ଗୁରୁତ୍ୱ ଦେଲେନି ନବୀନ : ଦାମ ବାବୁଙ୍କ ଅଭିଯୋଗ ହାସ୍ୟାସ୍ପଦ, ଅବାନ୍ତର

ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚା ଜୋର ଧରିଲା

ଭୁବନେଶ୍ୱର : ‘ଦାମ ବାବୁ ସବୁବେଳେ ଦାୟିତ୍ୱହୀନ ମନ୍ତବ୍ୟ ଦେଉଥିଲେ। ତାଙ୍କର ସବୁ ଅଭିଯୋଗ ନିରାଧାର, ହାସ୍ୟାସ୍ପଦ ତଥା ଅବାନ୍ତର।’ ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରୁ ଫେରି ଆଜି ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ସଂପର୍କରେ ଏଭଳି କ଼ଡ଼ା ମନ୍ତବ୍ୟ ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କର ଏହି ଧାଡିକିଆ ଉତ୍ତର ରାଜନୈତିକ ମହଲରେ ଚର୍ଚାର ବିଷୟ ହୋଇଛି। ଡାକ୍ତର ରାଉତ ଗତ ଦିନମାନଙ୍କରେ ଚଳାଇଥିବା ବୟାନବାଜି ତାଙ୍କୁ ଯେ ଅତିଷ୍ଠ କରୁଥିଲା, ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରୁ ଏଭଳି ସ୍ପଷ୍ଟ ସଙ୍କେତ ମିଳୁଛି। ଅନ୍ୟପକ୍ଷରେ ବିଜେଡିରୁ ଦାମ ରାଉତ ବହିଷ୍କାର ହେବା ଏବଂ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଭେଟଘାଟ ପରେ ରାଜ୍ୟରେ ଆଉ ଏକ ଆଞ୍ଚଳିକ ଦଳ ଗଠନର ବାଟ ଖୋଲୁଛି ବୋଲି ଆଲୋଚନା ଆରମ୍ଭ ହୋଇଗଲାଣି। ଗତ ଦିନମାନଙ୍କରେ ଯେଉଁ ସବୁ ବିଜୁ ଅନୁଗତଙ୍କୁ ଦଳରୁ ବିଦା କରାଯାଇଛି, ଯେଉଁମାନେ ଅସନ୍ତୁଷ୍ଟ ହୋଇ ଏବେ ଦଳରେ ରହିଛନ୍ତି, ସେମାନଙ୍କୁ ଏକାଠି କରି ନୂଆ ରାଜନୈତିକ ମଞ୍ଚ ଗଠନ ହୋଇପାରେ ବୋଲି କୁହାଯାଉଛି। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଆଜି ଗଣମାଧ୍ୟମରେ ମନ୍ତବ୍ୟ ରଖିବା ଛଳରେ ମଧ୍ୟ ଏହି ଚର୍ଚ୍ଚାକୁ ବଳ ଦେଇଛନ୍ତି। ହେଲେ ନବୀନଙ୍କ ପାଇଁ କିନ୍ତୁ ଏଭଳି ଆଲୋଚନା କିଛି ମାନେ ରଖିନାହିଁ। ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିରୁ ବିଦା ହୋଇଥିବା ନେତାମାନେ ବିଜେଡି ବିରୋଧରେ ରାଜନୈତିକ ଦଳ ଗଠନ କରିବା ସମ୍ଭାବନା ସମ୍ପର୍କରେ ଗଣମାଧ୍ୟମ ପ୍ରଶ୍ନରେ ନବୀନ କହିଥିଲେ, ଦଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଉଲ୍ଲେଖଯୋଗ୍ୟ, ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ବିଜେପି ଓ କଂଗ୍ରେସକୁ ଯିବେ ନାହିଁ ବୋଲି କହି ସାରିଛନ୍ତି। ଦାମଙ୍କ ରାଜନୈତିକ ଭବିଷ୍ୟତ କଣ ହେବ, ତାକୁ ନେଇ ଅଙ୍କକଷା ଚାଲିଛି। ଠିକ୍‌ ଏମିତି ସମୟରେ ଏଯାଏ କୌଣସି ଦଳରେ ଯୋଗଦେଇନଥିବା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ତାଙ୍କୁ ଭେଟିଛନ୍ତି। ଏହି ଭେଟଘାଟରୁ ନୂଆ ଦଳ ଗଠନ ଚର୍ଚ୍ଚା ଜନ୍ମ ନେଇଛି। ଏପରିକି ବରିଷ୍ଠ ନେତା ବିଜୟ ମହାପାତ୍ର, ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ପଞ୍ଚାନନ କାନୁନ୍‌ଗୋ, ବ୍ରଜ କିଶୋର ତ୍ରିପାଠୀ, ଦିଲ୍ଲୀପ ରାୟ, ପ୍ରମୁଖ ଏକାଠି ହୋଇ ନୂଆ ଆଞ୍ଚଳିକ ଦଳ ଗଠନ କରିପାରନ୍ତି ବୋଲି କୁହାଯାଉଛି। କାରଣ ଏମାନେ ସବୁ ନିଜ ନିଜ ଦଳରେ ଅଣଦେଖା ହୋଇ ରହିଛନ୍ତି ବା ଅତୀତରେ ନିଜେ ଛୋଟ ଛୋଟ ଦଳ ଗଠନ କରିଛନ୍ତି ବେଶ୍‌ ସଫଳ ହୋଇପାରନାହାନ୍ତି। ଏଣୁ ସମସ୍ତେ ମିଶି ନବୀନଙ୍କୁ ପରାହତ କରିବା ଲାଗି ପାଗ ଭିଡିବେ। ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଗଣମାଧ୍ୟମକୁ କହିଛନ୍ତି,ନୂଆ ଆଞ୍ଚଳିକ ଦଳ ଗଠନକୁ ନେଇ ଯେଉଁ ଆଲୋଚନା ଚାଲିଛି ତାହା ଅସମ୍ଭବ ନୁହେଁ। ରାଜନୀତିରେ ସବୁ ସମ୍ଭବ। ଯେ ପର୍ଯ୍ୟନ୍ତ ଲକ୍ଷ୍ୟ ନିର୍ଧାରଣ ନହୋଇଛି ସେପର୍ଯ୍ୟନ୍ତ କିଛି କହିବା ସମ୍ଭବପର ନୁହେଁ। ରାଜ୍ୟର ବର୍ତ୍ତମାନର ସ୍ଥିତି ଯାହା ଓ ଲୋକଙ୍କ ମୁଡ୍‌ ଯେଭଳି ରହିଛି, ଏହି ବରିଷ୍ଠ ନେତାମାନଙ୍କର ଏକଜୁଟ ହେବା ନିଶ୍ଚିତ ଭାବେ ଭୋଟ୍‌ ରାଜନୀତିକୁ ପ୍ରଭାବିତ କରିବ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ଏହାକୁ ବେଶୀ ଗୁରୁତ୍ୱ ଦେଇନାହାନ୍ତି। କାରଣ ଅତୀତରେ ଯେଉଁମାନେ ବିଜେଡି ଛାଡିଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ନୂଆ ଦଳ ଗଠନ କରିବାକୁ ଚେଷ୍ଟା କରିଛନ୍ତି ଓ କେତେକ ବିଫଳ ହୋଇଛନ୍ତି। ବିଜୟ ମହାପାତ୍ରଙ୍କ ଓଜିପି ରହିପାରିନାହିଁ। ବ୍ରଜ କିଶୋର ତ୍ରିପାଠୀଙ୍କ ସମତାକ୍ରାନ୍ତି ଦଳ ହେଉ ବା ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଓଡ଼ିଶା ଜନମୋର୍ଚ୍ଚା ରାଜ୍ୟରେ ପ୍ରଭାବ ରଖିପାରିନାହାନ୍ତି।

ଅନ୍ୟପକ୍ଷରେ ବିଜୁ ବାବୁଙ୍କ ଆଦର୍ଶ ଉପରେ ବିଜେଡି ଗଠନ ହୋଇଛି। ଏବେ ବିଜେଡି ଛାଡୁଥିବା ନେତାମାନଙ୍କର ମୁଖ୍ୟ ଅସ୍ତ୍ର ମଧ୍ୟ ବିଜୁ। ରାଜ୍ୟ ବିକାଶ ନେଇ ଏସବୁ ନେତାମାନଙ୍କର ସ୍ୱପ୍ନ ଓ ପ୍ରତିବଦ୍ଧତା ସେମାନେ କ୍ଷମତାରେ ଥିବା ବେଳେ ପ୍ରକଟିତ କରିପାରିନାହାନ୍ତି। ଏଣୁ କେବଳ ବିଜୁଙ୍କ ନାଁ କହି ନୂଆ ପିଢିର ଭୋଟରଙ୍କୁ ପ୍ରଭାବିତ କରିବା ଏତେ ସହଜ ହେବ ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

କଳିଙ୍ଗ ଷ୍ଟୁଡିଓ ଛକରେ ମାଉଜର୍‌ ଗର୍ଜିଲା

Fri Sep 14 , 2018
ପକୋଡ଼ା ଖାଇଲେ, ଗୁଳିମାଡ଼ କଲେ, ଗୁରୁତର ଯୁବକ ଏମ୍‌ସରେ ଭର୍ତି ଖଣ୍ଡଗିରି: ପୁଣି ରାଜଧାନୀରେ ଗୁଳି ଫୁଟିଲା। ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ସ୍ଥାନୀୟ ଭରତପୁର କଳିଙ୍ଗ ଷ୍ଟୁଡିଓ ଛକରେ ମାଉଜର୍‌ ଗର୍ଜିଛି। ଗୁଳିମାଡ଼ରେ ଜଣେ ଫାଷ୍ଟଫୁଡ୍‌ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଆଇଗିଣିଆ ଅଞ୍ଚଳରେ ରହୁଥିବା ସୁବାସ ଧଳଙ୍କ ସାନ ପୁଅ ସ୍ମୃତିରଂଜନ ଧଳ(୩୬)। ତାଙ୍କ ଡାହାଣ ହାତ କହୁଣୀ ପାଖରେ ଗୁଳି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial