ଗନ୍ଧେଇଲାଣି ସହର : କାହା ଚାପରେ ଚୁପ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ?

ଗନ୍ଧେଇଲାଣି ସହର

ଓଡ଼ିଶା‌ ମାନବ ଅଧିକାର ଆୟୋଗ କରୁଛି କ’ଣ?

ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ପଛପାର୍ଶ୍ବରେ ଥିବା ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ(ଟିଟିଏସ୍‌)ରେ ସୃଷ୍ଟି ହୋଇଥିବା ଆବର୍ଜନା ପାହାଡ଼ରେ ସହର ଗନ୍ଧାଉଛି। ରାତି ହେଉ କି ଦିନ, ସବୁବେଳେ ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ହେଉଛନ୍ତି ଅଞ୍ଚଳବାସୀ। ନିକଟବର୍ତ୍ତୀ ଗାଁ, କଲୋନି, ଆପାର୍ଟମେଣ୍ଟର ଲୋକେ ୬ ମାସ ହେଲା ଆଉଟୁପାଉଟୁ ହେଉଥିବା ବେଳେ ଏବେ ବିଏମ୍‌ସି କାର୍ଯ୍ୟାଳୟ ନିକଟରେ ପହଞ୍ଚିଲାଣି ଦୁର୍ଗନ୍ଧ। ରାତି ସମୟରେ ୟୁନିଟ୍‌-୯, ସତ୍ୟନଗର, ସହିଦନଗର, ବାଣୀବିହାର, ରୂପାଲି ପ୍ରଭୃତି ଅଞ୍ଚଳରେ ଏଭଳି ଦୁର୍ଗନ୍ଧ ହେଉଛି ଯେ ଲୋକେ ରାସ୍ତାରେ ଯିବା ଆସିବା କରିପାରୁ ନାହାନ୍ତି। ଦିନ ସମୟରେ ସୂର୍ଯ୍ୟଙ୍କ କିରଣ ପଡ଼ୁଥିବାରୁ ଦୁର୍ଗନ୍ଧରୁ ଟିକିଏ ନିସ୍ତାର ମିଳୁଛି। ନ ହେଲେ ୧୪ରୁ ୧୫ ଘଣ୍ଟା ପର୍ଯ୍ୟନ୍ତ ଅସହ୍ୟ ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ସ୍ମାର୍ଟସିଟି ବାସିନ୍ଦା। ଆଚାର୍ଯ୍ୟବିହାର-ସୈନିକ ସ୍କୁଲ-ଡମଣା ରାସ୍ତା, ଓମ୍‌ଫେଡ୍‌ ଛକରୁ ରଙ୍ଗମାଟିଆ, ମଞ୍ଚେଶ୍ବର ଷ୍ଟେସନ୍‌ରୁ ଭିଏସ୍‌ଏସ୍‌ନଗର ଦେଇ ରସୁଲଗଡ଼, ଆଚାର୍ଯ୍ୟ ବିହାରରୁ ପଳାସୁଣୀ ପର୍ଯ୍ୟନ୍ତ ରାସ୍ତାରେ ଯିବା ସମୟରେ ଲୋକେ ନାକରେ ମାସ୍କ ନ ହେଲେ କପଡ଼ା ଲଗାଇ ଯାଉଛନ୍ତି। କେହି କେହି ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଉଥିବା ଦେଖିବାକୁ ମିଳିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଦୁର୍ଗନ୍ଧରେ ନାକ ରୁନ୍ଧି ହୋଇଯାଉଥିଲେ ମଧ୍ୟ ସମସ୍ତେ ଚୁପ୍‌। ପରିବେଶ ପ୍ରଦୂଷଣ ଉଲ୍ଲଂଘନ କରୁଥିବା ଅନୁଷ୍ଠାନ/ସଂସ୍ଥାଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଓଏସ୍‌ପିସିବି)ଙ୍କୁ ଦିଆଯାଇଥିଲେ ମଧ୍ୟ ଏଠାରେ ତାହା କାର୍ଯ୍ୟକାରୀ ହେଉନାହିଁ। ଦୁର୍ଗନ୍ଧରେ ସହରର ପ୍ରାୟ ୩ ଲକ୍ଷ ଲୋକ ପ୍ରଭାବିତ ହେଉଥି‌ଲେ ମଧ୍ୟ ଓଏସ୍‌ପିସିବି ବାବୁମାନେ ସେଥିପ୍ରତି ଆଦୌ ଗୁରୁତ୍ବ ଦେଉ ନାହାନ୍ତି। ସରକାରଙ୍କ ଗୋଟିଏ ସଂସ୍ଥା ବିଏମ୍‌ସି ସହରବାସୀଙ୍କ ଜୀବନ ସହ ଖେଳୁଥିବା ବେଳେ ଅନ୍ୟ ଗୋଟିଏ ସଂସ୍ଥା ଓଏସ୍‌ପିସିବି ତା’କୁ ସୁରକ୍ଷା ଦେଇଚାଲିଛି। କାର୍ଯ୍ୟାନୁଷ୍ଠାନ ଦୂରରେ ଥାଉ, ଏପର୍ଯ୍ୟନ୍ତ ଓଏସ୍‌ପିସିବି ଅଧିକାରୀମାନେ ଘଟଣା ସ୍ଥଳକୁ ଯାଇନାହାନ୍ତି କି ସ୍ଥିତିର ଅନୁଧ୍ୟାନ କରିନାହାନ୍ତି।
କେବଳ ଓଏସ୍‌ପିସିବି ନୁହେଁ, ଲକ୍ଷାଧିକ ଲୋକ, ଶିଶୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲେ ମଧ୍ୟ ଓଡ଼ିଶା ମାନବ ଅଧିକାର ଆୟୋଗ(ଓଏଚ୍‌ଆରସି) ଓ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍‌ସିପିସିଆର)ଙ୍କ ନିରବତା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଟିଟିଏସ୍‌ ସ୍ଥାନାନ୍ତର ଦାବିରେ ଆଞ୍ଚଳିକ ସୁରକ୍ଷା ମଞ୍ଚର ସଦସ୍ୟମାନେ ଗତ ଜୁଲାଇ ମାସରେ ଉକ୍ତ ଦୁଇ ଆୟୋଗଙ୍କୁ ସାକ୍ଷାତ କରିବା ସହ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଇତି ମଧ୍ୟରେ ୪ ମାସ ବିତିଯାଇଥିଲେ ମଧ୍ୟ କୌଣସି ଗୋଟିଏ ଆୟୋଗର ସଦସ୍ୟ ଦୁର୍ଗନ୍ଧ ସ୍ଥଳକୁ ଗସ୍ତ କରି ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଟିଟିଏସ୍‌ ନିକଟରେ ଥିବା ସୈନିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ରେଲୱେ କଲୋନି ହାଇସ୍କୁଲ ସମେତ ୪ରୁ ଅଧିକ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ସ୍ବାସ୍ଥ୍ୟ ପ୍ରଭାବିତ ହେଉଛି। ନିକଟରେ ଥିବା‌ ବସ୍ତିର ଶତାଧିକ ଶିଶୁଙ୍କୁ ରୋଗ ମାଡ଼ିବସିଥିବା ବେଳେ ଓଏସ୍‌ସିପିସିଆରର ନିରବତାକୁ ନେଇ ଅନେକ କିଛି ସନ୍ଦେହ ଉପୁଜିଛି। ଅଞ୍ଚଳବାସୀଙ୍କ କହିବାନୁଯାୟୀ ୨୦୦୬ରେ ଏଠାରେ ଜୋର ଜବରଦସ୍ତି କରାଯାଇଥିବା ଅସ୍ଥାୟୀ ଅଳିଆ ଗଦା ଏବେ ସ୍ଥାୟୀ ଭାବେ ପରିଚାଳିତ ହେଉଛି। ଭୁଆଷୁଣୀ ଡମ୍ପିଂୟାର୍ଡକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଳିଆ ଯିବା ବନ୍ଦ ହେବା ପରେ ଟିଟିଏସ୍‌ରେ ପାହାଡ଼ ଭ୍ରମ ସୃଷ୍ଟି ହୋଇଛି। ଏହି ଅଳିଆ ପାହାଡ଼ ଦ୍ବାରା ଲୋକଙ୍କ ଜୀବନଶୈଳୀ ପ୍ରଭାବିତ ହେବା ସହ ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାଗୁଡ଼ିକ ବହୁ ମାତ୍ରାରେ ପ୍ରଭାବିତ ହେଉଛି। ତେଣୁ ଏହାକୁ ତୁରନ୍ତ ବନ୍ଦ କରାଯିବା ସହ ସହରର ଅଳିଆକୁ ଅନ୍ୟତ୍ର ପକାଯାଉ।

Share Now:

Kalinga News Beuro

Next Post

ଷଣ୍ଢ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

Fri Nov 3 , 2023
ସୁନ୍ଦରଗଡ଼: ଷଣ୍ଢ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ। ଅଭାବନୀୟ ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା କୁଣ୍ଡୁପଡ଼ା ଅଞ୍ଚଳରେ। ମୃତକ ହେଲେ ରାକେଶ ନାଗ। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୭ଟାରେ କୁଣ୍ଡୁପଡ଼ାରେ ରହୁଥିବା ୩୯ ବର୍ଷୀୟ ରାକେଶ ନାଗ ଘର ଆଗରେ ଥିବା ଏକ ମଣ୍ଡପରେ ଛିଡ଼ା ହୋଇଥିବା ସମୟରେ ଗୋଟିଏ ବୁଲା ଷଣ୍ଢ ତାଙ୍କୁ ଆକ୍ରମଣ କରିଥିଲା। ରାକେଶ କିଛି ବୁଝିବା ପୂର୍ବରୁ […]
ଷଣ୍ଢ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial