୧୩ ବର୍ଷ ତଳର ମଞ୍ଚେଶ୍ୱର ଗଣଦୁଷ୍କର୍ମ ମାମଲା: ନେତାଗିରି, ମାଫିଆଗିରି କରୁଥିଲା ବାଜିଆ

ମାଫିଆଗିରି କରୁଥିଲା ବାଜିଆ

ଭୁବନେଶ୍ୱର: ୨୦୦୯ ମସିହାରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଥିବା ଗଣଦୁଷ୍କର୍ମ ମାମଲାର ଫେରାର୍‌ ଅଭିଯୁକ୍ତ ବ୍ରଜ କିଶୋର ସ୍ବାଇଁ ଓରଫ୍ ବାଜିଆକୁ ୧୩ ବର୍ଷ ପରେ ଗତକାଲି ମହିଳା ଥାନା ପୁଲିସ ଗିରଫ କରିଛି। ତେବେ ଏତେ ଦିନ ଧରି ପୁଲିସ ତାକୁ ଫେରାର୍‌ ଦର୍ଶାଇବା ପ୍ରସଙ୍ଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ବାଜିଆ ଚକେଇସିଆଣି ଅଞ୍ଚଳରେ ଖୋଲାଖୋଲି ବୁଲୁଥିଲା, ନେତାଗିରି କରୁଥିଲା, ଏମିତିକି ଜମି ଜବରଦଖଲ ଓ ବେଦଖଲ କରିବା ଭଳି ମାଫିଆଗିରି କରୁଥିଲା ବୋଲି ସମସ୍ତେ ଜାଣନ୍ତି। କେବଳ ସେତିକି ନୁହେଁ, ଏହି ସମୟ ଭିତରେ ଏକ ଘରୋଇ ହିଂସା ମାମଲାରେ ବି ବାଜିଆ ଅନେକ ଥର ମହିଳା ଥାନାକୁ ଯାଇଥିବା କୁହାଯାଉଛି। ଏମିତିକି ମଞ୍ଚେଶ୍ୱର ଥାନା ପୁଲିସ ତାକୁ ଏକଦା ଅଭ୍ୟାସଗତ ଅପରାଧୀ ବୋଲି ୧୧୦ ଦଫାରେ ଗିରଫ କରିଥିଲା। କିନ୍ତୁ କେଉଁ ପରିସ୍ଥିତିରେ ସେହି ମହିଳା ଥାନା ଗଣଦୁଷ୍କର୍ମ ଭଳି ଏକ ସଂଗିନ୍‌ ମାମଲାରେ ତାକୁ ଗିରଫ ନକରି ଫେରାର୍ ବୋଲି ଦର୍ଶାଇଆସୁଥିଲା? କାହା ଚାପରେ ପୁଲିସ ଏତେ କାଳ ଧରି ନିରବ ରହିଥିଲା? ଏମିତି ଅନେକ ପ୍ରଶ୍ନ ଆଜି ପଟିଆରୁ ରସୁଲଗଡ଼ ପର୍ଯ୍ୟନ୍ତ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଅନ୍ୟପକ୍ଷରେ ନ୍ୟାୟ ମିଳିବ ନାହିଁ ବୋଲି ନିଶ୍ଚିତ ହୋଇଥିବା ପୀଡ଼ିତା ଏବେ ଆଶ୍ୱସ୍ତ ହୋଇଛନ୍ତି। ଆଇନ ଉପରୁ ଭରସା ତୁଟାଇଦେଇଥିବା ପୀଡ଼ିତା ପୁଣି ପୁଲିସକୁ ପ୍ରଶଂସା‌ କରିଛନ୍ତି। ସୂଚନାନୁସାରେ ବାଜିଆ ତା’ ନିଜ ଗାଁ ଚକେଇସିଆଣିରେ ଖୁଲମ୍‌ଖୁଲା ବୁଲୁଥିଲା। ଏକ ରାଜନୈତିକ ଦଳର ସଦସ୍ୟ ମଧ୍ୟ ଥିଲା। ଏକ କ୍ଲବ୍‌ର ସଭାପତି ଦାୟିତ୍ବରେ ବି ଥିଲା। ତା’ ସହିତ ଭୁବନେଶ୍ୱରର କିଛି ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ ଓ କପୋର୍ରେଟରମାନଙ୍କ ସୁସମ୍ପର୍କ ଥିଲା। ଏସବୁର ଫଟୋ ବାଜିଆର ଫେସବୁକ୍ ଆକାଉଣ୍ଟରେ ରହିଛି। ନିଜେ ବାଜିଆ ଏସବୁ ଫଟୋ ସେୟାର୍‌ କରିଛି। ତେଣୁ ସେ ଫେରାର ଥିବା କଥାଟି ଅନେକଙ୍କୁ ବିସ୍ମିତ କରିଛି। ତେବେ ୧୩ ବର୍ଷ କାଳ ଗିରଫ ନ କରିବା ଏବଂ ଗତକାଲି ହଠାତ୍‌ ତାକୁ ଉଠାଇ ନେବା ଘଟଣାରୁ ଜଣେ ଆଇପିଏସ୍‌ଙ୍କ ଆଡ଼କୁ ଅଙ୍ଗୁଳି ଉଠିଛି। କୁହାଯାଉଛି ଯେ ବାଜିଆକୁ ଗିରଫ ନ କରିବାକୁ ସେହି ଆଇପିଏସ୍‌ଜଣଙ୍କ ମହିଳା ଥାନା ପୁଲିସ ଉପରେ ଚାପ ପକାଇଥିଲେ। ଉକ୍ତ ଆଇପିଏସ୍ ଅଫିସର ଜଣକ ଏବେ ଅବସର ନେଇଛନ୍ତି। ତେଣୁ ପୁଣି ଥରେ ମହିଳା ଥାନା ପୁଲିସ ସେହି ଗଣଦୁଷ୍କର୍ମ ମାମଲାର ବନ୍ଦ ଫାଇଲ୍‌କୁ ଖୋଲିଛି।
କାଳରାତିର ଭୟାନକ କାହାଣୀ କହିଲେ ପୀଡ଼ିତା
୨୦୦୯ ମସିହାର କଥା। ପେଟ ଚାଖଣ୍ଡକ ପାଇଁ ମୁଁ ପାରାଦ୍ୱୀପରୁ କାମ ଅନ୍ୱେଷଣରେ ଭୁବନେଶ୍ୱର ଆସିଥାଏ। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ କାମ କରୁକରୁ ସିକ୍ୟୁରିଟି ଗାର୍ଡ ରଘୁ ମାରାଣ୍ଡିକୁ ବିବାହ କରିଥିଲି। ସେଦିନ ରଘୁ ଏକ ଜରୁରୀ କାମରେ ପୁରୀ ଯାଇଥିଲେ। ରାତିରେ ଫେରିନଥିଲେ। ରାତି ଠିକ୍ ୧୨ଟା ବେଳେ କେହି ଜୋର୍‌ରେ କବାଟ ବାଡ଼େଇଥିଲା। କବାଟ ଖୋଲିବା ମାତ୍ରେ ବାଜିଆ, ବାବୁନି ଦାସ ଓ ବଳଭଦ୍ର ସୁନ୍ଦରାୟ ଓରଫ୍‌ ରବି ମୋତେ ଜବରଦସ୍ତ ଟେକିନେଲେ। ଏକ ନିଛାଟିଆ ସ୍ଥାନରେ ମୋର ହାତ ଗୋଡ଼କୁ ଧରି ଜଣକ ପରେ ଜଣେ ମୋତେ ଦୁଷ୍କର୍ମ କଲେ। ବିରୋଧ କରିବାରୁ ମୋ ପେଟକୁ ଗୋଇଠା ମାରିଥିଲେ। ମୁଁ ସଂଜ୍ଞାହୀନ ହୋଇଯିବା ପରେ ସେମାନେ ସେଠାରୁ ପଳାଇଥିଲେ। ଚେତା ଫେରିବା ପରେ ମୁଁ ମଞ୍ଚେଶ୍ୱର ଥାନା( ପୁରୁଣା)କୁ ଯାଇ ଅଭିଯୋଗ କରିଥିଲି। ସେତେବେଳେ ମଞ୍ଚେଶ୍ୱର ଥାନାରେ ଆଇଆଇସି ଥିଲେ ଜଗନ୍ନାଥ ପ୍ରଧାନ। ସେ ମୋତେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ ଏବଂ ସେଠାରେ ମୋତେ ୩ ଦିନ କାଳ ରଖି ଚିକିତ୍ସା କରାଯାଇଥିଲା। ପରେ ଅଭିଯୋଗ ପାଇ ମହିଳା ଥାନା ପୁଲିସ କେବଳ ବାବୁନିକୁ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ ବାଜିଆ ଓ ରବି ଫେରାର୍‌ ହୋଇଯାଇଥିଲେ। ୨୦୧୩ ମସିହାରେ ଏକ ଦୁର୍ଘଟଣାରେ ରବିର ମୃତ୍ୟୁ ହୋଇଯାଇଥିବା ଜାଣିଛି। ଭଗବାନ ତାକୁ ଉଚିତ ଦଣ୍ଡ ଦେଇଥିବାରୁ ଖୁସି ହୋଇଥିଲି। କିନ୍ତୁ ବାଜିଆ ଗାଁରେ ବୁଲୁଥିବା ବେଳେ ପୁଲିସ ତାକୁ ଗିରଫ କରୁନଥିବାରୁ ଦୁଃଖିତ ଥିଲି। ସେହିଦିନରୁ ମୁଁ କାନ୍ଦୁଛି। ମୋ ଆଖିରୁ ଲୁହ ମରିନି। ଆଜି ବାଜିଆ ଗିରଫ ହୋଇଥିବା ଜାଣି ମୋତେ ଟିକେ ଆଶ୍ୱସ୍ତି ମିଳିଛି। ବାଜିଆ ପ୍ରଥମ ଦିନରୁ ହିଁ ଚକେଇସିଆଣି ଗାଁରେ ବୁଲୁଛି। ନେତା, ମନ୍ତ୍ରୀଙ୍କ ସହିତ ଘୁରି ବୁଲୁଛି। ସେ ସଭାପତି ଥିବା କ୍ଲବ୍‌କୁ ଉଦ୍‌ଘାଟନ କରିବାକୁ ଭଦ୍ରକ ଓ ଯାଜପୁର ଜିଲ୍ଲାର ଦୁଇ ଜଣ ବିଧାୟକ ମଧ୍ୟ ଆସିଥିଲେ।
ଠାକୁରାଣୀଙ୍କ ଜାଗା ବିକି ଅଭିଶାପ ପାଇଲା
ଦୀର୍ଘ ୧୩ ବର୍ଷ ପରେ ଗିରଫ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ବାଜିଆ ଏବେ ଚର୍ଚ୍ଚାରେ। ସେ ସରକାରୀ ଜମିକୁ ଜବରଦଖଲ କରି ବିକ୍ରିବଟା କରୁଥିବା ବେଳେ ଜମି ମାଫିଆଗିରି କରୁଥିଲା। ସ୍ଥାନୀୟ ଲୋକେ ତାକୁ ଭୟ କରୁଥିଲେ, ତେଣୁ ମୁହଁ ବନ୍ଦ କରିରହିଥିଲେ। କିଛି ଦିନ ତଳେ ବାଜିଆ ଗାଁ ନାଳବନ୍ଧରେ ଥିବା ଠାକୁରାଣୀଙ୍କ ଜମିକୁ ଜବରଦଖଲ କରି ବିକ୍ରି କରିଥବା ଗାଁ ଲୋକ କହିଛନ୍ତି। ତେଣୁ ତା’ଉପରେ ଠାକୁରାଣୀଙ୍କ ଅଭିଶାପ ପଡ଼ିଲା ବୋଲି ଚର୍ଚ୍ଚା ହେଉଛି।

Share Now:

Kalinga News Beuro

Next Post

ବିଜେଡ଼ି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି

Mon Nov 21 , 2022
ଭୁବନେଶ୍ୱର: ବିଜେଡ଼ି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି। ପଦ୍ମପୁର ଉପନିର୍ବାଚନରେ ବିଜେଡ଼ି ଆଦର୍ଶ ଆଚରଣ ବିଧି ଉଲଂଘନ କରୁଥିବା ନେଇ ଅଭିଯୋଗ କରିଛି ବିଜେପି। ରବିବାର ପଦ୍ମପୁର ଠାରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ବିଜେଡ଼ିର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସରକାରୀ କର୍ମଚାରୀମାନଙ୍କ ସହ ବୈଠକ କରିଥିଲେ। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବାସଭବନରେ ଜିଆରଏସ, ଏମବିକେ, ସିଆରପି […]
ଫେରାଦ ହେଲା ବିଜେପି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial