ମରୁଭୂମି ପାଲଟିବ ବାଲୁଖଣ୍ଡ ଅଭୟାରଣ୍ୟ: ଲାଗୁନି ଚାରା, ଫେରୁନି ସବୁଜିମା

ବାଲୁଖଣ୍ଡ ଅଭୟାରଣ୍ୟ-1

ଫନିରେ ଉପୁଡ଼ିଥିଲା ୨୨ଲକ୍ଷ ଗଛ, ବୃକ୍ଷରୋପଣରେ ବାଧକ ସାଜିଛି ଭଙ୍ଗା ଗଛ

ପୁରୀ : ସରକାରୀ ଅବହେଳା ଭିତରେ ରାଜ୍ୟର ଏକମାତ୍ର ହରିଣ ଅଭୟାରଣ୍ୟ ବାଲୁଖଣ୍ଡ। ନା ଏଠାରେ ଭାଙ୍ଗି ପଡ଼ିଥିବା ଗଛ କଟା ହେଉଛି, ନା ସବୁଜିମା ପ୍ରତି ଦୃଷ୍ଟି ଦିଆଯାଉଛି। ବର୍ଷ ବର୍ଷ ଧରି ପଡ଼ି ରହିଥିବା ଭଙ୍ଗା ଗଛ ସବୁ ଉଠୁନଥିବାରୁ ବୃକ୍ଷରୋପଣରେ ଏହା ପ୍ରତିବନ୍ଧକ ସାଜିଛି। ପରିଣାମ ସ୍ବରୂପ ଏହି ବିରଳ ଅଭୟାରଣ୍ୟ ଧୀରେ ଧୀରେ ନିଜର ପୂର୍ବ ଗାରିମା ହରାଇବାରେ ଲାଗିଛି। ପ୍ରାୟ ୪ହଜାର ହରିଣଙ୍କ ସହ ଶହ ଶହ ବାର୍ହା, ଓଧ, ଗଧିଆ, କୋକିଶିଆଳି ଆଦି ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁଙ୍କ ପାଇଁ ମୁକ୍ତ ବିଚରଣର ଏହି ଅଭୟାରଣ୍ୟ ଆଜି ଶ୍ରୀହିନ ଦିଶିବା ସହ ବିଚରଣର ମାର୍ଗ ବି ସଂକୁଚିତ ହେବାରେ ଲାଗିଛି। ବିରଳ ବାଲୁଖଣ୍ଡ ଅଭୟାରଣ୍ୟର ଏଭଳି ଦୃଶ୍ୟ ଏବେ ବନ୍ୟଜନ୍ତୁ ତଥା ପରିବେଶପ୍ରେମୀଙ୍କୁ ଆନ୍ଦୋଳିତ କଲାଣି। ପୁଣି କେବେ ବାଲୁଖଣ୍ଡର ସବୁଜିମା ଫେରିବ? ଘଞ୍ଚ ଜଙ୍ଗଲରେ କେବେ ପୁଣିଥରେ ହସି ଉଠିବ ବାଲୁଖଣ୍ଡ? ରାସ୍ତାରେ ଯିବାବେଳେ ପଲ ପଲ ହରିଣ ରାସ୍ତା ପାର ହେବାର ଦୃଶ୍ୟ ଆଉ ପୁଣି କେବେ ଦେଖିବାକୁ ମିଳିବ? ଯଦି ସରକାର ଧ୍ୟାନ ନ ଦେବେ ତେବେ ଏହା ମରୁଭୂମି ପାଲଟିବ। ସରକାରଙ୍କ ଆଗରେ ଏଭଳି ଅନେକ ପ୍ରଶ୍ନର ପାହାଡ଼ ଠିଆ କରିଛନ୍ତି ପରିବେଶପ୍ରେମୀ।

୩ ବର୍ଷ ତଳେ ପ୍ରଳୟଙ୍କାରୀ ବାତ୍ୟା ‘ଫନି’ ବାଲୁଖଣ୍ଡ ଅଭୟାରଣ୍ୟକୁ ଛାରଖାର କରି ଦେଇଥିଲେ। ବଙ୍ଗୋପସାଗର ଉପକୂଳରେ ୮୬ ବର୍ଗ କିଲୋମିଟରରେ ବ୍ୟାପ୍ତ ଏହି ବିରଳ ଅଭୟାରଣ୍ୟ ଫନି ପ୍ରହାରରେ ଧ୍ବଂସସ୍ତୁପ ପାଲଟି ଯାଇଥିଲା। ପ୍ରାୟ ୨୨ ଲକ୍ଷ ଗଛ ମାଟିରେ ଲୋଟିଥିଲା। ଶାଗୁଆନ, ଆକାଶିଆ, ଝାମୁ, ପଟାସ, କରଞ୍ଜ ଭଳି ଅନେକ ଗଛ ନିମିଷକେ ଭାଙ୍ଗି ପଡ଼ିଥିଲା। ପୁରୀ-କୋଣାର୍କ ଜାତୀୟ ରାଜପଥର ସବୁଜିମା ଦୃଶ୍ୟ(ଫଟୋ ସୁଟ୍‌ ସ୍ଥାନ) ଛାରଖାର ହୋଇଯାଇଥିଲା। ବାଲୁଖଣ୍ଡର ଘଞ୍ଚ ଜଙ୍ଗଲ ମରୁଭୂମି ପାଲଟିଥିଲା। ଇତିମଧ୍ୟରେ ୩ ବର୍ଷ ବିତିଛି ସତ, କିନ୍ତୁ ବଦଳିନି ବାଲୁଖଣ୍ଡ ଅଭୟାରଣ୍ୟର ଚିତ୍ର। ଘଞ୍ଚ ଜଙ୍ଗଲ ଏବେ ବି ଟାଙ୍ଗରା ଭୂଇଁ ଭଳି ଦେଖାଯାଉଛି। ଯେଉଁ ଜଙ୍ଗଲରେ ଖରା ଦେଖିବା କଷ୍ଟ ଥିଲା, ସେଠି ଚାରିଆଡ଼େ ଟାଣ ଖରା। ଲକ୍ଷ୍ୟ ଥିଲା ଯେତିକି ସଂଖ୍ୟାରେ ବାଲୁଖଣ୍ଡରୁ ଗଛ ଭାଙ୍ଗିଛି, ତାର ଦୁଇଗୁଣା ବୃକ୍ଷରୋପଣ କରାଯିବ। କିନ୍ତୁ ଉପୁଡ଼ିଥିବା ୨୨ ଲକ୍ଷ ଗଛର ୫ ପ୍ରତିଶତ ଅର୍ଥାତ୍‌ ଲକ୍ଷେ ଗଛ ବି ଆଜି ପର୍ଯ୍ୟନ୍ତ ବାଲୁଖଣ୍ଡରେ ଲାଗିପାରିନି। ଏହାର ପ୍ରମୁଖ କାରଣ ସାଜିଛି ବାଲୁଖଣ୍ଡର ଭଙ୍ଗା ଗଛ। ଆଜି ପର୍ଯ୍ୟନ୍ତ ଏହି ଗଛ ଉଠିନଥିବାରୁ ସ୍ଥାନାଭାବ ଦେଖାଦେଇଛି।
ଏ ସମ୍ପର୍କରେ ପୁରୀ ବନଖଣ୍ଡ ଅଧିକାରୀ ରାମସ୍ବାମୀ ପି କହିଛନ୍ତି କି ବାଲୁଖଣ୍ଡରେ ଭାଙ୍ଗି ପଡ଼ିଥିବା ଗଛ ଯେହେତୁ ଆଜି ପର୍ଯ୍ୟନ୍ତ ଉଠିପାରିନି, ସେଥିପାଇଁ ଗଛ ଲଗାଇବା ସମ୍ଭବପର ହେଉନି। ବନ ନିଗମକୁ ତୁରନ୍ତ ଭଙ୍ଗା ଗଛ କାଟି ବାହାର କରିବାକୁ ଚିଠି କରାଯାଇଛି। ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ ବି ଗଛ କାଟି ରଖିବା ପାଇଁ ସ୍ଥାନ ଦିଆଯାଇଛି। ଯେତେଶୀଘ୍ର ଗଛ ଉଠିବ, ସେତେ ଶୀଘ୍ର ଆମେ ବୃକ୍ଷରୋପଣ କରିବୁ। ତଥାପି ଚଳିତବର୍ଷ ବାଲୁଖଣ୍ଡ ଅଭୟାରଣ୍ୟ ସହ ଜିଲ୍ଲାର ଅନ୍ୟାନ୍ୟ ଜଙ୍ଗଲରେ ଆମେ ୪୦ ହଜାର ଗଛ ଲଗାଇ ସାରିଲୁଣି ବୋଲି ବନଖଣ୍ଡ ଅଧିକାରୀ ରାମସ୍ବାମୀ ପି କହିଛନ୍ତି।

Share Now:

Kalinga News Beuro

Next Post

ସରକାରୀ ଆବାସ ଯୋଜନା ଠାରୁ ବହୁ ଦୂରରେ ବିଧବା ମହିଳା ବବି

Mon Aug 16 , 2021
ଖମାର : ପାଳଲହଡ଼ା ବ୍ଲକ୍ ମୁଣ୍ଡୁରୀବେଡ଼ା ଗାଁର ଜଣେ ବିଧବା ମହିଳା ବବି ଦେହୁରୀ ଅଭାବ ଅନଟନରେ ଭାଙ୍ଗି ପଡ଼ିଛନ୍ତି। ପେଟକୁ ଦାନା ଯୋଗାଡ଼ ପାଇଁ ଜୁ ନଥିବା‌ବେଳେ ରୋଗାକାନ୍ତ ଝିଅର ଚିକିତ୍ସା କରାଇପାରୁନାହାନ୍ତି। ଏହି ନିଃସ୍ବ ମହିଳାଙ୍କୁ ଏ ପର୍ଯ୍ୟନ୍ତ ସରକାରଙ୍କ ‘ଆବାସ’ ଯୋଜନାରେ ମଧ୍ୟ ସାମିଲ କରାଯାଇପାରିଲା ନାହିଁ। ବବି ଦେହୁରୀ କହିବା ଅନୁଯାୟୀ, ତାଙ୍କ ସ୍ବାମୀ ଖଗେଶ୍ବର ଦେହୁରୀଙ୍କର ୮ବର୍ଷ ତଳେ ମୃତ୍ୟୁ ଘଟିଛି। ବବିଙ୍କ […]
ବିଧବା ମହିଳା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial