ଆଜି ମହାଶିବରାତ୍ରି: ଝଲସୁଛି ଶ୍ରୀଲିଙ୍ଗରାଜ ମନ୍ଦିର

ଝଲସୁଛି ଶ୍ରୀଲିଙ୍ଗରାଜ ମନ୍ଦିର

ଭକ୍ତଙ୍କ ପାଇଁ ଛାମୁଣ୍ଡିଆ, ଫୁଲରେ ସଜେଇ ହେଲା ସିଂହଦ୍ୱାର

ପୁରୁଣା ଭୁବନେଶ୍ୱର : ମଙ୍ଗଳବାର ମହାଶିବରାତ୍ରି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଏକାମ୍ର କ୍ଷେତ୍ର। ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ମନ୍ଦିରରେ ପ୍ରସ୍ତୁତି ସରିଛି। ଫୁଲରେ ସଜେଇ ହୋଇଛି ମନ୍ଦିର। ମନ୍ଦିର ଭିତର ଓ ବାହାରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରଙ୍ଗିନ ଆଲୋକମାଳାରେ ସଜା ଯାଇଛି। ଝଲସୁଛି ଏକାମ୍ରକ୍ଷେତ୍ରର ଏହି ପ୍ରସିଦ୍ଧ ଶୈବପୀଠ। ଏହାଛଡ଼ା ମନ୍ଦିର ନିକଟ ଦେବୀ ପାଦହରା ପୁଷ୍କରିଣୀ ଭିତରେ ଅଧିକ ଲାଇଟ୍‌ ଲଗାଯାଇଛି। ସେହିପରି ପୁଷ୍କରିଣୀ ଚାରିପଟକୁ ଆଲୋକମାଳାରେ ସଜା ଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ବ୍ୟତୀତ ଅନ୍ୟ ଛୋଟ ମନ୍ଦିରରେ ଲିଚୁମାଳା ଲଗାଯାଇଛି। ଏଥିସହ ମେଘନାଦ ପାଚେରି ଓ ମନ୍ଦିର ନିକଟ ଗଛରେ ମଧ୍ୟ ଲାଇଟ୍‌ ଲଗାଯାଇ ସୌନ୍ଦର୍ଯ୍ୟୀକରଣ କରାଯାଇଛି। ମନ୍ଦିରର ରଙ୍ଗ କାମ ସରିଥିବା ବେଳେ ସିଂହଦ୍ୱାରକୁ ଫୁଲରେ ସଜା ଯାଇଛି। ଏଥିଲାଗି ପଡ଼ୋଶୀ ରାଜ୍ୟରୁ ଫୁଲ ଅଣାଯାଇଥିବା ବେଳେ ଭୁବନେଶ୍ୱର ଫ୍ଲୋରିଷ୍ଟ୍‌ ଆସୋସିଏସନ୍ ପକ୍ଷରୁ ଏହି କାର୍ଯ୍ୟ କରାଯାଇଛି ବୋଲି ଆସୋସିଏସନ୍‌ର ସଭ୍ୟ ମିତେନ୍ଦ୍ର ସମର୍ଥା କହିଛନ୍ତି। ସେହିପରି ଲିଙ୍ଗରାଜ ମନ୍ଦିର ନିକଟରେ ସଫେଇ କରିଛି ବିଏମ୍‌ସି। ମନ୍ଦିରକୁ ସଂଯୋଗ କରୁଥିବା ସବୁ ରାସ୍ତା, ସବୁ ଛୋଟ ମନ୍ଦିର ପରିସର ସଫା କରାଯାଇଛି।
ରାତି ୧୦ଟାରେ ଉଠିବ ମହାଦୀପ
ମହାଶିବରାତ୍ରି ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ସୋମବାର ରାତି ୨.୩୦ ମିନିଟରେ ମନ୍ଦିର ଦ୍ୱାର ଖୋଲିବ। ଭୋର ୩ ଟାରୁ ୩ଟା ୩୦ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବ। ଏହାପରେ ଭୋର ୪ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କେବଳ ଦର୍ଶନ ହେବ। ୧୧.୩୦ମିନିଟ୍‌ରୁ ୧୨ଟା ଛାମୁ ପରିଷ୍କାର, ୧୨ଟାରେ ମହାସ୍ନାନ ବେଶ, ୧୨ଟା ୪୫ରୁ ସୂର୍ଯ୍ୟ ପୂଜା, ଦ୍ୱାରାପାଳ ପୂଜା, ଶ୍ରୀଜିଉ ଓ ଠାକୁରାଣୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ। ଅପରାହ୍‌ଣ ସାଢ଼େ ୨ଟାରୁ ଭୁବନେଶ୍ୱରୀଙ୍କ ସକାଳ ଧୂପ, ୨ଟା ୪୫ରୁ ଭୋଗ ମଣ୍ଡପ, ଅପରାହ୍‌ଣ ୩.୪୫ରୁ ୪ଟା ୪୫ ମଧ୍ୟରେ ପୁଣି ଦର୍ଶନ ହେବ।
ଅପରାହ୍‌ଣ ୪.୪୫ରୁ ଛାମୁ ପରିଷ୍କାର, ୫ଟା ୧୫ରେ ଶ୍ରୀଜିଉଙ୍କ ବେଶ, ୫ଟା ୫୪ରୁ ବୀର କିଶୋର ବଲ୍ଲଭ, ଦ୍ୱିପ୍ରହର ଧୂପ, ସନ୍ଧ୍ୟା ୭ଟାରେ ପହୁଡ଼ ପଡ଼ିବ। ୭ଟା ୧୦ରୁ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରା ଫିଟା ନୀତି ସମ୍ପନ୍ନ ହେବ। ସନ୍ଧ୍ୟା ସାଢ଼େ ୭ରୁ ଶ୍ରୀଜିଉଙ୍କ ମାଜଣା ଓ ବେଶ, ୮ଟା ୧୦ରେ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ପରିକ୍ରମା। ୮ଟା ୫୫ମିନିଟ୍‌ରେ ସନ୍ଧ୍ୟା ଧୂପ ଓ ତୀର୍ଥଜଳ ଆନୟନ କରାଯାଇ ରାତି ୧୦ରେ ମହାଦୀପ ଉଠିବ ବୋଲି ନୀତି ନିର୍ଘଣ୍ଟ ହୋଇଛି।

Share Now:

Kalinga News Beuro

Next Post

ବୁଧବାରଠାରୁ ବିଏମ୍‌ସି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ

Tue Mar 1 , 2022
୧୨ ଗ୍ରୁପ୍‌ରେ ୧୨ ଅଫିସର, ଶୃଙ୍ଖଳା ପାଇଁ ବାରିକେଡ୍‌ ଭୁବନେଶ୍ୱର: କର୍ପୋରେଟର୍‌ ଓ ମେୟର୍‌ ପଦ ଲାଗି ଆସନ୍ତା ୨ ତାରିଖ(ବୁଧବାର)ଠାରୁ ସ୍ଥାନୀୟ ଏଡିଏମ୍‌ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ ହେବ। ୭ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ ୬ ଦିନ ଧରି ଏହି ପ୍ରକ୍ରିୟା ଚାଲିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ପ୍ରାର୍ଥୀମାନଙ୍କଠାରୁ ନାମାଙ୍କନପତ୍ର ଗ୍ରହଣ କରିବା ପାଇଁ ୧୨ଟି ଗ୍ରୁପ୍‌ କରାଯିବା ସହ ୧୨ଜଣ […]
ବୁଧବାରଠାରୁ ନାମାଙ୍କନ ଦାଖଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial