କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ : କମାଲ କଲା କନିଷ୍ଠ ଭାରତ

କନିଷ୍ଠ ପୁରୁଷ ହକି ବିଶ୍ବକପ୍‌

ସେମିରେ ଭାରତ-ଜର୍ମାନି, ଫ୍ରାନ୍ସ-ଆର୍ଜେଣ୍ଟିନା

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଏଫ୍‌ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ସେମିଫାଇନାଲ୍ ଲାଇନ ଅପ୍ ଚୂଡ଼ାନ୍ତ ହୋଇଛି। ଏହି ୧୬ ଜଣିଆ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ୍‌ରେ ଭାରତ-ଜର୍ମାନି ଏବଂ ଦ୍ବିତୀୟରେ ଫ୍ରାନ୍ସ- ଆର୍ଜେଣ୍ଟିନା ମୁହାଁମୁହିଁ ହେବେ। ଉଭୟ ମ୍ୟାଚ୍ ଆସନ୍ତା ଶୁକ୍ରବାର ଖେଳାଯିବ। ବୁଧବାର ଖେଳାଯାଇଥିବା ଚାରିଟି କ୍ବାର୍ଟର ଫାଇନାଲ୍ ମ୍ୟାଚ୍‌ରେ ବିଜୟୀ ହୋଇ ଜର୍ମାନି, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଭାରତ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ପରାଜିତ ସ୍ପେନ୍, ନେଦରଲାଣ୍ଡ୍ସ, ମାଲେସିଆ ଓ ବେଲଜିୟମ ଟ୍ରଫି ଜିତିବା ଦୌଡ଼ରୁ ବାଦ ପଡ଼ିଛନ୍ତି। ଏମାନେ ଏବେ ପଞ୍ଚମରୁ ଅଷ୍ଟମ ସ୍ଥାନ ପାଇଁ ଲଢ଼ିବେ।
ଆଜି ଭାରତ ମନ୍ଥର ଆରମ୍ଭ କରିଥିଲା। ହେଲେ ପରେ ଗତି ଓ ଆକ୍ରମଣର ମାତ୍ରା ବଢ଼ାଇ ବେଲଜିୟମ ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା। ତଥାପି ପ୍ରଥମ କ୍ବାର୍ଟରର ପ୍ରଥମ ୧୫ ମିନିଟ୍ ଖେଳରେ ବେଲଜିୟମର ସଜାଗ ରକ୍ଷଣଭାଗକୁ ଭେଦ କରିବାକୁ ସକ୍ଷମ ହୋଇ ନଥିଲା। ପ୍ରଥମ କ୍ବାର୍ଟରରେ ସୃଷ୍ଟି କରିଥିବା ଚାପର ଫଳ କିନ୍ତୁ ଘରୋଇ ଭାରତୀୟ ଦଳକୁ ଦ୍ବିତୀୟ କ୍ବାର୍ଟର ଆରମ୍ଭରୁ ମିଳି ଯାଇଥିଲା। ସପ୍ତମ ମିନିଟ୍‌ରେ ସ୍ଥାନୀୟ ତାରକା ସୁନିଲ ଯୋଯୋଙ୍କୁ ସବୁଜ କାର୍ଡ ମିଳିବାର ମିନି ଧକ୍କାରୁ ବାହାରି ୨୧ ମିନିଟ୍‌ରେ ପ୍ରଥମ ଗୋଲ୍ ସ୍କୋର କରି ନେଇଥିଲା ଭାରତ। ଶରଦା ନନ୍ଦ ତିୱାରୀ ସଫଳତାର ସହ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତର କରିବା ପରେ ଭାରତ ଆଗୁଆ ହୋଇ ଯାଇଥିଲା। ସ୍ବତନ୍ତ୍ର ପାସ୍ ନେଇ ଉଭୟ ପୂର୍ବ ଓ ପଶ୍ଚିମ ପଟ ଗ୍ୟାଲେରିରେ ବସିଥିବା ଦର୍ଶକ ଝୁମି ଉଠିବା ସହ କଳିଙ୍ଗ ଷ୍ଟାଡିୟମ ଇଣ୍ଡିଆ, ଇଣ୍ଡିଆ ରଡ଼ିରେ କମ୍ପି ଉଠିଥିଲା। ଏହା ପରେ ବେଲଜିୟମ ନିଜ ପ୍ରତିଆକ୍ରମଣକୁ ଅଧିକ ସୁଦୃଢ଼ କରି ଭାରତୀୟ ସର୍କଲରେ ବହୁବାର ପ୍ରବେଶ କରିଥିଲା।
ହେଲେ ଦ୍ବିତୀୟ କ୍ବାର୍ଟର ଶେଷ ସୁଦ୍ଧା ଗୋଲ୍ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲା। ଭାରତର ସଜାଗ ରକ୍ଷଣଭାଗ ଏହି ଦଳର ସବୁ ପ୍ରୟାସକୁ ନିଷ୍ଫଳ କରି ଦେଇଥିଲା। ଫଳରେ ପ୍ରଥମ ୩୦ ମିନିଟ୍ ଖେଳ ପରେ ଭାରତ ୧-୦ ଗୋଲ୍‌ରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟର ବେଶ୍ ଉତ୍ତେଜନା ପ୍ରବଣ ରହିଥିଲା। ଉଭୟ ଦଳ ମଧ୍ୟ ପରସ୍ପରର ଗୋଲ୍‌ ପୋଷ୍ଟକୁ ବଲ୍ ପୂରାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ହେଲେ କେହି ସଫଳ ହୋଇ ନଥିଲେ। ତୁଳନାତ୍ମକ ଭାବେ ଭାରତ ଅଧିକ ଥର ବେଲଜିୟମ ସର୍କଲକୁ ପ୍ରବେଶ କରିଥିଲା।
ଏହା ସତ୍ତ୍ୱେ ତୃତୀୟ କ୍ବାର୍ଟର ଗୋଲ୍ ଶୂନ୍ୟ ରହିବାରୁ ଭାରତ ସେହି ୧-୦ ସ୍କୋର ଲାଇନ୍‌ରେ ନିଜ ଅଗ୍ରଣୀ ବଜାୟ ରଖିଥିଲା। ୩୦ ମିନିଟ୍ ପର୍ଯ୍ୟନ୍ତ ପଛୁଆ ରହିଥିବା ବେଲଜିୟମ୍‌ ଚତୁର୍ଥ କ୍ବାର୍ଟରର ନବମ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣର ଅର୍ଜନ କରି ନେଇଥିଲା। ହେଲେ ଭାରତୀୟ ଗୋଲ୍ ରକ୍ଷକ ପ୍ରଶାନ୍ତ କୁମାର ଚୌହ୍ବାନ ଏହାକୁ ଚମତ୍କାର ଢଙ୍ଗରେ ରୋକିବା ପରେ ଭାରତୀୟ ରକ୍ଷଣଭାଗ ତୁରନ୍ତ ବଲ୍‌କୁ କ୍ଲିୟର କରି ନେଇଥିଲା। ଖେଳ ‌ଶେଷ ହେବାର ୪ ମିନିଟ୍ ପୂର୍ବରୁ ଗୋଲ୍‌ରକ୍ଷକକୁ କାଢ଼ି ବେଲଜିୟମ ନିଜ‌ ଗୋଲ୍‌ପୋଷ୍ଟକୁ ମୁକୁଳା କରି ଖେଳିଥିଲା। ସବୁ ୧୧ ଜଣ ଖେଳାଳି ଭାରତ ଉପରେ ସବୁ ଦିଗରୁ ଆକ୍ରମଣ କରିଥିଲେ। ଯାହାର ଫଳ ତାକୁ ଦେଢ଼ ମିନିଟ୍‌ ଭିତରେ ପେନାଲ୍ଟି କର୍ଣ୍ଣର ଆକାରରେ ମିଳିଥିଲା। ହେଲେ ଦ୍ବିତୀୟାର୍ଦ୍ଧରେ ଭାରତର ଗୋଲ୍ ରକ୍ଷକ ଥିବା ପ୍ରଶାନ୍ତ ପୁଣି ଥରେ ନିଜ ଯାଦୁ ଦେଖାଇ ଏହାକୁ ପ୍ରତିହତ କରି ନେଇଥିଲେ। ଶେଷ ୨ ମିନିଟ୍ ଭାରତ ପାଇଁ ପୂରା ଭାରି ପଡ଼ିଥିଲେ ମଧ୍ୟ ଯୁବ ଟିମ୍ ଇଣ୍ଡିଆର ଏହାକୁ ସଫଳତାର ସହ ‌ପାର କରି ନେଇଥିଲା। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅତିଥି ଭାବେ ଯୋଗଦେଇ ଭାରତର ବିଷ୍ଣୁକାନ୍ତ ସିଂହଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ପୂର୍ବ ମ୍ୟାଚ୍‌ଗୁଡ଼ିକ ଭଳି ଓଡ଼ିଆ ତାରକା ଅଭିଷେକ ଲାକ୍ରା ଭାରତର ଷ୍ଟାର୍ଟିଂ ଏକାଦଶରେ ଥିଲେ। ଏହା ପରେ ଅନ୍ୟ ଦୁଇ ଓଡ଼ିଆ ଖେଳାଳି ସୁଦୀପ ଚିର୍ମାକୋ ଓ ସୁନିଲ ଯୋଯୋ ପଡ଼ିଆକୁ ଓହ୍ଲାଇଥିଲେ। ମ୍ୟାଚ୍ ପୂର୍ବରୁ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଅତିଥି ଭାବେ ଯୋଗ ଦେଇ ଦୁଇ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ।

Share Now:

Kalinga News Beuro

Next Post

ଗୋପାଳପୁରଠାରୁ ୪୭୦ କିଲୋମିଟର ଦୂରରେ ଜୱାଦ

Fri Dec 3 , 2021
ଘଣ୍ଟା ପିଛା ୨୨ କିମି ବେଗରେ ସ୍ଥଳଭାଗ ଆଡ଼କୁ ହେଉଛି ଅଗ୍ରସର ଭୁବନେଶ୍ବର: ବାତ୍ୟା ଜୱାଦ ନେଇ ତାଜା ଅପଡେଟ୍ ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ। ବାତ୍ୟା ଏବେ ସମୁଦ୍ର ଭିତରେ ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଗତି କରୁଥିବାବେଳେ ଆସନ୍ତା ୫ ତାରିଖ ବେଳକୁ ଏହା ଉପକୂଳ ଛୁଇଁପାରେ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରୀ ନିକଟରେ ଏହା […]
ପୁରୀଠୁ ୫୩୦ କିଲୋମିଟର ଦୂରରେ ଜୱାଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial