ଦୁଃଖ ଦେଉଛି ଦୟାୱେଷ୍ଟ କେନାଲ

ଦୁଃଖ ଦେଉଛି ଦୟାୱେଷ୍ଟ କେନାଲ

ପୁରୁଣା ଭୁବନେଶ୍ବର: ବିଏମ୍‌ସିର ୫୯ ନମ୍ବର ୱାର୍ଡ ପୁରୁଣା ଭୁବନେଶ୍ବରର ଏକ ପ୍ରମୁଖ ଅଞ୍ଚଳ। ଶ୍ରୀଲିଙ୍ଗରାଜ ମନ୍ଦିର, କପିଳେଶ୍ବର, ବିନ୍ଦୁସାଗର, ମୁକ୍ତେଶ୍ବର ମନ୍ଦିର ଭଳି ବିଶ୍ବ ପ୍ରସିଦ୍ଧ ଐତିହ୍ୟସ୍ଥଳ ଥିବା ଏହି ୱାର୍ଡ କେବଳ ରାଜ୍ୟ ନୁହେଁ, ଭାରତବର୍ଷର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର। ପ୍ରତିଦିନ ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଶହଶହ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ତେଣୁ ଏହି ଅଞ୍ଚଳର ବିକାଶ ସବୁବେଳେ ଓଡ଼ିଶାର ରାଜଧାନୀ ପାଇଁ ଗୁରୁତ୍ବ ବହନ କରେ। ଏଠାରେ ବହୁ ସମସ୍ୟା ରହିଥିଲେ ବି ଗତ କିଛି ବର୍ଷ ଭିତରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି। ରାସ୍ତା, ଡ୍ରେନ୍‌, ପାନୀୟ ଜଳ ଓ ଷ୍ଟ୍ରିଟ୍‌ ଲାଇଟ୍‌ ଭଳି ବହୁ ମୌଳିକ ସମସ୍ୟାର ସମାଧାନ ହୋଇଛି। ତେବେ ଦୟାୱେଷ୍ଟ କେନାଲ ଏହି ୱାର୍ଡର କିଛି ଅଞ୍ଚଳ ପାଇଁ ଦୁଃଖର କାରଣ ପାଲଟିଛି।
ୱାର୍ଡ ନମ୍ବର ୫୯: ୱାର୍ଡ ପରିସୀମା: ଶ୍ରୀରାମ ନଗର, ସାମନ୍ତରାପୁର, ଗ୍ୟାରେଜ୍ ଛକ, ଗୌରୀ ନଗର, ଅନନ୍ତ ବାସୁଦେବ ମନ୍ଦିର ଅଞ୍ଚଳ, କେଦାରଗୌରୀ ମନ୍ଦିର ଅଞ୍ଚଳ ଓ ନୂଆଗାଁ ଅଞ୍ଚଳ। ୨୦୨୨ ମସିହା ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିରଞ୍ଚି ନାରାୟଣ ମହାସୂପକାର ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ଏବେ ସେ ବିଏମ୍‌ସିର ଜନସ୍ବାସ୍ଥ୍ୟ, ବିଦ୍ୟୁତ୍‌, ପାନୀୟ ଜଳ, ଡ୍ରେନେଜ୍‌ ଓ ପରିବେଶ କମିଟିରେ ଅଧ୍ୟକ୍ଷ ରହିଛନ୍ତି। ଜଣେ ବରିଷ୍ଠ ଓ ଅଭିଜ୍ଞ ରାଜନେତା ହୋଇଥିବାରୁ ତାଙ୍କ ୱାର୍ଡର ବିକାଶ ପାଇଁ ସେ ବହୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ବର୍ଷକ ମଧ୍ୟରେ ବହୁ ରାସ୍ତାର ରୂପରେଖ ବଦଳିଛି। ଲିଙ୍ଗରାଜ ମନ୍ଦିରରୁ ସାମନ୍ତରାପୁର ରାସ୍ତା, ନୂଆଗାଁ ରାସ୍ତା ଅବସ୍ଥା ସୁଧୁରିଛି। ସାମନ୍ତରାପୁରରୁ କପିଳେଶ୍ବର ସ୍ବରେଜ୍‌ ଲାଇନ୍‌ କାମ ଓ ବିନ୍ଦୁସାଗରକୁ ପାଇପ୍‌ ଲାଇନ୍‌ ବିଛାଇବା କାମ ସରିଛି। ୱାର୍ଡର ବହୁ ଅଞ୍ଚଳରୁ ପିଇବା ପାଣି ସମସ୍ୟା ଦୂର ହୋଇଛି। ତା’ ସତ୍ତ୍ୱେ ବି କିଛି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଅଞ୍ଚଳବାସୀ। ଦୟାୱେଷ୍ଟ କେନାଲର ମଇଳା ପାଣିରୁ ବାହାରୁଥିବା ନାକ ଫଟା ଦୁର୍ଗନ୍ଧ ଅସହ୍ୟ ହୋଇପଡ଼ୁଛି। ଏହି ଅଞ୍ଚଳରେ ଥିବା ବହୁ କୂଅ, ପୋଖରୀ ପାଣି ବି ଏଥିପାଇଁ ପ୍ରଦୂଷିତ ହେଉଛି। ଲୋକମାନେ ଆଉ ସାଧରଣ କୂଅ, ପୋଖରୀ ପାଣି ବ୍ୟବହାର କରିପାରୁନାହାନ୍ତି। ମଶା ସମସ୍ୟା ବି ତଦ୍ରୁପ। ସେହିପରି ଏହି ୱାର୍ଡର ପ୍ରାଚୀନ ନନ୍ଦକୁଣ୍ଡ ପୁଷ୍କରିଣୀରୁ ପଙ୍କ ବାହାର କରିବା ପ୍ରତିଶୃତି ପାଣିର ଗାର ହୋଇରହିଯାଇଛି। ମୁଠାଏ ପଙ୍କ ବାହାରିପାରିନାହିଁ। ସାମନ୍ତରାପୁର ରାସ୍ତାରେ ପାର୍କିଂ ବ୍ୟବସ୍ଥା ନଥିବାରୁ ବ୍ୟବସାୟିକ ପ୍ରତିଷ୍ଠାନ ସମୁଖରେ ଲୋକମାନେ ଗାଡ଼ି ରଖିବା ଦ୍ବାରା ସବୁବେଳେ ଏହି ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଦେଖାଯାଉଛି।
ୱାର୍ଡର ସମସ୍ତ ଅଞ୍ଚଳରେ ରାସ୍ତା ନିର୍ମାଣ ବା ନବୀକରଣ କାମ ସରିଛି। ମୁଖ୍ୟ ଡ୍ରେନ୍‌ କାମ ବି ଶେଷ ହୋଇଛି। ସବୁ ଅଞ୍ଚଳକୁ ଆଲୋକୀକରଣ କରାଯାଇଛି। ନୂଆଗାଁ ଗୋଷ୍ଠୀ କେନ୍ଦ୍ର ଓ ଶ୍ମଶାନର ପୁନରୁଦ୍ଧାର କରାଯାଇଛି। ସାମନ୍ତରାପୁରଠାରେ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଛି। ଲିଙ୍ଗରାଜ ମାର୍କେଟ ସମୁଖରେ ସୌନ୍ଦର୍ଯ୍ୟୀକରଣ କରାଯାଇଛି। କେଦାରଗୌରୀ କୁଣ୍ଡ ପାଣିର ସ୍ବଚ୍ଛତା ପାଇଁ ଦୟା ନଦୀରୁ ପାଇପ୍‌ ଯୋଗେ ପାଣି ଛଡ଼ାଯାଇଛି। ତଥାପି ବାକି କାମ ଅଛି ଏବଂ ଲୋକଙ୍କୁ ଦିଆଯାଇଥିବା ପ୍ରତିଶୃତି ଅନୁସାରେ ପୂରଣ କରାଯିବ। ବିକାଶ ଏକ ନିରନ୍ତର ପ୍ରକ୍ରିୟା ଓ ଏହା ଜାରି ରହିବ।
-ବିରଞ୍ଚି ନାରାୟଣ ମହାସୂପକାର, କର୍ପୋରେଟର୍‌

Share Now:

Kalinga News Beuro

Next Post

ହସ୍ତଶିଳ୍ପ ମେଳାକୁ କାଳ ହେଲା କାଳବୈଶାଖୀ : ଅନ୍ଧାରରେ ଲୁଟିଲେ ଦୁର୍ବୁର୍ତ୍ତ

Sun Mar 19 , 2023
ବାଲିଅନ୍ତା: ଦୀର୍ଘ ମାସ ପରେ ଆଜି ସଂଧ୍ୟାରେ କାଳବୈଶାଖୀ ପ୍ରଭାବରେ ବାଲିଅନ୍ତା ଅଞ୍ଚଳରେ କିଛି ବର୍ଷା ହେବା ଫଳରେ ଲୋକେ ଆଶ୍ବସ୍ତ ହୋଇଛନ୍ତି। କିନ୍ତୁ ବାଳକାଟି କଲେଜ ପଡ଼ିଆରେ ଚାଲିଥିବା ସର୍ବଭାରତୀୟ ହସ୍ତଶିଳ୍ପ ମେଳାକୁ ଏହି କାଳବୈଶାଖୀ ମେଘପବନ କାଳ ସଦୃଶ ହୋଇଥିଲା। ବର୍ଷାରେ ଭିଜି ଯେତିକି ସାମଗ୍ରୀ ନଷ୍ଟ ହୋଇଛି, ତା’ଠୁ ବେଶି ଲୁଟ୍‌ ହୋଇଛି ବୋଲି ଚର୍ଚ୍ଚା ହେଉଛି। ପ୍ରବଳ ଧୂଳଝଡ଼ ସାଙ୍ଗକୁ ବିଦ୍ୟୁତ୍ କଟି ଅନ୍ଧାର […]
ହସ୍ତଶିଳ୍ପ ମେଳାକୁ କାଳ ହେଲା କାଳବୈଶାଖୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial