ନିର୍ବାଚନ ପରେ ପ୍ରତିଶ୍ରୁତି ଭୁଲିଲେ ନେତା

ନିର୍ବାଚନ ପରେ ପ୍ରତିଶ୍ରୁତି ଭୁଲି ଯାଉଛନ୍ତି ନେତା

ଭୁବନେଶ୍ୱର: ପୌର ନିର୍ବାଚନ ସରିଛି। ନେତାମାନେ ଭୋଟରଙ୍କୁ ପୁଳାପୁଳା ପ୍ରତିଶ୍ରୁତି ଦେଇଛନ୍ତି। ହାତଯୋଡ଼ି ନତମସ୍ତକ ହୋଇ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି। ଭୋଟର୍‌ଙ୍କ ମନରେ ଭରସା ଓ ବିଶ୍ବାସ ଜନ୍ମାଇ ଭୋଟ୍‌ ହାତେଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି। କିଛି ପ୍ରାର୍ଥୀ ଭୋଟର୍‌ଙ୍କ ହୃଦୟ ଜିତି ବିଜୟ ତିଳକ ପିନ୍ଧିଛନ୍ତି ଓ ଆଉ କେତେଜଣ ପରାଜୟ ବରଣ କରିଛନ୍ତି। ଏମିତି ପ୍ରତି ପୌର ନିର୍ବାଚନରେ ଘଟୁଛି। ହେଲେ ବିଜୟ ପରେ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଉଛନ୍ତି ଅଧିକାଂଶ ନେତା। ପରାଜୟ ବରଣ କରୁଥିବା ପ୍ରାର୍ଥୀ ମଧ୍ୟ ବିଜୟୀ ପ୍ରାର୍ଥୀଙ୍କ ହାତରେ ସବୁ କିଛି ଟେକି ଦେଇ ସ୍ଥାଣୁ ପାଲଟି ଯାଉଛନ୍ତି। ଫଳରେ ଭୁବନେଶ୍ବର ମହାନଗର ନିଗମରେ ଅଧିକାଂଶ ସମସ୍ୟା ପୂର୍ବରୁ ଯେମିତି ଥିଲା, ସେମିତି ରହି ଯାଉଥିବା ଦେଖିବାକୁ ମିଳୁଛି। ସହରର କିଛି ମୁଖ୍ୟ ରାସ୍ତାକୁ ଛାଡ଼ି ‌ଦେଲେ, ବର୍ଷ ବର୍ଷ ପରେ ବି ବହୁ ରାସ୍ତା ଅବସ୍ଥା ସୁଧୁରି ପାରୁନାହିଁ। ସହରର ବସ୍ତି, ଗଳି ରାସ୍ତା ସହ କିଛି ପ୍ରମୁଖ ରାସ୍ତା ଅବସ୍ଥା ଏବେ ବି ଶୋଚନୀୟ ଅବସ୍ଥାରେ ରହିଛି।
ଉଦାହରଣ ସ୍ବରୂପ ଟଙ୍କପାଣି ସାଇ ମନ୍ଦିର ଟ୍ରାଫିକ୍‌ ଛକରୁ ରବି ଟକିଜ୍‌ ରାସ୍ତା ଦୀର୍ଘ ଦିନ ଧରି ଖରାପ ହୋଇପଡ଼ିଛି। ଏବେ ସ୍ବରେଜ୍‌ କାମ ଚାଲୁଥିବାରୁ ରାସ୍ତାରେ ବଡ଼ବଡ଼ ଖାଲଖମା ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି। ସେହିପରି ମଞ୍ଚେଶ୍ବର ରେଲୱେ ଷ୍ଟେସନ୍‌ରୁ ରଙ୍ଗମାଟିଆ ରାସ୍ତା, କୋଟପଡ଼ାରୁ ପଟିଆ ଦୟାୱେଷ୍ଟ କେନାଲ ବନ୍ଧ ରାସ୍ତା, ପଟିଆ ଷ୍ଟେସନରୁ ପଟିଆ ବିଗ୍‌ବଜାର ରାସ୍ତା, ଚକେଇସିଆଣିଠାରୁ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ମୁଖ୍ୟରାସ୍ତା, ପଟିଆ ରେଳ ଷ୍ଟାଡିୟମ୍‌ ଛକଠାରୁ ଗୁରୁକେଳୁଚରଣ ପାର୍କ ରାସ୍ତା, ଡମଣା ଗାଁ ରାସ୍ତା, ମହର୍ଷି କଲେଜ ରାସ୍ତା, କଳାରାହାଙ୍ଗ ରାସ୍ତା, ପୁରୁଣା ଭୁବନେଶ୍ୱର ବଢ଼େଇବାଙ୍କରୁ ମାଉସୀମା ଛକ ରାସ୍ତା, ସୁନ୍ଦରପଦାଠାରୁ ଜଟଣୀ ରାସ୍ତା, ପାଣ୍ଡରା ଛକଠାରୁ ଜିଜିପି କଲୋନି ରାସ୍ତା‌, ଚକେଇସିଆଣି ଦୁର୍ଗାମଣ୍ଡପ ଛକଠାରୁ ସମେଇଗଡ଼ିଆ ରାସ୍ତା, ଗଙ୍ଗୁଆ ଛକଠାରୁ ଝାରପଡ଼ା ଡାଳଖାଇ ଛକ ରାସ୍ତା, ମଞ୍ଚେଶ୍ବର ଶିଳ୍ପାଞ୍ଚଳ ରାସ୍ତା ଭଳି ଅନେକ ମୁଖ୍ୟ ରାସ୍ତା ଅବସ୍ଥା ବଡ଼ କଦର୍ଯ୍ୟ। ଖଣ୍ଡଗିରି ଜାଗମରା ଛକଠାରୁ ସିଟି ଓମେନ୍ସ କଲେଜ, ଫାୟାର୍‌ ଷ୍ଟେସନ ଛକଠାରୁ ଗୋପବନ୍ଧୁ ଛକ, ଡିଏନ୍‌ ରେଗାଲିଆ ଛକଠାରୁ ଖଣ୍ଡଗିରି ଛକ ରାସ୍ତା କାମ ମନ୍ଥର ଗତିରେ ଚାଲୁଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଏଥିସହ ଅଧିକାଂଶ ବସ୍ତି ରାସ୍ତା ଓ କଲୋନି ଭିତର ରାସ୍ତାର ଅବସ୍ଥା ବର୍ଷ ବର୍ଷ ଧରି ଖରାପ ହୋଇ ପଡ଼ି ରହିଛି। ଏଥର ଭୁବନେଶ୍ୱର ମେୟରଙ୍କୁ ସିଧାସଳଖ ବାଛିଛନ୍ତି ଭୋଟର୍‌। ତେଣୁ ପୂର୍ବାପେକ୍ଷା ଏଥର ଲୋକଙ୍କ ସମସ୍ୟାର ସମାଧାନ ଶୀଘ୍ର ହୋଇପାରିବ ବୋଲି ଆଶା ବାନ୍ଧିଛନ୍ତି ଭୋଟର୍‌।
ନିର୍ଣ୍ଣାୟକ ଭୂମିକା ହେଲେ ବି ସମସ୍ୟାରେ ଜୁଡ଼ୁବୁଡ଼ୁ
ପୌର ନିର୍ବାଚନକୁ ଆଲୋଚନା କଲେ, ଭୁବନେଶ୍ୱରରେ ଅର୍ଦ୍ଧାଧିକ ଭୋଟର ଭୋଟ୍‌ ଦେଲେ ନାହିଁ। ଭୁବନେଶ୍ୱର ୬୭ଟି ୱାର୍ଡରେ ୭ ଲକ୍ଷ ୨୫ ହଜାର ୭୬୫ ଭୋଟରଙ୍କ ମଧ୍ୟରୁ ମାତ୍ର ୩ ଲକ୍ଷ ୧୪ ହଜାର ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ବାକି ୪ ଲକ୍ଷରୁ ଅଧିକ ଭୋଟର ମତଦାନ କଲେ ନାହିଁ। ଏଥର ରାଜଧାନୀରେ ମାତ୍ର ୪୩.୩୦% ଭୋଟ୍‌ ହାର ରହିଛି। କେବଳ ବସ୍ତି ଅଞ୍ଚଳରେ ୭୨ ପ୍ରତିଶତ ବସ୍ତିବାସିନ୍ଦା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ବସ୍ତିବାସିନ୍ଦାମା‌ନେ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଉଥିଲେ ମଧ୍ୟ ସେମାନଙ୍କୁ ମୌଳିକ ସୁବିଧା ଦେବାରେ ନେତାମାନେ ପଛଘୁଞ୍ଚା ଦେଉଥିବା ଦେଖିବାକୁ ମିଳୁଛି। ଏବେ ଭୁବନେଶ୍ୱରରେ ୫ଶହରୁ ଊର୍ଦ୍ଧ୍ବ ବସ୍ତି ରହିଛି। ଏଠାରେ ଲକ୍ଷେରୁ ବେଶି ଘର ରହିଥିବା ବେଳେ ଜନସଂଖ୍ୟା ୩ଲକ୍ଷ ୨୦ହଜାରରୁ ବେଶି ରହିଛି। ସେହିଭଳି ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୬୦ ହଜାର ରହିଛି। ଏମାନେ ଅଧିକାଂଶ ଦିନ ମଜୁରିଆ ଶ୍ରେଣୀର ହୋଇଥିଲେ ହେଁ ସଚେତନ ନାଗରିକ ଭାବେ ମତଦାନ କରି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି। କିନ୍ତୁ ଫଳ ଓଲଟା ମିଳୁଛି। ଯେଉଁ ଶିକ୍ଷିତ ଭୋଟର ମତଦାନ କଲେ ନାହିଁ, ସେମାନଙ୍କୁ ଭଲ ରାସ୍ତା, ପାଣି, ବିଜୁଳି ଓ ଅନ୍ୟାନ୍ୟ ସେବା ଯୋଗାଇ ଦିଆଯାଉଥିବା ବେଳେ ବସ୍ତିବାସିନ୍ଦାମାନଙ୍କ ପାଇଁ ନେତାଙ୍କ ଆନ୍ତରିକତା ଦେଖିବାକୁ ମିଳେ ନାହିଁ। ରାସ୍ତା, ପାନୀୟ ଜଳ, ବିଜୁଳି ଆଦି ସବୁ ମୌଳିକ ସୁବିଧାରୁ ସେମାନେ ବଞ୍ଚିତ ହୋଇଆସୁଛନ୍ତି।

Share Now:

Kalinga News Beuro

Next Post

ଅବ୍ୟବସ୍ଥା ଘେରରେ ଆଇଜି ପାର୍କ: ଭଙ୍ଗାଦଦରା ପାଣି ଟ୍ୟାପ୍‌, ଟଏଲେଟ୍‌

Sat Apr 2 , 2022
ଭୁବନେଶ୍ୱର: ରାଜଧାନୀର ସବୁଠୁ ପୁରୁଣା ଓ ସୁନ୍ଦର ପାର୍କ ହେଉଛି ୟୁନିଟ୍-୨ସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କ। ରାଜଧାନୀର କେନ୍ଦ୍ର ତଥା ଲୋକସେବା ଭବନ ସମ୍ମୁଖରେ ଥିବା ଏହି ପାର୍କର ଅବସ୍ଥା ଏବେ ଶୋଚନୀୟ। ଉପର ଚିକ୍କଣ ସିନା ଭିତରେ ସବୁ ଭଙ୍ଗାଦଦରା ଅବସ୍ଥାରେ। ପାଣିଟ୍ୟାପ୍‌ ଓ ପାଇଖାନା ଭାଙ୍ଗିରୁଜି ଯାଇଥିବା ବେଳେ ଏବେ ସୁରକ୍ଷାକର୍ମୀଙ୍କ ଅବହେଳାରୁ ଭିତରେ ଅସାମାଜିକ ତତ୍ତ୍ବମାନେ ବାଇକ୍‌ ଧରି ବୁଲିବା ଦେଖିବାକୁ ମିଳୁଛି। ତେଣୁ କରୋନା […]
ଅବ୍ୟବସ୍ଥା ଘେରରେ ଆଇଜି ପାର୍କ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial