ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉମାନଙ୍କୁ ଦର୍ଶନ କରିଛନ୍ତି। ରାଜଭବନରୁ ସନ୍ଧ୍ୟା ପ୍ରାୟ ୪ଟା ୫୦ରେ କଡ଼ା ସୁରକ୍ଷା ଭିତରେ ବାହାରି ସେ ୧୦ ମିନିଟ ପରେ ସିଂହଦ୍ବାରରେ ପହଞ୍ଚିଥିଲେ। ସିଂହଦ୍ବାରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ୱାଗତ କରାଯାଇଥିଲା। ତା’ପରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ସେବାୟତମାନେ ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପାଛୋଟି ନେଇଥିଲେ। ଶେଷରେ ରାଷ୍ଟ୍ରପତି ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ତାଙ୍କ ସହିତ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ, ଝିଅ ଓ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ପରେ ସେ ମା’ ବିମଳା ଓ ମହାଲକ୍ଷ୍ମୀଙ୍କ ମନ୍ଦିର ଯାଇ ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି।
୨ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚି ସେ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀ ଅଭିମୁଖେ ବାହାରି ଥିଲେ। ସେ ସ୍ଥାନୀୟ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ଭିତରେ ଏକ ସ୍ବତନ୍ତ୍ର କାରକେଡ୍‌ରେ ରାଜଭବନ ଯାଇଥିଲେ। ରାଷ୍ଟ୍ରପତିଙ୍କ ସହିତ ତାଙ୍କର ଧର୍ମପତ୍ନୀ ସବିତା କୋବିନ୍ଦ ମଧ୍ୟ ଅଛନ୍ତି। ସେହିପରି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଅବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମଧ୍ୟ ଅଛନ୍ତି। ରାଷ୍ଟ୍ରପତି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଥିଲେ। ଏହି ଅବସରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୁଲିସ ଡିଜି ସୁନୀଲ ବଂଶଲ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ରାମାନଥ କୋବିନ୍ଦଙ୍କ ଶ୍ରୀମନ୍ଦିର ଗସ୍ତ ଓ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି।

ଫେବୃଆରୀ ୨୦ରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିଠାରେ ଆୟୋଜିତ ଗୌଡୀୟ ମିସନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଶୁଭାରମ୍ଭ ଉତ୍ସବରେ ଯୋଗଦେବେ। ଗସ୍ତର କାର୍ଯ୍ୟସୂଚୀ ଅନୁଯାୟୀ, ଅପରାହ୍ନ ୩ଟା ୨୫ରେ ପୁରୀ ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ ପରେ ଭିଆଇପି ରୋଡ୍‌ସ୍ଥିତ ରାଜଭବନ ଅଭିମୁଖେ ଯାତ୍ରା କରିଥିଲେ। ପ୍ରାୟ ଏକ ଘଣ୍ଟାର ବିଶ୍ରାମ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କଡ଼ା ସୁରକ୍ଷାବଳୟ ଭିତରେ କାର୍‌ରେ ସପରିବାର ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ସଂଧ୍ୟା ୫ଟାରେ ଶ୍ରୀମନ୍ଦିରଠାରେ ପହଞ୍ଚିବା ପରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ପ୍ରାୟ ୪୫ ମିନିଟ୍‌ ଶ୍ରୀମନ୍ଦିର ଭିତରେ ରହିବା ପରେ ସଂଧ୍ୟା ୫ଟା ୪୫ରେ ସିଂହଦ୍ବାର ଦେଇ ବାହାରି ରାଜଭବନ ଯିବେ। ଆଜି ରାତ୍ରିକାଳୀନ ବିଶ୍ରାମ ପରେ ଫେବୃଆରୀ ୨୦ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରେ ରାଜଭବନରୁ ବାହାରି ପୁରୀ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠକୁ ଯିବେ। ୧୦ ମିନିଟ୍‌ର ମଠ ପରିଦର୍ଶନ ପରେ ପୂର୍ବାହ୍ନ ୧୦ଟା ୪୫ରେ ଚୈତନ୍ୟ ‌ଗୌଡ଼ୀୟ ମଠ ପକ୍ଷରୁ ଆୟୋଜିତ ଶରଧାବାଲିସ୍ଥିତ ସଭାସ୍ଥଳରେ ପହଞ୍ଚିବେ। ପୂର୍ବାହ୍ନ ୧୧ଟାରେ ଗୌଡୀୟ ମିସନ୍‌ର ପ୍ରତିଷ୍ଠାତା ଶ୍ରୀମଦ୍‌ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଉତ୍ସବର ଶୁଭାରମ୍ଭ କରିବେ। ପ୍ରାୟ ଏକ ଘଣ୍ଟା ସଭାରେ ରହିବା ସହ ଅଭିଭାଷଣ ଦେବା ପରେ ମଧ୍ୟାହ୍ନ ୧୨ଟାରେ ପୁନର୍ବାର ପୁରୀ ତାଳବଣିଆସ୍ଥିତ ହେଲିପ୍ୟାଡ୍‌ ଅଭିମୁଖେ ଯାତ୍ରା କରିବେ। ମଧ୍ୟାହ୍ନ ୧୨ଟା ୧୫ରେ ହେଲିକପ୍ଟରରେ ବସି ଭୁବନେଶ୍ବର ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ। ମଧ୍ୟାହ୍ନ ୧୨ଟା ୫୫ରେ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Share Now:

Kalinga News Beuro

Next Post

ଚାକିରି ଯିବା ପରେ ଡିଜିଟାଲ ଟେକନୋଲୋଜିରେ ଭିକ ମାଗୁଛନ୍ତି ଏହି ବୃଦ୍ଧ

Sun Feb 20 , 2022
ନୂଆଦିଲ୍ଲୀ: ଇଣ୍ଟରନେଟ୍ ଆମ ଦୁନିଆକୁ ବହୁତ ଶୀଘ୍ର ବଦଳାଇ ଦେଇଛି। ପୂର୍ବରୁ କିଛି କାମ କରିବା ପାଇଁ ଆମକୁ ଅନେକ ସମୟ ଲାଗିଥାଏ। କିନ୍ତୁ ଆଜିକାଲି ଅନେକ କାମ ଫୋନ ଦ୍ବାରା କିଛି ମିନିଟ ଭିତରେ ହୋଇଯାଉଛି। ତେବେ ଏହି ଡିଜିଟାଲ ଯୁଗରେ ଡିଜିଟାଲ ଭିକାରିଙ୍କୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ତେବେ ରାସ୍ତପାର୍ଶ୍ବରେ ହେଉ କିମ୍ବା ବସଷ୍ଟାଣ୍ଡ କି ରେଳ‌ଷ୍ଟେସନରେ ଭିକାରିଙ୍କୁ ଭିକ ମାଗୁଥିବା ଦେଖିବାକୁ ମିଳିଛି। […]
ଡିଜିଟାଲ ଟେକନୋଲୋଜିରେ ଭିକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial