ବୈଜୟନ୍ତଙ୍କ ଅଡ଼ୁଆ ବଢ଼ିଲା, ହାଜର ପାଇଁ ନୋଟିସ୍‌

ଶ୍ରୀ ଜଗନ୍ନାଥ ମନ୍ଦିରକୁ କହିଲେ ପର୍ଯ୍ୟଟନସ୍ଥଳୀ:କାର୍ଯ୍ୟାନୁଷ୍ଠାନ ଦାବିରେ ବିଧାନସଭାରେ ଗର୍ଜିଲେ ବିଧାୟକ

ଭୁବନେଶ୍ୱର: ଚିଲିକା, ଶ୍ରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କର ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଉପରେ ହେଲିକପ୍ଟରରେ ଉଡିବା ଏବଂ ସୂର୍ଯ୍ୟ ମନ୍ଦିର ଓ ପୁରୀ ମନ୍ଦିର ସଂପର୍କରେ ସହଯାତ୍ରୀଙ୍କ ମନ୍ତବ୍ୟ ଏବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଅଡୁଆ ବଢାଇ ଦେଇଛି। ବୈଜୟନ୍ତଙ୍କ ସହିତ ଦୁଇଜଣ ସହଯାତ୍ରୀ (ଅଭିଜିତ ଆୟାର ମିତ୍ର ଏବଂ ଆରତି ଟିକୁ ସିଂହ) ଥିଲେ। କିନ୍ତୁ ଗତକାଲି ସୋସିଆଲ ମିଡିଆରେ ଅଭିଜିତ ଛାଡିଥିବା କିଛି ଅରୁଚିକର ମନ୍ତବ୍ୟ ଏବେ ମୂଳ ପ୍ରସଙ୍ଗ ଠାରୁ ଅଧିକ ସାଂଘାତିକ ଭାବେ ଉଭା ହେଲାଣି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବିଧାନସଭାରେ ଆଜି ଝଡ଼ ସୃଷ୍ଟି କରିଛି। ଅଭିଜିତ କୋଣାର୍କ ସାମ୍ନାରେ ଠିଆ ହୋଇ କୋଣାର୍କ ମନ୍ଦିର ସଂପର୍କରେ ଅପଶବ୍ଦ ପ୍ରୟୋଗ କରିବା ସହିତ ବିଶ୍ୱସ୍ତରର ଐତିହ୍ୟ କୀର୍ତିରାଜି ଉପରେ କଟୁ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ମନ୍ଦିରରେ ଖୋଦିତ ହୋଇଥିବା କାମୋଦ୍ଦୀପକ ଚିତ୍ରକୁ ସମାଲୋଚନା କରିଛନ୍ତି ଅଭିଜିତ। ମନ୍ଦିରରେ ଏପରି ଅଶ୍ଳୀଳ ଚିତ୍ର ଖୋଦିତ ହୋଇଛି, ଏହା କିପରି ଏକ ପବିତ୍ର ସ୍ଥାନ ହୋଇପାରିବ ବୋଲି ସେ ଭିଡ଼ିଓରେ ପ୍ରଶ୍ନ କରିଛନ୍ତି। ହିନ୍ଦୁମାନଙ୍କ ବିରୋଧରେ କୋଣାର୍କ ମନ୍ଦିର ମୁସଲମାନ ଶାସକଙ୍କ ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି। ଶେଷରେ ସେ କହିଛନ୍ତି ‘ଜୟ ଶ୍ରୀ ରାମ’। ଆମ ନୂଆ ରାମମନ୍ଦିରରେ ଏପରି ଅଶ୍ଳୀଳ ଚିତ୍ର ତିଆରି ନହେଉ। ସବୁଠାରୁ ବଡ଼ କଥା ହେଉଛି, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଉଭୟ କୋଣାର୍କ ଓ ଶ୍ରୀମନ୍ଦିରର ମହତ୍ୱ ଓ ଗରିମା ସଂପର୍କରେ ଜାଣନ୍ତି। ମାତ୍ର କୌଣସି ସ୍ଥାନରେ ଶ୍ରୀ ପଣ୍ଡା ଓଡ଼ିଶାର ଏହି ଦୁଇ ମହତ୍ୱପୂର୍ଣ୍ଣ ସ୍ଥାନ ସଂପର୍କରେ ଏଭଳି ଅପଶବ୍ଦ ବା କଟୁ ମନ୍ତବ୍ୟ ନ ଦେବାକୁ ଅଭିଜିତଙ୍କୁ ପ୍ରବର୍ତାଇନାହାନ୍ତି। କିମ୍ବା ଅଭିଜିତ ସୋସିଆଲ ମିଡିଆରେ ଏହାକୁ ଛାଡିବା ପରେ ବି ଏହାର ପ୍ରତିବାଦ କରିନାହାନ୍ତି ବୈଜୟନ୍ତ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଜି କେବଳ ପ୍ରତିକ୍ରିୟା ପ୍ରକାଶ ପାଇଛି ତା ନୁହେଁ, ବରଂ ବୁଦ୍ଧିଜୀବୀ ମହଲ ଶ୍ରୀ ପଣ୍ଡାଙ୍କ ନିରବତାକୁ ନାପସନ୍ଦ ଓ ସମାଲୋଚନା ମଧ୍ୟ କରିଛନ୍ତି।

ଏପଟେ ଆଜି ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିଧାୟକମାନେ ଗର୍ଜନ ତର୍ଜନ କରିଥିଲେ। ପ୍ରଶ୍ନକାଳରେ ବିଜେଡି ବିଧାୟକମାନେ ଗୃହରେ ଠିଆହୋଇ ପ୍ରତିବାଦ କରିଥିଲେ। ବାଚସ୍ପତି ଗୃହକୁ ତତ୍କାଳ ମୁଲତବୀ କରିବାରୁୁ ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଆୟାରଙ୍କ ଗିରଫଦାରି ଦାବି କରିଥିଲେ। ପରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। କହିଥିଲେ, ଦୁଇଟି ଭିଡିଓ ସୋସିଆଲ ମିଡିଆରେ ସେ ଦେଖିଛନ୍ତି। ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରର କଳା ଓ କାରୁକାର୍ଯ୍ୟ ହିନ୍ଦୁ ସଂସ୍କୃତିର ପରିପନ୍ଥୀ ବରଂ ଏହା ଏକ ମୁସଲମାନଙ୍କ ସାଜିସ୍‌ ବୋଲି ଜଣେ ଅଣଓଡିଆ ଆର୍‌ଏସ୍‌ଏସ୍‌ କ୍ୟା଼ଡର ମାର୍କା ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି। ଏହା ଓଡ଼ିଶାବାସୀଙ୍କ ଭାବନାକୁ ଗଭୀର ଆଘାତ ହେଇଛି। ସେ ଏକଥା ବି କହିଛନ୍ତି, ଭବିଷ୍ୟତରେ ରାମ ମନ୍ଦିର ହେଲେ ସେଥିରେ ଏଭଳି ମୂର୍ତି ରଖାଯିବ ନାହିଁ। ଏହା ଅନୁଚିତ, କ୍ଷୋଭ ସୃଷ୍ଟି କଲା ଭଳି। ସଂପୃକ୍ତ ବ୍ୟକ୍ତି ହେଲିକପ୍‌ଟରରେ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ମଧ୍ୟ ବୁଲିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଉପରେ ହେଲିକପ୍‌ଟର ବୁଲିବା ଘଟଣାକୁ କେହି ଗ୍ରହଣ କରିପାରିବେନି। କିନ୍ତୁ ସେ ଆହୁରି ମନ୍ତବ୍ୟ ଦେଇଛନ୍ତି ଯେ ଏହା ଏକ ପର୍ଯ୍ୟଟନସ୍ଥଳୀ। ବିରୋଧୀ ଦଳ ନେତା କହିଥିଲେ, ସଂପୃକ୍ତ ବ୍ୟକ୍ତିଙ୍କ ମନ୍ତବ୍ୟ ଉଭୟ କ୍ଷେତ୍ର ପାଇଁ ଅତ୍ୟନ୍ତ ବିପଜ୍ଜନକ। ପୁରୀ ଶ୍ରୀମନ୍ଦିର ଏକ ପର୍ଯ୍ୟଟନସ୍ଥଳୀ ନୁହେଁ, ବରଂ ଏହା ଏକ ପୂଜାସ୍ଥଳୀ। ଲୋକେ ସେଠାକୁ ପୂଜା କରିବାକୁ ଯାଆନ୍ତି। ରାଜ୍ୟର ଜଣେ ବରିଷ୍ଠ ନେତା ଏହି ବ୍ୟକ୍ତିଙ୍କୁ ହେଲିକପ୍‌ଟରରେ ନେଇ ଯାଇଥିଲେ। ସଂପୃକ୍ତ ବ୍ୟକ୍ତି କୋଣାର୍କ ସଂପର୍କରେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଦଣ୍ଡନୀୟ। ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ଶ୍ରୀଜଗନ୍ନାଥ ମନ୍ଦିର ଉପରେ ହେଲିକପ୍‌ଟର ଉଡାଣ ଆଦି ଘଟଣା ଅପରାଧ ଓ ଏମାନଙ୍କୁ ଦଣ୍ଡିତ କରାଯିବାର ଆବଶ୍ୟକତା ରହିଛି।

ଓଡ଼ିଶାର ଅସ୍ମିତା ବିରୋଧରେ ବୈଜୟନ୍ତ ବନ୍ଧୁଙ୍କ କଟୁ ମନ୍ତବ୍ୟ:କୋଣାର୍କ ଭାସ୍କର୍ଯ୍ୟ ବିରୋଧରେ ପ୍ରୟୋଗ କଲେ ଅପଶବ୍ଦ
ସରକାରୀ ଦଳ ପକ୍ଷରୁ ସଞ୍ଜୟ ଦାସବର୍ମା କାହିଁକି ଚିଲିକା ଗୁରୁତ୍ୱପୂର୍ଣ୍ଣ ସେ ସଂପର୍କରେ କହିଥିଲେ, ଗତ ୧୫ ତାରିଖ ଦିନ ସେଠାରେ ଯେଉଁ ଭୟଙ୍କର ଶବ୍ଦ ହୋଇଥିଲା ଓ ବିମାନ ଉଡାଯାଇଥିଲା, ଲୋକେ ଭୀତତ୍ରସ୍ତ ହୋଇପଡିଥିଲେ। ତଦନ୍ତ ବେଳେ ଜଣାପ଼ଡିଛି, ସେଠାରେ ଏକ ହେଲିକପ୍‌ଟର ଓହ୍ଲାଇଥିଲା। ସେ ନେଇ ତଦନ୍ତ ଆଗକୁ ଯିବ। କିନ୍ତୁ ବୈଜୟନ୍ତ ପଣ୍ଡାଙ୍କ ସହଯାତ୍ରୀ ଅଭିଜିତ ଜାରି କରିଥିବା ଭିଡିଓ ଯଦି ସତ୍ୟ ହୋଇଥାଏ, ତେବେ ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ। ଶ୍ରୀ ଦାସବର୍ମା କହିଥିଲେ, ସୂର୍ଯ୍ୟମନ୍ଦିର ଇତିହାସର ମୁକସାକ୍ଷୀ। ମାତ୍ର ତା ସାମ୍ନାରେ ଛିଡା ହୋଇ ସାଂପ୍ରଦାୟିକ ବିବୃତି ଦିଆଯାଇଛି। ଓଡ଼ିଆ ଜାତି ଏହାକୁ ବରଦାସ୍ତ କରିବ ନାହିଁ। ଓଡ଼ିଆର ଅସ୍ମିତା, ସ୍ୱାଭିମାନ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଶାନ୍ତିପ୍ରିୟ ଓଡ଼ିଶାରେ ସାଂପ୍ରଦାୟିକତାର ବିଷମୁଞ୍ଜି ବୁଣିବା ପାଇଁ ଷଡ୍‌ଯନ୍ତ୍ର କରାଯାଇଛି ଓ ଏହାକୁ ଦଳମତ ନିର୍ବିଶେଷରେ ସମସ୍ତେ ନିନ୍ଦା କରିବା ସହିତ ହୀନ ଉଦ୍ୟମକୁ ପଣ୍ଡ କରିବା ଦରକାର। ବିଜେଡି ବିଧାୟକ ସମୀର ରଂଜନ ଦାଶ, ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏଭଳି ଉଦ୍ୟମକୁ କଡ଼ା ଶବ୍ଦରେ ସମାଲୋଚନା କରିଥିଲେ। ଶ୍ରୀ ସ୍ୱାଇଁ ଆଉ ଦି’ ପାଦ ଆଗକୁ ଯାଇ କହିଥିଲେ, ଆରଏସ୍‌ଏସ୍‌ର ଯେଉଁ ବ୍ୟକ୍ତିମାନେ ବିଭିନ୍ନ ଉପାୟରେ ଏଠାକୁ ଆସୁଛନ୍ତି, ସେମାନେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଗ୍ରହଣ କରି ପାରୁନାହାନ୍ତି। ସମ୍ବିଧାନକୁ ନ ମାନି ମନୁବାଦକୁ ମାନୁଥିବା ସେହି ଲୋକମାନେ କଳିମଞ୍ଜି ବୁଣିବାକୁ ଚେଷ୍ଟା କରୁଛନ୍ତି। ମୂଳରୁ ଏମାନଙ୍କୁ ରୋକାଯିବାର ଆବଶ୍ୟକତା ରହିଛି। ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ କହିଥିଲେ, ଚିଲିକା କ୍ଷେତ୍ରରେ ଆମେ ଡବଲଷ୍ଟାଣ୍ଡାର୍ଡ ନୀତି ପାଳନ କରୁଛୁ। ଗୋଟିଏ ପଟେ ସି ପ୍ଲେନ୍‌ ଉଡାଇବା ପାଇଁ ଯୋଜନା ହେଉଛି। ଅନ୍ୟପଟେ ସେଠାରେ ଶହ ଶହ ମୋଟର ବୋଟ୍‌ ଚାଲୁଛି। ଶ୍ରୀ ସିଂହଦେଓ କହିଥିଲେ, ଆର୍‌ଏସ୍‌ଏସ୍‌ ରାମ ମନ୍ଦିର ନିର୍ମାଣ କରୁନାହିଁ। ଅଭିଜିତ ଆୟାର ମଧ୍ୟ ଆର୍‌ଏସ୍‌ଏସ୍‌ର ନୁହନ୍ତି। ରାମ ମନ୍ଦିର ସ୍ଥାନୀୟ ଅଯୋଧ୍ୟା ଲୋକ ଓ ରାମ ଲାଲ ଟ୍ରଷ୍ଟ କରୁଛନ୍ତି। କୋଣାର୍କ ଭଳି ଖଜୁରାହୋ ଓ ଅଜନ୍ତା କଳାକୃତି ଉପରେ ମଧ୍ୟ ମନ୍ତବ୍ୟ ଦିଆଯାଉଛି। ବିଜେଡି ଜାଣିଶୁଣି ଏହି ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି। ସମବାୟ ଦୁର୍ନୀତି ଆଦିକୁ ଲୁଚାଇବା ଲାଗି ଏହା ଏକ ଉଦ୍ୟମ।

ହାଜର ପାଇଁ ନୋଟିସ୍‌
ଚିଲିକାରେ ହେଲିକପ୍ଟର ଉଡାଣ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ତାଙ୍କର ଦୁଇ ସହଯାତ୍ରୀ ଅଭିଜିତ ଆୟାର ମିତ୍ର ଓ ଆରତୀ ସିଂହଙ୍କୁ ଆସନ୍ତାକାଲି (ବୁଧବାର) ମଧ୍ୟାହ୍ନ ୧୨ଟା ସୁଦ୍ଧା ପୁରୀ ସଦର ଥାନାରେ ହାଜର ହେବାକୁ ନୋଟିସ୍‌ କରାଯାଇଛି। ଆଜି ପୁରୀ ଜିଲ୍ଲା ଏସ୍‌ପି ଡାକ୍ତର ସାର୍ଥକ ଷଡଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି ଘଟଣାରେ ଇମ୍ଫା କର୍ତୃପକ୍ଷଙ୍କୁ ଆଜି (ମଙ୍ଗଳବାର) ସଦର ଥାନାରେ ହାଜର ହେବାକୁ କୁହାଯାଇଥିଲା। ମାତ୍ର ଇମ୍ଫା ପକ୍ଷରୁ କେହି ନଆସିବାରୁ ଉପରୋକ୍ତ ତିନିଜଣଙ୍କୁ ନୋଟିସ୍‌ କରାଯାଇଛି। ଅନ୍ୟପକ୍ଷରେ ଘଟଣାର ତଦନ୍ତକାରୀ ଅଧିକାରୀ ଅରଖକୁଦା ମେରାଇନ୍‌ ଥାନା ଅଧିକାରୀ ଗୌରାଙ୍ଗ ପୃଷ୍ଟି ଆଜି ଇମ୍ଫା ଅଫିସରେ ପହଞ୍ଚି ହେଲିକେପ୍ଟର ଥିବା ଦୁଇ ସହଯାତ୍ରୀଙ୍କ ବିବରଣୀ ମାଗିଛନ୍ତି। ଏଥିସହିତ ହେଲିକେପ୍ଟର ଥିବା ସହଯାତ୍ରୀ ସୋସିଆଲ ମିଡ଼ିଆରେ ଦେଇଥିବା ମନ୍ତବ୍ୟକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ବସ୍ତି କବ୍‌ଜାରେ ୭୦୦ ହେକ୍ଟର ଜମି

Wed Sep 19 , 2018
୨୦୦୮ରେ ଥିଲା ୩୭୭, ୨୦୧୨ରେ ଛୁଇଁଲା ୪୩୬ ଭୁବନେଶ୍ୱର: ଶହେ କି ଦୁଇଶହ ଏକର ନୁହେଁ, ରାଜଧାନୀରେ ଥିବା ପ୍ରାୟ ୭୦୦ ହେକ୍ଟର୍‌ ଜମି ଏବେ ବସ୍ତିବାସିନ୍ଦାଙ୍କ କବ୍‌ଜାରେ ରହିଛି। ଆଜି ବିଧାନସଭାରେ ଦିଆଯାଇଥିବା ତଥ୍ୟରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। କେବଳ ସେତିକି ନୁହେଁ, ଆହୁରି ଉଦ୍‌ବେଗର ବିଷୟ ହେଉଛି, ସରକାରୀ ପରିସଂଖ୍ୟାନ ସୂଚାଉଛି, ବର୍ଷକୁ ହାରାହାରି ୧୫ଟି ନୂଆ ବସ୍ତି ଗଢ଼ି ଉଠୁଛି। ଏହି ବସ୍ତିଗୁଡ଼ିକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial