରୁ ଆମେ ଟଙ୍କା କାଟି ପାରିବୁ। ଯେଉଁ ଟଙ୍କାରେ ପୌରସଂସ୍ଥା ନିଜେ ମରାମତି କାମ କରିବ। ଯଦି ଏଭଳି କିଛି ହୋଇଥାଏ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।

Share Now:

Kalinga News Beuro

Next Post

ମରୁଭୂମି ପାଲଟିବ ବାଲୁଖଣ୍ଡ ଅଭୟାରଣ୍ୟ: ଲାଗୁନି ଚାରା, ଫେରୁନି ସବୁଜିମା

Mon Aug 16 , 2021
ଫନିରେ ଉପୁଡ଼ିଥିଲା ୨୨ଲକ୍ଷ ଗଛ, ବୃକ୍ଷରୋପଣରେ ବାଧକ ସାଜିଛି ଭଙ୍ଗା ଗଛ ପୁରୀ : ସରକାରୀ ଅବହେଳା ଭିତରେ ରାଜ୍ୟର ଏକମାତ୍ର ହରିଣ ଅଭୟାରଣ୍ୟ ବାଲୁଖଣ୍ଡ। ନା ଏଠାରେ ଭାଙ୍ଗି ପଡ଼ିଥିବା ଗଛ କଟା ହେଉଛି, ନା ସବୁଜିମା ପ୍ରତି ଦୃଷ୍ଟି ଦିଆଯାଉଛି। ବର୍ଷ ବର୍ଷ ଧରି ପଡ଼ି ରହିଥିବା ଭଙ୍ଗା ଗଛ ସବୁ ଉଠୁନଥିବାରୁ ବୃକ୍ଷରୋପଣରେ ଏହା ପ୍ରତିବନ୍ଧକ ସାଜିଛି। ପରିଣାମ ସ୍ବରୂପ ଏହି ବିରଳ ଅଭୟାରଣ୍ୟ ଧୀରେ […]
ବାଲୁଖଣ୍ଡ ଅଭୟାରଣ୍ୟ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial