ବରିଷ୍ଠ ବିଜେପି ବିଧାୟକ ପରଲୋକ : ପ୍ରଧାନମନ୍ତ୍ରୀ ,ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

ବିଷ୍ଣୁ ସେଠୀ ଆଉ ନାହାନ୍ତି

ଭୁବନେଶ୍ବର: ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ ଆଉ ନାହାନ୍ତି। ଆଜି ସକାଳ ୭ଟା ୪୫ ମିନିଟ ସମୟରେ ତାଙ୍କର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି କିଡନି ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କର ବିଧବା ପତ୍ନୀ, ଗୋଟିଏ ପୁତ୍ର ଓ କନ୍ୟା ଅଛନ୍ତି। ସେ ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଗତ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ସେ ୨୦୦୦ରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଧାୟକ ବିଷ୍ଣୁ ସେଠୀ ବିରୋଧୀ ଦଳ ଉପନେତା ଭାବେ ବି ଦାୟିତ୍ବ ନିର୍ବାହ କରିଥିଲେ। ବିଜେପିର ଜଣେ ବଡ଼ ନେତା ଏବଂ ସରକାରୀ ଦଳର ତୀବ୍ର ସମାଲୋଚକ ଭାବେ ପରିଚିତ ଥିଲେ ସେ। କେବଳ ଜଣେ ରାଜନେତା ନ ଥିଲେ, ବରଂ ସେ ଜଣେ ସାହିତ୍ୟିକ ଭାବେ ବି ବେଶ ପରିଚିତ। ଜଣେ ମେଳାପୀ ଓ ସାଲିସବିହୀନ ବ୍ୟକ୍ତି ଭାବେ ସେ ଖୁବ୍ ଜଣାଶୁଣା ଥିଲେ। ସେ ଘାସଫୁଲ ସାହିତ୍ୟ ପତ୍ରିକାର ସଂପାଦକ ବି ଥିଲେ। ‌ସେ କାଜୁ ନିଗମର ଅଧ୍ୟକ୍ଷ ବି ଥିଲେ।
୧୯୬୧ ମସିହା ଜୁନ୍ ୫ ତାରିଖରେ ସେ ଜନ୍ମ ହୋଇଥିଲେ। ଯୁବାବସ୍ଥାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ) ସହ ଜଡ଼ିତ ହେବା ପରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ରେ ବି ସକ୍ରିୟ ହୋଇଥିଲେ। ପରେ ସେ ବିଜେପିରେ ଯୋଗ ଦେଇ ରାଜନୀତି କ୍ଷେତ୍ରକୁ ଆସିଥିଲେ। ଓଏଏସ୍ ପାଇଥିଲେ ବି ଚାକିରୀରେ ଯୋଗ ନ ଦେଇ ସ୍ବର୍ଗତଃ ସେଠୀ ଜନସେବାରେ ବ୍ରତୀ ହୋଇଥିଲେ ଏବଂ ପରେ ସେ ରାଜନୀତିରେ ସକ୍ରିୟ ହୋଇଥିଲେ। ତାଙ୍କ ବିୟୋଗରେ ରାଜନୈତିକ ଓ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି। ଦିନ ୧୨ ଟାରେ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀର ଏମ୍ସ ରୁ ବାହାରିବ ବୋଲି ସୂଚନା ମିଳିଛି। ତାପରେ ବିଧାନସଭା ଆଉ ପରେ ବିଜେପି ପାର୍ଟି ଅଫିସକୁ ଯିବ ବୋଲି ଜଣାଯାଇଛି।
ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ
ପ୍ରଧାନମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି, ଓଡ଼ିଶାର ପ୍ରଗତି ପାଇଁ ଶ୍ରୀ ବିଷ୍ଣୁଚରଣ ସେଠୀଙ୍କ ଅବଦାନ ଅତୁଳନୀୟ। ଜଣେ କଠିନ ପରିଶ୍ରମୀ ବିଧାୟକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସାମାଜିକ ସଶକ୍ତିକରଣ ପାଇଁ ତାଙ୍କ ଯୋଗଦାନ ପ୍ରଶଂସାଯୋଗ୍ୟ। ତାଙ୍କ ବିୟୋଗରେ ଦୁଃଖିତ। ତାଙ୍କ ପରିବାର ଏବଂ ସମର୍ଥକମାନଙ୍କୁ ସମବେଦନା । ଓଁ ଶାନ୍ତି
ବିଧାୟକ ଵିଷ୍ଣୁ ଚରଣ ସେଠୀଙ୍କ ପରଲୋକରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଗଭୀର ଶୋକ ପ୍ରକାଶ କରିଛନ୍ତି l ତାଙ୍କୁ ଜଣେ ଦକ୍ଷ ବିଧାୟକ ଓ ଲୋକପ୍ରିୟ ରାଜନେତା ଭାବରେ ବର୍ଣ୍ଣନା କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ରାଜ୍ୟପାଳ।
ଠିକ୍ ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଗଭୀର ଲୋକ ବ୍ୟକ୍ତ କରିଛନ୍ତି। ସେ ନିଜ ଟୁଇଟରରେ ଲେଖିଛନ୍ତି, ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

Share Now:

Kalinga News Beuro

Next Post

୧୦ ବର୍ଷ ହେଲା ନାବାଳିକାମାନଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିଲେ ଲିଙ୍ଗାୟତ ଗୁରୁ

Mon Sep 19 , 2022
ବେଙ୍ଗାଲୁରୁ : ଶିଶୁ ଯୌନ ନିର୍ଯ୍ୟାତନା ମାମଲାରେ ଗିରଫ ହୋଇ ଚିତ୍ରଦୁର୍ଗା ଜେଲରେ ବନ୍ଦୀ ଥିବା ଲିଙ୍ଗାୟତ ଧର୍ମଗୁରୁ ଡ. ଶିବମୂର୍ତ୍ତୀ ମୁରୁଗା ଶରଣରୁଙ୍କ ଅପରାଧ ସଂପର୍କରେ ଚାଲିଥିବା ତଦନ୍ତରୁ ଆଉ କେତେକ ନୂଆ ତଥା ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ସେ ଗତ ପ୍ରାୟ ଏକ ଦଶନ୍ଧି ଧରି ନାବାଳିକାମାନଙ୍କୁ ଯୌନ ନିର୍ଯ୍ୟାତନା ଦେଇ ଆସୁଥିଲେ। ଚିତ୍ରଦୁର୍ଗା ମଠରେ ହିଁ ସେ ନାବାଳିକମାନଙ୍କୁ ନିୟମିତଭାବେ ଯୌନ ନିର୍ଯ୍ୟାତନା ଦେଉଥିବା ପୁଲିସ […]
ଲିଙ୍ଗାୟତ ଗୁରୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial