ଅପାରଗ ଅଧିକାରୀଙ୍କ ଯୋଗୁଁ ଦୁର୍ଦ୍ଦଶା ଭୋଗିବେ ରାଜଧାନୀ ବାସୀ

ରାଜଧାନୀରେ ସୁଧୁରିଲାନି ଜଳବନ୍ଦୀ ସମସ୍ୟା

ଭୁବନେଶ୍ୱର : ରାଜଧାନୀର ଜଳବନ୍ଦୀ ସମସ୍ୟା ସୁଧୁରିନି କିମ୍ବା ନିକଟ ଭବିଷ୍ୟତରେ ମଧ୍ୟ ସୁଧୁରିବାର ନାହିଁ। ୧୦ଟି ମୁଖ୍ୟ ଡ୍ରେନ୍‌ ଓ ୨ଟି ଶାଖା ଡ୍ରେନ୍‌ର ସମ୍ପ୍ରସାରଣ ପାଇଁ ଯେଉଁ ଯୋଜନା ହୋଇଥିଲା, ତାହା ଅଧା ବାଟରେ ଅଟକିଛି। ଏଯାବତ୍‌ ଜମି ଅଧିଗ୍ରହଣ ହୋଇନାହିଁ। ତେଣୁ ପ୍ରତିବର୍ଷ ଭଳି ଆଗାମୀ ବର୍ଷା ଋତୁରେ ରାଜଧାନୀ ପୁଣି ଭାସିବା ଥୟ ହୋଇଛି। ଅପାରଗ ଅଧିକାରୀଙ୍କ ପାଇଁ ଭୁବନେଶ୍ବର ବାସିନ୍ଦା ପୁଣି ଜଳବନ୍ଦୀ ଦୁର୍ଦ୍ଦଶା ଭୋଗିବାକୁ ଯାଉଛନ୍ତି। ଏହି ସମସ୍ୟା ନବନିର୍ବାଚିତ ଲୋକ ପ୍ରତିନିଧି ବା ନେତାଙ୍କ ପାଇଁ ବଡ଼ ଆହ୍ବାନ ହେବ ବୋଲି ଜଳଜଳ ଦିଶିଲାଣି। ଭୁବନେଶ୍ୱରରେ ଜଳବନ୍ଦୀ ସମସ୍ୟା ନୂଆ ନୁହେଁ। ଯେଉଁଥିପାଇଁ ବହୁଦିନ ତଳୁ ଏହି ଡ୍ରେନ୍‌ ସମ୍ପ୍ରସାରଣ ଯୋଜନା ହୋଇଥିଲା। କିନ୍ତୁ ଅଧିକାରୀମାନଙ୍କ ଅପାରଗତା ପାଇଁ ଏହି ପ୍ରକ୍ରିୟାରେ ଆଖିଦୃଶିଆ ଅଗ୍ରଗତି ହୋଇପାରିନଥିଲା। ଯୋଜନା ନାଲି ଫିତା ତଳେ ପଡ଼ି ରହିଥିଲା। ଗତ ବର୍ଷ ସେପ୍ଟେମ୍ବରରେ ନାଳରେ ଭାସି ଜଣେ ଛାତ୍ରର ମୃତ୍ୟୁ ହେବା ପ‌ରେ ବିଏମ୍‌ସି ତନାଘନା କରିଥିଲା। ଦୁଇ ଦିନ ଧରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ବୈଠକ ବସିଲା। ସରକାର ବି ବିଏମ୍‌ସିକୁ ଚିଠି ଲେଖିଲେ। ଶେଷରେ ଏହି ପୁରୁଣା ଫାଇଲ୍‌ ଖୋଲିଲା। ଯୋଜନା ଉପରେ ଚୂଡ଼ାନ୍ତ ମୋହର ବାଜିବା ପରେ ବିଏମ୍‌ସି ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଥିଲା। ରାଜଧାନୀ ଛାତିରେ ଜମିର ମୂଲ୍ୟ ପୂର୍ବ ଅଟକଳ ତୁଳନାରେ ଶହେ ପ୍ରତିଶତ ବଢ଼ି ଯାଇଥିଲା। ଗତ ବର୍ଷ ନଭେମ୍ବରରେ ଜମି ଚିହ୍ନଟ ହେବା ସହ ମାଲିକମାନଙ୍କ ଠାରୁ ଅଭିଯୋଗ/ପ୍ରସ୍ତାବ ଆହ୍ବାନ କରାଯାଇଥିଲା। ଏବେ ସେଇଠି ହିଁ ଯୋଜନା ଅଟକି ରହିଛି। ଗୁଣ୍ଠେ ହେଲେ ଜମି ଅଦ୍ୟାବଧି କିଣା ଯାଇନାହିଁ। ବିଏମ୍‌ସିର ଡ୍ରେନେଜ୍‌ ବିଭାଗର ଏଥିରେ ନେଣଦେଣ ନଥିବା କହିଛି। ବିଏମ୍‌ସିର ଜମି ଉପବିଭାଗ ଏହି ଅଧିଗ୍ରହଣ କାରବାର କରୁଛି। ଜିଲ୍ଲାପାଳ ଏହି ପ୍ରକ୍ରିୟାର ମୁଖ୍ୟ ଅଛନ୍ତି। ଅଧିଗ୍ରହଣ ହେବାକୁ ଥିବା ଜମି ଚୂଡ଼ାନ୍ତ ହେବା ପରେ ଜିଲ୍ଲାପାଳ ମୋହର ମାରିବେ। ଏହା ପରେ ଧାର୍ଯ୍ୟ ଦରରେ ଜମି କିଣାଯାଇ ଡ୍ରେନ୍‌ ସମ୍ପ୍ରସାରଣ କରାଯିବ। ଏହି ପ୍ରକ୍ରିୟା କେତେ ଦିନ ଯିବ? କେବେ ଡ୍ରେନ୍‌ ସମ୍ପ୍ରସାରଣ ହେବ? ଆସନ୍ତା ବର୍ଷା ଋତୁରେ ତ’ ନୁହେଁ, ପର ବର୍ଷ ବର୍ଷାଋତୁରେ ହେବ ତ? ଦାଇତ୍ୱରେ ଥିବା ଅଧିକାରୀମାନଙ୍କର ଅପାରଗତା ଯୋଗୁଁ ଏଭଳି ଅନେକ ପ୍ରଶ୍ନ ଏବେ ରାଜଧାନୀର ଏହି ପ୍ରମୁଖ ପ୍ରସଙ୍ଗକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। ଅନ୍ୟପଟେ ବିଏମ୍‌ସି ନିର୍ବାଚନ ପାଇଁ ବଳବତ୍ତର ଥିବା ଆଦର୍ଶ ଆଚରଣ ବିଧି ଯୋଗୁଁ କାମ ହୋଇପାରୁନଥିବା ଅଧିକାରୀମାନେ ବାହାନା କରୁଥିଲେ। ଜରୁରୀ କାମ ସବୁ ସରକାରଙ୍କ ସ୍ୱୀକୃତି କ୍ରମେ କରାଯାଇ ପାରିବା ବ୍ୟବସ୍ଥା ଥିଲେ ମଧ୍ୟ ଅଧିକାରୀମାନେ କରିନଥିଲେ। ଏହି ଅପାରଗତା ପାଇଁ ଆସନ୍ତା ବର୍ଷା ଋତୁରେ ଏହାର କୁପରିଣାମ ଜନତା ଭୋଗିବାକୁ ଯାଉଛନ୍ତି।
ବିଏମ୍‌ସିର ଯୋଜନା ଅନୁଯାୟୀ, ରାଜଧାନୀର ୧୦ଟି ପ୍ରମୁଖ ଡ୍ରେନ୍, ୨ଟି ଶାଖା ଡ୍ରେନ୍‌, ମୁଖ୍ୟ ଡ୍ରେନ୍‌କୁ ସଂଯୋଗ ହୋଇପାରୁନଥିବା ଡ୍ରେନ୍‌କୁ ସଂଯୋଗ କରିବା ପାଇଁ ଯୋଜନା ହୋଇଥିଲା। ଗତବର୍ଷ ନାଳ ପାଣି‌ରେ ଭାସି ଯାଇ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିବା ପରେ ଏକ ସ୍ୱତନ୍ତ୍ର ଟିମ୍‌ ଦ୍ୱାରା ୭୫ଟି ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ହୋଇଥିଲା। ଏହି ସବୁ ଜାଗାରେ ଜଳ ନିଷ୍କାସନ ସମସ୍ୟା ସୁଧାରିବା ପାଇଁ ଜମି ଅଧିଗ୍ରହଣ ଆବଶ୍ୟକ ହୋଇଥିଲା। ଏଣୁ ସ୍ବତନ୍ତ୍ର ଟିମ୍‌ ବୁଲି ଜମି ଚିହ୍ନଟ କରିଥିଲା। ଚିହ୍ନଟ ହୋଇଥିବା ୨୯୯ଟି ଜମିରୁ ପ୍ରାୟ ୧୪ ଏକର ଜମି ଦୁଇଟି ପର୍ଯ୍ୟାୟରେ ଅଧିଗ୍ରହଣ ହେବାକୁ ନିଷ୍ପତ୍ତି ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୩ଟି ରାଜସ୍ବ ଗ୍ରାମରେ ୮୩ଟି ଜମିରୁ ପ୍ରାୟ ୭ଏକର ଜମି ଅଧିଗ୍ରହଣ ହୋଇଥାନ୍ତା। ଏଥିପାଇଁ ୧୧୮କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ଦ୍ବିତୀୟ ପର୍ଯ୍ୟାୟରେ ୧୧୧ଟି ଜମିରୁ ୭ଏକର ଅଧିଗ୍ରହଣ ହୋଇଥାନ୍ତା। ଏଥିପାଇଁ ପ୍ରାୟ ୧୦୬ କୋଟି ଖର୍ଚ୍ଚ ହୋଇଥାନ୍ତା। ଏଭଳି ପ୍ରାୟ ୨୨୪ କୋଟି ଖର୍ଚ୍ଚ ହୋଇଥାନ୍ତା। ଗୋଟିଏ ପଟେ ପ୍ରକ୍ରିୟା ବିଳମ୍ବ ହେଉଛି। ଅନ୍ୟପଟେ ଜମି ଦର ମଧ୍ୟ ବଢ଼ିବାରେ ଲାଗିଛି। ଏଣୁ ଯେତେ ବିଳମ୍ବ ହେବ ପ୍ରକଳ୍ପ ପାଇଁ ଖର୍ଚ୍ଚ ବଢ଼ିବା ଆଶଙ୍କା ମଧ୍ୟ ରହିଛି। ତେବେ ବଡ଼ କଥା ହେଉଛି ଏହି ସମ୍ପ୍ରସାରଣ ଯୋଜନାରେ ଇସ୍କନ ମନ୍ଦିର ସାମ୍ନାରେ ହେଉଥିବା ଜଳବନ୍ଦୀ ସମସ୍ୟା ସାମିଲ ହୋଇନାହିଁ। ନିକଟ ଅତୀତରେ ବିଦେଶୀ ଢାଞ୍ଚାରେ ଏଠାରେ ଏକ ପ୍ରକଳ୍ପ ହେବାକୁ ଯୋଜନା ହୋଇଥିଲା। ହେଲେ ଏଥିରେ ଅଗ୍ରଗତି ହେଲାନାହିଁ। ତିନିବର୍ଷ ତଳେ ପୂର୍ତ୍ତ ବିଭାଗ ଓ ଏନ୍‌ଏଚ୍‌ଏଆଇ ଏକ ଯୋଜନା କରିଥିଲେ। ଇସ୍କନ ମନ୍ଦିର ପାଖରୁ ଏକ ଡ୍ରେନ୍‌ ବାଣୀବିହାର ପର୍ଯ୍ୟନ୍ତ ତିଆରି ହୋଇଥାନ୍ତା। ସେଠାରେ ପ୍ରାକୃତିକ ନାଳ ସହ ସଂଯୋଗ ହୋଇଥାନ୍ତା। ଏହା କାର୍ଯ୍ୟକ୍ଷମ ହୋଇଥିଲେ ନିଷ୍କାସନ ସମସ୍ୟା ରହିନଥାନ୍ତା। ହେଲେ ଏହା ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ। ତିନିବର୍ଷ ଧରି ବିଏମ୍‌ସିରେ ଲୋକପ୍ରତିନିଧି ନଥିଲେ। ଅଧିକାରୀମାନେ ମନମୁଖୀ କାମ କରୁଥିବାରୁ କୌଣସି କାମ ସଠିକ୍‌ ହୋଇନାହିଁ। ଏବେ ଲୋକପ୍ରତିନିଧି କାର୍ଯ୍ୟଭାର ନେବାକୁ ଯାଉଛନ୍ତି। ଜଳବନ୍ଦୀ ସମସ୍ୟାକୁ ଗମ୍ଭୀରତାର ସହ ନେଲେ ପ୍ରକ୍ରିୟାରେ ଆଖିଦୃଶିଆ ଅଗ୍ରଗତି ହୋଇପାରେ ବୋଲି କୁହାଯାଉଛି। ଏନେଇ ଡ୍ରେନେଜ୍‌ ଉପବିଭାଗ ଦାୟିତ୍ବରେ ଥିବା ଯନ୍ତ୍ରୀ ଗୌତମ ଦାସ କହିଛନ୍ତି, କେତେକ ପ୍ରମୁଖ ଜାଗାରେ ଯେଉଁଠି ସମ୍ପ୍ରସାରଣ ସୁଯୋଗ ଥିଲା ବା ଜାଗା ଥିଲା, ସେଠାରେ ସମ୍ପ୍ରସାରଣ କାମ ଚାଲିଛି। ବିଶେଷ କରି ଲକ୍ଷ୍ମୀସାଗର ଓ ଜାଲିଗଳିରେ ଯେଉଁ ଡ୍ରେନ୍‌ କାମ ଚାଲିଛି, ସେଠାରେ ଜଳ ନିଷ୍କାସନ ସମସ୍ୟା ଆସନ୍ତା ବର୍ଷାଋତୁରେ ରହିବ ନାହିଁ। ବାକି ସମ୍ପ୍ରସାରଣ ଯୋଜନାକୁ କାର୍ଯ୍ୟକ୍ଷମ କରିବାକୁ ଯେଉଁ ଜମି ଅଧିଗ୍ରହଣ ହେବା ଆବଶ୍ୟକ, ତାହାକୁ ଲ୍ୟାଣ୍ଡ ଉପବିଭାଗ କରୁଛି। ତେବେ କେତେକ ସମ୍ବେଦନଶୀଳ ଜାଗାରେ ଲୁହାବାଡ଼ କରାଯାଇ ସୁରକ୍ଷା ନିଶ୍ଚିତ କରାଯାଇଥିବା ସେ କହିଛନ୍ତି।

Share Now:

Kalinga News Beuro

Next Post

ପଳାଶୁଣି ଛକରେ ମର୍ମନ୍ତୁଦ ଦୁର୍ଘଟଣା: ଦୁଇ ଟ୍ରକ୍ ମଝିରେ ଚାପି ହୋଇ କାର ଚାଳକଙ୍କ ମୃତ୍ୟୁ

Mon Apr 4 , 2022
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପଳାଶୁଣି ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପଳାଶୁଣି ଛକ ନିକଟରେ ଏକ ଟ୍ରକର ବ୍ରେକ୍ ଫେଲ ହୋଇ ରାସ୍ତାରେ ଠିଆ ହୋଇଥିଲା। ତାକୁ ଏକ କାର ଧକ୍କା ଦେଇଥିଲା। ତାପରେ ଆଉ ଏକ ଟ୍ରକ୍ କାରକୁ ପଛପଟୁ ଧକ୍କା ଦେଇଥିଲା। ୨ଟି ଟ୍ରକ ମଝିରେ ଚାପି ହୋଇଯାଇଥିଲା କାରଟି। ତାପରେ ସେହି କାର ଚାଳକ ଚାପି ହୋଇଯାଇଥିଲେ ଏବଂ ଘଟଣାସ୍ଥଳରେ […]
ପଳାଶୁଣି ଛକରେ ମର୍ମନ୍ତୁଦ ଦୁର୍ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial