ଆରମ୍ଭ ହେଲା ଭୁବନେଶ୍ୱର ବାଲିଯାତ୍ରା

ଆରମ୍ଭ ହେଲା ଭୁବନେଶ୍ବର ବାଲିଯାତ୍ରା

ଭୁବନେଶ୍ୱର: ଜରିପାଟଣାସ୍ଥିତ କୁଆଖାଇ ନଦୀପଠାରେ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ଜନମାନସରେ ଉଜ୍ଜୀବିତ ରଖିବାରେ ଆୟୋଜକ ଅନୁଷ୍ଠାନର ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଏହି ବାଲିଯାତ୍ରାକୁ ସୁଦୂରପ୍ରସାରୀ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥି‌ଲେ। ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର୍‌ ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ଓଡ଼ିଶା-ମୋ’ ପରିବାରର ଆବାହାକ ଅରୂପ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର, ସାଧାରଣ ସମ୍ପାଦକ ତପନ ବଳିୟାରସିଂହ, ଉପସଭାପତି ନବକିଶୋର ବାରିକ, ଆବାହକ ଯଶୋବନ୍ତ ଓଝା, ପ୍ରତିଷ୍ଠାତା ସଭାପତି ଅଭୟ ବଡ଼ଜେନା ଓ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ। ଉପସ୍ଥାପକ ମତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ।
ମନ ମୋହିଲା ଭଜନ ସମାରୋହ ଓ ଓଡ଼ିଶୀ ନୃତ୍ୟ
ଆଜିର ଏହି ସନ୍ଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ମନ୍ମଥ ମିଶ୍ରଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଜଗନ୍ନାଥଙ୍କ ଭକ୍ତିଭରା ଭଜନରେ କୁଆଖାଇ ପଠାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସେହିପରି ଅନ୍ୟ ଏକ ମଞ୍ଚରେ ନିଷ୍ଟ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା। ସ୍ଥାନୀୟ ଶିଶୁ କଳାକାର ପ୍ରମୋଦିନୀ ପରିଡ଼ା ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସେହିଭଳି ଜ୍ୟୋତିକା ସାହୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିବା ବେଳେ ଆଦ୍ୟାଶା ପ୍ରିୟଦର୍ଶିନୀ ଗୀତ ଗାଇଥି‌‌ଲେ। ଶେଷରେ ପାଲାକାର ଆଶୁତୋଷ ରାଉତଙ୍କ ଦଳ ପକ୍ଷରୁ ପାଲା ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅଭିମନ୍ୟୁ ସାମନ୍ତରା ୱେଲ୍‌ଫେୟାର୍‌ ସୋସାଇଟି ପରିଚାଳନା କରିଥିଲା।
ଗ୍ରାହକଙ୍କୁ ଅନେଇ ବସିଛି ଷ୍ଟଲ୍‌
ଆଜି ପ୍ରଥମ ଦିନ ଯାତ୍ରାରେ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଷ୍ଟଲ୍ ଖୋଲିଥିବା ଦେଖିବାକୁ ମିଳିଥିଲା। ଦର୍ଶକଙ୍କ ସଂଖ୍ୟା ଆଖିଦୃଶିଆ ହୋଇନଥିଲେ ମଧ୍ୟ ଆଗାମୀ ଦିନରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ ବୋଲି ଆୟୋଜକ କମିଟି ଆଶା ପ୍ରକଟ କରିଛି। ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ସହ ଗୃହୋପକରଣ ସାମଗ୍ରୀ, ଖେଳଣା, ମାଟିପାତ୍ର, ରାଜ୍ୟ ସରକାରଙ୍କ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ସାମଗ୍ରୀ, ପୋଷାକ, ସମ୍ବଲପୁରୀ ଶାଢ଼ି ଆଦି ନାନାଦି ଜିନିଷର ପସରା ଦେଖିବାକୁ ମିଳିଥିଲା। ସେହିଭଳି ଆସୁଥିବା ଲୋକମାନେ ଦୋଳିର ଭରପୂର୍‌ ମଜା ଉଠାଇଥିଲେ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏହି ବାଲିଯାତ୍ରା ଚାଲିବାକୁ ଥିବା ବେଳେ ପ୍ରତି ସଂଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ସଂଗୀତ ପରିବେଷଣ ସହ ପାରମ୍ପରିକ ଲୋକନୃତ୍ୟର ଆସର ଜମିବ ବୋଲି ସୂଚନା ମଳିଛି।
ବେଳାଭୂମିର ଭ୍ରମ ସୃଷ୍ଟି କଲା କୁଆଖାଇ
କୁଆଖାଇ ପଠାରେ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରାରେ ଦୁଇଟି ଘୋଡ଼ା ଓ ଗୋଟିଏ ଓଟ ଦେଖିବାକୁ ମିଳିଥିଲା। ବାଲିଯାତ୍ରା ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଏହି ଘୋଡ଼ା ଓ ଓଟ ପିଠିରେ ବସି ନଦୀପଠା ପରିଭ୍ରମଣ କରିଥିଲେ। ଏହା ଆଜିର ମୁଖ୍ୟ ଆକର୍ଷଣ ପାଲଟିଥିଲା। ପୁରୀରୁ ଆସିଥିବା ଘୋଡ଼ାର ମାଲିକ ଘନଶ୍ୟାମ ସାହୁ କହିଛନ୍ତି, ଲୋକମାନେ ଘୋଡ଼ା ଓ ଓଟକୁ ଏଠି ଦେଖି ବହୁତ ଖୁସି ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା‌ ଶହେରୁ ଉର୍ଦ୍ଧ୍ୱ ଲୋକ ‌ଘୋଡ଼ାରେ ସବାର ହୋଇଥିବା ସେ କହିଛନ୍ତି।

Share Now:

Kalinga News Beuro

Next Post

ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ମହାପୁରୁଷଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

Thu Nov 10 , 2022
ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଓ ଗଜପତି ଦିବ୍ୟସିଂହ ଦେବଙ୍କ ପରିବାର ଲୋକଙ୍କ ସହିତ ମହାପ୍ରସାଦ ସେବନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଆଜି ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ ପାରମ୍ପାରିକ ଆଦିବାସୀ ନୃତ୍ୟ, ଗୀତ ଓ ବାଦ୍ୟ ସହିତ ସ୍ୱାଗତ କରାଯାଇଥିଲା। ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ବିମାନବନ୍ଦରରେ ହଜାର ହଜାର ‌ଲୋକଙ୍କର ଭିଡ଼ ଦେଖାଯାଇଥିଲା। ଲୋକେ […]
ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial