ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରି

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ

୫ ମହାନଗର ନିଗମରେ ଜାଗା ମିସନ୍, ଶିକ୍ଷକ ଓ ଅଣଶିକ୍ଷକମାନଙ୍କ ଲାଗି ସପ୍ତମ ବେତନ କମିସନ୍ ଲାଗୁ

ଭୁବନେଶ୍ୱର: ଶୁକ୍ରବାର ଦିନ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଧ୍ୟାହ୍ନ ସାଢ଼େ ୧୨ଟାରେ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଏହି ବୈଠକ ହୋଇଛି। ଏଥିରେ ୯ଟି ପ୍ରସ୍ତାବରେ ମୋହର ଲାଗିଥିବାର ସୂଚନା ମିଳିଛି। ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକମାନଙ୍କୁ ସପ୍ତମ ବେତନ କମିସନ୍ ହାରରେ ଦରମା ଦିଆଯିବା ପ୍ରସ୍ତାବକୁ ଏଥିରେ ମଞ୍ଜୁରି ମିଳିଛି। ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୂତନ ବେତନ ପାଇବେ। ନୂତନ ବର୍ଦ୍ଧିତ ବେତନ ୧.୧. ୨୦୨୨ଠାରୁ ଲାଗୁ ହେବ। ଏହାଦ୍ବାରା ୨୬ ହଜାର ଶିକ୍ଷକ, ଅଧ୍ୟାପକ ଓ ଅଣଶିକ୍ଷକ ଲାଭାନ୍ବିତ ହେବେ ବୋଲି ଜଣାଯାଇଛି। ଏହାଛଡ଼ା ୫ଟି ମହାନଗର ନିଗମ ଅଧିନରେ ୯୩୮ ଗୋଟି ବସ୍ତିରେ ବସବାସ କରୁଥିବା ଲୋକଙ୍କ ଲାଗି ଜାଗା ମିସନ୍ ଯୋଜନା କାର୍ଯ୍ୟକାରୀ କରାଯିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। “ ଓଡ଼ିଶା ବସ୍ତିବାସିନ୍ଦାଙ୍କ ପାଇଁ ଭୂମିଅଧିକାର ଅଧିନିୟମ, ୨୦୧୭ ” ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇଥିବା ବସ୍ତିବାସିନ୍ଦା ମାନଙ୍କୁ ଭୂମି ଭୋଗଦଖଲର ସୁରକ୍ଷା ପ୍ରଦାନ କରିବା ତଥା ବସ୍ତିବାସିନ୍ଦାଙ୍କୁ ବାସୋପଯୋଗୀ ବସତିରେ ପରିଣତ କରିବାର ଦ୍ଵୈତ ଉଦ୍ଦେଶ୍ୟ ନେଇ ପ୍ରଣୟନ କରଯାଇଥିଲା। ରାଜ୍ୟର ସମସ୍ତ ପୌରପାଳିକା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକ ଏହି ଆଇନର ପରିସରଭୁକ୍ତ ହୋଇଥିଲ।
ନଗର ନିଗମମାନଙ୍କରେ ବସବାସ କରୁଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ ମଧ୍ୟ ୨୦୧୭ ମସିହାରେ “ ଓଡିଶା ମହାନଗର ନିଗମ ଅଧିନିୟମ -୨୦୦୩ ”ରେ ଆବଶ୍ୟକୀୟ ସଂଶୋଧନ କରି ସମ୍ପତ୍ତିଗତ ଅଧିକାର ସୁରକ୍ଷିତ କରିବାପାଇଁ ଅନୁରୂପ ବ୍ୟବସ୍ଥା ପ୍ରଣୟନ କରଯାଇଥିଲା କିନ୍ତୁ ଉପରୋକ୍ତ ସଂଶୋଧନ ପରେ ୪ବର୍ଷ ବିତିଯାଇଥିଲେ ସୁଦ୍ଧା ବସ୍ତିବାସିନ୍ଦାମାନଙ୍କୁ ସମ୍ପତ୍ତିଗତ ଅଧିକାର ପ୍ରଦାନ କରିବାରେ ବିଭିନ୍ନ କାରଣରୁ ବିଶେଷ ଅଗ୍ରଗତି ହୋଇପାରି ନାହିଁ। ଏଥିଯୋଗୁଁ ନଗରନିଗମଗୁଡ଼ିକରେ ବାସକରୁଥିବା ୨ ଲକ୍ଷରୁ ଉର୍ଦ୍ଧ୍ଵବସ୍ତିବାସିନ୍ଦା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ସମ୍ପତ୍ତିଗତ ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଉପୁଜିଥିବା ସମସ୍ୟାଗୁଡିକୁ ଉପଲବ୍ଧିକରି ମହାନଗର ନିଗମମାନଙ୍କରେ ବାସକରୁଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ ମଧ୍ୟ ପୌରପାଳିକା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବସବାସ କରୁଥିବା ବସ୍ତିବାସିନ୍ଦାମାନଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଭୂମି ଅଧିକାର ଆଇନ ଭଳି ଅନୁରୂପ ବ୍ୟବସ୍ଥା ଆଗତ କରିବା ନିମନ୍ତେ ଓଡିଶା ମହାନଗର ନିଗମ ଅଧିନିୟମ-୨୦୦୩କୁ ସଂଶୋଧନ କରିବାପାଇଁ ପ୍ରସ୍ତାବ ରଖାଯାଇଛି। ଏହି ପ୍ରସ୍ତାବ ମୁତାବକ ଯେଉଁଠି ସମ୍ଭବ ହେବ ସେହି ସ୍ଥାନରେ ସମ୍ପତ୍ତିଗତ ଅଧିକାର ତଥା ଯେଉଁଠି ସମ୍ପତ୍ତିଗତ ଅଧିକାର ଦେବାରେ କୌଣସି ଅସୁବିଧା ହେବ, ସେହି ସ୍ଥାନରେ ବସ୍ତିବାସିନ୍ଦା ମାନଙ୍କୁ ୪୫ ବର୍ଗ ମିଟର ଯାଏଁ ଭୂମି ଉପରେ ଭୂମି ଅଧିକାର ପ୍ରଦାନ କରାଯାଇପାରିବ। ଯଦି ବସ୍ତିବାସିନ୍ଦା ଆର୍ଥିକ ଦୁର୍ବଳ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଥିବେ , ତେବେ ୩୦ ବର୍ଗ ମିଟର ଯାଏଁ ଭୂମି ଉପରେ ମାଗଣା ଭୂମି ଅଧିକାର ପ୍ରଦାନ କରାଯିବ। ଏତଦ ବ୍ୟତୀତ କୌଣସି ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ପରିବାର ଯଦି ୩୦ ବର୍ଗମିଟରରୁ କମ୍ ଭୂମି ଦଖଲ କରୁଥିବେ ଏବଂ ତାଙ୍କ ବାସଗୃହକୁ ଲାଗି ସରକାରୀ ଖୋଲା ଜାଗା ଥିବ, ତେବେ ତାଙ୍କୁ ଯଥା ସମ୍ଭବ ୩୦ ବର୍ଗମିଟର ଯାଏଁ ଭୂମି ଯୋଗାଇଦେବା ପାଇଁ ଅଧ୍ୟାଦେଶରେ ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ରଖାଯାଇଛି। ମହାନଗର ନିଗମମାନଙ୍କରେ ବାସକରୁଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ କେବଳ ଯେ ଭୂମିଅଧିକାର ସୁରକ୍ଷିତ କରାଇପାରିବ ତା ନୁହେଁ, ବରଂ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ସହାୟତା ମଧ୍ୟ ଯୋଗାଇ ଦିଆଯାଇପାରିବ। ଏତଦ ଦ୍ଵାରା ୫ଟି ମହାନଗର ନିଗମ ଅଧିନରେ ୯୩୮ ଗୋଟି ବସ୍ତିରେ ବସବାସ କରୁଥିବା ପ୍ରାୟ ୧ ଲକ୍ଷ ୯୦ ହଜାର ପରିବାର ଅନ୍ତର୍ଗତ ୮ଲକ୍ଷ ୫୮ହଜାର ବସ୍ତିବାସିନ୍ଦା ଉପକୃତ ହୋଇପାରିବେ। ଏହି କାର୍ଯ୍ୟ ୬ ମାସ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରାଯିବ। ଉପରୋକ୍ତ ଅଧ୍ୟାଦେଶଟି ବସ୍ତିବାସିନ୍ଦାମାନଙ୍କୁ ସେମାନେ ବସବାସ କରୁଥିବା ସହର ଉପରେ ସେମାନଙ୍କର ସମ୍ପୂର୍ଣ ଅଧିକାର ଅଛି ବୋଲି ଭରସା ଯୋଗାଇବ ଏବଂ ଲୋକମାନଙ୍କର ମୂଲ୍ୟ ଭୂମିର ମୂଲ୍ୟ ଠାରୁ ଅଧିକ ବୋଲି ସରକାରଙ୍କର ବିଶ୍ଵାସକୁ ପ୍ରତିପାଦିତ କରିବ।

Share Now:

Kalinga News Beuro

Next Post

ଏହିସବୁ କାର୍ଯ୍ୟକଳାପ ପାଇଁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ ନାହିଁ

Fri Dec 31 , 2021
ଭୁବନେଶ୍ବର: ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ, କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର କଟକଣା କଡ଼ାକଡ଼ି କରିଛନ୍ତି। ଏସ୍ଆରସିଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁଯାୟୀ ଜାନୁଆରି ମାସରେ ନିମ୍ନଲିଖିତ କାର୍ଯ୍ୟକଳାପରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ ନାହିଁ।୧: ଡ୍ୟୁଟିରେ ଥିବା ଜିଲ୍ଲା ଏବଂ ମ୍ୟୁନିସିପାଲିଟି ପ୍ରଶାସନ / ପୁଲିସ / ସରକାରୀ କର୍ମଚାରୀ ୨. ଡାକ୍ତର, ଡାକ୍ତରୀ / ପାରାମେଡିକାଲ୍ କର୍ମଚାରୀ, ଆମ୍ବୁଲାନ୍ସ । ୩. ବିଦ୍ୟୁତ୍, ଅଗ୍ନିଶମ ସେବା, ଟେଲିକମ୍, […]
ନାଇଟ୍‌ କର୍ଫ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial